Unknown

 

 

 

 

 

 

 

 

 

 

 

ମିଛ ମଣିଷ

ରାଧା ବିନୋଦ ନାୟକ

 

 

 

 

 

 

 

 

 

 

 

ଶାନ୍ତି, ଦୀର୍ଘ ସତର ବର୍ଷ ପରସ୍ପର ସହିତ ଭେଦିଲା ପରେ ମିଛ ମଣିଷକୁ ନେଇ ମୋର ଅନୁଭୂତି ତୁମଠାରୁ କିଏ ଅଧିକ ବୁଝନ୍ତା ! ତେଣୁ ତୁମକୁ... ।

 

ଗଳ୍ପ ସୂଚୀ

 

୧.

ଶେଷ ମଣିଷର ଭାଷା

୨.

ଶୀତଦିନେ ଗାଁର ଦୃଶ୍ୟ

୩.

ଆର୍ଟିଷ୍ଟ

୪.

ମିଛ ମଣିଷ

୫.

ଦେଶ ବୋଇଲେ

୬.

ଈଶ୍ଵରଙ୍କ ଆବର୍ତ୍ତମାନରେ

୭.

ଭାବକୁ ନିକଟ ସେ ଯେ

୮.

ଭୟ

୯.

ମାନବେତର

୧୦.

ଅରଷ୍ଟି

୧୧.

ତୋ ଆଖିରେ ଓଠରେ ଏ ଦୁନିଆରେ ସବରୀ

୧୨.

ତୋ ଗୁଣ ସୁମରି

୧୩.

ପିକ୍‌ନିକ ସମୁଦ୍ର

୧୪.

ଚନ୍ଦ୍ରଭାଗା ଓ ପାପ ପୁଣ୍ୟର କଥା

୧୫.

ସବୁଜ ବଣର ବାଘ

Image

 

ଶେଷ ମଣିଷର ଭାଷା

ଏକ : ସାଧାରଣ ଦୃଶ୍ୟ

 

ଛକଟିରେ ଓହ୍ଲାଇଲା ବେଳକୁ ଠିକ୍ ସନ୍ଧ୍ୟା ସାଢ଼େ ଛ’ଟା ହୋଇଥିଲା । ମୁଁ ବସ୍‌ରୁ ଓହ୍ଲାଇ ପଡ଼ି ରାଜପଥରେ ପାଦ ଦେଲାକ୍ଷଣି କ୍ଳିନର୍ ଦୁଇ ଥର ହୁଇସିଲ ବଜାଇଲା ଓ ବସ୍‌ଟି ଗିଅର ଚେଞ୍ଜ୍ କରି ତା’ର ସ୍ୱାଭାବିକ ସ୍ୱିଡ଼ ନେଲା । ବାଙ୍କ ଘୂରି ବସ୍‌ଟିର ନାଲି ଆଲୋକ ଲିଭିଯିବା ପର୍ଯ୍ୟନ୍ତ ମୁଁ ବସ୍‍ଟିକୁ ଚାହିଁ ରହିଲି ଓ ପରେ ପାଖ ଦୋକାନକୁ ଚାଲିଗଲି କପେ ଚା’ ଦୁଇଖଣ୍ଡ ପାନ ପାଇଁ ।

 

ମୋତେ ପରିବେଶଟି ଖୁବ୍ ଅସ୍ଵାଭାବିକ ଲାଗିଲା । ଛକ ରାସ୍ତା ହେଇଥିବାରୁ ବିଭିନ୍ନ ସ୍ଥାନକୁ ଯିବାପାଇଁ ସେଠାରେ ଲୋକଙ୍କର ଭିଡ଼ ଜମେ । ଭିଡ଼ ଜମେ ଦିନର ସବୁ ସମୟରୁ ରାତି ପ୍ରାୟ ବାରଟା ପର୍ଯ୍ୟନ୍ତ । ତା’ ପରେ ସ୍ଥାନଟି ଶୁନ୍‌ଶାନ ହୋଇଯାଏ ଓ ବିକ୍ରିବଟାର ଆଶା ନ ଦେଖି ପାନ, ଚା ଦୋକାନୀମାନେ ଦୋକାନରେ ପାଣି ଧୂପ ଦିଅନ୍ତି ।

 

ଅଥଚ ଆଜି ସବୁ କାହିଁକି ଟିକେ ଖାପ୍‌ଛଡ଼ା ଜଣାଗଲା । ଅବଶ୍ୟ କେତେକ ଦୋକାନ ଖୋଲା ରହିଛି, କିନ୍ତୁ ଯାତ୍ରୀ ଭିଡ଼ ଅପେକ୍ଷାକୃତ କମ୍ । ପୁଣି ଦୋକାନମାନଙ୍କର ସଂଧ୍ୟାକାଳୀନ ରୋମାଞ୍ଚ ନାହିଁ, ଗୋଟାଏ ବିଷଣ୍ଣ ନୀରବତା ଛାଇ ଦେଇଛି ଦୋକାନଗୁଡ଼ିକୁ ସକାଳର କଞ୍ଚା କୋଇଲା ଆଞ୍ଚ ଧୂଆଁ ପରି ।

 

ମୁଁ କାହାରିକୁ କିଛି କହିଲି ନାହିଁ । କିନ୍ତୁ ସେହି କେତୋଟି ଦୋକାନ ଉପରେ ଥରେ ଆକ୍ଷି ବୁଲାଇ ନେବାକୁ ଧୀରେ ଧୀରେ ଚାଲୁଥିଲି ନୀରବରେ । ଚାଳିଗୁଡ଼ିକ ଡିବିରି ଧୂଆଁରେ ଅନ୍ଧାରିଆଁ, ତା’ ଭିତରେ କାଠ ବେଞ୍ଚକୁ ଆବୋରି କେତେଜଣ କରି ଶେତା ମଣିଷ ଗୋଡ଼କୁ ଟେକିଦେଇ ଏମିତି ଭଙ୍ଗୀରେ ବସିଛନ୍ତି ସେ ବେଞ୍ଚମାନଙ୍କ ଉପରେ, ଦେଖିଲେ ମନ ହେବ ଯେମିତି ହାତରେ କିଛି କାମ ନାହିଁ କିମ୍ବା ଯାହା ଆସୁଚି ପାରେଇ ଯାଉ, ପରେ ଦେଖିବା ।

 

ଦୋକାନୀମାନେ ବରାଦ ଅନୁସାରେ ଚା ପାନ ବଢ଼ାଇ ଦେଉଛନ୍ତି ଓ ପଇସା ନେଇ ଟିଣ ବାକ୍‌ସରେ ରଖୁଛନ୍ତି । ଅଥଚ କାର୍ମମାନ ଯେମିତି ସ୍ଵୟଂଚଳିତ, ସେଥିରେ କୌଣସି ଉଦ୍ୟମ ନାହିଁ ।

 

ମୋତେ ଆଶ୍ୱସ୍ତିକର ଲାଗିଲା । ହଠାତ୍ କାହିଁକି ଏକ ମଧୁର ସନ୍ଧ୍ୟାରେ ଲୋକଗୁଡ଼ିକ ବଞ୍ଚିବାର ଧାରାକୁ ଭୁଲିଗଲେ । ଗୋଟାଏ ଭୟ ଆଶଙ୍କାରେ ସୁଧାର ପିଲାପରି ମୃତ୍ୟୁକୁ କେବଳ ଅପେକ୍ଷା କରିଛନ୍ତି ଯେମିତି, ଆସିଗଲେ ସେମାନଙ୍କର ଦାୟିତ୍ଵ ଶେଷ । ତେଣୁ ଉଦ୍ୟମ, ଚାଞ୍ଚଲ୍ୟ କିଛି ନାହିଁ, ‘କେବଳ ୱେଟିଂ ଫର୍ ମେଦୋ’ ର ଏଷ୍ଟ୍ରଗନ୍ ଭ୍ଲଦିମିର୍‌ ପରି ଅପେକ୍ଷା କରିବା କଥା ।

 

ମୋର ମନେ ପଡ଼ିଗଲା, ସେ ଛକରେ ଗୋଟିଏ ଦୋକାନୀ, କିନ୍ତୁ ଜୀବନ୍ତ ସବୁ ସମୟରେ, ସୁଖ ଦୁଃଖ ଅବସନ୍ନତାରେ । ମୁଁ ସ୍ଥିର କରିନେଲି ତା’ ନିକଟକୁ ଯିବି ଓ ଏମିତି ଗୋଟେ ଅସ୍ଵାଭାବିକ ପରିସ୍ଥିତିର ହେତୁ ଜିଜ୍ଞାସା କରିବି । ମୁଁ ତା’ ନିକଟରେ ପହଞ୍ଚିଲି । ସେତେବେଳେ ସେ ପ୍ରଥମ ଧୂପ ବଢ଼ାଇ ସାରିଥିଲା ବୋଧହୁଏ । କାରଣ ଦୁଇ ହାତ ଉପରେ ମୁହଁଟିକୁ ଥୋଇ ଦେଇ ଟିଣ କେବିନ୍‌ରୁ ସେ ଚାହିଁଛି ଗଛ କୋରଡ଼ରୁ ପେଚାଟିଏ ପରି । ଉଚ୍ଚ ଉଚ୍ଚ ହନୁହାଡ଼ର ଗହିଡ଼ା ଭିତରୁ ଲାଲ ଲାଲ ଆଖି ଦୁଇଟି ସ୍ଥିର ଅପଲକ । ସେ ଏକପ୍ରକାରର ପଥର ମୂର୍ତ୍ତିଟିଏ ପରି ।

 

ମୁଁ ଦୋକାନ ସାମ୍ନା କୁ ଚାହିଁଲି—ତ୍ରିନାଥ ମେଳା ର ପୀଠ । ପୀଠ ଉପରେ ଗୋଟେ ଛୋଟ କାଠ ଭାଡ଼ି, ଭାଡ଼ି ଉପରେ ନାଲି ବାକ୍‌ସ । ବାକ୍‌ସ ଦେହରେ ଛୋଟ ଚାବି ବାକ୍‌ସ ସହିତ ଫଟ୍‌ ହେଇଛି ହାତେ ଦେଢ଼ ହାତର ବାଉଁସ କାଠି, କାଠି ଆଗରେ ନାଲି ପତାକା ଓ କାଠିକୁ ଡେରି ହୋଇରହିଛି ଆଖଣ୍ଡମଣିଙ୍କ ଫଟୋଟିଏ । ଅନ୍ୟ ଦିନମାନଙ୍କରେ ଅନ୍ଧାର ଘୋଟିବା ପୂର୍ବରୁ ଛୋଟ କାଚ କଳା ପଡ଼ିଥିବା ଲଣ୍ଠନଟିଏ ପୀଠର ମାହାତ୍ମ୍ୟ ପ୍ରଚାର କରେ । ଅଥଚ ଆଜି କିନ୍ତୁ ଅନ୍ଧକାର ଭିତରେ ପୀଠଟି ପରିତ୍ୟକ୍ତ । ସନ୍ଧ୍ୟାକାଳୀନ ଉପଚାରରୁ ମୁକ୍ତ ଆଜି ସେ ପୀଠ ।

 

ମୋର ଇଚ୍ଛା ହେଲା ଦୋକାନୀର ଦୃଷ୍ଟି ଆକର୍ଷଣ କରିବି ଓ ପ୍ରସଙ୍ଗକ୍ରମେ ମୂଳ ପ୍ରଶ୍ନ ଉଠେଇବି । ଲୋକଟି ଏମିତି ଉଦାସୀନ ମନେହେଉଛି, ତାକୁ କିଛି କହିବାକୁ ମୋର ଭରସା ଅଣ୍ଟିଲା ନାହିଁ । ତଥାପି ଖଣ୍ଡିକାଶ ମାଧ୍ୟମରେ ତାକୁ ମୋ ଆଡ଼କୁ ଆକର୍ଷିତ କଲି ଓ ଦୁଇ ଖଣ୍ଡ ପାନ ପାଇଁ ବରାଦ କଲି । ଲୋକଟା ଭିତରେ ବିଶେଷ କିଛି ପରିବର୍ତ୍ତନ ହେଲାନି, କେବଳ ତା ଡୋଳା ଦି ଟା ସାମାନ୍ୟ ସ୍ଥାନ ପରିବର୍ତ୍ତନ କଲେ । ମୁଁ ଅନୁଭବ କଲି ମୋତେ ଚାହିଁଛି, ଅଥଚ ତାର ଭାବରାଜ୍ୟଟି ପ୍ରସାରିତ କେଉଁଆଡ଼େ ।

 

ମୁଁ ପୁନର୍ବାର ପାନ ଦୁଇ ଖଣ୍ଡ ପାଇଁ କହିଲି ଓ ବସ୍ କେଉଁ ମୁହୂର୍ତ୍ତରେ ଆସିଯାଇପାରେ, ସେ ଦୃଷ୍ଟିରୁ ମୋର ଶୀଘ୍ର ପାନ ଦରକାର ବୋଲି ସଚେତନ କରାଇଲି । ସେ ମୁହଁ ତଳୁ ହାତ ଦୁଇଟିକୁ କାଡ଼ି ମୁହଁ ଉପରେ ଘଷିନେଲା ଓ ପରେ ପରେ ହାତ ଦୁଇଟିକୁ ଛନ୍ଦିଦେଇ ଉପରକୁ ଟେକି ଅଳସ ଉଡ଼ିଲା । ଠିକ୍ ସେତିକିବେଳେ ତା ମୁହଁରୁ ଶବ୍ଦଟିଏ ତାତ୍ସଲ୍ୟର ଭାବ ନେଇ ପ୍ରକାଶିତ ହେଲା…..ପାନ !

 

ମୁଁ ଭାବିଲି ବୋଧହୁଏ ମୋର ବରାଦ ସଂପର୍କରେ ନିଶ୍ଚିତ ହେବାକୁ ଚାହୁଁଛି । ତେଣୁ କହିଲି ହଁ—ଦୁଇଖଣ୍ଡ ପାନ । ସେ କେମିତି ଅନ୍ୟମନସ୍କ ହୋଇଗଲା ଓ ଭଙ୍ଗା ଗଳାରେ କହିଲା; ଆହୁରି ପାନ ସଉକ !

 

ମୁଁ କିଛି ବୁଝି ପାରିଲି ନାହିଁ । କେବଳ ବୋକା ଲୋକଟିଏ ପରି ତା ମୁହଁକୁ ଚାହିଁ ରହିଲି-। ଲୋକଟି ବୋଧହୁଏ ବୁଝିଗଲା ମୁଁ ତା କଥାର ମର୍ମ ଧରି ପରୁନି । ତେଣୁ ପ୍ରାୟ ବିରକ୍ତ ହେଲାପରି ସେ କହିଲା—ପାନ ସଉକ ପଛରେ ବାହାରିବ, ତେଣେ ଟିକେ ଆକାଶକୁ ଚାହିଁଲ ! ଏତକ କହିଦେଇ ହାତ ଉପରେ କପାଳକୁ ଭରାଦେଇ ସେ ମୁହଁ ତଳକୁ ଝୁଲାଇଦେଲା-!

 

ମୁଁ ଆକାଶକୁ ଚାହିଁଲି; କୃଷ୍ଣ ପକ୍ଷ ରାତି । ଘନ ଅନ୍ଧାର । ତା ସହିତ ଆକାଶରେ ଧୁଳିଆ ମେଘ ନଇଁ ଆସିଛି, ରହି ରହି ବିଜୁଳି…ମୋଟା ମୋଟି ଆକାଶର କୁନ୍ଥେଇଲା ଭାବ, କେଉଁ ମୁହୂର୍ତ୍ତରେ ବର୍ଷି ଯାଇ ପରେ । ଆକାଶ ତ ଏମିତି ଦିଶେ ସମୟ ସମୟରେ, ମୁଁ କିଛି ବୁଝିପାରଲି ନାହିଁ । ତେବେ ଲୋକଟି ଯେତେବେଳେ ଆକାଶକୁ ଚାହିଁବା ଉପରେ ଗୁରୁତ୍ଵ ଦେଇଛି, ମୁଁ ଖୁବ୍ ନିଘାର ସହିତ ଚାହିଁଲି ବିଭିନ୍ନ ଦିଗକୁ ଯଦିଓ ତାରାଟିଏ ବି ଦେଖିବାକୁ ପାଇଲି ନାହିଁ ଶେଷରେ ।

 

ମୁଁ ଆକାଶରୁ ଆସ୍ତେ ଆଖି ଫେରାଇ ଆଣିଲି । ଓ ଲୋକଟିକୁ ପୁନର୍ବାର ଚାହିଁଲି । ସେ ସେମିତି ମୁହଁ ପୋତି ବସିଛି, ହୁଏତ କିଛି ଗୁରୁତର କଥା ଚିନ୍ତା କରୁଛି । ମୁଁ ଆଉ ଥରେ ଖଣ୍ଡିକାଶ ମାରିଲି ଓ କହିଲି ଶୁଣୁଛ ! ମୁଁ ଆକାଶ କୁ ଚାହିଁ ସାରିଲିଣି ।

 

ଲୋକଟି ମୁହଁଟେକି ମୋତେ ଚାହିଁଲା । ଏମିତି ଚାହିଁଲା କିଛି ସମୟ ଧରି । ପରେ ବୋଧହୁଏ ତା’ର ହେତୁ ଆସିଲା । ସେ ନିଜକୁ ଫେରି ପାଇଲା ଓ ମୋତେ କହିଲା : କ’ଣ ଦେଖିଲ-!

 

—ମେଘ !

 

—ବାସ୍‌, କେବଳ ମେଘ ?

 

ମୁଁ ଲୋକଟିକୁ ବୁଝି ପାରିଲିନାହିଁ । ପାନ ମିଳିବ ନାହିଁ ଧାରଣା ନେଇ ମୁଁ ଅନ୍ୟ ଦୋକାନ କୁ ଚାଲି ଯାଇଥିଲି । ପଛରୁ ଲୋକଟି ଡାକି ଦେଲା । ତା’ର ସ୍ଵର ନିହାତି ଅସ୍ଵାଭାବିକ ମନେହେଲା ମୋତେ । ଯେମିତି ସେ ଅତ୍ୟଧିକ ଭୟ ପାଇଯାଇଛି । ମୁଁ ତା ଡାକରେ ପଛକୁ ଫେରିପଡ଼ିଲି ଓ ଦେଖିଲି ଲୋକଟି ପ୍ରାୟ ଧକେଇ ଧକେଇ କାନ୍ଦୁଛି । ମୁଁ ଏସବୁର ରହସ୍ୟ କିଛି ବୁଝି ନ ପାରି ତା’ ନିକଟକୁ ଗଲି । ଲୋକଟି ଧକେଇ ବାହୁନିବାକୁ ଆରମ୍ଭ କରିଦେଲା । ସେଇ ବାହୁନିବା ଅବସ୍ଥାରେ କେତେଗୋଟି ଅସଂଯତ ବାକ୍ୟ ଉଚ୍ଚାରଣ କଲା—ପାନ ଖାଇବାକୁ ଆହୁରି ମନ ବଳୁଛି ! ଆକାଶରେ ମେଘ ଦେଖିଲ, ଖାଲି ମେଘ ନୁହେଁ କଳାମେଘ—ଆରମ୍ଭ ହେଇଗଲା, କାଲି ଏତେବେଳକୁ କିଛି ନ ଥିବ, ଆକାଶ, ବସୁମାତା ଏକ ହୋଇଯିବ; ଏମିତି କହି ସେ ପ୍ରାୟ ମୁଣ୍ଡ କଚାଡ଼ୁ ଥିଲା ।

 

ଲୋକଟିର ଏ ପ୍ରକାର ଆଚରଣ ମୋତେ ଅଭିନୟ ପରି ମନେ ହେଉଥିଲା । ଏ ପରିବେଶରୁ ମୁକ୍ତି ପାଇଁ କେମିତି ଶୀଘ୍ର ବସ୍ ଆସିଯାଉ ବୋଲି ମୁଁ ସମୟ ଗଣୁଥିଲି । ସେ ଟିକେ ଦମ୍ ନେଲା ଓ ପୁଣି ଆରମ୍ଭ କଲା—ସେ ମେଳା ପୀଠକୁ ଦେଖ । ପ୍ରତି ସନ୍ଧ୍ୟାରେ ସେଠାରେ ମେଳା । ଏ...ଏଇ ଛକରେ କେବଳ ନୁହେଁ ବାବୁ, ହେଇ ସେ ଅନ୍ଧାରିଆ ଗାଁକୁ ଚାହିଁ (ଅନ୍ଧାରରେ ଗାଁଟିକୁ ଠାବକରିବା କଷ୍ଟକର ଅବଶ୍ୟ) ଅନବରତ ମେଳା ଚାଲିଛି…..ଥିଲା ନ ଥିଲା ସବୁ ଲୋକଙ୍କ ଭରସା….କ’ଣ କଲା ସିଏ ! ରଖିପାରିବନି ତମେ ପେଣ୍ଟପିନ୍ଧା ବାବୁ ଅନୀତି ପୂରେଇ ଦେଲ । ମନ୍ଦିର ଭିତରୁ ଟିଣପିଟି ଠାକୁରଙ୍କୁ ହୁରୁଡ଼େଇ ଦେଲ—ତାଙ୍କ ପରାକ୍ରମ ଚାଲିଗଲା । କଉ ପାଦ ଧର୍ମକୁ ନେଇ ବସୁମାତା ସ୍ତିର ହେଇ ରହିବ ! ସମସ୍ତଙ୍କୁ ନେଇ ଧୂଳିରେ ମିଶିଯିବ : ତା ଚେତନାରେ ଗୋଟାଏ ନିଶ୍ଚିନ୍ତ ଏକ ଭୟଙ୍କର ରୂପରେ ସେ ମୁହ୍ୟମାନ ହେଇଗଲା ।

 

ସେଇ ଲୋକଟିର ଏଇ ଦୟନୀୟ ଆଚରଣରେ ମୁଁ ଚିନ୍ତାଗ୍ରସ୍ତରେ ଥିଲାବେଳେ ହଠାତ୍ କଳା ଆକାଶଟି ପାଣ୍ଡୁର ବର୍ଣ୍ଣ ଧାରଣ କଲା ଓ ପରେ ପରେ ମଧ୍ୟମରୁ ପ୍ରବଳ ପଵନ ବହିବାକୁ ଆରମ୍ଭ କଲା । ପବନ ସହିତ କୁଆପଥର, ମେଘ ଓ ସାମୟିକ ବଜ୍ରପାତ । ମୁଁ ଦେଖିଲି ସେଇ ଅଳ୍ପ ସଂଖ୍ୟକ ଛୋଟ ଚା’ ପାନ ଦୋକାନର ମାଲିକମାନେ ବାହାରକୁ ଆସିଲେ ଉଦ୍‌ବେଗରେ ଆକାଶକୁ ଚାହିଁଲା ଓ କେଉଁ ଅଦୃଶ୍ୟ ଶକ୍ତିର ପ୍ରତିଶୋଧପରାୟଣତାରେ ଆତଙ୍କିତ ହୋଇ ନିଜ ନିଜ ଦୋକାନକୁ ଫେରିଯାଇ ଟିଣ ତାଟିମାନଙ୍କର ବାଉଁଶ ଠେକରାକୁ ହୁଗୁଳେଇବାକୁ ଲାଗିଲେ । ସେମାନେ ନିଶ୍ଚୟ ଭୟ ପାଇ ଯାଇଛନ୍ତି । ଅନ୍ୟଥା ଟିଣ ତାଟିଗୁଡ଼ିକୁ ବନ୍ଦ ନକରି ପ୍ରକୃତରେ ଏଇ ଲୀଳାକୁ ତନ୍ନୟ ହୋଇ ଉପଭୋଗ କରିଥାନ୍ତେ । ଠିକ୍ ଯେମିତି ବୃଦ୍ଧ ବ୍ୟକ୍ତିଟି ତାର କୋଥଳୀ ଖୋଲିଦେଇ ବିଗ୍ରହ ସାମ୍ନାରେ ବସି ରହି ଏକ ଲୟରେ ସେଇ ପରମ ପୁରୁଷଙ୍କ ସ୍ଥିତି ରହସ୍ୟକୁ ଅନ୍ୱେଷଣ କରୁଥାଏ ।

 

ମୋ ପାଇଁ ସଂପ୍ରତି ଏକ ସମସ୍ୟା । ମୋତେ କେଉଁଠି ଟିକିଏ ଅପେକ୍ଷା କରିବାକୁ ପଡ଼ିବ ପର ବସ୍ ଆସିବା ପର୍ଯ୍ୟନ୍ତ । ପ୍ରକୃତିର ଏକ ଭୟଙ୍କର ଅମୋଦଦାୟକ ଲୀଳା କୁ ଉପଭୋଗ କରିବାର ଧେର୍ଯ୍ୟ ନ ଥିଲା ମୋର । ଚରି ଖୋଲର ସିଦ୍ଧ ସାଧକମନଙ୍କ ପରି । ଏମିତି ଏକ ଚିନ୍ତା ଭିତରେ ମୋ ପ୍ରତି ଏକ ଅନାଶକ୍ତି ସମ୍ବୋଧନକୁ କାନଦେଲି । ଅତିରିକ୍ତ ନିଶାରେ ସେଇ ଭାରସାମ୍ୟହୀନ ଦୋକାନୀଟି ମୋତେ ହାତଠାରି ଡାକୁଛି ତା’ର କେବିନ୍ ଭିତରକୁ । ଏକ ନିଶ୍ଚିତ ଅସୁବିଧାରୁ ମୁକ୍ତିପାଇଁ କୌଣସି କଥା ଚିନ୍ତା ନ କରି ତା’ କେବିନ ଭିତରକୁ ପଶିଲେ ଓ ଗୋଡ଼ ଦୁଇଟି ଉପରକୁ ଟେକି ନେଇ ଯାକିଯୁକି ହୋଇ ଗଡ଼ିପଡ଼ିଲି । ସେ ତା’ର କେବିନ ବନ୍ଦ କଲା, ପାନ ସରଞ୍ଜାମ ସବୁ କ୍ରମେ ସଜାଇ ରଖିଲା । ତଥାପି ତା’ ମୁହଁର ସେଇ ବିମର୍ଷ ଭାବଟି ମୋତେ ବିବ୍ରତ କଲା । ପୁଣି ତା’ର ସେଇ ଲାଲ ଲାଲ୍‌ ଆଖିରେ ଲୁହ ବିନ୍ଦୁ କେତୋଟି ଟଳଟଳ ହେଉଥିଲା ପଦ୍ମ ପାଖୁଡ଼ାରେ ଜଳ ବିନ୍ଦୁ ପରି ।

 

ସବୁ ସଜାଇ ରଖିଲା ପରେ ସେ କିଛି ସମୟ ଗୁମ୍‌ମାରି ବସିଗଲା ଓ ପରେ ପରେ ଆରମ୍ଭ କଲା ଏଥର ସରିଗଲା…ଆଉ ହବନି, ପ୍ରଭୁ ଆଖଣ୍ଡଳମଣି (ଦୁଇହାତ ଯୋଡ଼ି ଜୁହାର କଲା) ଆଉ ଥରେ ଯଦି ଦୁନିଆ ବାନ୍ଧିବୁ, ‘ସତ’ର ଦୁନିଆ’ ବାନ୍ଧିବୁ...ଲୋଭ ନ ଥିବ, ମୋହ ନଥିବ ପର ତଣ୍ଟି କାଟିବାକୁ ଅଣ୍ଟାରେ ଛୁରୀ ନ ଥିବ, ଆଉ ସମୟ ସୁବିଧା ଦେଖି ମନରେ ସାଇତିଥିବା ଯତ୍ନର ମୁଖା ଗୋଟିଏ ଗୋଟିଏ ବଦଳୁ ନଥିବ ।

 

ମୁଁ ତା କଥା କିଛି ବୁଝିପାରିଲି ନାହିଁ ଓ ସେ ମୋତେ ଆଶ୍ରୟ ଦେଇଥିବାରୁ କୃତଜ୍ଞତାବଶତଃ ତା କଥା ଶୁଣୁଥିବାର ଛଳନା କରୁଥିଲି । ବୁଝିଲ ବାବୁ, ସେ କହିଲା—ବିଜ୍ଞାନୀ ବାବୁମାନେ କହୁଛନ୍ତି କେଉଁ ଦି’ ଶହ କି ହଜାର ବର୍ଷ ତଳେ ସୂର୍ଯ୍ୟ ଏମିତି ପୃଥିବୀ ଅନ୍ଧାର କରି ଦେଇଥିଲା…..ଅନ୍ଧାର କରିଦେଲା ଚାଲିଗଲା କିଛି ବର୍ଷ—ଓଁ ଭିତରେ ଯୋଗମାୟା ଉଭାନ ହୋଇ ଶୋଇଗଲେ…ଶୂନ୍ୟରୁ ବିନ୍ଦୁ ପଡ଼ିଲା ଯୋଗମାୟା ଙ୍କ ଯୋନୀରେ, ସମୟ ଠିକ୍ ନଥିଲା—ଶଳା, ବାଳୁଙ୍ଗା, ଦୁନିଆଟା ସର୍ଜନା ହେଲା । ଏଥର ନା ସତ୍‌ ଦୁନିଆ ଆସିବ, (ସେ ପିଲାଙ୍କ ପରି କାନ୍ଦି ଉଠିଲା) ହେଲେ ବାବୁ ସେ ସତ୍ ଦୁନିଆର ମଣିଷ ହବାକୁ ଆମ କପାଳରେ ନାହିଁ ।

 

ସେ ପୁନର୍ବାର କିଛି ସମୟ ଚୁପ୍‍ ରହିଲା ।

 

ମୁଁ ପୋଷାକୀ ଭାଷାରେ କହିଲି । ତୁମେ ସୂର୍ଯ୍ୟ ପରାଗ ପାଇଁ ଭୟ ପାଇଯାଇଛ । ଏଥିରେ ଭୟ କରିବାର କିଛି ନାହିଁ ପରାଗ ସମ୍ପୂର୍ଣ୍ଣ ପ୍ରାକୃତିକ ନିୟମ ତୁମେ ଦେଖିବ, ପୁଣି କାଲି ତୁମେ ଦୋକାନ ଆରମ୍ଭ କରିବ ଓ ମୁଁ କେଉଁ ଦିନ ବସ୍‍ରୁ ଓହ୍ଲାଇ ତୁମ ଠାରୁ ପାନ ଖାଇବି । ଦୁନିଆ ଯେମିତି ଚାଲିଛି; ଠିକ୍ ସେମିତି ଚାଲିବ ।

 

ମୋ କଥା ସରିବା ପୂର୍ବରୁ ସେ ପ୍ରାୟ ଚିହିଁକି ଉଠିଲା—ସେ କଥା ମୁହଁରେ ଧରନା ବାବୁ ! ଯାଉ….ଯାଉ, ଶେଷ ହେଇଯାଉ, ସବୁ ଧ୍ଵଂସ ହେଇଯାଉ, ସବୁଦିନ ବନ୍ଦ ହେଇଯାଉ ଦୁନିଆଟା…ଶଳେ, ପାପରେ ଛାଇଦେଲେ ଦୁନିଆକୁ…ମାୟାକୁ ସତ ମଣିଲେ ବ୍ରହ୍ମକୁ ଶଳ ଟାପରା କଲେ…..ଖାଲି ଭାଷଣ—ନରନାରାୟଣ, ଦରିଦ୍ର ନାରାୟାଣ ଶୁଣିବା ବାବୁ !

 

ସେ ଏତକ କହି ଟିକେ ଦମ୍ ନେଲା ଓ ଅସହାୟ ଭାବରେ ଏଣେତେଣେ ଚାହିଁ କହିଲା (କଥା ମଝିରେ ବାହାରକୁ ଡୁଙ୍ଗିଦେଇ ପ୍ରକୃତି ର ଲୀଳକୁ ପ୍ରତ୍ୟକ୍ଷ କରୁଥିଲା) ବୋଇଲେ, ମୋ ବଡ଼ ପୁଅ ! ପାନ ଦୋକାନରୁ ଦି’ ପଇସା କରି ତାକୁ ମେଟ୍ରିକଯାଏ ପଢ଼ାଇଲେ, ଦଶ ପଚାଶ ହାତରେ ଦେଇ କଟକ ଭୁବନେଶ୍ୱର ପଠାଇଲି ଖଣ୍ଡେ ଚାକିରି ପାଇଁ । ସେ କଣ କଲା ଜାଣ ! ଦିନେ ଦେଖିଲାବେଳକୁ ସିଆଡ଼ୁ ସିଆଡ଼ୁ ହଳେ ଖଦଡ଼ ପୋଷାକ କରିଆଣିଛି । କଥା କଣ ନା, ସରପଞ୍ଚ ହବ । ଭଲ କଥା, ସେ ନିଷ୍ଠା ଥାନ୍ତା ! ବାବୁ ଓଡ଼ିଶା କୁହ କି ଭାରତ କୁହ….ଆମ ପିଲାବେଳେ ନେତା କହିଲେ ସାକ୍ଷାତ ଠାକୁରଟିଏ, ପିଠିରେ ହାତ ମାରିଦେଲେ ଦୁଃଖ ଚାଲିଯାଉଥିଲା । ଆଉ ଏ ଶଳାର ପାଞ୍ଚବର୍ଷରେ ଦଶଟା ଦଳ…ଖାଲି ସରପଞ୍ଚ ହବ, କଉଠି ଗୁଣ୍ଡଦୁଧ/ବଲ୍‌ଗାର, ଗଣ୍ଡ ସମ୍ମିଳନୀ ପଇସା…. କଟକ ଭୁବନେଶ୍ୱରରେ ମନ୍ତ୍ରୀଙ୍କ ପାଖରେ ଆଡ୍‍ଡ଼ା…..ବାବୁ, ତମେ କହୁନ ! ମଣିଷର ନୀତି ଗଲେ ମଣିଷ/ଘୁଷୁରୀ/କୁକୁର ଭିତରେ ତଫାତ୍‌ କଣ ? ଗଳାଝାଡ଼ି ସେ କହିଲା : ତୁମେ କହିବ ବଡ଼ ବଡ଼ ନେତା ଏ କାମ କରୁଛନ୍ତି…., ତାଙ୍କ ମାନଙ୍କଠୁଁ ଛୁଆଏ କଥା ଶିଖୁଛନ୍ତି । ହେଲେ ସେ ଇଂରେଜକୁ ତଡ଼ିଲେ, ଜିଅଲ ଗଲେ, ଦେଶ ଚଲେଇବାକୁ ଠିକାନେଲେ…ସେ ବଡ଼ଲୋକ, ତାଙ୍କୁ ଏକଥା ସୁହାଇବା । ତା ବୋଲି ତୁ ଶଳା ଗାଣ୍ଡି ଧଇଲେ ମୁଣ୍ଡ ନାହିଁ, ତୁ ଭାବିଛୁ ଏ ଗାଁ କୁ ଦିଲ୍ଲୀ, ଭୁବନେଶ୍ୱର କରିଦେବୁ !

 

ଏତକ କହିକି ଏଇ ଯନ୍ତ୍ରଣାରେ ସେ କାନ୍ଦି ପକାଇଲା ଓ ପୁନର୍ବାର ବାହାରକୁ ଚାହିଁଲା । ସେମିତି ଅବିରାମ ଗତିରେ ପ୍ରଳୟଙ୍କରୀ ବର୍ଷା ଦୁନିଆକୁ ଗଭୀର ଅନ୍ଧକାର ମଧ୍ୟକୁ ଠେଲି ଦେଇଥିଲା ।

 

ଯାଉ, ସବୁ ସରିଯାଉ, ଦୁନିଆ ଧୋଂସ ହେଇଯାଉ….ଖାଲି ବାବୁ ଅବଶୋଷ, ଆଖି ବୁଜିଦେଲେ ଅନ୍ଧାର ଘୋଟିଯିବ—ନା ବାବା ଆଖଣ୍ଡଳମଣି ମିଳିବେ, ନା ଆପଣ ସଞ୍ଜ ବସ୍ରୁ ଓହ୍ଲାଇ ପାନ ଖାଇବେ । ଅନ୍ଧାରରେ ଦରାଣ୍ଡିଲେ କିଏ କାହାକୁ ପାଇବା, ଗହୀର ନିଦରେ ଶୋଇଗଲା ପରି….ଆହା ! ଆଉ ଆଲୁଅ ଦେଖିହେବନି । ନ ହେଉ ନ ହେଉ, (ସେ ଉତ୍ତ୍ୟକ୍ତ ହୋଇପଡ଼ିଲା)ଦଳ ବଦଳ କରି ସେମ୍‌ଟା ସେମ୍‌ଟା କଳା ଲୋକଙ୍କୁ ରାଜୁତି କରିବା ଆଉ ଚଳିବନି…., କହିସାରି ଆଉ ଗୋଟିଏ ଦମ୍ ପାଇଁ ଚିଲମ୍‍ ସଜାଡ଼ିଲା ଓ ଠିକ୍ ସେତିକିବେଳେ ମୋ ସହରକୁ ଶେଷ ବସ୍‍ଟି ଆସିଗଲା ମୁଁ ବଞ୍ଚିଗଲି, ତାକୁ କିଛି କହିବାକୁ ସୁଯୋଗ ନ ଦେଇ ବସ୍ ଆସିଗଲା କହି ତା ଦୋକାନରୁ ପ୍ରାୟ ଡେଇଁପଡ଼ିଲି ।

 

ଦୁଇ-ଶରୀମାର୍ଥ

 

ବର୍ଷା ବର୍ଷୁଥିଲା, ପବନର ବେଗ ଜୋର୍‌ ଥିଲା ଓ ମଝିରେ ମଝିରେ ପ୍ରବଳ ଘଡ଼ଘଡ଼ିର ଶବ୍ଦ ଥିଲା ଆକାଶରେ । ପ୍ରତ୍ୟେକଟି ଟିଣ କେବିନ୍‍ର ଅପେକ୍ଷା ମାଣ ଯାତ୍ରୀ ହୁରୁଡ଼ା ବେଙ୍ଗ ପରି ଫକ୍‌ଫାକ୍ ଡେଇଁ ପଡ଼ିଲେ ଓ ବସ୍ ଫାଟକ ନିକଟରେ ଭିଡ଼ ଜମାଇଦେଲେ । ଅଥଚ ସେ ଭିଡ଼ ଭିତରେ ମୁଁ ନିଜକୁ ବେଶ୍ ପ୍ରତିଷ୍ଠିତ କରି ସାରିଥିଲି ଯେହେତୁ ଉପସ୍ଥିତ ଲୋକମାନେ ସ୍ଵତଃ ମୋତେ ବସ୍ତ ଛାଡ଼ିଦେଲେ । ବସରେ ପଶିଗଲି ଏବଂ ଗୋଟିଏ ସାଇଡ଼ ସିଟ୍ ପାଇଗଲି ବି । ପରେ ପରେ ବସ୍‍ରେ ଥରେ ଆଖି ବୁଲାଇ ନେଲି ଏବଂ ଅନେକ ଚିହ୍ନାମୁହଁ/ଯୋଡ଼ହସ୍ତ ନମସ୍କାର—ସାମାଜିକ ସ୍ତରରେ ସେମାନେ ମୋ’ ଠାରୁ ଢେର ନିମ୍ନରେ । ସ୍ଵାଭାବିକ ଅହଂକାରରେ ମୁଁ ସ୍ପୀତ ହୋଇଗଲି ଏବଂ ଧୁମ୍ରପାନର ବରଣ ସତ୍ତ୍ଵେ ନିଜକୁ ଅଧିକ କିଛି ପ୍ରମାଣ କରିବାକୁ ସିଗ୍ରେଟ୍‌ରେ ନିଆଁ ଧରାଇଲି । ନିଆଁ ନ ଧରାଇ ଥିଲେ ଚଳିଥାନ୍ତା । ଅଥଚ ସେ ଲୋକଙ୍କୁ ଧାରଣ ଦେବାକୁ ହେବ ମୁଁ ଜଣେ ବଡ଼ ଲୋକ ଏବଂ ବଡ଼ ଲୋକମାନେ କୋହଲାପାଗରେ ସିଗ୍ରେଟ୍‌ ଟାଣନ୍ତି, ସମୟରେ ଡ୍ରିଙ୍କ୍‌ କରନ୍ତି, ଗାଁ ଲୋକଙ୍କପରି ମୁଢ଼ି ନଡ଼ିଆ ନ ଚୋବାଇ ।

 

ଏଇ ସିଗ୍ରେଟ୍‌ ଟଣା ଭିତରେ ମୋର ଗୋଟିଏ ସଂଜ୍ଞା ଖୋଜି ପାଇଗଲି—ମୁଁ ଜଣେ ଇଣ୍ଟେଲେକ୍‌ଚୁଆଲ । ମୁଁ ସେ ସାଧାରଣ ଗଞ୍ଜେଇଟଣା ଆଖଣ୍ଡଳମଣି ବିଶ୍ଵାସୀ ଲୋକ ନୁହେଁ ସେ ସୂର୍ଯ୍ୟପରାଗକୁ ଭୟ କରି ପୃଥିବୀ ପ୍ରଳୟର ଏକ ଅନିଶ୍ଚିତ ରୂପ ଦେଖି ଜୀବନକୁ ବିକଳରେ ଜାବୁଡ଼ି ଧରେ । ପୁଣି ପୁଅ ପାଞ୍ଚଥର ସରପଞ୍ଚ ହେବା ପାଇଁ ବିଭିନ୍ନ ଚିହ୍ନରେ ନିଜକୁ ସାମିଲ କରିଦେଲା ପରେ ନୀତିଗର୍ହିତ କାର୍ଯ୍ୟ ଘଟିଗଲା ବୋଲି ମରଣକୁ ସ୍ଵାଗତ କରେ । ସେ ଶାଲା ! ସାଧାରଣ ସମାଜର ତଳ ଲୋକଟିଏ ନୈତିକତ / ମୃତ୍ୟୁ ପରି ଗୁରୁତୁପୂର୍ଣ୍ଣ ବିଷୟମାନ ସଂପର୍କରେ କିଛି ପ୍ରତ୍ୟକ୍ଷ ଅନୁଭୂତି ନ ଆଣି ଗଞ୍ଜେଇ ନିଶାରେ ନୀତି–ଅନୀତିର ବ୍ୟାଖ୍ୟାନ କରିବା ସହିତ ମରଣକୁ କୁଣ୍ଠିତ ଭାବରେ ଗ୍ରହଣ କରେ ।

 

ମୁଁ ଜଣେ ଇଣ୍ଟେଲେକ୍‍ଚୁଆଲ ମୁଁ ଆନୁଷ୍ଠାନିକ ଧର୍ମକୁ ଅସ୍ଵୀକାର କରେ । ମୁଁ ସେ ଶେଷ ଲୋକମାନଙ୍କର ବିଶ୍ଵାସ ଓ ଧାରଣାକୁ ସିଗ୍ରେଟ୍‌ ଧୂଆଁରେ ଉଡ଼ାଇଦିଏ । ନୀତି-ଅନୀତି କଥାଟା ମୋ ମତରେ ନିହାତ୍‌ ଏବଷ୍ଟ୍ରାକ୍‌ଟ । ସତ କହିବାକୁ ଗଲେ ସେଗୁଡ଼ିକ ମୋ ନିକଟରେ ଆପେକ୍ଷିକ । କାରଣ କେବଳ ଅସ୍ଵୀକାର କରେନା, ମୁଁ ଆନୁଷ୍ଠାନିକ ଧର୍ମକୁ ଘୃଣାକରେ । ଘୃଣାକରେ ଏଇଥିପାଇଁ ସିଂହାସନରେ ଅଧିଷ୍ଠିତ ଦେବତାଙ୍କ ସହିତ ଆମର ସିଧା ସଳଖ ସମ୍ପର୍କ ନଥାଏ, ପୁଣି ତାଙ୍କ ଆତ୍ମା–ପୁରୁଷ କୁଆଡ଼େ ବୈକୁଣ୍ଠରେ ବୋଲି ଆମକୁ କଳ୍ପନାରେ ଧରିନେବାକୁ ପଡ଼ିବ । ଏଇ ଅଦୃଶ୍ୟ ଶକ୍ତି ସହିତ ଆମକୁ ଯୋଗସୂତ୍ର କରିବାର ଦାୟିତ୍ଵ ଜଣେ ଧୂର୍ତ୍ତ ଦଲାଲ୍‌ର ଯେ ପ୍ରାଚୀନକାଳରୁ ସବୁତକ ସରଳ ଲୋକଙ୍କୁ ମେଣ୍ଢା କରି ନିଜର ସମ୍ବଳ ସ୍ଥିର କରି ଦେଇଛି ଆଧୁନିକ କାଳରେ ମନ୍ତ୍ରୀମାନଙ୍କର ‘ଫ୍ଳୋଟିଂ’ ଦଲାଲ୍‌ ମାନଙ୍କ ପରି । ତେଣୁ ମୁଁ ମଧୁବାବୁଙ୍କୁ ପ୍ରେମକରେ—ପରେପରେ ଠାକୁରଙ୍କୁ ମଣିଷଟିଏ ହେବାପାଇଁ, ନିଜକୁ ଅନୁଭବ କରିବାପାଇଁ, ଗୋଟିଏ ନିଜକୁ କୋଟିଏ କରିଦେବା ପାଇଁ ମୋ ଭିତରେ ବ୍ୟାକୁଳ ଆଗ୍ରହ । ସୂର୍ଯ୍ୟପରାଗ ତେଣୁ ମୋ ପାଇଁ ଗୌଣ, ପୃଥିବୀ ପ୍ରଳୟ, ନେତା ମାନଙ୍କର ଦଳବଦଳ, ଦଳୀୟ ଶାସନରେ ପୁତ୍ର–କନ୍ୟାଙ୍କୁ ଉତ୍ତରାଧିକାରୀ ସୂତ୍ରରେ ସ୍ଥାପନ କରିବାର ଉଦ୍ୟମ, ସବୁ ଗୌଣ; କେବଳ ମୋର ଟିକିଏ ପ୍ରେମ ଦରକାର । ଆନୁଷ୍ଠାନିକ ଧର୍ମର ରିଚୁଆଲ ଭିତରେ ସେ ପ୍ରେମର ଉପଲବ୍‌ଧି କଷ୍ଟକର ବୋଲି ମୋର ଧାରଣା ।

 

ଏ ସବୁ ସତ୍ତ୍ଵେ ମୋ ନିକଟରେ ଗୋଟିଏ କଥା ସକ୍ରିୟାଜୀବନ୍ତ, ମୁଁ ଇଣ୍ଟେଲେକ୍‍ଚୁଆଲ, ସାଧାରଣ ନୁହେଁ । ମୋର ଧର୍ମପାଳନଠାରୁ ସବୁ କଥାରେ ଗୋଟାଏ ସୀମାବଦ୍ଧତା ଗୋଟାଏ ସ୍ଵତ୍ତନ୍ତ୍ର । ମୁଁ ଇଣ୍ଟେଲେକ୍‍ଚୁଆଲ ବୋଲି ସିଚୁଏସନ୍‌ ନେଇ ମୋର ଭିନ୍ନ ଭିନ୍ନ ରୂପ ଏବଂ ଲୋକମାନଙ୍କର ଦ୍ଵାରା ସାଦରେ ଗୃହୀତ ମଧ୍ୟ । ଧର୍ମ ସଭାରେ ମୁଁ ସଂଯତ, ରାଜନୀତିରେ ପ୍ରଗ୍‌ଳଭ, ସାହିତ୍ୟ ସଭାରେ ମୁଖସ୍ଥକରା ବନ୍ଧ ଗତ ଶବ୍ଦ କେତୋଟି ଏବଂ ବନ୍ଧୁ ସମାଜରେ ଅଳ୍ପକଥା ଓ ଫର୍ମାଲିଟିକୁ ଧରି ହାଇ–ଫାଇ ସମ୍ବୋଧନ । ମୁଁ ନିଶ୍ଚିନ୍ତ ‘ମୁଁ’, ‘ମୁଁ’ ନୁହେଁ ସେତେବେଳ ଅନ୍ୟମାନଙ୍କ ନିକଟରୁ ନିଜକୁ କାଢ଼ି ନେବାକୁ ସ୍ଵକଳ୍ପନରେ ନିର୍ମିତ ସୁପର ‘ମୁଁ’ ।

 

ମୁଁ ମୋର ଗୋଟିଏ ଷ୍ଟେଟସ୍‌ ଗଢ଼ିଛି, ସମାଜରେ ନିଜ ପାଇଁ ଗୋଟାଏ ଅସ୍ଥାନ ଖୋଜି ପାଇଛି ଏବଂ ତାକୁ ଦୃଢ଼ କରିବା ପାଇଁ ଆନୁଷ୍ଠାନିକ ଧର୍ମ ବିଚାର ର ନୀତି–ନିୟମ, ପାପ–ପୁଣ୍ୟକୁ ସେଥିପାଇଁ ଆଖି ବୁଜି ଦେଇଛି । ମୋର ପବ୍ଲିସିଟି ମାଧ୍ୟମ ଖୁବ୍ ଶକ୍ତିଶାଳୀ, କାରଣ ମୁଁ ଏକୁଟିଆ ନୁହଁ, ମୋ ଗୋଷ୍ଟୀ ଅଛି, ସମାଜ ଅଛି, ହେଉ ବରଂ ସଂଖ୍ୟା ନଗଣ୍ୟ । ସେଇ ଛୋଟ ଗୋଷ୍ଟୀଟିରେ ମଧ୍ୟ ଆମେ ଠେଲାପେଲା ଲାଗୁ ‘କିଉ’ ର ପ୍ରଥମ ଧାଡ଼ି ରେ ପହଞ୍ଚି ଯିବାକୁ । ପରସ୍ପର ସ୍ତୁତିଗାନ ମୁହୁର୍ତ୍ତରେ ସମୟ–ସୁଯୋଗ ନେଇ ପ୍ରଚାରଧାରାକୁ ପରସ୍ପର ବିରୁଦ୍ଧରେ ଭିନ୍ନ ମୁଖୀ କରାଇଦେବାର ପ୍ରବଣତା ବି ଅଛି ଆମମାନଙ୍କ ନିକଟରେ ।

 

ମୁଁ ଜଣେ ଇଣ୍ଟେଲେକ୍‍ଚୁଆଲ, ଅଥଚ ମୋର ଅବଶୋଷ ମୁଁ ଗଳ୍ପ କବିତା ଲେଖିପାରେ ନା । ଗଳ୍ପ–କବିତା ଲେଖିବା ପ୍ରଚାରର ଗୋଟାଏ ସୁନ୍ଦର ମିଡ଼ିଆ, ଯେଉଁଠି ସ୍ଵଧର୍ମର କେତେକ କ୍ରିଟିକ୍‌ ଅଛନ୍ତି, ପାଞ୍ଚଥର ତାଙ୍କ ନିକଟରେ ମୁଁ ବସିଗଲେ କାମ୍ୟୁ–ସାର୍ତ୍ତଙ୍କୁ ଟପି ଯାଇପାରିବି, ଗୋପୀ ମହାନ୍ତିଙ୍କୁ କିଏ ପଚାରେ ! ଅନ୍ତତଃ ସେ ସୁଯୋଗ ନ ପାଇଲେ ଏତକ କରିପାରନ୍ତି—ଗଳ୍ପର ପରିବେଶ ସୃଷ୍ଟି କରିଦେଇ ଚାରିତ୍ରମାନଙ୍କୁ ଟାଣି ଆଣନ୍ତି କୌଣସି ମହିଳା ହଷ୍ଟେଲରୁ କିମ୍ବା ଫିପ୍‌ଥ ଇଅର ରୋମିଓମାନଙ୍କ ମଧ୍ୟରୁ ଯେଉଁମାନେ ସେମାନଙ୍କ ଆଡ଼୍‌ଡ଼ାରେ ପରସ୍ପରକୁ ପ୍ରଶ୍ନ କରନ୍ତେ ! ନାୟକର ଗଳ୍ପ-କବିତା ପଡ଼ିଛି, ଖୁବ୍ ରୋମାଣ୍ଟିକ୍‌ ନାଁ ! (ଅବଶ୍ୟ ମୁଁ ଲେଖି ଜାଣେନା, କଳ୍ପନାରେ ଅନେକ କଥା ମଣିଷ ଭାବିଯାଏ ତ !) କିମ୍ବା କାମ୍ୟୁ–ସାର୍ତ୍ତ–କାଫ୍‌କା–ଶିର୍ଷେନ୍ଦୁ ମୁଖୋପାଧ୍ୟାୟଙ୍କୁ ଓଡ଼ିଆ ପୁଅରେ ରୂପାନ୍ତରିତ କରି ସେମାନଙ୍କ ଭାଷାକୁ ମାତୃଭାଷାରେ ପରିଣତ କରିଦିଅନ୍ତି । ଏ ସବୁ କରିବାର ପ୍ରବଣତା ମୋ’ ଭିତରେ ଅଛି, କାରଣ ମୁଁ ଇଣ୍ଟେଲେକ୍‍ଚୁଆଲ ଓ ଫକୀର ମୋହନଙ୍କ ଭଗିଆ ସାରିଆ, ବିରେଇ ବିଶାଳଙ୍କୁ ମୁଁ ଚିହ୍ନେନା । ମୁଁ ପାପ କରି ଜାଣିଛି ଏବଂ ପରମୁହୂର୍ତ୍ତରେ କହି ଜାଣିଛି ! ଓଃ ଗଡ଼୍‌ ! ଫର୍‌ଗିଭ ମି ଆଇ ଆମ୍ ଇନୋସେଣ୍ଟ !

 

ମୁଁ ତେଣୁ ଜଗନ୍ନାଥଙ୍କ ପ୍ରସାରିତ ବାହୁ ପ୍ରତି ଉଦାସୀନ, ଶହେ ଲୋକଙ୍କର ମାଛି ଗଣ ଗଣ ମହାପ୍ରସାଦ ସେବନ ପ୍ରତି ବୀତସ୍ପୃହ ଓ ଘୃଣା କରେ ମଧୁବାବୁଙ୍କ ଟୋପିକୁ, ଗୋପବନ୍ଧୁଙ୍କ ଦାଢ଼ୀକୁ । ଭଲରେ ଓଡ଼ିଆ ମାଟିରେ ଜନ୍ମିଥିଲେ ବି ମୁଁ ଇଣ୍ଟେଲେକ୍‍ଚୁଆଲ ଓ ଅନ୍ଧବିଶ୍ୱାସର ଓଡ଼ିଆ ଜୀବନଧାରାଠାରୁ ନିରାପଦ ଦୂରତ୍ଵରେ । ମୁଁ କାହିଁକି ସେ ଗଞ୍ଜୋଡ଼ ଓ ଅନ୍ୟାନ୍ୟ ସହଯୋଗୀ କେବିନ୍ ବାଲାଙ୍କ ଭୟ / ଆଶଙ୍କାକୁ ନିଜ ମୁଣ୍ଡକୁ ନେବି । ସୂର୍ଯ୍ୟ ପରାଗ / ଚନ୍ଦ୍ର ଗ୍ରହଣ ଏସବୁ କଥା ପ୍ରକୃତିର ନିୟମ ବୋଲି ମୁଁ ଢେର ଢେର ବିଜ୍ଞାନରୁ ପଢ଼ିଛି ।

 

ହଠାତ୍ ଗୋଟିଏ ସମବେତ ଶଦ୍ଦରେ ମୋର ଧ୍ୟାନ ଭାଙ୍ଗିଲା । ମେଘ ଛାଡ଼ିଯାଇଛି । ପରିବେଶ ଭାରି ଭାରି । ଫ୍ଲାସ୍‌ ଲାଇଟ୍‌ ପରି ମଝିରେ ମଝିରେ ଯାହା ବିଜୁଳି । ମୁଁ ବସ୍ କାଚ ଦେଇ ବାହାରକୁ ଚାହିଁଲି—ମହାନ୍ତି ଷ୍ଟୋରରୁ ଶଙ୍କର କ୍ଲଥଷ୍ଟୋର ପର୍ଯ୍ୟନ୍ତ ସବୁ ସାମ୍ନାକୁ ଚାଲିଆସିଲା । ମୋର ହୃଦବୋଧ ହେଲା ମୋ’ ସହରରେ ମୁଁ ପହଞ୍ଚିଯାଇଛି ଓ ଏଠାକାର ଲୋକମାନେ ଅନିଶ୍ଚିତ ପ୍ରଳୟର ଆଶଙ୍କାରେ ମ୍ରିୟମାଣ ହୋଇ ନ ଥିବେ । ଅଥଚ ସେ ଶବ୍ଦ ଓ ଦୋକାନମାନଙ୍କର କରୁଣ କେଣ୍ଡଲ ଆଲୋକ ମୋ’ ଇଣ୍ଟେଲେକ୍‍ଚୁଆଲ ‘ମୁଡ଼୍‍’ ଭିତରକୁ କେମିତି ଗୋଟିଏ ଆଶଙ୍କା ଜୋର କରି ଠେଲି ଦେଲା ।

 

ବସ୍‌ରୁ କ୍ରମେ ଲୋକ ଓହ୍ଲେଇ ଯାଉଥିଲେ ଓ ମୋ’ ପରି ଜଣେ ସକ୍ରିୟ ଲୋକ ଏମିତି ଅବଶ ହୋଇ ବସିଥିବାରୁ କୌତୁହଳ ବଶତଃ ମୋତେ ଚାହିଁଦେଇ ଯାଉଥିଲେ । କେହି କେମିତି କିଛି ଶବ୍ଦ ଫିଙ୍ଗୁଥିଲେ ମୋ’ ଉପରକୁ । କ’ଣ ଆଜ୍ଞା ଓହ୍ଲେଇବେନି ! ଜିନିଷପତ୍ର ଅଛି, ରିକ୍‌ସା ଡାକିଦେବା—ଇତ୍ୟାଦି । ମୁଁ କେବଳ ଏକ ଅର୍ଟିଫିସିଆଲ ଏକ୍‌ସନରେ ଜଣାଉଥିଲି ଆପଣଙ୍କ ଆନୁଗତ୍ୟ ପ୍ରତି ମୋର ଶ୍ରଦ୍ଧା ଅଛି, ତଥାପି ମୋ’ ବିଷୟରେ ମୁଣ୍ଡ ନ ଖେଳାଇ ଓହ୍ଲାଇ ଯାଆନ୍ତୁ ।

 

ସବା ଶେଷରେ ମୁଁ ବସରୁ ଓହ୍ଲାଇଲି । ମାଟି ଉପରେ ଗୋଡ଼ ଦୁଇଟି ଥୋଇଦେଲା ପରେ ମୋତେ ଲାଗିଲା ମାଟିର ଯେମିତି ଗୋଟାଏ ଆକର୍ଷଣ ଅଛି ଯାହା ଜଣେ ଇଣ୍ଟେଲେକ୍‍ଚୁଆଲକୁ ସାଧାରଣ ମଣିଷରେ ଓ ସାଧାରଣ ମଣିଷକୁ ବିଜ୍ଞ ବ୍ୟକ୍ତିଟିଏରେ ପରିଣତ କରିଦେଇ ପାରେ । ମାଟି ଉପରେ ତ ମୁଁ ଠିଆ ହୋଇ ଶିଖିଛି ପିଲା କାଳରୁ, କିନ୍ତୁ ଆଜିର ଅନୁଭୂତି ସମ୍ପୂର୍ଣ୍ଣ ନୂଆ । ଗୋଡ଼ ଦୁଇଟି ଦୁର୍ବଳ ହୋଇଯାଉଥିଲା ଏବଂ ତା’ର କାରଣ ଖୋଜୁ ଖୋଜୁ ସେ ଶବ୍ଦ ସହିତ ମୁଁ ଛନ୍ଦିହୋଇ ପଡ଼ୁଥିଲି ଓ ମୁଁ ସମୟର ପ୍ରତିକୂଳରେ ଚାଲିଯାଉଥିଲି କୋଡ଼ିଏ/ପଚିଶ ବର୍ଷ ତଳକୁ । ହଁ, ଏମିତି ସଂକ୍ରାନ୍ତି ବା ଅକାଳ ଦର୍ଶନରେ ଗାଁ ଲୋକ ହରିନାମ ନିଅନ୍ତି ଆସନ୍ନ ବିପଦରୁ ଉଦ୍ଧରି ଯିବାପାଇଁ ।

 

ମୁଁ ମୋ ବ୍ରିଫ୍‌କେଶ୍‌ ଖଣ୍ଡିକ ହାତରେ ଝୁଲାଇ ନିଜକୁ ଟାଣି ଟାଣି ସେ ଦଳ ଭିତରେ ସାମିଲ କରୁଥିଲି । ମୋ’ ସହରକୁ ବି ଆସନ୍ନ ବିପଦର ଛାଇ ଘାରି ଦେଇଛି । ମୁଁ ସେଇ ଦଳର ପ୍ରତ୍ୟେକଟି ମୁହଁକୁ ନିରୀକ୍ଷଣ କଲି—ଭୟ/ଆଶଙ୍କାର ବିମର୍ଷ ମୁହଁରୁ ଶବ୍ଦଗୁଡ଼ିକ ବିକଳରେ ନିଗିଡ଼ି ପଡ଼ୁଛି, ଯେମିତି ଏଇ ଶବ୍ଦକୁ ଧରି ବର୍ତ୍ତି ଯିବାର ବିକଳ ପ୍ରୟାସ । ସେମାନଙ୍କ ମେଲା ପାଟି ସବୁ ଶୁଖିଲାରେ ପଡ଼ିଥିବା ମାଛର ପାଟି ପାକୁ ପାକୁ ପରି କିମ୍ଵା ଗର୍ଭ ଯନ୍ତ୍ରଣାରେ ପଶୁର ବିକଳ ରଡ଼ି ପରି । ମୁଁ ଆଶ୍ଚର୍ଯ୍ୟ ହେଲି ହରିନାମ ସହିତ ପ୍ରେମର ଯେଉଁ ନିବିଡ଼ ସମ୍ପର୍କ, ସେ ଚିହ୍ନ କାହିଁ ସେସବୁ ମୁହଁରେ । ମୁଁ ଆଶ୍ଚର୍ଯ୍ୟ ହେଲି କାହିଁକି ନା, ସେଇ କୋଡ଼ିଏ/ପଚିଶି ବର୍ଷ ତଳର ଦୃଶ୍ୟରେ ଯେଉଁ ପ୍ରେମ ଏବଂ ଦୁଇଟି ବୃଦ୍ଧ ପରସ୍ପର ଅଣ୍ଟାରେ ହାତ ଛନ୍ଦାଛନ୍ଦି ହୋଇ ଅଭିନୟ ଭିତରେ କେମିତି କାନ୍ଦି କାନ୍ଦି ବିହ୍ୱଳ ହୋଇ ଯାଆନ୍ତି । ସେଇ କୋଟରଗତ ଚକ୍ଷୁର ଲୁହ ଦେଇ ପ୍ରେମ କେମିତି ନିଗିଡ଼ି ପଡ଼େ ଗଣ୍ଡଦେଶ ଓ ହୃଦୟକୁ ଆର୍ଦ୍ର କରି ।

 

ତଥାପି ମୁଁ କାହିଁକି ସେ ଶବ୍ଦରେ ବିହ୍ୱଳ ହେଇଯାଉଥିଲି ଏବଂ ମୋର ଇଚ୍ଛା ହେଉଥିଲା ମୋ’ର ଇଣ୍ଟଲେକ୍‌ଚୁଆଲ୍‌ ଚିହ୍ନ ସେଇ ବ୍ରିଫକେଶ ଓ ପେଣ୍ଟ–ସାର୍ଟକୁ ଖୋଲି ଦେଇ ଲଙ୍ଗଳା ହେଇ ସେମାନଙ୍କ ସହିତ ପାଟି ପାକୁ ପାକୁ କରି ସମ୍ଭାବ୍ୟ ବିପଦକୁ ଏଡ଼ାଇ ଯିବା ପାଇଁ ଗୋଟାଏ ଉପାୟହୀନ ଉଦ୍ୟମ କରିବାକୁ । ମୋର ଏମିତି ଇଚ୍ଛା ହେଉଥିଲା କାହିଁକି ନା, ସଂପ୍ରତି ମୋତେ କେହି ଇଣ୍ଢେଲେକ୍‌ଚୁଆଲ୍‌ର ସଂଜ୍ଞା ପଚାରିଲେ ମୁଁ ସଜ୍ଞାନ ଚିତ୍ତରେ ହୁଏତ ହଠାତ୍ କହିଦେବି ତାହା ଏକ ଆଟୋପାମଣିଷ ନିଜକୁ ଅନ୍ୟ ଠାରୁ ଡିଷ୍ଟିଙ୍ଗୁଇସ୍ କରିବାକୁ କେତୋଟି ବନ୍ଧାଗତ ଶବ୍ଦ ଭିତରେ ନିଜକୁ ଇଣ୍ଢେଲେକ୍‌ଚୁଆଲ୍‌ ବୋଲି ପରିଚିତ କରାଏ । ମୋର କାହିଁକି ମନେହେଲା ଏଇ ଉଦ୍ୟମଟା ହିଁ ମିଛ ଏବଂ ଆମ ସମସ୍ତଙ୍କ ଧମନୀରେ ସେଇ ଆନୁଷ୍ଠାନିକ ବିଶ୍ଵାସର ରକ୍ତଧାରାଟି ତଥାପି ପ୍ରବହମାନ, ଯେତେ କ୍ଷୀଣ ହେଲେ ବି ।

 

ସେଇ ଶବ୍ଦରେ ବିହ୍ୱଳ ହେଲେ ବି ମୁଁ ମୋ ଇଣ୍ଟେଲେକ୍‌ଚୁଆଲର ଖୋଳଟିକୁ ଫିଙ୍ଗି ଦେଇ ପାରିଲି ନାହିଁ । ପାରିଲି ନାହିଁ କାରଣ, କେତେକ ‘ଟାବୋଜ୍’କୁ ଧରି ମୁଁ ଗୋଟିଏ ସଂକୀର୍ଣ୍ଣ ମଣିଷ । ମୁଁ ଯଦି ସେଇ ଗଞ୍ଜୋଡ଼ ଆଖଣ୍ଡଳମଣି ବିଶ୍ଵାସୀ ଲୋକଟିକୁ ‘ଗୁରୁ’ କରିପାରନ୍ତି ଏବଂ ତା’ର ସ୍ଵରରେ ସ୍ଵର ମିଳାଇ କହି ପାରନ୍ତି ! ବାବୁ ! ଏ ପୃଥୀ ଧୋଂସ ହେଇଯାଉ ଓ ଶୂନ୍ୟ ମଣ୍ଡଳରେ ପୁନର୍ବାର ଓଂ ଭିତରେ ଯୋଗମାୟା ଉଭାନ ହୋଇ ଶୋଇଯାଆନ୍ତୁ, ତାଙ୍କ ଯୋନୀରେ ବିନ୍ଦୁ ପତନ ହୋଇ, ସେ ବିନ୍ଦୁଟି ରା+ମ ଦୁଇଟି ବର୍ଣ୍ଣର ମିଶ୍ରଣରେ ପ୍ରେମର ଗୋଟିଏ ନୂତନ ସୃଷ୍ଟି ଆତଜାତ ହେଉ !

 

ଅଥଚ ମୁଁ ତ ଗୋଟିଏ ଛୋଟ ସଂକୀର୍ଣ୍ଣ ମଣିଷ, ପାରୁଛି କେଉଁଠି !

Image

 

ଶୀତଦିନେ ଗାଁର ଦୃଶ୍ୟ

 

ସହରରେ ରହିଗଲା ପରେ ଗାଁର ଦୃଶ୍ୟ କେମିତି ହଜିଯାଏ ଓ ସହରର ପାରିପାର୍ଶ୍ଵିକ ତଥା ନୈବକ୍ତିକ ଜୀବନ ଗଡ଼ିଚାଲେ ଗୋଟାଏ ଗତାନୁଗତିକ ଧାରା କିମ୍ବା ଠିକ୍ ଦଶଟା ବେଳେ ଟ୍ରାଫିକ ପୋଷ୍ଟରେ ଅନେକ କାର୍, ବସ୍, ସ୍କୁଟର ଶୋଭାଯାତ୍ରାରେ ଚାଲିଗଲା ପରି । ଗାଁର ଦୃଶ୍ୟ ହଜିଯାଏ ବାପାଙ୍କର ବାପା /ତାଙ୍କ ବାପା/ଏମିତି ବଂଶଲତାର ଅତୀତ ପୁରୁଷମାନେ ହଜିଗଲା ପରି ଆମ ମାନସ ପଟରୁ ।

 

ଗାଁ କିନ୍ତୁ ହଜିଯାଇ ନାହିଁ, ବଞ୍ଚିଛି ବୋଲି ଏଇ କାଁ ଭାଁ ସଭାସମିତିରୁ ନେତୃବର୍ଗଙ୍କ ମୁଖନିଃସୃତ ବାଣୀରୁ କିଛିଟା ପ୍ରମାଣ ମିଳେ । ପୁଣି କେତେବେଳେ କଚେରୀ ଦାୟରୁ କେତେକ ଗାଡ଼ିଭଡ଼ା କରି ଚାଲି ଆସନ୍ତି ସେମାନଙ୍କ ମଇଳା ବେଗରେ ଖୁର୍ଦ୍ଧା ଗାମୁଛା ଓ ଲୁଙ୍ଗି ପୁରାଇ ଦିନେ ଅଧେ କୈାଣସି ଗ୍ରାମ୍ୟ ହୋଟେଲରେ ସମୟ କଟାଇ ଦେବାକୁ । ମୁହଁ କେମିତି ସବୁ ବିକୃତ/କଦାକାର, ବଞ୍ଚିବାର ମୋହ ଭିତରେ ଟାଣି ଓଟାରି ଜୀବନଟାକୁ ବଞ୍ଚିବା ପାଇଁ ଏକ କାକୁସ୍ଥ ଗୁହାଣୀ-। ଆଉ କେବେ ବଳାଗଣ୍ଠିରୁ ଚାରିଆଙ୍ଗୁଳି ଉପରକୁ ଥିବା ଚିପା ପେଣ୍ଟ ଓ କଟନ୍ ପ୍ରିଣ୍ଟ୍‍ର ସାର୍ଟ ସହିତ ହଳେ ହାୱାଇ ସ୍ଲିପରକୁ ସନ୍ତର୍ପଣରେ ବାହାରେ ଖୋଲି ଦେଇ ସହରରେ ଥିବା ପ୍ରତିଷ୍ଠିତ ଡ୍ରଇଂ ରୁମ୍‌ର ଫାଙ୍କରୁ ଉଙ୍କିମାରି ଦେଖନ୍ତି ବାବୁଙ୍କ ମୁଡ଼୍ ଓ ଗୋଟାଏ ଅସହାୟ ଅବସ୍ଥାରେ ଅନେକ ଗ୍ଳାମୀ ଓ ଦ୍ଵନ୍ଦ ମଧ୍ୟରେ ପ୍ରକାଶ କରନ୍ତି କିଛି ଚାକିରି ମିଳିଯିବ କି ନାହିଁ-?

 

ଆଉ କେତେବେଳେ ଚାଲି ଆସନ୍ତି ଗାଁର ନେତୃସ୍ଥାନୀୟ ବ୍ୟକ୍ତିମାନେ ଯେମିତି ଗୋଟିଏ ଗୋଟିଏ ସିଡ଼ି, ତାଙ୍କ ଫଳ ଦେଇ ଉପରକୁ ଉଠି ଆସିଥିବା ନେତାମାନଙ୍କୁ ସାକ୍ଷାତ କରିବାକୁ… । ପୋଷାକରେ କିଛି ଆଭିଜାତ୍ୟ, କଥାରେ ନେତାହେବାର ପ୍ରାକ୍‌ଭାସ, ପୁଣି ପଛରେ କିଛି ସେଇ ବିଷର୍ଣ୍ଣ ସ୍ଵଶ୍ରୁପୂର୍ଣ୍ଣ ମୁଖମଣ୍ଡଳର ବ୍ୟକ୍ତି, ପ୍ରାପ୍ତି ଆଶାରେ—ପୁଅର ଚାକିରି, ଗୋହିରୀରେ ମାଟିପକା, ବିରୋଧୀ ପାର୍ଟିକୁ ପାନେ ଆଣ୍ଟି ଦେବାର ଉଦ୍ଦୀପନା । ଏମିତି ସବୁ ଗାଁ ଲୋକ କାଁ ଭାଁ ସହର ସହିତ ସଂପର୍କ ସ୍ଥାପନ କରନ୍ତି ।

 

ମୋର ସହରରେ ରହିବା ପ୍ରାୟ କୋଡ଼ିଏ ବର୍ଷ ହେଇଗଲା । ଘରେ ବାପା ନାମକ ଚରିତ୍ର, ଯେ କି ତାଙ୍କ ଯୌବନର ଉଦ୍ଦାମତାରେ ମୋତେ କେବଳ ନୁହେଁ, ଆହୁରି କେତେକ ଭାଇ–ଭଉଣୀଙ୍କୁ ଏ ପୃଥିବୀର ଆଲୋକ ଦେଖାଇଥିଲେ ମା’ର ଜରାୟୁକୁ ଧ୍ୱସ୍ତବିଧ୍ୱସ୍ତ କରି । ତଥାପି ସେ କାର୍ଯ୍ୟକ୍ଷମ ଓ ଘର–ସଂସାରରେ ମୋର ଅନୁପ୍ରବେଶକୁ ଖୁବ୍ ସତର୍କତାର ସହିତ ଏଡ଼ାଇ ଯାଆନ୍ତି ତାଙ୍କ ଅଧିକାରକୁ ଶେଷ ପର୍ଯ୍ୟନ୍ତ ଜାହିର ରଖିବାକୁ । ତାଙ୍କ ମନୋଭାବକୁ ମୁଁ ବି ଜୁଆଳୀହୀନ ବଳଦଟିଏ । ମୁଁ ଚାହେଁନା ସେ ଜନ୍ତା ଭିତରେ ପଶିବାକୁ— ବିଲ/କାଦୁଅ/ଗୋହିରୀରେ ଜଘଂ ପର୍ଯ୍ୟନ୍ତ ଲୁଗାକୁ ଟେକିବା କିମ୍ବା ଖରା ବର୍ଷାରେ କୁର୍ମଟେ ପାଲଟି ଯାଇ ହିଡ଼ ମୁଣ୍ଡରେ ବସି ଏକର ଏକର ବିସ୍ତୀର୍ଣ୍ଣ ଶସ୍ୟ କ୍ଷେତକୁ ପରମ ସନ୍ତୋଷରେ ଚାହିଁ ରହିବା ।

 

ଏଠି ମୁଁ ଭଲ । ମୋ ସ୍ତ୍ରୀ ଭଲ । ମୋ ଛୁଆ ପିଲା ବି । ଆହୁରି ଭଲ ମୋର ପ୍ରତିବେଶୀ, ବନ୍ଧୁ ବର୍ଗ । ଆମର ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ଦୁର୍ଗ । ସଂଧ୍ୟା ହେଲେ ସହରର କୋଳାହଳ ଜୀବନ ଭିତରେ କିଛି ସମୟ ବୁଲାଚଲା, ଆନ୍ତରୀକତାହୀନ କୁଶଳ ଜିଜ୍ଞାସା, କେମିତି ଅଛନ୍ତି....ଚାଲିଛି ଗୋଟେ ପ୍ରକାର ଇତ୍ୟାଦି ଇତ୍ୟାଦି । ରାତି ହେଲେ ପ୍ରତ୍ୟେକ ଦୁର୍ଗର ଫାଟକ ବନ୍ଦ ଯେମିତି ସେଇଟି ଆମମାନଙ୍କର ନିଜ ନିଜର ଇଲାକା । ରାତିରେ କାହା ଘରେ ହଟ୍ଟଗୋଳ ହେଲାତ ଆମର କିଛି ନାହିଁ—ଖୁନ୍–ଖରାପ ହେଲେ ଆହୁରି ଆରାମରେ ଶୋଇଯିବା କଥା । ସକାଳ ହେଲେ ଖବର କାଗଜରୁ ପଢ଼ିନେବା କଥା ପ୍ରତି ବେଶୀ ଘରେ କେଉଁଠି କ’ଣ ସମ୍ଭାଷଣ…ଗୁଡ଼…ମର୍ଣ୍ଣିଂ…ହାଓ ଆର ୟୁ..ସୋ ଆଣ୍ଡ..ସୋ ।

 

ବେଶ୍ ଗୋଟାଏ ଜୀବନ । ନିଜର, ସଂପୂର୍ଣ୍ଣ ନିଜର । ମୋ ସ୍ତ୍ରୀ ମୋର, ଏକମାତ୍ର ସ୍ତ୍ରୀ ଦୁନିଆରେ, ମୋର ପିଲା ମୋର—ଏ ପୃଥିବୀରେ ଆଉ ପିଲା ନାହାନ୍ତି । ଦିନ ନାହିଁ, ରାତି ନାହିଁ, ଘର ନିରୋଳା ହୋଇଗଲେ, ଚାକର ଟୋକା ରୋଷାଇ ଘର ଧୋଇ ତା’ ରୁମକୁ ପଶିଗଲା ପରେ ସ୍ତ୍ରୀକୁ ନେଇ ସର୍କସ ଖେଳ କରାଯାଇ ପାରେ ।

 

ଅଥଚ ଦିନେ ଶୀତ ସଂଧ୍ୟାରେ ମୋ ଦୁର୍ଗଦ୍ୱାରର ପ୍ରବେଶ ପଥଦେଇ ପଶି ଆସିଲା ଏକ ଚରିତ୍ର…କେମିତି ଅସଭ୍ୟ, ବର୍ବର । ପ୍ରଥମେ ତାକୁ ଦେଖି ମୁଁ ଠିକ୍ କରି ପାରିଲି ନାହିଁ ସେ କେଉଁ ଶ୍ରେଣୀର…. ପ୍ରଥମତଃ ସେ ଆମ ଦୁର୍ଗର ମଣିଷ ମାନଙ୍କ ପରି ନୁହଁ, ପୁଣି ତା’ର ଅପରିଷ୍କାର ବେଶଭୂଷା, ଥୁଣ୍ଟା ଥୁଣ୍ଟା ଦାଢ଼ୀ ଟାଆଁସା ଟାଆଁସା ବାଳ ଓ ସର୍ବୋପରି ତା’ର କୋଟରଗତ ଚକ୍ଷୁରେ କୃତଜ୍ଞ ଭାବ ମୋତେ କିଛି ସମୟ ବିସ୍ମିତ କରିଦେଲା ସେ କିଏ କଣ କାହିଁକି ଏ ଅସମୟରେ । ମୁଁ ସେତେବେଳେ ଖଣ୍ଡିଏ ପତ୍ରିକା ଧରି ରିଲାକ୍‌ସ କରୁଥିଲି ଡ୍ରଇଂ ରୁମରେ । ସେ ସେମିତି ଠିଆ ହୋଇଥିଲା ଓ ମୋ ମୁହଁକୁ କଲବଲ କରି ଚାହିଁଥିଲା । ମୁଁ ସେଇ ବିସ୍ମିତ ଅବସ୍ଥାରେ କ’ଣ କହିବି ନକହିବି କିଛି ଠିକ୍ କରି ନପାରି ତାକୁ ସେମିତି ଚାହିଁ ରହିଥିଲି । ପରିବେଶକୁ ହାଲକା କରିଦେବା ପାଇଁ ଶଙ୍କିତ ଗଳାରେ ସେ କହିଲା: ମୋତେ ଚିହ୍ନିପାରୁ ନାହାଁନ୍ତି ! ଏଇ ବାକ୍ୟଟି ମୋ ପାଇଁ ଏକ ଚାଲେଞ୍ଜ କେବଳ ନଥିଲା; ବରଂ ଅସହାୟତାର ଗୋଟାଏ ଚରମ ମୁହୂର୍ତ୍ତକୁ ମୋତେ ଠେଲି ଦେଇଥିଲା ।

 

ଅଣ୍ଟା ଠାରୁ ଭୂମି ସହିତ ସମାନ୍ତରାଳ କରି ନମସ୍କାରଟିଏ କରି ସାରିଲା ପରେ ଲୋକଟି ପୁନର୍ବାର ଆରମ୍ଭ କଲା: ମୋତେ ଚିହ୍ନି ପାରୁ ନାହାଁନ୍ତି ? କେମିତି ଚିହ୍ନିବେ, ଗାଁ ତ ପୁରାପୁରି ଛାଡ଼ି ଦେଲେଣି…ଘସା–ମଜା ହେଉଥିଲେ ସିନା ପରିଚୟ ରହୁଥାଆନ୍ତା ।

 

ଲୋକଟି ବହୁତ କଥା କହିଗଲା ସାମାନ୍ୟ ଆଶାନ୍ୱିତ ହୋଇ, କାରଣ ତାକୁ ଚିହ୍ନିବା ପାଇଁ ମୋ ମୁହଁର ଭାବ ବା ଚିହ୍ନି ନପାରୁଥିବା ଜନିତ ଅସହାୟ ବୋଧକୁ ସେ ସଂପୂର୍ଣ୍ଣ କଳି ସାରିଥିଲା । ଏବଂ ଏତକ କଳି ସାରିଲା ପରେ ସେ ନିଜକୁ ମୋ ଉପରେ ପ୍ରାୟ ଲଦି ଦେବାକୁ ଚେଷ୍ଟା କରୁଥିଲା । ସେ ଗଳା ଝାଡ଼ିଲା ଓ ଅତି ବିନୟ ସହକାରେ କହିଲା: ମୋ ନାଁ ପାଣୁନାଥ ।

 

ପାଣୁନାଥ ! ଚାରୋଟି ଅକ୍ଷର ବିଶିଷ୍ଟ ଗୋଟିଏ ନାଁ…ହୁଏତ କେଇ ଘଣ୍ଟା/ମିନିଟ/ମୁହୂର୍ତ୍ତରେ ସେମିତି ଗୋଟିଏ ନାଁର ଗୁରୁତ୍ତ୍ୱ ନଥିଲା ମୋ ପାଇଁ ଅଥଚ କିଛି ଅଭିମାନ, କିଛି ଦାବୀ ନେଇ ନିଜ ନାଁ ଟିକୁ ମୋତେ ଜଣାଇ ଦେଲା ପରେ ମୋର ଦାୟିତ୍ଵ ଅନେକ ବଢ଼ିଗଲା । ବରଂ ଅପରାଧୀଟିଏ ପରି ମୁଁ ମନେ ପକାଉ ଥିଲି ଏଇ ପାଣୁନାଥଟିର ପ୍ରାଥମିକ ସଂସ୍କରଣ ଓ ତା’ ସହିତ ମୋ ସଂପର୍କକୁ ।

 

ଏଇ ସଂଶୟାଚ୍ଛନ୍ନ ପରିଚୟ ମଧ୍ୟରେ ମୁଁ ତାକୁ ବସିବାକୁ କହିଲି । ସେ ନିଜର ମଇଳା ଝୁଲା ଖଣ୍ଡକୁ ଯଥା ସମ୍ଭବ ମୋ ଦୃଷ୍ଟିରୁ ଏଡ଼ାଇବାକୁ ପଛପଟେ ଗୁଞ୍ଜି ଦେଇ ତଳେ ବସି ପଡ଼ୁଥିଲା । ମୁଁ ବାଧା ଦେଲି ଓ ଚେୟାରରେ ବସିବାକୁ କହିଲି । ଚଟାଣ ଅପେକ୍ଷା ସେ ଚେୟାରରେ ସନ୍ତର୍ପଣରେ ବସିଲା । ଗାଁ ଲୋକ କି ନାଁ, ମାଟି ଉପରେ ବସିବାରେ ସେମାନଙ୍କର ଗୋଟାଏ ସ୍ଵଚ୍ଛନ୍ଦତା ଥାଏ । ସେ ବସିଗଲା ପରେ ମୁଁ ଅନ୍ୟମନସ୍କ ହୋଇ ଏଣୁତେଣୁ ପାଞ୍ଚକଥା ଗାଁ ବିଷୟରେ ପଚାରିଲି । ସେ ଶଙ୍କିତ ଗଳାରେ କିଛି କିଛି କହୁଥାଏ, ଅଥଚ ତା କଥାରେ ସଂକ୍ଷିପ୍ତ ‘ହଁ’ ଟିଏ ମାରି ମୁଁ ମୋ ଭାବନାକୁ ଗାଁ ପର୍ଯ୍ୟନ୍ତ ଲମ୍ବେଇ ଦେଇଥାଏ ।

 

ମୁହଁଟି କ୍ରମେ ମନକୁ ଆସୁଥିଲା…ହଁ, ସ୍ନେହ/ଆନ୍ତରିକତା ପୁଣି ବୟସ ଅଧିକ ସତ୍ତ୍ୱେ ବି ଆମ ପ୍ରତି କିଛି ଆନୁଗତ୍ୟ…କିଶୋର ବୟସରେ ବିବାହ କରି ଗୋଟାଏ କୌତୁହଳପ୍ରଦ କଥା ମୋ ମୁଣ୍ଡରେ ପୁରାଇ ତା’ର ଉଦ୍ଦାମ ଯୌବନକୁ ଅନୁଭବୁ ଥିଲା ଏଇ ଲୋକଟି…ପାଣୁନାଥ । ଭଗିଆସାରୀଆର ବଂଶଧର ବୋଲି ସେ ପ୍ରମାଣ କରେ ତା’ର ସ୍ଵଭାବ ଚରିତ୍ରରେ ମୁଁହରେ ଥୁଣ୍ଟାଳିଆ ଦାଢ଼ି ସହିତ ମିଠାମିଠା ହସ ଓ ବଳଦ ପରି ନିରୀହ ଆଖି ଯୋଡ଼ିକ…କେମିତି ଆଚ୍ଛନ୍ନ କରି ଦେଇଥିଲା ପିଲାବେଳକୁ । ଦୃଶ୍ୟ ଭାସି ଯାଉଛି ସିନେମାର ଦୃଶ୍ୟ ପରି—ଶୁଷ୍କ ଗ୍ରାମ୍ୟ ଜୀବନକୁ ସରସ କରିବା ପାଇଁ ସମୟରେ ବୈଠିକାରେ ତା’ର ଆବିର୍ଭାବ ଓ ବେସମ ଗଳାରେ‌ ‘‘ନଟ…କୁଟିଇଆ ନଟବଅର…ନା…ଆ…ଗର ହେ, ପାଆଦ ତଳକୁ ତୋର, ପାଆଦ ତଳକୁ ତୋର…କୋଓଟିଏ ଜୁହାର ନଟ…କୁଟିଆ ନଟବର…” ପଦର ଅସ୍ପଷ୍ଟ ଅନୁରଣନ ମୋ ମନକୁ କ୍ରମେ ଆସି ଯାଉଥିଲା । ମୋ ମୁହଁର ଭାବ ପରିବର୍ତ୍ତନ ବୋଧହୁଏ ସେ ଲକ୍ଷ୍ୟ କଲା ଏବଂ ସାମାନ୍ୟ ଆରାମରେ ବସି ମୋତେ ପ୍ରଶ୍ନ କଲା; କଣ ଚିହ୍ନିପାରୁ ନାହାଁନ୍ତି ?

 

ମୋ ଭିତରୁ ଯେମିତି ଗୁଡ଼ାଏ ଆବେଗ ଓ ହସ ହୃଦୟ/ମୁହଁ ଦେଇ ଏକାବେଳକେ ପ୍ରକାଶିତ ହୋଇଗଲା । ମୋ ଇଚ୍ଛା ହେଲା ସେଇ ମୁହୂର୍ତ୍ତରେ ମୁଁ ପାଣୁନାଥ ପାଖକୁ ଦଉଡ଼ିଯିବି ଏବଂ ମୋର ବ୍ୟବହାର ପାଇଁ ତାକୁ କୁଣ୍ଢାଇଧରି କ୍ଷମା ମାଗି କହିବି: କେମିତି ତୁମକୁ ମୁଁ ଚିହ୍ନିବିନି–ତୁମେ କୈଶୋରକୁ କେଡ଼େ ମଧୁର/ରହସ୍ୟାଚ୍ଛନ୍ନ କରି ପକାଇଥିଲ ତୁମ ସରଳ ବ୍ୟବହାରରେ ! ଅନାବିଳ ବ୍ୟକ୍ତିତ୍ୱରେ !...ତା ସହିତ ପୁଣି ମିଶିଯାଇଥିଲା ଗାଁର ସେଇ ‘ଆମେ’ର ଦୁଷ୍ପ୍ରାପ୍ୟ ଅନୁଭୂତିଟି ।

 

ଅଥଚ ମୁଁ ପାରିଲି ନାହିଁ । ମୋ ଘରର ସେଇ ହାତ ଗଢ଼ା ଆଭିଜାତ୍ୟ ତଥା ପରିବେଶ ମୋତେ ବାଧାଦେଲା ସେଇ ସରଳ ଲୋକଟି ସହିତ ସରଳ ହୋଇ ଯିବାକୁ । ସଂପ୍ରତି ସବୁ ଅନୁଭବକୁ କୃତ୍ରିମ ଅହଂକାରରେ ଚାପିଧରି ମୁଁ କହିଲି: ଗାଁ ଠାରୁ ସିନା ଦୂରେଇଗଲୁ ପରିସ୍ଥିତିର ଚାପାରେ, ହେଲେ ଗାଁକୁ ବା ତମମାନଙ୍କୁ ଭୁଲି ହେଉଛି କେମିତି ! ସବୁ ମୋର ମନ ଅଛି…ଆଉ ! କେମିତି କୁଆଡ଼େ ଚାଲି ଆସିଲ ?

 

ମୋ ଠାରୁ କିଞ୍ଚିତ୍ ଆଶ୍ଵାସନା ପାଇଲା ପରେ ପାଣୁନାଥ ତା’ର ସମସ୍ତ ସମସ୍ୟା ମୋ ସାମ୍ନାରେ ଅଜାଡ଼ି ଦେଲା ଯେମିତି ମୁଁ/ଆମେ ସହରରେ ରହୁଥିବା ଲୋକମାନେ ତା’ର ସମସ୍ୟା ଗୁଡ଼ିକ କାଉଁରୀ କାଠି ସ୍ପର୍ଶରେ ସୁଧାରି ଦେଇ ପାରିବୁ । ତା’ର ଅବଶ୍ୟ ଦୋଷ ନଥିଲା ଆମ ପାଖରୁ ଗାଁକୁ ସହରରେ ପରିଣତ କରିଦେବାର ଗୁଡ଼ାଏ ପ୍ରତିଶ୍ରୁତି ଡାକବାଜି ଯନ୍ତ୍ର ଦେଇ ସେମାନଙ୍କ କାନ ଭିତରକୁ ପଶିଯାଏ । ସେ କହିଯାଉଥାଏ: ଆଉ ଆଗ ଗାଁ ନାହିଁ ଫି ବରଷ ଧୋଇ/ମରୁଡ଼ି ଅଣ୍ଟା ଭାଙ୍ଗି ଦେଲାଣି…ଜେନା ସାହି, ଆମ ହାଟୁଆ ସାହିରୁ ଅନେକ ଲୋକ କାମ–ଧନ୍ଦା ଆଶାରେ ଗାଁ ଛାଡ଼ିଲେଣି… । ସେ ଗୁମ୍‌ମାରି ବସିଗଲା କିଛିକ୍ଷଣ ପାଇଁ । ତା’ପରେ ସେ ଖୋଲି ଦେଲା ତା’ର ବ୍ୟକ୍ତିଗତ ଗତାନୁଗତିକ ସମସ୍ୟାଟି…ନିରବାବୁଙ୍କ ଦୟାରୁ ବଡ଼ପୁଅକୁ ଛାଡ଼ିଥିଲି ବାଲିମେଳାରେ, ଆପଣଙ୍କ ସଢ଼ୁ ବିଶ୍ଵାଳବାବୁ ମତେ ବି ସେଠି ଢୁକେଇ ଦେଇଥିଲେ । ଘରେ ସାନ ପୁଅଟା ଥିଲା…ପାଏ ଅଧେ ଜମିବାଡ଼ି ଦେଖାଶୁଣା କରୁଥିଲା…ଝିଅକୁ ଗଲାସନ ଉଠେଇ ଦେଇଥିଲି । ଚିଠି ପାଇଲି ସ୍ତ୍ରୀ କୁ କି ରୋଗ । ମନ ଥୟ ଧରିଲାନି । ବାପ, ପୁଅ ଚାଲିଆସିଲୁ । ଘର ଅଚଳ, ବଡ଼ ପୁଅକୁ ଦି’ ହାତ କରିଦେଲି…ବାବୁ ! କପାଳତ, ଆମ କାଳରେ ପଡ଼ିଆ ଜମିରେ ଫସଲଟେ ଉତୁରୁଥିଲା କେତେ ଠାକୁର ଦେବତାଙ୍କୁ ମାନସିକ କଲାପରେ…ଏବେ ବର୍ଷ ପୁରୁଣୁ ଗୋଟାକୁ ଗୋଟା…ବଡ଼ ପୁଅର ଏବେ ଦିଇଟା ଝିଅ, ଘର ଚଳିବା କଷ୍ଟ…ବଡ଼ ଆଶାକରି ଆସିଛି, ବୟସ ହୋଇଗଲା ମୁଁ ଆଉ ପାରିବିନି, ଯେବେ ବଡ଼ ପୁଅକୁ କଉଠି ପିଅନ ଫିଅନ ଚାକିରି ଖଣ୍ଡେରେ ଲଗେଇ ଦିଅନ୍ତେ…,ତା ପରେ ସେ ତା’ର ଦୁଇ ହାତ ମଳି ଦୀର୍ଘ ନିଶ୍ଵାସଟିଏ ମାରିଲା ।

 

ବାସ୍, ଏଇତକ କଥା କହିବା ପାଇଁ ଗାଁରୁ ସେ ଧାଇଁ ଆସିଛି ଅଧା ଭୋକିଲାହୋଇ । ମୋତେ ତା କଥା କହିଦେଲାପରେ ସେ ଆଶ୍ଵସ୍ତ । ତା’ର ଆଶା ଆମେ ବଡ଼ ସହରରେ ରହୁଛୁ ଓ ଆମ ଉଦ୍ୟମ ନିକଟରେ ତା’ର ସମସ୍ୟାଟି ତୁଚ୍ଛ । ମୁଁ କେମିତି ତାକୁ ବୁଝାଇ ପାରିଥାନ୍ତି ଜଣେ ସାଧାରଣ ଅଧ୍ୟାପକ ତୋର ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ସମାଧାନ କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ । ବରଂ ଗାଁ ସରପଞ୍ଚକୁ କହିଲେ ସେ ତୋତେ କିଛି ସାହାଯ୍ୟ କରିପାରିବ ।

 

ମୁଁ ତାକୁ ଶେଷ କଥାଟି ସ୍ପଷ୍ଟ କହିପାରିଲି ନାହିଁ । ବରଂ ନିଜ ଗୁରୁତ୍ତ୍ୱ ସଂପର୍କରେ ସଚେତନ ହୋଇ ସଂକ୍ଷେପରେ ଆଶ୍ଵାସନା ଦେଲି: ଦେଖିବା !

 

ମୋର ଏଇ ପଦଟିରେ ସେ ସନ୍ତୁଷ୍ଟ ହେଲା ଓ ମୁଣ୍ଡରୁ ବିରାଟ ବୋଝ ଓହ୍ଲେଇ ଯିବା ଅନୁଭବରେ ସହଜ ହୋଇ ଚେୟାରରେ ବସିଗଲା ।

 

ପାଣୁନାଥ ! ଗାଁ ଲୋକଟି ବିଚାରା ମୋ ପରିବେଶ ପାଇଁ ସେ ଖାପ୍‌ଛଡ଼ା । ସବୁ କଥାରେ ମାପଚୂପା ଏବଂ ସମ୍ବ୍ରମ ଭାବ । ସେ ତ ଆଉ ବୁଝିନାହିଁ କଲେଜ ବାରଣ୍ଡାରେ ଚାଲିଗଲା ବେଳେ ପଛରୁ କେମିତି ହୁଇସିଲ ମାଡ଼ ହୁଏ ଓ କ୍ଲାସ ରୁମ୍‌ଟିକୁ ସଂପୂର୍ଣ୍ଣ ନିଜ କର୍ତ୍ତୁତ୍ଵକୁ ନେଇ ଆମମାନଙ୍କ ସହିତ ପିଲେ କେମିତି ଟାହୁଲି ଖେଳନ୍ତି । ସେ ଗାଁ ଲୋକ, ଏ ସବୁ କଥା ସହିତ ଅପରିଚିତ । ବୟସରେ ମୋ ଠାରୁ ଯଥେଷ୍ଟ ଅଧିକ ହେଲେବି ମୋ ପଦବୀ ପ୍ରତି ତା’ର ଯଥେଷ୍ଟ ସମ୍ମାନ ରହିଛି । ସେ ପୁରାତନ ଓଡ଼ିଶୀ ସଂସ୍କୃତିରେ ମଣିଷ । ପଶ୍ଚିମା ପବନ ତାକୁ ଭେଦିନି ଏବଂ ଭେଦିବାର ସୁଯୋଗ ଆଉ ନାହିଁ ମଧ୍ୟ ।

 

ସେ ନୀରବ ହୋଇ ବସିଥିଲା । ମନର ସମୟ ହୋଇଯାଇଥିଲା । ନିତ୍ୟକର୍ମ ସାରିବାକୁ ତାକୁ କହିଲି । ଅଥଚ ସେ କେମିତି ଟିକେ ଶଙ୍କୁଚିତ ହୋଇପଡ଼ିଲା । କିଆ ଗୋହିରୀରେ ଚାରିଆଡ଼କୁ ନିଘା ରଖି ଲୁଗା ଟେକି ବସିପଡ଼ିବା ଲୋକ ଓ ରେବ ନଦୀରେ ବୁଡ଼ଟିଏ ମାରିଦେଇ ଏକକାନିଆ ଓଦା ଜୁଡ଼ୁବୁଡ଼ୁ ହେଇ ଘରେ ପହଞ୍ଚିଯିବାଲୋକ । ଏଠିକାର ନିତ୍ୟକର୍ମରେ ସେ ଅଭ୍ୟସ୍ତ ନୁହେଁ । ତେଣୁ ନିଜ ଦୁର୍ବଳତାକୁ ଢାଙ୍କିବା ପାଇଁ କହିଲା ସବୁ କାମ ସାରି ଆସିଛି ।

 

ମୁଁ ଚାକର ଟୋକାକୁ ଡାକିଦେଲି ପାଣୁନ ଥର ଖାଇବା ବ୍ୟବସ୍ଥା କରିଦେବାକୁ । ସେତକ ବି ସେ ବହୁ କୁଣ୍ଠାର ସହିତ ରାଜିହେଲା । ମୁଁ ଡ୍ରଇଂ ରୁମ୍ ଛାଡ଼ି ଉଠିବାକୁ ଉଦ୍ୟତ ହେଉଥିଲା ବେଳେ ସେ ଆଉ କିଛି କହିବ ବୋଲି ଆଗ୍ରହ ପ୍ରକାଶ କଲା । ମୁଁ ଠିଆ ହେଲି ଓ ପଚାରିଲି ଆଉ କିଛି କଥା ଥିଲା ? ସେ ଜଣେ ଅନୁଗତ, ବିନୟୀ ଲୋକ ପରି (ଅବଶ୍ୟ ସେ ବିନୟୀ) କହିଲା ଆଉ କଣ ଗାଁକୁ ଯିବେନି !

 

ପଦେ ପଦେ କଥା ମଣିଷକୁ ଏମିତି ଦୁର୍ବଳ କରିପକାଏ ବୋଲି ମୋର ପୂର୍ବରୁ କେବେ ଅଭିଜ୍ଞତା ନ ଥିଲା । ସେଇ ଶେଷ ପଦଟି ମୁହୂର୍ତ୍ତକ ପାଇଁ ମୋତେ କ୍ଷୁବ୍‌ଧ କରିଦେଲା । ମୁଁ ଠିଆ ହୋଇ ତା ମୁହଁକୁ ନିରୀକ୍ଷଣ କରୁଥିଲା ବେଳେ ତା’ ମୁହଁ ଯେମିତି ମୋତେ ଝାପ୍‌ସା ଝାପ୍‌ସା ଲାଗିଲା । ତାକୁ ଦେଖିଲାବେଳୁ କେତେ ମଧୁର ସ୍ମୃତି ମୋତେ ଆଚ୍ଛନ୍ନ କରିଥିଲା । ତା’ର ଶେଷ ପ୍ରଶ୍ନଟି ମୋର ସମୁଦାୟ ବ୍ୟକ୍ତିତ୍ୱକୁ କବଳିତ କରିଦେଲା । ଦମକାଏ କୋହ ମୋ ଛାତି ଭିତରକୁ ଉଠି ଆସିଲା କଣ୍ଠନଳୀ ପର୍ଯ୍ୟନ୍ତ : ବେ ତୁ କିଏ ବେ ! ତୁ ପାଣୁନାଥ, ନାଁ ମୋ ବୋଉ ମଁ ! ସେ ତ ତିରିଶ / ବତିଶ ବର୍ଷ ତଳର କଥା…ଏବେ, ସେ କୋଳିଗଛ ଅଛି ନାଁ ଆଉ—ଯାହା ଛାଇ ତଳେ ତୋ କାନୀକି ଧରି ଠିଆ ହୋଇଥିଲି ଓ ହଇଜାରେ ମରିଯାଇଥିବା ସୁନିସା’ ସ୍ତ୍ରୀର ଶବକୁ ବୋହି ନେଉଥିବା ଗଙ୍ଗାକୁଳିଆଙ୍କ ଶକ୍ତ ହରିବୋଲରେ ତୁ ଚମକି ପଡ଼ିଲୁ...ତା’ପରେ କୁଆଡ଼େ ଠାକୁର ପାଣିରେ ଗାଧୋଇଲୁ—ହେଲେ କିଛି ଫଳ ହେଲାନି…ସଂଧ୍ୟାବେଳକୁ ବହୁତ ଥର ଝାଡ଼ା-ବାନ୍ତିରେ ତୋ ଝାଡ଼ା ପରିସ୍ରା ବନ୍ଦ ହୋଇ ଯାଇଥିଲା ଓ ମୋ ଚାଳିଶ ବର୍ଷର ବାପା ତୋ ବିକୃତ ଶରୀର ଉପରେ ଦୃଷ୍ଟି ରଖି ତାଙ୍କ ଭବିଷ୍ୟତ ଜୀବନର ନକ୍‌ସା ପ୍ରସ୍ତୁତ କରୁଥିଲେ ଏବଂ ରାତି ବାରଟା ବେଳକୁ ତୁ କୁଆଡ଼େ ଆଉ ବଞ୍ଚିବୁ ନାହିଁ ବୋଲି ମୋତେ ଦେଖିବାକୁ ଚାହିଁଲୁ ! କେଉଁ ଦରଦୀ ବୃଦ୍ଧାର କାଖରେ ବୁହା ହୋଇ (ଆହା ! ସେ ଏବେ ସ୍ୱର୍ଗରେ) ତୋ ସାମ୍ନାକୁ ଯାଇଥିଲି–ତୋ ଆଖି ସେତେବେଳେ କାମ କରୁଥିଲା, ନା କାଚର ଡୋଳା ଦୁଇଟି ମୋ ଉପରେ ଥୋଇ ଦେଇଥିଲୁ; ରାତି ଶେଷ ପ୍ରହରରେ ମୁଁ କ’ଣ କିଛି ବୁଝିଥିଲି ନିଦ ହଠାତ୍‌ ଭାଙ୍ଗିଗଲା ଓ ଶୁଣିଲି ଘରେ ସମସ୍ତେ ଉଚ୍ଚସ୍ୱରରେ କାନ୍ଦୁଛନ୍ତି…ମୁଁ କିଛି ନ ବୁଝି ସେମାନଙ୍କ ସହିତ ସ୍ୱର ମିଳାଇ ଦେଲି…ବିଛଣା ଭିତରେ ଗୁଡ଼ାହୋଇ ତୁ କେତେଜଣଙ୍କ ହାତରେ ବୁହା ହୋଇ ଗଲୁ ଯେ କାଳିଜହ୍ନ ଛାଇରେ ମିଶିଯିବା ପର୍ଯ୍ୟନ୍ତ । ତୁ ତ ମୋତେ ଗାଁ ଘର ପରିବାର ସବୁ ଭୁଲାଇ ଦେଲୁ…ପୁଣି କାହିଁକି ବେ ଗାତରୁ ଉଠିଆସି ତୋ କାନିରେ ମୋ ଦେହକୁ ଛନ୍ଦି ଦେଉଛୁ । ତୋ ସ୍ନେହଶୀଳ ହାତକୁ ମୁଣ୍ଡଠାରୁ ପିଠି ପର୍ଯ୍ୟନ୍ତ ଆଉଁସି ଦେଇ ମୋତେ ଦୁର୍ବଳ କରି ପକାଉଛୁ !

 

ଚାକର ଟୋକା ଡାକରେ ପାଣୁନାଥ ଖାଇବାକୁ ଗଲା । ମୁଁ ସେଲ୍‌ଫରୁ ପେଡ଼ ଆଣିଲି ଓ ଦୁଇଦିନ ଛୁଟି ପାଇଁ ଦରଖାସ୍ତ ଲେଖି ମଞ୍ଜୁକୁ ଦେଇଦେଲି ପରଦିନ ସକାଳୁ ବିଭାଗୀୟ ମୁଖ୍ୟଙ୍କ ନିକଟକୁ ପଠାଇ ଦେବାପାଇଁ ।

 

ପରଦିନ ସକାଳୁ ପାଣୁନାଥ ଖୁବ୍ ଉତ୍ତେଜିତ ହୋଇ ପଡ଼ିଥିଲା, ଏଇଥି ପାଇଁ ମୋର ଯେମିତି ଦୀର୍ଘ ଦିନର ବ୍ରତକୁ ସେ ଭାଙ୍ଗିଦେଲା । ମୁଁ ସକାଳୁ ସକାଳୁ ସବୁ କାମ ସାରିଦେଇ ବ୍ରିଫ୍‌କେଶ ଖଣ୍ଡିକ ଡ୍ରଇଂ ରୁମ୍‌ରେ ଥୋଇଥିଲି । ମୋର ଲକ୍ଷ୍ୟଥିଲା ସକାଳୁ ବାହାରିଲେ ଆମ ’ହୋମ ଟାଉନ’ରେ ବାରଟା ସୁଦ୍ଧା ପହଞ୍ଚି ମଧ୍ୟାହ୍ନ ଭୋଜନ ସାରିଦେବୁ ଓ ଦୁଇଟା ସୁଦ୍ଧା ବସ୍ ଧରିଲେ ଚାରିଟା ସୁଦ୍ଧା ଗାଁରେ ପହଞ୍ଚିଯିବୁ ।

 

ପାଣୁନାଥ ତା ମଇଳା ଝୁଲାଟି କାନ୍ଧରେ ଝୁଲାଇଲା ଓ ମୋ ବ୍ରିଫ୍‌କେଶ ହାତରେ ଧରି ଫାଟକ ପାଖରେ ଅପେକ୍ଷା କରିଥିବା ରିକ୍‌ସା ପାଖକୁ ଗଲା । ପିଲାମାନଙ୍କ ସହିତ ମଞ୍ଜୁ ଆସି ପାଖରେ ଠିଆ ହେଲା । ସେମାନଙ୍କ ଆକ୍ଷିରେ ବିସ୍ମୟ, ଯେମିତି ମୁଁ ଦୀର୍ଘଦିନ ତୀର୍ଥଯାତ୍ରାରେ ବାହାରିଛି । ଅବଶ୍ୟ ସେ ସମୟର ଅନୁଭୂତି ମୋର ସେହି ପ୍ରକାର । କାରଣ ମୋ ବୋଉ ଯେଉଁମାଟିରେ ମାଟି ହୋଇଯାଇଛି ତାକୁ ଛୁଇଁବି ଦୀର୍ଘ କୋଡ଼ିଏ ବର୍ଷ ପରେ । ତଥାପି ଏ ତୀର୍ଥଯାତ୍ରା ଦୀର୍ଘ ଦିନର ନୁହେଁ, ଦିନେ ଦୁଇଦିନର । ପିଲାମାନଙ୍କୁ ସ୍ନେହ କଲି, ସେମାନେ ପଢ଼ା ଟେବୁଲକୁ ଚାଲିଗଲେ । ମଞ୍ଜୁ ସେମିତି ଠିଆ ହୋଇଗଲା । ମୁଁ ବାହାରକୁ ଗଲେ ତା’ର ବି କିଛି ଦରକାର । ସେ ପିଲାଟେ ହେଇଛି ଯେ ତା’ ହାତରେ ଆଠଅଣା/ଟଙ୍କେ ଧରାଇ ଦେବି । ମୁଁ ନିପଟ ଓଡ଼ିଆଟିଏ । ପ୍ରତିବେଶୀ ସାହେବଧର୍ମୀ ଓଡ଼ିଆଙ୍କଠାରୁ ଯେତିକି ଶିଖିଛି ସେଇଥିରୁ ଗୋଟେ ଅଧେ ଉପକ୍ରମ କରିବାକୁ ମନ କୁତୁ କୁତୁ ହେଲା । ବସ୍ ଛାଡ଼ିଦେବା ଆଶଙ୍କାରେ ପାଣୁନାଥ ରିକ୍‌ସା ପାଖରେ ବ୍ୟସ୍ତ ହେଉଥିବ, ହେଉଥାଉ । ସେ ଗାଁ ଲୋକ–ଶାଲା ଜୀବନ କଣ ବୁଝେ ! ମୁଁ ମଞ୍ଜୁକୁ ନିଜ ଭିତରେ ମିଶାଇ ଦେଲି… “ଭାକ୍…ପିଲା ଆରଘରେ ଅଛନ୍ତି ଯେ” ବାକ୍ୟ ଭିତରେ ସେ ତା ଲୁଗା କାନିରେ ଗାଲ ପୋଛିଲା । ମୁଁ କିଛିଟା ହାଲକା ଅନୁଭବ କଲି ଓ ରିକ୍‌ସା ପାଖକୁ ଚାଲିଗଲି । ମଞ୍ଜୁ ଫାଟକ ପାଖକୁ ଗଲା, ଫାଟକ ବନ୍ଦକଲା ଓ ରିକ୍‌ସା ଛାଡ଼ିଲା ପରେ ମୋ ଉଦ୍ଦେଶ୍ୟରେ ହାତ ହଲାଇଲା, ଯାହାକୁ କହନ୍ତି-ଟା-ଟା ।

 

ପାଣୁନାଥ ମୋ ପାଇଁ ସାମ୍ନା ସିଟଟିଏ ରଖିଦେଇ ପଛ ସିଟକୁ ଚାଲି ଯାଉଥିଲା ମୁଁ ତାକୁ ଡାକିଲି ଓ ପାଖରେ ବସିବା ପାଇଁ କହିଲି । ସେ ବସିଲା, ଅଥଚ ଅଶ୍ୱସ୍ତି ବୋଧକଲା । ଭଲ ଭାବରେ ବସିବାକୁ ତାକୁ କହିଲି ଓ ବସ ଷ୍ଟାର୍ଟ କଲା ପରେ ସାଧାରଣତଃ ମୁଁ ଯାହା କରିଥାଏ ଆରମ୍ଭ କରିଦେଲି, ମାନେ ପ୍ରଥମେ ପ୍ରଥମେ ସହର ଅତିକ୍ରମ କରିବା ପର୍ଯ୍ୟନ୍ତ ଏଣେ ତେଣେ ଚାହୁଁ ଚାହୁଁ କ୍ରମେ ଆଖିକୁ ବୁଜିଦେବା ଓ ପରେ ପରେ ନିଶ୍ଚିନ୍ତରେ ଶୋଇପଡ଼ିବା । ଏକ୍‌ସିଡ଼େଣ୍ଟ ହେଲେ ଡ୍ରାଇଭର ଉପରେ ମାଡ଼, ଆମର କି ଯାଏ !

 

ଆଖି ଖୋଲିଲା ବେଳକୁ ‘ହୋମ ଟାଉନ’ର ବସ୍‌ଷ୍ଟାଣ୍ଡ, ପରିଚିତ ବହିଦୋକାନ ବିଦ୍ୟାମନ୍ଦିରରେ ଟିକେ ମୁହଁ ମାରିଦେଇ, ଚିହ୍ନା/ଅଧାଚିହ୍ନା ବ୍ୟକ୍ତିମାନଙ୍କ ସହିତ କିଛି ସୌଜନ୍ୟ କଥାବାର୍ତ୍ତା ଓ ଭୋଜନ ରୂପକ କାର୍ଯ୍ୟଟି ସାରି ଦେଇ କେମିତି ଗାଁ ବସ୍‌ଟିକୁ ଧରିବା କଥା ।

 

ଏଇତକ ରାସ୍ତା ଘରୋଇ ବସ୍‌ରେ ଅତିକ୍ରମ କରିବା ପାହାଡ଼ ଚଢ଼ିଲା ପରି । ସିଟଟିଏ ପାଇଗଲେ ତୁମେ ଭାଗ୍ୟବାନ । ତଥାପି ବସ ଛାଡ଼ିଲା ବେଳକୁ ଦେଖିବ ତୁମେ ସବୁଠାରୁ ବେଶି (ଏମିତିକି ଠିଆରେ ଯାଉଥିବା ଲୋକଙ୍କଠାରୁ) ହତଭାଗ୍ୟ ଯେହେତୁ ଠିଆ ହୋଇଥିବା ଲୋକମାନଙ୍କ ପୂର୍ଣ୍ଣ ସ୍ଵାଧୀନତା ରହିଛି ସେମାନଙ୍କର ବିରାଟ ନିତମ୍ବ ତୁମ କାନ୍ଧ ଉପରେ ଥୋଇ ଦେବାକୁ/ଝୁଲାବେଗକୁ ବାରମ୍ଵାର ମୁଣ୍ଡ ଉପରେ ସଂପୂର୍ଣ୍ଣ ଶୋଇପଡ଼ି ବସ୍ ଝରକା ଦେଇ ପାନଛେପ ପକାଇବାକୁ ଓ ବାହାରକୁ ଚାହିଁବାକୁ ।

 

ଏମିତି ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ ଦେଢ଼ଘଣ୍ଟାରୁ ଦୁଇଘଣ୍ଟା ପର୍ଯ୍ୟନ୍ତ ଷୋଳ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ । ଏଇ ଯାତ୍ରା କଷ୍ଟ ବିଶେଷ ମନେ ହେଲାନି, କାରଣ ଆମ ‘ହୋମ ଟାଉନରୁ’ ଗ୍ରାମ ପର୍ଯ୍ୟନ୍ତ ଶୀତ ଋତୁ ତା’ର ପ୍ରଭାବ ବିସ୍ତାର କରିଥିଲା । ସହରରେ ଶୀତ ଅପେକ୍ଷାକୃତ କମ୍ ।

 

ଆମେ ଯଥା ସ୍ଥାନରେ ପହଞ୍ଚି ଖଣ୍ଡେ ରିକ୍‌ସା ଠିକ୍ କଲୁ । ସେ ଆମକୁ ଚାରି କିଲୋମିଟର ରାସ୍ତା ବୋହିନେବ । ପାଣୁନାଥ ଦରଦାମ ଛିଣ୍ଡେଇଲା । କୁଆଡ଼େ ଚିହ୍ନା ଜଣା ଲୋକ-। ମୁଁ ସେଇ ସ୍ଥାନଟିକୁ ଟିକେ ନିରୀକ୍ଷଣ କରିନେଲି—ବହୁ ବର୍ଷ ତଳେ କେଇଖଣ୍ଡ ଚାଳ ଓ ଟିଣ କେବିନରେ ଯେ ସୀମାବଦ୍ଧ ଥିଲା, ଏବେ ଛୋଟ କାଟର ଗୋଟାଏ ଟାଉନ । ସ୍ଥାନଟିର ଗୁରୁତ୍ତ୍ୱ ବଢ଼ିଗଲାଣି, ଗୋଟିଏ ଅନିୟମିତ ସିନେମା ହଲ...ଦେଶୀ ବିଦେଶୀ ପାନୀୟ ବି ମିଳେ ସବୁ ସମୟରେ । ଖୋରଧା ଲୁଙ୍ଗି ନାହିଁ, ବେଲ ପେଣ୍ଟ, ଛିଟ ସାର୍ଟ ଓ ପାଣୁନାଥ କହିଲା ଟୋକାମାନେ ସିଗାରେଟରେ ଗଞ୍ଜା ପୁରେଇ ଧୁମ ମସ୍ତି କରୁଛନ୍ତି, ଗାଁର ରୂପ ବଦଳିଗଲାଣି, ଶୀତ ଦିନ ।

 

ପାଣୁନାଥ ଠିଆ ହୋଇଛି ରିକ୍‌ସାବାଲା ସହିତ ଦର ଛିଣ୍ଡେଇ । ଦିନ ଚାରିଟାରୁ ପରେ ହେବ । ଶୀତୁଆ ଲାଗିଲାଣି ଦେହଟା । ବଡ଼େଇ ଦେଖେଇବାର ଭୟରୁ ମୁଁ କିଛି ଗରମ ପୋଷାକ ଆଣି ନ ଥିଲି ସାଙ୍ଗରେ । କେବଳ ଏଇ ପାଣୁନାଥ…କେବଳ ପଦିଏ କଥାର ମୋ ବୋଉର କାଳିସୀ କେମିତି ତା’ ଭିତରେ ଉତୁରିଗଲା ଓ ମୁଁ ଆଚ୍ଛନ୍ନ ହୋଇ ପଡ଼ିଲି । ତେଣୁ କିଛିଟା ଉତ୍ତେଜନା ଥିଲା ଗାଁ ମାଟି ଛୁଇଁବାକୁ ଦୁଇ ଯୁଗର ବ୍ୟବଧାନ ପରେ ହେଉ ବରଂ । ପାଣୁନାଥ ଅକସ୍ମାତ୍ ଶୀତ ସନ୍ଧ୍ୟାରେ ପହଞ୍ଚି ଯାଇ ନ ଥିଲେ ହୁଏତ ଆଉ କେତେଯୁଗ ଗାଁର ସ୍ମୃତି ମୋ ମନରୁ ଲୁଚି ରହିଥାଆନ୍ତା ।

 

ରିକ୍‌ସାରେ ବସିଲୁ । ବିସ୍ତୀର୍ଣ୍ଣ ପାଚିଲା ଧାନ କ୍ଷେତ ଭିତରେ ନାଲି–ଗୋଡ଼ିର ରାସ୍ତାଟିଏ ଲମ୍ବି ଯାଇଛି ଜଣେ ପ୍ରୌଢ଼ାର ସିନ୍ଥିର ସିନ୍ଦୁର ଗାର ପରି । ଭଲ ଲାଗୁଥିଲା ଥଣ୍ଡାଳିଆ ଭାବ ସାଙ୍ଗକୁ ଧାନକଟାର ଦୃଶ୍ୟ । ଅଥଚ କେହି ଆମଆଡ଼େ ଦୃଷ୍ଟି ଦେଉ ନ ଥିଲେ । ଗୋଟିଏ ଗୋଟିଏ ଭାରବାହୀ ପଶୁ ପରି ସେମାନେ ନଇଁପଡ଼ୁଥିଲେ ଓ ରେକା ପୁରିଗଲା ପରେ ଠିଆହୋଇପଡ଼ି ଧାଡ଼ିକି ଧାଡ଼ି ଖଞ୍ଜି ଥୋଇ ଦେଉଥିଲେ । ଶୀତ ସାଙ୍ଗକୁ ପାଚିଲା ଧାନର ବାସ୍ନା । କେମିତି କେଜାଣି ମନକୁ ମନ ଭାବ ଚାଲି ଆସୁଥିଲା…ଗାଁଟା ଭାରି ସୁନ୍ଦର, ଅନୁଭବ କରିପାରିଲେ ! ଏଠି ଯେମିତି ଋତୁମାନଙ୍କୁ ଦେହରେ ଭେଦେଇ ହୁଏ, ସହରରେ ନୁହେଁ । ସହରର ବ୍ୟସ୍ତ ଜୀବନ ଭିତରେ କେତେବେଳେ ଋତୁ ଆସେ ଓ ଯାଏ କେହି ସହଜରେ ଧରି ପାରେନି ।

 

ମୁଁ ଏଇ ଆପାତଃ ନୂଆ ପରିବେଶରେ ନିଜକୁ ହଜେଇ ଦେଇଥିଲା ବେଳେ ପାଣୁନାଥ କହିଲା: ଇୟା ଭିତରେ ବହୁ ପୁରୁଣା ଲୋକ ଚାଲିଗଲେଣି । ସାହୁଘର ବୁଢ଼ାଟା ଏଇ ଶୀତରେ ଖସିଯିବ… ଇତ୍ୟାଦି । କାନ ଭିତରେ କଥାଗୁଡ଼ାକ କେମିତି ପଶିଯାଉଥିଲେ ଓ ମୋତେ କ୍ରମେ ଦୁର୍ବଳ କରି ଦେଉଥିଲେ । ହଠାତ୍ ଗୋଟେ କ୍ରୋଧରେ ମୁଁ ଫାଟି ପଡ଼ିଲି । ବିରକ୍ତିରେ ମୁହଁ ବୁଲାଇ ଦେଲି, ଯା’ର ଅର୍ଥ ହେଲା ପାଣୁନାଥ ରିକ୍‌ସାରେ ମୋ ସହିତ ଗାଁକୁ ଯାଉଛି, ସେତକ ଯଥେଷ୍ଟ ଏବଂ ତୁ ଚୁପ୍ ରହ, ନ ହେଲେ ଗୋଟାଏ ଥାପଡ଼ରେ ତୋତେ ଏ ରିକ୍‌ସାରୁ ତଳକୁ ଗଡ଼ାଇ ଦେବି । ସୁଯୋଗ ନେଇ ମୋତେ ଅଧିକ ଦୁର୍ବଳ କରିବାକୁ ଭାବିଛୁ, ପାଜି କୋଉଠିକାର । ବିରକ୍ତିରେ ମୁହଁ ବୁଲାଇ ନେବା ବ୍ୟତୀତ ମୁଁ ଅଧିକ କିଛି କହିପାରିଲି ନାହିଁ ବା କରି ପାରିଲି ନାହିଁ । କାରଣ ସେ ମୋତେ ଜିତିଯାଇଛି ।

 

ରିକ୍‌ସା ନଦୀଘାଟରେ ପହଞ୍ଚିଲା ଏବଂ ନଈ ବନ୍ଧ ଧରିଲୁ । ଅନ୍ଧାର ହେବାକୁ ଆଉ ଅଳ୍ପ ସମୟ ଡେରି ଥିଲା । ଆମକୁ ଦେଖି ଗୁଡ଼ାଏ ଅଧାଲଙ୍ଗଳା ଗାଁ ପିଲା ଛାତିରେ ହାତକୁ ଛନ୍ଦି ଆମ ପଛରେ ଧାଡ଼ି ବାନ୍ଧିଲେଣି । ନଈ ବନ୍ଧରେ ଚାଲୁଥିବାବେଳେ ମୋର ମନେ ହେଲା, ମୁଁ ଯେମିତି ସେଇ କୁହୁକ ବଂଶୀବାଲା, ଏଇ କୋମଳମତି ଶିଶୁ ମାନଙ୍କୁ ବଂଶୀସ୍ୱରରେ ମୁଗ୍‌ଧ କରି ଘେନି ଯାଉଛି କେଉଁ ପାହାଡ଼ର ଅନ୍ଧକାର ଗହ୍ୱରକୁ ।

 

ଘରେ ପହଞ୍ଚିବା ପୂର୍ବରୁ ସାମନାରେ ଥିବା ସେଇ କୋଳିଗଛକୁ ଚାହିଁଲି । ସେ ବହୁ ଦିନରୁ ବୋଧହୁଏ ହଣା ହୋଇ ସାରିଛି । ତଥାପି ସେଇ କୋଳିଗଚ୍ଛ ଓ ପିଲାବେଳର ସ୍ମୃତି ମୋତେ ମୁହୂର୍ତ୍ତେ ସେଠି ଠିଆ କରାଇ ଦେଲା । ପାଣୁନାଥ ମୋ ବ୍ରିଫ୍‌କେଶଟି ଘରେ ପହଞ୍ଚାଇ ଦେବା ପରେ ମୋତେ ଯେଉଁମାନେ ଅପେକ୍ଷା କରିଥିଲେ ଦାଣ୍ଡଦୁଆରେ ସେମାନେ ତଥାକଥିତ ପରିବାରର ଲୋକ । କିଛିଟା ଦୁରରେ ପିଲାଗୁଡ଼ିକ ମୋତେ ସେମିତି ଘେରି ଠିଆ ହୋଇଥିଲେ ଜଣେ ନୂଆ ଲୋକ ଭାବି କିମ୍ବା ସିଧା କଲିକତାରୁ ଫେରିଛି, ଘରେ ପହଞ୍ଚି ପୁଟୁଳୀ ଖୋଲି ଗୋଟିଏ ଲେଖା ଖଜୁରୀ କୋଳି ଧରାଇଦେବି ସେମାନଙ୍କ ହାତରେ ।

 

ମୋ ଦୃଷ୍ଟି ପଡ଼ିଲା ବାପା ନାମକ ମଣିଷଟି ଉପରେ ଯେ ତାଙ୍କ ବୟସର ବୋଝକୁ ପିଠିରେ ବୋହି ଦୁଇଟି ପରଳଢ଼ଙ୍କା ଆଖିରେ ମୋତେ ଅପେକ୍ଷା କରିଥିଲେ । କିନ୍ତୁ ଦେଖିଲା ପରେ ମୁଁ ଭିତରକୁ ଗଲି ଓ ସନ୍ଧ୍ୟା ହୋଇଯିବାରୁ ପିଲାମାନେ କ୍ରମେ ନିଜ ନିଜ ଘରକୁ ଗଲେ । ଆମେ ନୀରବରେ କିଛି ସମୟ ବସିଲୁ । କେବଳ ପଦିଏ କଥା ତାଙ୍କ ମୁହଁରୁ ବାହାରି ପଡ଼ିଲା, ଯାହାହେଉ ଥରେ ଆସିଲୁ, ମୋତେ କେତେ ହାଲକା ଲାଗିଲା । ମୋ ଆଖିଟା ଟିକେ ଓଦାଳିଆ ଲାଗିଲା ଓ ଛାତିରେ ଶ୍ୱାସରୁଦ୍ଧ ହେଇ ଆସିଲା । କାରଣ ସେଇ ବୃଦ୍ଧ ଓ ମୋ ମଝିରେ ବତିଶି ତେତିଶି ବର୍ଷର ଜଣେ ସ୍ତ୍ରୀ ଲୋକର ଛାଇ କେଉଁଠି ଅଲକ୍ଷ୍ୟରେ ଠିଆ ହୋଇ ଯାଇଥିଲା ବୋଧହୁଏ ।

କିଛି ସମୟ ଏମିତ କଟିଗଲା ପରେ ମୋର ପାଣୁନାଥର କଥା ମନେ ପଡ଼ିଲା: ଅନେକ ପୁରୁଣା ଲୋକ ଚାଲିଗଲେଣି…ସାହୁ ଘର ବୁଢ଼ା ଯିବା ଉପରେ । ସେତେବେଳକୁ ରାତି ହୋଇଯାଇଥିଲେ ମଧ୍ୟ ମୋର କାହିଁକି ଇଚ୍ଛା ହେଲା ସେ ସାହୁ ବୁଢ଼ାକୁ ଟିକେ ଦେଖିବି । ସେତେବେଳକୁ ପାଣୁନାଥ ତା’ ନିତ୍ୟକର୍ମ ସାରି ମୋ ପାଖରେ ପହଞ୍ଚି ଯାଇଥିଲା । ତାକୁ ସାଙ୍ଗରେ ଧରି ବାହାରିଲି ଗାଁ ଶେଷ ମୁଣ୍ଡର ସେ ଘରଟିକୁ । ଶୀତଦିନ, ରାତି ସାତଟାରେ ଗାଁରେ କବାଟ ପଡ଼ିଯାଏ । ତଥାପି କିଏ କେମିତି ପିଣ୍ଡାରେ ବସି ସୁଖ–ଦୁଃଖ ହେଉହେଉ ମୋର ପରିଚୟ ଜାଣୁଥିଲେ ଓ ‘ଅପରୂବ’ ନାମକ ଶବ୍ଦରେ ସେମାନଙ୍କ ବକ୍ତବ୍ୟ ଶେଷ କରୁଥିଲେ । ଶେଷରେ ସାହୁଘରେ ପହଞ୍ଚିଲୁ । ପାଣୁନାଥ ଆଗ ଘର ଭିତରକୁ ପଶିଗଲା । ମୁଁ ବାହାରେ ଠିଆ ହୋଇ ରହିଲି । କିଛି ମିନିଟ୍ ପରେ ସାହୁଙ୍କ ପୁଅ ଡ଼ିବିରୀଟିଏ ହାତରେ ଧରି ଆସିଲା । ମୋତେ ନମସ୍କାରଟିଏ କରି ଭିତରକୁ ଡାକିନେଲା; ଲଇଁକି ଆସିବେ, ମୁଣ୍ଡ ଭେଟିବ ।

ସାହୁ ମଶିଣା ଉପରେ ପଡ଼ିଥିବା ଗୋଟିଏ ତେଲଚିକିଟା କନ୍ଥାରେ ବସିଥାଏ କାନ୍ଥକୁ ଡେରିହୋଇ ଓ ତାର ଗୋଡ଼ ହାତ ଫୁଲିଯାଇ ବଡ଼ ଭୟଙ୍କର ଦିଶୁଥାଏ । ତା’ ପୁଅ ମୋ ଆସିବା ସମ୍ୱାଦ ଦେଲା ପରେ ବୁଢ଼ା ଟିକେ ସଳଖ ବସିବାକୁ ଚେଷ୍ଟା କଲା । ପୁଅ ଓ ପାଣୁନାଥ ତାକୁ ସଳଖି ବସିବାରେ ସାହାଯ୍ୟ କଲେ । ମୁହୂର୍ତ୍ତକ ପାଇଁ ତା’ କୋଟରଗତ ଚକ୍ଷୁ ଦୁଇଟିରେ କ୍ରୋଧ ପ୍ରକାଶିତ ହେଲା । କେମିତି ଗୋଟେ ଭଙ୍ଗାଗଳାରେ ସେ ଆରମ୍ଭ କଲା : କୁଆଡ଼େ ଅଇଲ ବାବୁ । ପାଞ୍ଚ ବର୍ଷରେ ଥରେ ଆସିବ...ମିଠା କଥାରେ ମନ କିଣିବ…ବାଙ୍କୁସ ଦେଇ ଔଷଧ ଦେଲ ଯେ, ଏଣେ ଆମ ଗୋଡ଼ ଫୁଲୁଛି…ସେ ଶଳେ ମାସକୁ ପଚାଶ ଟଙ୍କା ସାଙ୍ଗରେ ଔଷଧ ପଇସାକୁ ଚଳୁ କଲେ…ଆମେ ତ ଏମିତି ମରିବୁ ଫେରେ କାହିଁକି ଆସିବ ମୁହଁ ଦେଖେଇବାକୁ ।

ତା ପୁଅ ଓ ପାଣୁନାଥ ବୁଢ଼ାକୁ ବୁଝାଇବାକୁ ଚେଷ୍ଟା କଲେ ମୁଁ କୌଣସି ନେତା ନୁହେଁ, ସେଇ ଗାଁର ପୁଅ । ବୁଢ଼ା ଚିହିଁକି ଉଠିଲା: ଭାକ୍ ଶଳା, ସବୁ ଶଳେ ସମାନ…ସହରରେ ରହି ଗାଁକୁ ଆସନ୍ତି କୁମ୍ଭୀର କାନ୍ଦଣା କାନ୍ଦିବାକୁ ! ତା’ପରେ ସେ ଗୁମ୍‌ମାରି ବସିଗଲା ମୁଣ୍ଡ ତଳକୁ ଝୁଲାଇଦେଇ-। ବୁଢ଼ାର କଥାରେ ମୋ ସତ୍ତ ପ୍ରାୟ ଲୋପ ହୋଇ ଆସୁଥିଲା…ଗୋଟାଏ କ୍ଷୋଭ ଓ ଅଭିମାନରେ ବୁଢ଼ା ମୁହଁ ତଳକୁ କରି ଦେଇଥିଲା ଯେ ଆଉ ଟେକିବ ନାହିଁ ବୋଲି ମୁଁ ନିଶ୍ଚିତ ଥିଲି । ମୋତେ ଲାଗିଲା ଗ୍ରାମବହୁଳ ଭାରତବର୍ଷର ଏମିତି ଅସଂଖ୍ୟ ସାହୁବୁଢ଼ା ଓ ତା’ ପୁଅମାନଙ୍କ ପାଇଁ ଯେ ଜୀବନ ତମାମ ସଂଗ୍ରାମ କରି ଶେଷରେ ନାଥୁରାମ ଗଡ଼ସେ ଗୁଳିରେ ଜୀବନ ଝୁଲାଇଦେଲା, ଏ ସେଇ ବୁଢ଼ା, ନାଁ ତା’ର ପ୍ରେତାତ୍ମା । ଛୋଟିଆ ଓଡ଼ିଶାଟି ଭାରତମାତା ଶରୀରର ଏକ ଅଂଶ ମାତ୍ର-

ଗୋଟାଏ ଅପରାଧବୋଧ ଓ ଆଶଙ୍କାରେ ମୁଁ ସେଠୁ ପାୟ ଦଉଡ଼ି ପଳାଇ ଆସିଲି । ଘରେ ମଧ୍ୟ କାହାକୁ କିଛି ନ କହି ଗଣ୍ଡେ ଖାଇ ଦେଇ ଶୋଇଗଲି ।

ପର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ମୁଁ ଗାଁ ଛାଡ଼ି ଦେଇଥିଲି ଓ ସେଇ ନାଲି ଗୋଡ଼ି ରାସ୍ତାରେ ଆସୁ ଆସୁ ଯାହାକୁ ଭେଟୁଥିଲି ତା’ର ଆଖି ଯୋଡ଼ିକ ଓ ମୁହଁଟି ମୋତେ ସାହୁବୁଢ଼ା ପରି ମନେ ହେଉଥିଲା ।

ସହରରେ ନିଜକୁ ସାମିଲ୍ କରିଦେବା ପର୍ଯ୍ୟନ୍ତ ମୁଁ ଅଣନିଶ୍ୱାସୀ ହୋଇ ଧାଇଁଥିଲି ଯେମିତି ଏବଂ ମନେମନେ ସିଦ୍ଧାନ୍ତ କରୁଥିଲି କୌଣସି ପାଣୁନାଥକୁ କସ୍ମିନ୍‌କାଳେ ମୋ ଡ୍ରଇଂରୁମ୍‌ରେ ପଶିବାକୁ ସୁଯୋଗ ଦେବିନି ଯେମିତି କେବେ !

Image

 

ଆର୍ଟିଷ୍ଟ୍

 

ଆମ ସହରରେ ସେ ଆର୍ଟିଷ୍ଟ୍ ଙ୍କ ଆବିର୍ଭାବ ନିହାତି ଆକସ୍ମିକ । ତାଙ୍କ ଆବିର୍ଭାବ ସହରର ଲୋକମାନଙ୍କ ମଧ୍ୟରେ ପ୍ରଥମେ ଗୋଟାଏ ମୃଦୁ ଆଲୋଡ଼ନ ସୃଷ୍ଟି କଲା ଯେମିତି ସବୁଜ ଧାନକ୍ଷେତ ଉପରେ ଧୀର ପବନ ଲହଡ଼ି ଭାଙ୍ଗି ଖେଳିଯାଏ ଏବଂ ସାମାନ୍ୟ କେତେଦିନ ପରେ ଆର୍ଟିଷ୍ଟଙ୍କ ର ସ୍ୱତନ୍ତ୍ର ରୁଚି ଓ ତାଙ୍କ ଆର୍ଟିଷ୍ଟିକ୍ ଗୁଣାବଳୀର କିଛି କିଛି ଏକ୍‌ଜିବିସନ ପରେ ସେଇ ମୃଦୁ ଆଲୋଡ଼ନ କ୍ରମେ ଉତ୍ତାଳ ତରଙ୍ଗରେ ପରିଣତ ହେଲା । କହିବା ବାହୁଲ୍ୟ, ଏପରି ଏକ ସୁଗୁଣସମ୍ପନ୍ନ ବ୍ୟକ୍ତିଙ୍କର ପରିଚର୍ଯ୍ୟା ଓ ସ୍ତାବକତା ପାଇଁ ସମୁଦାୟ ସହରର ଲୋକେ ଉଦ୍‌ଗ୍ରୀବ ହୋଇପଡ଼ିଲେ ।

 

ଅନ୍ୟ କୌଣସି ସହରରେ ହୁଏତ ଏମିତି ଏକ ଆଲୋଡ଼ନ ସମ୍ଭବ ହେଇ ନ ଥାନ୍ତା । କିନ୍ତୁ ଆମ ସହରର ଲୋକେ ଅତିମାତ୍ରାରେ ସ୍ୱାଧୀନଚେତା ଏବଂ ନିଜ ସ୍ୱାଧିକାର ସମ୍ପର୍କରେ ବିଶେଷ ସଚେତନ । କାହିଁକି ନା ସନ୍ଧ୍ୟାହେଲେ ସେମାନେ ଦଳଦଳ ହୋଇ ରାସ୍ତା ଅବରୋଧ କରନ୍ତି; ଗାଡ଼ି, ବସ୍ ଇତ୍ୟାଦିକୁ ରାସ୍ତାରେ ଅନେକ ସମୟ ହର୍ଣ୍ଣ ମାରି ପରିବେଶକୁ କୋଳାହଳମୟ କରିବାର ସୁଯୋଗ ଦେବା ସଙ୍ଗେ ସଙ୍ଗେ ସାଧାରଣ ନାଗରିକର ସ୍ୱାଭାବିକ ଯାତାୟାତରେ ଅନ୍ତରାୟ ସୃଷ୍ଟି କରି ସେମାନେ ଘୋଷଣା କରନ୍ତି ଆମ ସ୍ୱାଧିକାର ବଳରେ ସମସ୍ତ ପଥ ଅବରୋଧ କରି ଆମେ ଆମର ଅସ୍ତିତ୍ଵ ଘୋଷଣା କରୁଛୁଁ । ପର୍ବପର୍ବାଣି ହେଲା ତ କଥା ଶେଷ—ଅଧିକାର ସର୍ବୋଚ୍ଚ ସୀମାରେ, ମୁଷ୍ଟିମେୟଙ୍କ ରୁଚିପ୍ରତି ଧ୍ୟାନ ନାହିଁ, ଦିନରାତି ଚବିଶ ଘଣ୍ଟା ଡାକବାଜି ଯନ୍ତ୍ରରେ ଲୋକପ୍ରିୟ ସଙ୍ଗୀତ ପ୍ରଚାରରେ ପରିବେଶ ସରଗରମ । ତା ଅର୍ଥ, ଯାହା କରିବେ ପୂର୍ଣ୍ଣମାତ୍ରାରେ, ପର୍ବପର୍ବାଣିର ଅନୁଭୂତିକୁ ଜୋର କରି ଲୋକଙ୍କ ଭିତରେ ପୂରାଇ ଦେବେ ।

 

 

ଏତଦ୍‌ଭିନ୍ନ ଆମ ସହରରେ ଲୋକମାନେ ବେଶ୍ ଡେମୋକ୍ରାଟିକ୍ । ସେମାନେ ଥରେ ପ୍ରତିନିଧି ନିର୍ବାଚିତ କରିଦେଲା ପରେ ଅନ୍ୟାନ୍ୟ ବିଷୟମାନଙ୍କ ପ୍ରତି ବଡ଼ ଉଦାସୀନ । ଆଳୁ କିଲୋ ତିନି ଟଙ୍କା, ଚିନି ଆଠ ଟଙ୍କା, ସୁଜି ତିନି ଟଙ୍କା, ଚାଉଳ ଅଢ଼େଇଟଙ୍କା…ବଢ଼୍‌ଥାଉ ତା’ ବାଟରେ, ଆମର କି ଯାଏ । ଆମେ ପ୍ରତିନିଧି ବାଛିଦେଇଛୁଁ, ଦାୟିତ୍ୱ ତାଙ୍କର । ତା’ଛଡ଼ା ସେମାନେ ନିଶ୍ଚେଷ୍ଟ ନୁହଁନ୍ତି । ସେମାନେ ଚିନ୍ତା କରୁଛନ୍ତି, ବିବ୍ରତ ହୋଇ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି । ଲୋକଙ୍କ କଷ୍ଟ ପାଇଁ ଉଦ୍‌ବେଗ ପ୍ରକାଶ କରୁଛନ୍ତି । ଅଧିକ କ’ଣ ସେମାନେ କରିପାରନ୍ତେ । କେଉଁ ଦୁର୍ବଳ ମୁହୂର୍ତ୍ତରେ ଦେଶକୁ ସଜାଡ଼ିବାକୁ ଦଳ ମଜଭୁତ ଚାହି, ସେ ଦୃଷ୍ଟିରୁ କେତେଟା ଟଙ୍କା କେଉଁ ବ୍ୟବସାୟୀ ଅଘିରାକୁ ବାଇଗଣ ଫିଙ୍ଗିଲାପରି ପକାଇଦେଇଥିବ ଆଉ ତା’ର ସୁଯୋଗ ନେଇ କିଛି ପଇସା ବଢ଼ାଇଦେଲେ ସେମାନେ ବା କଣ କରିପାରନ୍ତେ । ସେମାନେ ଚିନ୍ତା କରୁଛନ୍ତି ଏବଂ ସମୟ ସୁଯୋଗ ନେଇ ଆବଶ୍ୟକୀୟ ମନ୍ତବ୍ୟ ଦେଉଛନ୍ତି, ସେତକ ଯଥେଷ୍ଟ ବୋଲି ଆମ ଡେମୋକ୍ରାଟିକ୍ ସହରବାସୀ ସଚେତନ । ତେଣୁ ପ୍ରତ୍ୟେକ କଥାରେ ସେମାନେ ନିର୍ବିକାର । କିନ୍ତୁ ପୂଜ୍ୟପୂଜାର ବ୍ୟତିକ୍ରମ ଏକ ଅକ୍ଷମଣୀୟ ଅପରାଧ ବୋଲି ସେମାନେ ଧରି ନେଇଛନ୍ତି । ଫଳରେ ସହରରେ ଆର୍ଟିଷ୍ଟଙ୍କ ଆବିର୍ଭାବ ସେମାନଙ୍କର ଏକ ପରମ ସୌଭାଗ୍ୟ ଓ ତାଙ୍କର ଯଥୋଚିତ ସତ୍‌କାର ସେମାନଙ୍କର ଏକ ପରମ କର୍ତ୍ତବ୍ୟ ହିସାବରେ ସେମାନେ ଧରି ନେଇଛନ୍ତି ।

 

ଆର୍ଟିଷ୍ଟଙ୍କ ର ଆଗମନର ବାର୍ତ୍ତା ତେଣୁ ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଲା ଓ ପ୍ରଥମେ କିଏ ତାଙ୍କୁ ସାକ୍ଷାତ୍ କରିବାର ସୁଯୋଗ ପାଇବ ସେନେଇ ସତର୍କରେ ଗୋଟାଏ ପ୍ରବନ୍ଧ ପ୍ରତିଦନ୍ଦ୍ୱିତା ସହରବାସୀଙ୍କ ଭିତରେ ଦେଖାଗଲା; ଯେମିତି କୌଣସି ସାଧୁବାବାଙ୍କର ଆବିର୍ଭାବ ଘଟିଛି ଏବଂ ତାଙ୍କ ଅଲୌକିକ କାରସାଦି ବଳରେ ଲୋକଙ୍କର ଯାବତୀୟ ଦୁଃଖ ସମସ୍ୟାକୁ ଧୂଆଁ ପରି ମୁହୂର୍ତ୍ତକରେ ଉଡ଼ାଇଦେବେ । ତାଙ୍କ ଦର୍ଶନ ପାଇଁ ସେଇ ବ୍ୟାକୁଳତା ଲୋକମାନଙ୍କର ।

 

ପ୍ରଥମ ଦିନ ଭୋର ପାଞ୍ଚଟାରୁ ଭିଡ଼ ଆରମ୍ଭ ହୋଇଗଲା । ପ୍ରତ୍ୟେକେ ନିଜ ନିଜ ସତର୍କତାରେ, ଅଥଚ ଆର୍ଟିଷ୍ଟଙ୍କ ରହିବା ସ୍ଥାନ ନିକଟରେ ବିରାଟ କିଉ କ୍ରମେ ପଶ୍ଚାତ୍‌ମୁଖୀ ହେଉଥିଲା । କିଉ ପଛରେ ଥିବା ଲୋକମାନେ ଶୁଣୁଥିଲେ ଆର୍ଟିଷ୍ଟ ଶଯ୍ୟା ତ୍ୟାଗ କରି ନାହାନ୍ତି ଏବଂ ନିକଟ ଦୁଇ ଚାରି ଘଣ୍ଟା ମଧ୍ୟରେ ଶଯ୍ୟାତ୍ୟାଗର କୌଣସି ସମ୍ଭାବନା ନାହିଁ । ପଛରେ ଆସୁଥିବା ଲୋକମାନେ ବିଶେଷ କ୍ଷତିଗ୍ରସ୍ତ ହୋଇ ନାହାନ୍ତି ବୋଲି ଆଶ୍ୱସ୍ତ ହେଉଥିଲେ ଓ କିଉର ପ୍ରଥମ ଲୋକମାନେ ଗୋଟାଏ ହତାଶା ମଧ୍ୟରେ ଅନ୍ୟ ଏକ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରୁଥିଲେ ।

 

ଦ୍ୱିତୀୟ ଦିନ । ସେମିତି କ୍ରମାନ୍ୱୟରେ ସହରବାସୀଙ୍କ ଗହଳି ବଢ଼ିଲା ଆର୍ଟିଷ୍ଟଙ୍କ ସାମୟିକ ବାସସ୍ଥଳୀରେ । ସେତେବେଳକୁ ଆର୍ଟିଷ୍ଟ ଶଯ୍ୟା ତ୍ୟାଗ କରି ସାରିଥିଲେ । ସମ୍ବାଦଟି ଉପସ୍ଥିତ ସଜ୍ଜନମଣ୍ଡଳୀ ଭିତରେ ଯଥେଷ୍ଟ ଉଦ୍ଦୀପନା ସୃଷ୍ଟି କଲା । ସେମାନେ ଉତ୍ସୁକ ହୃଦୟରେ ଅପେକ୍ଷା କଲେ ସେଇ ଶୁଭ ମୁହୂର୍ତ୍ତଟିକୁ ଯେତେବେଳେ ସେ ବାଲ୍‌କନିରେ ସର୍ବସାଧାରଣଙ୍କୁ ଆସି ଦର୍ଶନ ଦେବେ । ପୁନର୍ବାର ଘଟଣା ଘଟିଲା ଭିନ୍ନ ପ୍ରକାର । ଆର୍ଟିଷ୍ଟଙ୍କ ପରିବର୍ତ୍ତେ ତାଙ୍କର ଜଣେ ପାର୍ଶ୍ୱଚର ଯେ କି ଯୌନବ୍ୟାଧିଗ୍ରସ୍ତ ଗୋଟିଏ ଧେଡ଼ା ଟୋକା ପରି ମନେ ହେଉଥିଲେ, ତାଙ୍କର ଆବିର୍ଭାବ ଘଟିଲା ଓ ସେ ଦୁଃଖର ସହିତ ଘୋଷଣା କଲେ ଆପାତତଃ ଆର୍ଟିଷ୍ଟ ‘ମୁଡ୍‌’ରେ, ଫଳରେ ସର୍ବସାଧାରଣଙ୍କୁ ସାକ୍ଷାତ ଦେବା ଅସମ୍ଭବ । ଘୋଷଣାଟି ନୈରାଶ୍ୟଜନକ ମନେହେଲେ ବି ଧୈର୍ଯ୍ୟର ସହିତ ଲୋକେ ଗ୍ରହଣ କରିନେଲେ । କାରଣ ସହରର ଲୋକେ ସହନଶୀଳ ଏବଂ ସେମାନେ ବୁଝିଥିଲେ ତାଙ୍କପରି ଜଣେ ଆର୍ଟିଷ୍ଟଙ୍କ ର ବିଳାସ ବୋଲି ଯଦି କିଛି କଥା ଥାଏ ତେବେ ତାହା ତାଙ୍କର ‘ମୁଡ଼୍‍’ । ତେଣୁ ଏ ସମୟରେ ତାଙ୍କୁ ବିବ୍ରତ କରାଯିବାଟା ଗୋଟାଏ ପ୍ରକାର ପାପ ବୋଲି ସେମାନେ ସେଥ‌ିରେ କିଛି ପ୍ରତିବାଦ କଲେନି ।

 

ତୃତୀୟ ଦିନ । ଯଥାସମୟରେ ସେଇ ସେମଟା ଯୁବକଟି ଆସି ଘୋଷଣା କଲା ଆର୍ଟିଷ୍ଟ ସଂପ୍ରତି ‘ରିଲକ୍‌ସ’ କରୁଛନ୍ତି । କହିବା ବାହୁଲ୍ୟ, ସେତେବେଳକୁ ଉପସ୍ଥିତ ଜନତାର ଧୈର୍ଯ୍ୟ କ୍ରମେ ଶିଥିଳ ଅବସ୍ଥାକୁ ଆସି ଯାଇଥିଲା । କାରଣ ଜଣେ ଆର୍ଟିଷ୍ଟଙ୍କ ପ୍ରତି ସମ୍ମାନବୋଧ ତଥା ତାଙ୍କ ଦର୍ଶନର ସୌଭାଗ୍ୟ ସେମାନଙ୍କୁ ଏମିତି ବିବ୍ରତ କରି ପକାଉଥିଲା, ଗୋଟିଏ ଦିନର ବ୍ୟବଧାନ ସେମାନଙ୍କୁ ଗୋଟିଏ ଯୁଗ ପରି ମନେ ହେଉଥିଲା । ସେମାନେ ବୁଝିଥିଲେ ଆର୍ଟିଷ୍ଟ ମାତ୍ରେ ଇ ‘ମୁଡ଼୍‌’, ସେମାନେ ‘ରିଲାକସ’ କରନ୍ତି ଏବଂ ଜଣେ ରାଜନୈତିକ ନେତା ନୁହଁନ୍ତି, ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ସାକ୍ଷାତ ଦେବାକୁ ବାଧ୍ୟ ସବୁ ଅସୁବିଧା ସତ୍ତ୍ୱେ । ତଥାପି ଧୈର୍ଯ୍ୟ ଆବଶ୍ୟକ, ଜଣେ ଅପେକ୍ଷାକୃତ ଯୁବକ ମନ୍ତବ୍ୟ ଦେଲା, ଯେହେତୁ ସେମାନେ ସାମାଜିକ ରୁଚି ପରିବର୍ତ୍ତନର ନୀରବ ନିର୍ଦ୍ଦେଶକ । ତେଣୁ ଖାମ୍ ଖେୟାଲରେ ସେମାନଙ୍କୁ ଗ୍ରହଣ କରାଯିବା ସେମାନଙ୍କ ପ୍ରତି ଅବମାନନା । ଯୁବକଙ୍କର ସେଇ ମନ୍ତବ୍ୟଟି ସମସ୍ତଙ୍କ ଧୈର୍ଯ୍ୟକୁ ପୁଣି ଉତ୍ତେଜିତ କଲା ଓ ଚତୁର୍ଥ ଦିନକୁ ଅପେକ୍ଷା କରି ସମବେତ ସହରବାସୀ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କଲେ ।

 

ଚତୁର୍ଥ ଦିନ । ଉତ୍କଣ୍ଠିତ ଜନତା । ଆଜି ବୋଧହୁଏ ଶେଷ ଅନ୍ତିମ ଦିନ ଯେତେବେଳେ ସୌଭାଗ୍ୟର, ଦ୍ଵାର ଉନ୍ମୋଚିତ ହେବ । ଦୀର୍ଘ ପ୍ରତୀକ୍ଷା ସକାଳ ଆଠଟା ପର୍ଯ୍ୟନ୍ତ ଅତିକ୍ରମ କରିଗଲା । ଆର୍ଟିଷ୍ଟ କିମ୍ବା ସେଇ ସେମଟା ଚେଲାଙ୍କର କୌଣସି ସନ୍ଧାନ ମିଳିଲା ନାହିଁ । ଲୋକଙ୍କର ବିଷର୍ଣ୍ଣ ଭାବ କ୍ରମେ ବଢ଼ିବାକୁ ଲାଗିଲା । କେତେକ ଉତ୍ତେଜିତ ଯୁବକ ଏମିତି ସିଦ୍ଧାନ୍ତ ନେଲେ ଆଜି ଯଦି ଆଟିଷ୍ଟଙ୍କର ଦର୍ଶନ ନ ମିଳେ, କିମ୍ଵା ‘ମୁଡ଼’ ଓ ‘ରିଲାକ୍‌ସ’ ଆଳରେ ସେ ଲୋକମାନଙ୍କୁ ଏଡ଼ାଇ ଯାଆନ୍ତି ତେବେ ଜୋର୍ କରି ତାଙ୍କ ପ୍ରକୋଷ୍ଠ ଖୋଲାଯିବ ଓ ଦର୍ଶନର ପଥ ସୁଗମ କରାଯିବ । ଯୁବକମାନଙ୍କର ଏବଂ ବିଧ ମନ୍ତବ୍ୟରେ କେତେକ ବୟସ୍କ ଲୋକ କ୍ଷୁବ୍‌ଧ ହେଲେ ଓ ମତବ୍ୟକ୍ତ କଲେ, ଆଜିକାଲିକା ଯୁବକମାନେ ପୁଜ୍ୟପୂଜାର ଗୁରୁତ୍ଵ ଭୁଲି ଗଲେଣି । ସେ ପ୍ରକାର କର୍ମରୁ ଅବଶ୍ୟ ସେମାନଙ୍କୁ ନିବୃତ୍ତି କରିବାକୁ ପଡ଼ିବ । ଏ ପ୍ରକାର ଆଲୋଚନା ପ୍ରତି–ଆଲୋଚନା ଭିତରେ ଆର୍ଟିଷ୍ଟଙ୍କ ପ୍ରକୋଷ୍ଠ ଖୋଲିଲେ ଏବଂ ପୂର୍ବୋକ୍ତ ସେମଟା ଯୁବକ ଆଧାରରେ ସ୍ୱିତ ହସପ୍ରକାଶ କରି ଆବିର୍ଭାବ ହେଲେ । ତାଙ୍କ ସ୍ମିତହସ ସମବେତ ଜନତାର ଉଦ୍ଦୀପନାକୁ ବହୁ ପରିମାଣରେ ଉଜ୍ଜୀବିତ କଲା: ହୁଏତ ସେ ସୌଭାଗ୍ୟର ମୁହୁର୍ତ୍ତ ଆସିଗଲା ।

 

ଯୁବକ ଯୋଡ଼ହସ୍ତରେ ସମବେତ ଜନତାଙ୍କୁ ଅଭିବାଦନ ଜଣାଇଲେ ଓ କେତୋଟି ମୁହୂର୍ତ୍ତ ମଧ୍ୟରେ ତାଙ୍କ ଅଭିପ୍ରାୟ ଜଣାଇଲେ: ସଂପ୍ରତି ଆପଣ ମାନଙ୍କର ସାକ୍ଷାତ ପାଇଁ ଆର୍ଟିଷ୍ଟ ପ୍ରସ୍ତୁତ । ଏଇ ସମ୍ବାଦର ଅପେକ୍ଷାରେ ଯେମିତି ସମସ୍ତେ ଥିଲେ, ଫଳରେ ଘାଇଭଙ୍ଗା ପାଣି ସୁଅ ପରି ଉପସ୍ଥିତ ଲୋକେ ଗୋଟାଏ ହୋ’ରେ ସେ ପ୍ରକୋଷ୍ଠ ମଧ୍ୟରେ ଠେଲାପେଲା ହେଇ ପଶିଗଲେ ଓ ଆଟିଷ୍ଟଙ୍କ ଆସ୍ଥାନର ଯଥାସମ୍ଭବ ନିକଟରେ ନିଜ ନିଜର ସ୍ଥାନ ବାଛିନେଲେ । ସେ ହଲ୍‌ରେ ଲୋକ ପୂର୍ଣ୍ଣ ହୋଇଯିବା ଏବଂ ସ୍ଥିର ହୋଇ ବସିବାର ଉପକ୍ରମ କିଛି ସମୟ ନେଲା । ଏ ସମସ୍ତ ଉପକ୍ରମ ସରିଗଲା ପରେ ଶେଷରେ ଯେଉଁ ଗୋଟିଏ କଥା ରହିଲା ତାହା ଆର୍ଟିଷ୍ଟଙ୍କ ଉପରେ ସମବେତ ଦୃଷ୍ଟିପାତ । ସେତେବେଳେ ପ୍ରାୟ ଆର୍ଟିଷ୍ଟ ଶଯ୍ୟା ତ୍ୟାଗ କରିଥିଲେ । ସ୍ନାନାଦି ଶୌଚକର୍ମ ତଥାପି ବାକୀ ଥିଲା, ମୁହଁରେ ଅଳ୍ପ ଅଳ୍ପ ଦାଢ଼ି ମୁଣ୍ଡରେ ଝାମ୍ପୁରା ବାଳ ନାକ ପର୍ଯ୍ୟନ୍ତ ତାଙ୍କ ମୁହଁକୁ ପକାଇଥିଲା । ଫଳରେ ଆଖି ଦୁଇଟି ସେଇ ବାଳ କେରା ମଧ୍ୟରୁ ଅସ୍ପଷ୍ଟ ହୋଇ ଲୋକମାନଙ୍କର ଦୃଷ୍ଟିଗୋଚର ହେଉଥିଲା । ହାତର ନଖଗୁଡ଼ିକ ଲମ୍ବଲମ୍ବ ଓ ସେଗୁଡ଼ିକ ନେଚୁରାଲ ରଙ୍ଗରେ ଆଚ୍ଛାଦିତ ଥିଲା । ଉପସ୍ଥିତ ଜନତାଙ୍କର ଭିଡ଼ ସତ୍ତ୍ୱେ ସେ ମଝିରେ ହାଇମାରି ତାଙ୍କର ତଥାପି ନିଦ ଆବଶ୍ୟକ ବୋଲି ସୂଚନା ଦେଉଥିଲେ ବି ଜୋର କରି ଅବିନ୍ୟସ୍ତ ଭାବରେ ଲୋକଙ୍କୁ ଦର୍ଶନ ଦେବାର ସୁଯୋଗ ସେ ଦେଇଥିଲେ । ସମବେତ ଜନତା ତାଙ୍କ ଭିତରେ କିଛିଟା ସ୍ଵତନ୍ତ୍ର୍ୟ ଖୋଜୁଥିଲେ, କାରଣ ସେ ଜଣେ ଆର୍ଟିଷ୍ଟ ଓ ସାଧାରଣ ଲୋକଙ୍କ ଠାରୁ ଭିନ୍ନ । କିଛିଟା ପାଉଥିଲେ ସେମାନେ, ଯେହେତୁ ତାଙ୍କ ଛପା ଲୁଙ୍ଗି ଖଣ୍ଡିକ ଦେହର ଆବଶ୍ୟକ ଅଂଶକୁ ଅନୁପାତିକ ଧାରାରେ ଆଚ୍ଛାଦିତ କରି ନ ଥିଲା ଓ ଦେହର ରଙ୍ଗୀନ ପଞ୍ଜାବୀ ଖଣ୍ଡିକର ବୋତାମଗୁଡ଼ିକ ତ ଖୋଲା ଥିଲା । ତେବେ ବହୁଦିନରୁ ସଫା ହୋଇ ନ ଥିବାର ସୂଚନା ସେଥିରେ ଯଥେଷ୍ଟ ଥିଲା । ତା’ ଛଡ଼ା ବିଛଣାଚାଦର ସ୍ଵାଭାବିକ ନ ଥିଲା ଓ ରାତିରୁ ଗୋଡ଼ରେ ଥିବା କେଟସ୍ ହଳକ ତଥାପି ଖୋଲା ଯାଇ ନଥିଲା । ନୀରବ ଦୃଷ୍ଟି ବିନିମୟରେ ସେମାନେ ସ୍ଥିର କରିନେଲେ ନିଶ୍ଚୟ ୟାଙ୍କଠାରେ ବିଶେଷତ୍ଵ କିଛି ରହିଛି ।

 

ନୀରବରେ କିଛି ସମୟ କଟିଗଲା । ଆର୍ଟିଷ୍ଟ ଅଧୁଆ ମୁହଁରେ କପେ ଚା’ରେ ଚୁମକ୍ ଦେଉ ଦେଉ ଆରମ୍ଭ କଲେ—ଆପଣମାନଙ୍କୁ ମୁଁ ନିଶ୍ଚୟ ଅଡ଼ୁଆ ଲାଗୁଥିବି, ଆଇ ଏମ୍ ସରି; ମୁଁ କିଛିଟା ବୋହେମିଆନ୍ ଇନ୍‌ ନେଚର !

 

ଶବ୍ଦଗୁଡ଼ିକ ଯେମିତି କିଛି ବିସ୍ଫୋରକ ଏବଂ ତାକୁ କଳିବା ପାଇଁ ଏ ଲୋକମାନଙ୍କର ସାଧାରଣ ଜ୍ଞାନ ବହୁତ ତଳେ ଥିଲା । ସେ ଜଣେ ଆର୍ଟିଷ୍ଟ ଯେହେତୁ ତାଙ୍କ କାନ୍ଥବାଡ଼ରେ କିଛି ଚିତ୍ର ଝୁଲୁଥିବ—ଏଇ ଧାରଣାରେ ଚାରିଆଡ଼େ ଦୃଷ୍ଟି ନିକ୍ଷେପ କରୁଥିବା ଲୋକମାନେ ଶବ୍ଦଟିରେ ତାବ୍‍ଦା ହୋଇଗଲା ବେଳେ ଯୁବକଟିଏ କିନ୍ତୁ ତା ଆଧୁନିକ ରୁଚିର ପ୍ରମାଣ ଦେବାକୁ ଫସ୍‌ଫିସ୍‌ ସ୍ଵରରେ କହିଲା ! ବେହେମିଆ ପୃଥିବୀର ଗୋଟିଏ ଦେଶ ଓ ସେ ଦେଶର ଲୋକମାନେ ଅଧିକ ସଭ୍ୟ ଏବଂ ରୁଚିପୂର୍ଣ୍ଣ । ତେଣୁ ଆମ ଆର୍ଟିଷ୍ଟ ମଧ୍ୟ ସେଇ ଧରଣର । ଯୁବକର ଏଇ ବକ୍ତବ୍ୟରେ ପାଖରେ ବସିଥିବା ଇତିହାସ–ଜ୍ଞାନ ସଂପନ୍ନ ବ୍ୟକ୍ତିଟି ଅଦ୍ଭୁତ ଭାବରେ ତାଙ୍କ ନାସିକା କୁଞ୍ଚନ କଲେ ଓ ତାଙ୍କର ସେଇ ନାସିକା କୁଞ୍ଚନ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କଲା । ଏ ସମ୍ପର୍କରେ ସେ ଅଧିକ କିଛି ଜାଣିଛନ୍ତି । ସେ କଥାଟାର ମୋଡ଼ ଘୂରାଇଦେଲେ ! କଥାଟା ଠିକ୍ ସେୟା ନୁହେଁ ବୋହେମିଆମାନେ ସେଭେଜ, ଯାହାକୁ ଓଡ଼ିଆରେ କୁହନ୍ତି ବର୍ବର ଓ ସେମାନେ ସମସ୍ତ ପ୍ରକାର ପରମ୍ପରାର ବିରୋଧୀ । ବୋଧହୁଏ ପୂର୍ବ ବତି‌ର ହାଙ୍ଗଓଭର ଆର୍ଟିଷ୍ଟଙ୍କ ର ରହିଯାଇଥିଲା, ଫଳରେ ସେ ଖଟ ଉପରୁ ତଳକୁ ପ୍ରାୟ ଝୁଙ୍କି ପଡ଼ି ଚିତ୍କାର କଲେ, ଦେଆଅ ୟୁଆ ଦେଆଅ ୟୁଆ–ସମସ୍ତେ ଇତିହାସ ଜ୍ଞାନଥିବା ବ୍ୟକ୍ତିଙ୍କ ପ୍ରତି ଆଗ୍ରହୀ ହେଲେ ଓ ତାଙ୍କୁ ଆର୍ଟିଷ୍ଟ ସମର୍ଥନ କରୁଥିବାରୁ ତାଙ୍କୁ ଜଣେ ଭାଗ୍ୟବାନ୍ ଲୋକ ବୋଲି ଭାବିଲେ ।

 

ଇତିହାସବିତ୍‌ଙ୍କର ଏହି ଆକସ୍ମିକ ବିଜୟରେ କଶ୍ଚିତ୍ ଯୁବକ କ୍ଷୁବ୍‌ଧ ହେଲେ ଓ ତାଙ୍କୁ ଅତିକ୍ରମ କରିଯିବା ପାଇଁ ସେ ଆର୍ଟିଷ୍ଟଙ୍କ ସହିତ ସିଧାସଳଖ ଯୋଗସୂତ୍ର ସ୍ଥାପନ କରିଦେଲେ । ମହାଶୟଙ୍କର କଣ ଓଡ଼ିଆ କଲଚର ପ୍ରତି ବିଶ୍ୱାସ ନାହିଁ ଯାହା ଟ୍ରାଡ଼ିସନାଲ ? ପ୍ରଶ୍ନଟିରେ ଆର୍ଟିଷ୍ଟ ହସି ଦେଲେ ଏବଂ ସେ ହସଟି ସମସ୍ତ ଉପସ୍ଥିତ ଭଦ୍ରବ୍ୟକ୍ତିଙ୍କୁ ସଂକ୍ରମିତ କଲା । କିଛିକ୍ଷଣ ପରେ ସେ ନୀରବ ହେଲେ ଏବଂ ସେହି ପ୍ରକ୍ରିୟାଟି ଅନ୍ୟମାନଙ୍କ ଭିତରେ ମଧ୍ୟ କାର୍ଯ୍ୟକାରୀ ହେଲା । ଆର୍ଟିଷ୍ଟ ଗମ୍ଭୀର ହେଲେ ଓ ଗଳା ଝଡ଼ି ଆରମ୍ଭ କଲେ; ଆଇ ହେଟ୍…ଆଇ ହେଟ୍ . ସେ ୟୂୟା ଫକୀରମୋହନ—ଭିକ୍ଟୋରିଆନ୍ କଞ୍ଜରଭେଟିଜିମ୍ ୟୁସୋ ରାଧାନାଥ—ଇଂରେଜ ରୋମାଣ୍ଟିଷ୍ଟ…ସୋ ଅଲ୍ ସୋ’ଦି ସବୁଜ ପନ୍ଥୀ….ନଥିଂ ଅରଜିନାଲ…ମିକ୍‌ଶ୍ଚର ଅବ୍ ଟ୍ରେଣ୍ଡସ୍ । ସେଇ ଗୋଳା ପକା ରାସ୍ତା…ଗୋଟିଏ ଧାରା…ହ୍ୱାଟ୍‌ସ ନିଉ ଦେୟା… ! ଆମେ କିନ୍ତୁ ଗୋଟାଏ ଷ୍ଟର୍ମ, ଗୋଟାଏ ଡେଭିଏସନ୍‌…ପେଣ୍ଟ ତଳେ ଚଡ଼ି ପିନ୍ଧି ପିନ୍ଧି ବୋର୍ ହେଲୁଣି, ଏବେ ପେଣ୍ଟ ଉପରେ ଚଡ଼ି ପିନ୍ଧିବୁ…ଗ୍ରାମାରକୁ ମାନି ମାନି ବୁଢ଼ା ହୋଇ ଗଲୁଣି, ଏବେ ଗ୍ରାମାର୍‌କୁ କିକ୍ କରିବୁ…. ଯାହା କିଛି ସହଜ, ରୋଟିନ୍‌ର ବିରୁଦ୍ଧ ତାକୁ ଏଷ୍ଟାବ୍ଲିଶ କରିବୁ । ସେ ୟୂୟୋ ଲଭ୍.. ସେ ଷୋଡ଼ଶୀ ଟ୍ରାଡ଼ିସନାଲ୍ ମିନି ସ୍କାର୍ଟ ପିନ୍ଧା ନବମ ଦଶମ ଝିଅ, ତାଉ ଖୋଲା ବଳିଲା ବଳିଲା ଗୋଡ଼, ତିରିଶରୁ ଚାଳିଶ ବର୍ଷର ମହିଳା, ପରିଣତ ବୟସ ଆସି ଯିବାର ଅବଶୋଷ କୌତୁହଳରୁ ପରିଣତ…ହ୍ୱଟ୍‌ସ ଏ ଚାର୍ମ… । ୟୂ ଫସିଲ୍‌ସ, ଗୋଟାଏ ଟ୍ରାଡ଼ିସନ/ କଲଚର/ ମୂଲ୍ୟବୋଧକୁ ମୁଠାଇ ମୁଠାଇ ପ୍ରତି ମୂହୂର୍ତ୍ତର ଜୀବନକୁ ମାପୁଛ…ସି…ମି..ସମଥିଙ୍ଗ ନିଉ..!

 

ଆଜ୍ଞା ଆଜ୍ଞାର ଗୋଟାଏ ଓ କୋରମ୍ ସମୁଦାୟ ହଲ୍‌ଟିକୁ ପ୍ରକମ୍ପିତ କରିଦେଲା । ଅନେକଙ୍କ ଧାରଣାରେ ସେ କେବଳ ଜଣେ ଆର୍ଟିଷ୍ଟ ନୁହଁନ୍ତି, ଜଣେ ଯୁଗ ପୁରୁଷ । ଏଇ ଅବକ୍ଷୟର ଦୁନିଆକୁ ଆଲୋକ ଦେବା ପାଇଁ ସେଇ ହିଁ ଏକମାତ୍ର ସାର୍ଥକ ବ୍ୟକ୍ତିତ୍ଵ ।

 

ଆର୍ଟିଷ୍ଟଙ୍କ ର କେତୋଟି କାବ୍ୟ ମଧ୍ୟରେ ସେ ସମସ୍ତଙ୍କୁ ପ୍ରାୟ ସମ୍ମୋହିତ କରିଦେଇଥିଲେ । ଗୋଟାଏ ଗତାନୁଗତିକ ଜୀବନ ଧାରାର ବିରୋଧୀ ସେ । ଜୀବନର ନୂତନତା ଆବଶ୍ୟକ । ହେଉନ୍ତୁ ସେ ବରଂ କଲ୍‌ଚରର ବିରୋଧୀ, ନୂଆ କିଛି ଦେଖାଇବାର ନିଷ୍ଟା ତାଙ୍କ ଠାରେ । ଆର୍ଟିଷ୍ଟଙ୍କର ବକ୍ତବ୍ୟ ପରେ ଜଣେ ପ୍ରୌଢ଼ ବ୍ୟକ୍ତି ତାଙ୍କର ନିବେଦନ ଜଣାଇଲେ—ମହାଶୟ ! ଆମର ସୌଭାଗ୍ୟ ଆମେ ଆପଣଙ୍କର ଦର୍ଶନ ଲାଭ କଲୁ । କିନ୍ତୁ ଏ ସହର ଭିତରେ ଅସଂଖ୍ୟ ପରଦାସୀନ ଝିଅ ବୋହୂ ଅଛନ୍ତି ଯେଉଁମାନେ ଆପଣଙ୍କ ଦର୍ଶନ ପାଇଁ ଆଗ୍ରହୀ । ଆପଣଙ୍କର କୃପା ହେଲେ ନଗର ପରିକ୍ରମାର ବ୍ୟବସ୍ଥା କରନ୍ତୁ । ଆର୍ଟିଷ୍ଟ ଚିତ୍କାତ ହୋଇ ଖଟ ଉପରେ ପଡ଼ିଗଲେ ଓ ଗୋଡ଼ ଦୁଇଟି କାନ୍ଥ ଉପରେ ଭରା ଦେଇ ନିଜର ସମ୍ମତି ଦେଲେ: ବ୍ୟବସ୍ଥା କର ।

 

ଏଇ ‘ବ୍ୟବସ୍ଥାକର’ର ସ୍ୱୀକୃତି ଗୋଟାଏ ପ୍ରବଳ ଆଲୋଡ଼ନ ସୃଷ୍ଟି କଲା । ଏକାବେଳକେ ସମସ୍ତେ ସେ ହଲରୁ ନିଷ୍କ୍ରାନ୍ତ ହେଲେ ଓ ଲନରେ ଚୂଳ ହୋଇ ନଗର ପରିକ୍ରମାର ସମ୍ଭାବ୍ୟ ବ୍ୟବସ୍ଥା ସମ୍ପର୍କରେ ଗୁରୁତର ବିଚାର ଆଲୋଚନା କଲେ । ପ୍ରଥମ କଥା ହେଲା କେଉଁଥିରେ ଆର୍ଟିଷ୍ଟ ନଗର ପରିକ୍ରମା କରିବେ ଖୋଲାଜିପ୍/ ଖୋଲାକାର୍/ ଖୋଲା ରିକ୍‌ସା/କିମ୍ବା ପାଲିଙ୍କି । ଏଥିରେ କେହି ଏକ ମତ ହୋଇ ପାରିଲେ ନାହିଁ—ସବୁଗୁଡ଼ିକ ବ୍ୟବସ୍ଥା ଟ୍ରାଡ଼ିସ୍‌ନାଲ, ଗତାନୁଗତିକ; ନିଶ୍ଚୟ ଆଟିଷ୍ଟଙ୍କ ରୁଚି ବିରୁଦ୍ଧରେ ଯିବ । ହଠାତ୍‌ ଜଣେ ଆଧୁନିକ ଯୁବକ

 

ମୁଣ୍ଡକୁ ଗୋଟିଏ କଥା ଷ୍ଟ୍ରାଇକ୍ କଲା: ବଳଦଗାଡ଼ି । ସଭ୍ୟ ସମାଜରେ କେହି ବଳଦ ଗାଡ଼ିରେ ଯାଏ ନାହିଁ ଓ ବଳଦ ଗାଡ଼ିର ଗତି ସର୍ବପେକ୍ଷା ମନ୍ଥର, ଫଳରେ ପରଦାସୀନା ଝିଅ ବୋହୂମାନେ ସହଜରେ କବାଟ ଫାଙ୍କରୁ ଆର୍ଟିଷ୍ଟଙ୍କୁ ଦର୍ଶନ କରିପାରିବେ ।

 

ନିର୍ଦ୍ଧାରିତ ସମୟ ଅନୁଯାୟୀ ଦିନ ଚାରିଟା ବେଳକୁ ସମସ୍ତ ଆୟୋଜନ ଶେଷ ହେଲା ଏବଂ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ଆର୍ଟିଷ୍ଟଙ୍କ ଚେଲା ମାଧ୍ୟମରେ ସମ୍ବାଦ ପ୍ରେରଣ ହେଲା । ସୁସଜ୍ଜିତ ଖୋଲା ବଳଦ–ଗାଡ଼ିରେ କିନ୍ତୁ ପରିଚାଳକ ହେଲା ଜଣେ ବୋହେମିଆନ୍ ନେଚରର ରଷ୍ଟିକ୍ ଗ୍ରାମବାସୀ । ଠିକ୍ ସାଢ଼େ ଚାରିଟା ବେଳକୁ ଆର୍ଟିଷ୍ଟ ତାଙ୍କ ସ୍ତାବକ ସହିତ ପ୍ରକୋଷ୍ଠରୁ ବାହାରକୁ ଆସିଲେ । ତାଙ୍କ ପୋଷାକ ଥିଲା ପରମ୍ପରାର ବିରୋଧୀ । ଗୋଟାଏ ଜିନ୍‌ ପେଣ୍ଟ ଓଲଟା କରି ପିନ୍ଧିଥିଲେ ଏବଂ ତା ଉପରେ ଗୋଟାଏ ନାଲି ରଙ୍ଗର ଚଡ଼ି । ପୁଣି ଗୋଟାଏ ରଙ୍ଗବେରଙ୍ଗ ସାର୍ଟ ଉପରେ ‘ବିଗ ବୟଜ୍‌ ପ୍ଳେ ଏଟ୍ ନାଇଟ୍’ର ଗଞ୍ଜି । ମୁଣ୍ଡରେ ଷ୍ଟ୍ର କେପ୍‌କୁ ଅତିକ୍ରମ କରି ବାଳଗୁଡ଼ିକ ନାକ ପାଖକୁ ଝୁଲି ଆସିଛି ।

 

ସହର ଅଭିମୁଖେ ଶୋଭାଯାତ୍ରା ବାହାରିଲା । ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଓ ଆଟିଷ୍ଟଙ୍କ ଉଦ୍ଦେଶ୍ୟରେ ଜୟ ଜୟକାର । ଅଜସ୍ର ଆଲୋକ ଚିତ୍ର ଆମେ ସହରବାସୀମାନେ ବାଣ୍ଟି ହୋଇ ବଳଦଗାଡ଼ି ସାମ୍ନା ଓ ପଛରେ ବେଶ୍ ଉଲ୍ଲସିତ ହୋଇ ଯାତ୍ରା କରୁଥିଲୁ ।

 

ଅଥଚ ଗୋଟିଏ କଥା ମୋ ସମେତ ଅନେକଙ୍କ ମନକୁ ଛୁଁ ଥିଲା ସତରେ କ’ଣ ଆମେ ଆମର ସାଂସ୍କୃତିକ ମୂଲ୍ୟ ବୋଧ ଓ ପାରମ୍ପରିକତାଠାରୁ ଯଥେଷ୍ଟ ଦୂରକୁ ଚାଲିଯାଇଛୁ ! କିନ୍ତୁ ସେଇ ମୁହୁର୍ତ୍ତରେ ସମସ୍ତ ସହରବାସୀ ଯେତେବେଳେ ଆଟିଷ୍ଟଙ୍କର ରୁଚି ଓ ଜୀବନଧାରାକୁ ସାଦରେ ଗ୍ରହଣ କରି ନେଇଛନ୍ତି । ଅନିଚ୍ଛାକୃତ ଭାବେ ଆମେ ସେ ଉଲ୍ଲାସ ଭିତରେ ନିଜକୁ ସାମିଲ କରିବାକୁ ବାଧ୍ୟ । ଅନ୍ୟଥା କାହିଁକ ବେକ୍‍ଓ୍ୟାର୍ଡ଼ ବା ଆଉଟ୍‌ଡ଼େଟେଡ଼ ବୋଲି କେତେକ ବିଶେଷଣକୁ ନିଜ ପାଖରେ ଖଞ୍ଜିଦେବାର ସୁଯୋଗ ଦେବୁ ବା କିଛି ଗୋଟାଏ କମ୍ପ୍ଲେକ୍‌ସରେ ଘାଣ୍ଟି ହେଉଛୁ ବୋଲି ପ୍ରମାଣ ଦେବୁ ।

 

ସଂପ୍ରତି ଆଟିଷ୍ଟଙ୍କର ରାଜର ।

Image

 

ମିଛ ମଣିଷ

 

ଆପାତତଃ ନିଜକୁ ଜଣେ ସ୍ଵତନ୍ତ୍ର ଲୋକ ବୋଲି ଭାବିବାକୁ ତା ନିକଟରେ ଯଥେଷ୍ଟ ଉପାଦାନ ଥିଲା ।

 

ତା ଚେହେରାଟି ମର୍ଜିତ, ପୋଷାକ ପତ୍ର ସମ୍ଭ୍ରାନ୍ତ । ପୁଣି ଏଇ ଅଳ୍ପଦିନର ରହଣି ପାଇଁ ଯେଉ ବ୍ୟବସ୍ଥା ଗୁଡ଼ିକ ନିକଟ ସମ୍ପର୍କୀୟ ମାନଙ୍କ ଦ୍ୱାରା ଖଞ୍ଜିଦିଆଯାଇଚି କିମ୍ବା ସହରଟିରେ ନିଜର ପ୍ରଭାବ ଯୋଗୁଁ
କରିପାରିଛି । ତାକୁ ସବୁ ମିଶାଇଦେଇ ତାର ଗୋଟିଏ ସ୍ଵତନ୍ତ୍ର ପରିବେଶ ସୃଷ୍ଟି କରିଦେଲେ, ସେ ସ୍ଵତନ୍ତ୍ର ବୋଲି ମନେହେବେ ନିଶ୍ଚୟ । ମୁଣ୍ଡ ପାଖକୁ ଲାଗି ଟେବୁଲ ଫେନ୍‍, ଫ୍ଲାସ୍କରେ ଗରମ ଦୁଧ, ଦୁଇଚାରିଟା ଫଳର ଠୁଙ୍ଗା, ହର୍ଲିକ୍‌ସ ବଟଲ, ରୋଟି ସର୍ବୋପରି ଦାମି ଇଞ୍ଜେକ୍‌ସନ, ବଟିକାର ଷ୍ଟ୍ରିପ୍‌ଗୁଡ଼ିକ ସହିତ କୋୟାର ବେଡ଼ ଉପରେ ପ୍ରିଣ୍ଟେଡ଼ ବେଡ଼ସିଟ୍ ଓ ମୁଲାଏମ୍ ତକିଆ ଦୁଇଟି ତା ଭିତରେ ଅହଂକୁ ଜୀବନ୍ତ କରିଦେଇଛି କେତେକାଂଶରେ ।

 

ଗୋଟିଏ ହୁଇଲ ଚେୟାରରେ ଦୁଇଜଣ ବେହେରା ଓ ଜଣେ ସୁନ୍ଦରୀ ନର୍ସ ତାକୁ ଠେଲି ଠେଲି ଆଣି ତାକୁ ବେଡ଼୍ ନିକଟରେ ପହଞ୍ଚାଇଦେଲା ବେଳେ ତାକୁ ଲାଗୁଥିଲା ସେ ଜଣେ ଭି.ଆଇ.ପି ଓ କାଁ ଭାଁ କରି ଡରରେ ଠିଆ ହୋଇଥିବା ନିଛାଟିଆ ବ୍ୟକ୍ତିତ୍ଵମାନେ ତାର ଅନେକ ଅନେକ କଳ୍ପିତ ଦର୍ଶନାଭିଳାଷୀ ସ୍ତାବକ ବୃନ୍ଦ । ସେ ବେଡ଼ ଉପରକୁ ଉଠିଗଲା ପରେ ସେ ସମୁଦାୟ ୱାର୍ଡ଼ ଉପରେ ଥରେ ଆଖି ବୁଲାଇ ନେଲା ଓ ଅନ୍ୟ ରୋଗୀମାନଙ୍କର ମିଳିତ ଦୃଷ୍ଟିକୁ ସାମ୍ନା କରି ନ ପାରି ଗୋଟିଏ ଛୋଟ ଅଭିନୟରେ ପ୍ରକାଶ କଲା ସେ କ୍ଲାନ୍ତ ତାର ବିଶ୍ରାମ ଦରକାର । ସେତେବେଳେ ସେ ଅନୁଭବ କଲା ଗୋଟିଏ ସାଂଘାତିକ କମ୍ପ୍ଲେକ୍‌ସ ଭିତରେ ସେ ସଢ଼ୁଚି ଯେହେତୁ ଏଇ ଅପରିଷ୍କାର, କୋଚଟ ଜୀବମାନଙ୍କର ତା ପ୍ରତି କରୁଣା ବା ସହାନୁଭୂତି ପ୍ରକାଶ କରିବାର ଯୋଗ୍ୟତା/ଅଧିକାର ନଥିବା ସତ୍ତ୍ଵେ ଏକ ବିହ୍ୱଳ ଦୃଷ୍ଟିରେ ତାକୁ ଚାହୁଁଛନ୍ତି ।

 

ସେମାନେ ଚାହିଁନାହାନ୍ତି ଯେ ଯେମିତି ପ୍ରତ୍ୟେକଟି ଆଖିଭିତରୁ ଅଜସ୍ର କଅଁଳା ବାଛୁରୀମାନେ ଡେଇଁ ଡେଇଁ ଆସୁଛନ୍ତି ଓ ଏକ ନିରୀହ ପ୍ରବଣତାରେ ତାକୁ ଛନ୍ଦି ଦେଇ, ଏ ପର୍ଯ୍ୟନ୍ତ ତା ଭିତରର ଦୃଢ଼ହୋଇ ନିଜକୁ ପ୍ରତିଷ୍ଠିତ କରିଥିବା ବ୍ୟକ୍ତିଟିକୁ, ମୁହୂର୍ତ୍ତକୁ ମଧ୍ୟରେ ତରଳାଇ ଦେଇ ଗୋଟିଏ ଛୋଟିଆ ମଣିଷରେ ପରିଣତ କରିଦେବେ ।

 

ଗୋଟିଏ ଆଶଙ୍କା କେମିତି ତାକୁ ହିଂସ୍ର କରିଦେଲା । ଶଳା ଛୋଟ ଲୋକ ଗୁଡ଼ାକ ! ସେ ବିରକ୍ତିରେ କାନ୍ଥ କଡ଼କୁ ମୁହଁ ବୁଲେଇ ନେଲା ।

 

ମୁଁହ ବୁଲାଇ ନେଲାପରେ ସେ ନିଜ ବିଷୟରେ ଚିନ୍ତା କରିବାକୁ ସୁଯୋଗ ପାଇଲା । କାରଣ ସେ ସେମାନଙ୍କ ସହାନୁଭୂତିର ମୁଁହ ଦେଖିପାରୁନି । ସେ ଯାହା ଦେଖିପାରୁଛି ଅରାଏ ଧଳା କାନ୍ଥ କେବଳ । ତେଣୁ ଚିନ୍ତା କରିବାକୁ ହାତଗଢ଼ା ଏକ ସୁନ୍ଦର ପରିବେଶ । ସେ ଚିନ୍ତାକଲା ଏବଂ ପାଖକୁ ପାଖ ଗୋଟିଏ ଲେଖା ଯୁକ୍ତି ଯୋଡ଼ିଲା—ସେ ନିଶ୍ଚୟ ସେଇ ଇତର ଲୋକମାନଙ୍କ ଠାରୁ ବଡ଼ । ସେ ଦରମାରେ ବଡ଼ । ପ୍ରଶାସନିକ କ୍ଷେତ୍ରରେ ସର୍ବୋଚ୍ଚ ପଦବୀକୁ ଛାଡ଼ିଦେଲେ ତା ସମକକ୍ଷ ଦରମା କାହାର ନାହିଁ । ତା ହାତରେ ହଜାରେ ସୈନ୍ୟ ଅଛନ୍ତି, ବରଂ ବିଶୃଙ୍ଖଳିତ । ଡାକ ଛାଡ଼ିଦେଲେ—‘ବାପାରେ ! ତମକୁ ଚାହିଁ ଆମେ ପଡ଼ିଛୁ, ତମରି ପାଇଁ ଆମ କମରରେ ବଳ, ସେଇ ତମପରି ସନ୍ତାନ ସନ୍ତତି ଥାଉଁ ଥାଉଁ ଅମୁକ ଲୋକ ମୋତେ ଧମକ ଦେଲା । ମୋତେ ଅପମାନିତ କଲା । ମୋ ଇଜ୍ଜତ ନେଲା କିଛି ଚିନ୍ତା ନାହିଁ, ଦଳଟି ଦିଶୁ ବରଂ ମେଷପଲ ପରି ମାଡ଼ିଯିବେ, ଦଳି ମକଚି ଦେବେ, ରେ ରେ କାର୍ ଶବ୍ଦରେ ପବନ ଆକାଶକୁ କମ୍ପାଇ ଦେବେ । ମୁହଁରେ ହସ ଫୁଟିଉଠିବ ଓ ହାତ ଖାଡ଼ି କଥା କହୁ କହୁ ସିଗ୍ରେଟ ଖଣ୍ଡକରେ କି ସମ୍ରାଟ ପଣିଆ !

 

ନିର୍ଦ୍ଧିଷ୍ଟ ଦୃଶ୍ୟ ମନକୁ ଆସିଗଲେ ସଂଶୟ ମନରେ ପକ୍ଷ ମେଲେ, ସତରେ ସେ ଜଣେ ବଡ଼ ଲୋକ ! ହେଇ ସେଦିନ ସେ ମାଂସ ଦୋକାନ ପାଖରେ କେମିତି ଅପମାନିତ ବୋଧ କଲା ଓ ଗୋଟିଏ ସତର୍କ ଖାମ୍‌ଖେୟାଲ୍ ହସରେ ଅପମାନକୁ ଢାଙ୍କି ଦେବାକୁ ଚେଷ୍ଟା କଲା । ସେ ଛୋଟ ସହରରେ ମାଂସ ଦୋକାନରେ ସବୁଠାରୁ ବେଶୀ ଭିଡ଼ । ଅକସ୍ମାତ୍ ତାର ମାଂସ ଖାଇବାକୁ ଇଚ୍ଛା ହେଲା ଏବଂ ସେ ଏମିତି ଚାଲୁ ଚାଲୁ ପହଞ୍ଚି ଗଲା । ବେଶ୍ ଭିଡ଼ ଜମି ଯାଇଛି । ଅଥଚ କେମିତି କାହିଁକି ସେ ଅସାମଞ୍ଜସ୍ୟ ଚେହେରା । ଭିତରୁ ହସ ଝରିପଡ଼ିଲା ଓ କେତେଗୁଡ଼ିଏ ଶବ୍ଦ । ସ ର କେତେ ! ଶବ୍ଦଗୁଡ଼ିକ ଭିତରୁ ତା ନିଜସ୍ଵ ପତିଆରା କେମିତି ଫୁଟିପଡ଼ିଲା । ସେ ନିଜକୁ କିଞ୍ଚିତ ଭିନ୍ନ ମନେକଲା ଏବଂ ଏକ କିଲୋର ବରାଦ ଭିତରେ କିଛି ନିର୍ଦ୍ଦିଷ୍ଟ ମାଂସ ଆଡ଼କୁ ହାତ ବଢ଼ାଇଲା । ସେଇ ଅସାମଞ୍ଜସ୍ୟ ମୁହଁରେ ହସ ଭିତରୁ କାଳୀ ଠାକୁରାଣୀଙ୍କ ଲାଳ ଜିଭପରି ଗୋଟିଏ ଦୀର୍ଘ ପାନଖିଆ ହସ ବାହାରି ପଡ଼ିଲା । କେତୋଟି ଶବ୍ଦ ସହିତ; ରାମ......ରାମ, ତାକୁ ଦେଲେ ଥାନା ବାବୁ ଆଉ ରଖିବେ । କଥାଟି ସେତିକିରେ ତୁଟି ଯାଇଥାନ୍ତା, କିନ୍ତୁ ସହରରେ ରାଜନୀତିବାଲାଙ୍କ ସହିତ ସମ୍ପର୍କ ଥିବା ଚିନି ଡ଼ିଲରଟି କେମିତି ଗୋଟିଏ ଅର୍ଥପୂର୍ଣ୍ଣ ହସ ହସିଲା ଏବଂ ଯେଉଁଥିରୁ ଭାବ ପ୍ରକାଶ ପାଉଥିଲା—ହଇ ହୋ ବାବୁ ! ବେଶୀ ହେଲେ ଅଧ୍ୟାପକଟିଏତ, ମଲେ ବି ସଂସାରରେ କିଏ ତୁମକୁ ଗୁରୁତ୍ଵ ଦିଏ । ଆମ ସଂଖ୍ୟା ବେଶୀ । ନେଇ ଯା, ବାନ୍ଧି ଦେଉଛି ପୁଣ୍ଟି, ଚର୍ବି ଓ ଚମ ମାଂସକୁ ମିଶାଇ ।

 

ସେ କ୍ଷୁବ୍‌ଧ ହୋଇଥିଲା ସେଦିନ ଓ ତା ବଡ଼ପଣ ଗୋଟାଏ ସମବେତ ସହାନୁଭୂତିର ଦୃଷ୍ଟି ରେ ଉଭେଇଯାଇଥିଲା ତା ମନରୁ । ମାଂସ ପୁଟୁଳାଟି ଧରି ଫେରୁଥିଲା ବେଳେ ସେ ତାର ଶକ୍ତି ସଞ୍ଚୟ କରୁଥିଲା ଓ ଅବଜ୍ଞାର ଏକ ପରିବେଶକୁ ଅତିକ୍ରମ କରି ନିଜ ବିଷୟରେ । ନିଜର ଗୁରୁତ୍ଵ ବିଷୟରେ ଗୋଟାଏ ପାଲଟା ଯୁକ୍ତି ମନକୁ ଆଣୁଥିଲା ।

 

ସେ ଭାବୁଥିଲା ଜଣେ ମାଂସ ବିକାଳୀର ଇଣ୍ଟେଲେକ୍ଟ କେତେବା ! ସେ ମାଂସ ବିକେ, ମାଂସ ବିକିସାରିଲା ପରେ ମୁଣ୍ଡ, ମାଂସର ଭଜା ପ୍ରସ୍ତୁତ କରେ, ଭାଜିସାରିଲା ପରେ ପୁଡ଼ିଆଟି ଧରି ସହର କେନ୍ଦ୍ରସ୍ଥଳରେ ଥିବା କଣ୍ଟ୍ରିଲିକର ଦୋକାନରେ ପହଞ୍ଚେ ଓ ପେଟେ ପିଇ ଦିଏ । ପିଇ ଦେଇ ସାରିଲାପରେ ଗୋଡ଼ହାତ ହୁଗୁଳିଯାଏ । ଦେହ ହାଲୁକା ହୋଇଯାଏ ଏବଂ ବ୍ରଜବାବୁ (ବ୍ରଜରଥ)ଙ୍କ କୃଷ୍ଣ ସର୍ପ ତାର ସମସ୍ତ ଶକ୍ତିକୁ କେବଳ ନିଜ ଭିତରେ କେନ୍ଦ୍ରୀଭୂତ କରିପାରେ । ଛାବଲା ଛାବଲା ଦୁନିଆର ଚିତ୍ର ଭିତରେ କେତେ ଫୁଲ, ଆଲୋକର ବର୍ଣ୍ଣବିଭବ ଓ ସର୍ବୋପରି ନିର୍ଜନ ରାସ୍ତାରେ ହୋଟେଲ୍ କାମ କରି ଫେରୁଥିବା ଗୋଦଡ଼ ବୁଢ଼ୀ ବା କୋଚଟ ଖୋର୍ଦ୍ଦା ଶାଢ଼ୀର ଦାନ୍ତୁରୀ ମାଇକିନା ତାକୁ ସିନେମା ଷ୍ଟାର ପରି ଦିଶେ । ବିଛଣା ନାହିଁ, ଅଗରବତୀ ନାହିଁ, ନାଇଟ୍ ଲେମ୍ପ ନାହିଁ, ରାସ୍ତାକଡ଼ରେ କେଉଁ ଅନ୍ଧକାର ସ୍ଥାନରେ ଜୀବନକୁ ଖୋଜିଲାବେଳେ କଦବା କେମିତି ନାଇଟ୍ ପେଟ୍ରୋଲ୍‌ର କନେଷ୍ଟବଳ ଓ ହାଜତର ଲୁହା ବାଡ଼କୁ ଅତିକ୍ରମ କରିଯିବା ପାଇଁ ଭଲ ପୁଟୁଳା ମାଂସଟି ଥାନା ବାବୁଙ୍କ ଘରେ ବିନା ବ୍ଲାଉଜର ସ୍ତନବତୀ ମାଙ୍କ ନିକଟରେ ଥୋଇଦେବା କଥା ସେତିକିରେ ସେ କଳି ନେଇଛି ତାଙ୍କ ବଡ଼ପଣିଆ ।

 

ପାଲଟା ଯୁକ୍ତିରେ ସେ ଆଶ୍ଵସ୍ତ ହେଲା – ମାଂସ ବିକାଳୀ ଅଜ୍ଞ ଓ ତାର ଇଣ୍ଟେଲେକ୍ଟ ଘର ଶୂନ। କେମିତି ଶୂନ ହେବନି ! ଦିନ ତମାମ ସେ ଛେଳି ଖୋଜେ, ମାଇ ଛେଳିର ପହ୍ନା କାଟି ତାକୁ ଖାସି ବୋଲି ପ୍ରମାଣ କରେ । ତା’ ସତ୍ତ୍ୱେ ସେ ଚେକାପାରି ବସିଥିଲାବେଳେ ଶହେ ଲୋକ ତା ଚାରିକଡ଼ରେ ଗୋଲେଇ ଭାବେ ହୋଇ ଠିଆ ହୋଇ ତାର ଅନୁକମ୍ପାକୁ ଅପେକ୍ଷା କରନ୍ତି । ସେଇ ମୁହୂର୍ତ୍ତକ ପାଇଁ ସେ ବଡ଼, ଖୁବ୍ ବଡ଼ …. ସମୁଦାୟ ଜଗତରେ ବି ଯଦିଓ ସେଇ ସହରରେ ତାକୁ ନେଇ ଖୁସି ହୋଇଥିବା ଘୃଣ୍ୟ ବିଶେଷଣ ଟି ପ୍ରତି ସେ ସଚେତନ ନୁହେଁ ।

 

ସେ ମନକୁ ମନ ହସିଦେଲା ବିଚାରା ସାଧାରଣ ଲୋକଟିଏ । ଭାରତ ଗୋଟିଏ ଦେଶ, ତା ଭିତରେ ଓଡ଼ିଶା । ସ୍ଳୋଗାନରେ ଯଦି ଟେକସ୍ ପଡ଼ୁଥାନ୍ତା ! କେଡ଼େ ସୁଧାର ଲୋକଟିମାନ, ଗାନ୍ଧୀ ବୁଢ଼ାର ରକ୍ଷାକବଚ ସେଇ ଟୋପିଟିକୁ ମୁଣ୍ଡରେ ଆଣ୍ଟିଦେଇ କି ନିରୀହତାର ଅଭିନୟ ଲାଗିଛୁଁ । ପ୍ରାଣପଣେ ତୁମ ଶୁଖିଲା ମୁହଁରେ ହସ ଫୁଟେଇ ଦେବୁ ତମ ଟାଙ୍ଗର ଭୂଇଁରେ ସବୁଜ ରଙ୍ଗ ବୋଳିଦେବୁ ଓ ତୁମ ନୀଳ ଆକାଶକୁ ତମ୍ବା ରଙ୍ଗରେ ଧୁଆଁରେ ଛାଇଦେବୁ ।

 

ଭାରତ ଅର୍ଯ୍ୟାବର୍ତ୍ତ, ସାଂସ୍କୃତିକ ପରମ୍ପରାରେ ସମୃଦ୍ଧ ଦେଶଟା ସ୍ଲୋଗାନରେ ସୀମାବଦ୍ଧ ହୋଇଗଲା କେମିତି । ବୃଦ୍ଧ–ପ୍ରୌଢ଼ ଓ ପକ୍ୱକେଶ ବ୍ୟକ୍ତିର ସମସ୍ତ ବିଶ୍ଵସ୍ତ ସ୍ଲୋଗାନ ମଧ୍ୟରେ ନାଇଟ୍ କ୍ଲବ, ସାମ୍ପେନ ଗ୍ଲାସରେ ସ୍ଲୋଗାନ ସବୁ ହଜି ଯାଆନ୍ତି ଚରିତ୍ରହୀନର ଦୃଢ଼ ଚରିତ୍ରର ସଙ୍କଳ୍ପ ପରି । ସଂସ୍କୃତି ଇତିହାସର ଗୋଟିଏ ଶଦ୍ଦ ହୋଇଗଲା ଏବଂ ସାତ ସମୁଦ୍ର ପାଣିରେ ଲୁଣି ହାୱାରେ ସଂସ୍କୃତି ସମ୍ପନ୍ନ ଲୋକଗୁଡ଼ିକ କେମିତି ହାୱାର ମଣିଷ ହୋଇଗଲେ ।

 

ସେ ପୁନର୍ବାର କଡ଼ ଲେଉଟାଇଲା ଇଚ୍ଛାକରି ସେଇ ଅପରିଚ୍ଛନ୍ନ ଲୋକମାନଙ୍କୁ ନିରୀକ୍ଷଣ କରିବାକୁ ଲାଗିଲା । ତାର ଅନୁଭୁତି କ୍ରମେ ନୂତନ ବାଗରେ ରୂପାୟିତ ହେଉଛି ନିଜକୁ କଳିବା ପାଇଁ ପାଖରେ ଅନ୍ୟ ଏକ ଚରିତ୍ର ବା ବସ୍ତୁର ଆବଶ୍ୟକତା ରହିଛି । ସେମିତି ଏସବୁ ଅପରିଚ୍ଛନ୍ନ ରୁଚି ଗର୍ବିତ ବ୍ୟକ୍ତିମାନେ ଯାହାଙ୍କର ବର୍ତ୍ତମାନରେ ସେ ନିଜକୁ ଏକ ପୃଥକ ବଡ଼ ବ୍ୟକ୍ତି ବୋଲି ସିଦ୍ଧାନ୍ତ ନେଇ ଯନ୍ତ୍ରଣାରେ ଏକ ଅନତିକ୍ରମଣୀୟ ପ୍ରଭାବ ରେ ଅତିଷ୍ଠ ହେଉଛି ।

 

ସ୍ଵତଃ ମନକୁ ପ୍ରଶ୍ନଟିଏ ଆସିଗଲା । ବ୍ୟକ୍ତିଟିକୁ ଚିହ୍ନିବାର ଉପାୟ ଭିତରେ କେଉଁ କଥାଟି ସତ୍ ! ରୂପ ନା ଗୁଣ । ରୂପ ତ ଏମିତି କଦାକାର ଓ କୃତ୍ସିତ ଯେ ସେମାନଙ୍କୁ ନେଇ ମିତ୍ର ଭାବରେ ଗୋଟିଏ ଅନୁଭୂତି ମନକୁ ଅଣାଯାଇ ନ ପାରେ । ଗୁଣ ସେ ତ ଆପେକ୍ଷିକ ଅସମାଧିତ ପ୍ରଶ୍ନ । ସେବା କେଉଁ ମାନଦଣ୍ଡରେ ବିଚାର କରି ସିଦ୍ଧାନ୍ତ ନେଇନେବ ଅମୂକ ଲୋକଟି ପୁଣି, ତାର ଉର୍ଜସ୍ଵଳ ପ୍ରତିଭା ଢାଙ୍କି ହେଇଯାଇଛି ଅପରିଷ୍କାର ପୋଷାକ ପରିଚ୍ଛେଦରେ, ରୂଢ଼ବହୁଳ ମୁହଁରେ, ଟିଂଙ୍ଗ୍ ଶୂଳିଆ ସ୍ୱଭାବରେ । ମୁଁହଗୁଡ଼ାକୁ ଦେଖିଲେ କେମିତି ନିଜସ୍ଵ ଅହଁରେ ଭାରାକ୍ରାନ୍ତ । କେଉଁ ବିଶ୍ଵାସରେ ସେମାନଙ୍କୁ ମିତ୍ର ବୋଲି ଗ୍ରହଣ କରିନେଇହେବ ।

 

ସେ ପୁଣି ଥରେ ସମୁଦାୟ ୱାର୍ଡ଼ରେ ଆଖି ଘୂରାଇ ନେଲା । ସେମିତି ସେ ଲୋକଗୁଡ଼ିକ ସହାନଭୂତିର ଆଖି ସହିତ ଅସହାୟ ଭାବରେ ବେଡ଼ରେ ଗଡ଼ୁଛନ୍ତି ନିଜ ନିଜର ଯନ୍ତ୍ରଣାମାନଙ୍କ ସହିତ ଯେମିତି ଗୋଟିଏ ପ୍ରକାଣ୍ଡ ଯନ୍ତ୍ରଣାର କକ୍ଷ ସେଥିରୁ ମୁକ୍ତି ନାହିଁ କାହାର ଓ ସେଥିପାଇଁ ଯନ୍ତ୍ରଣାର ଓ ମାଡ଼ ଭିତରେ ଅତିଷ୍ଠ ସେମାନେ କୌଣସି ନୂତନ ଆଗନ୍ତୁକର ଆବିର୍ଭାବରେ ବିବ୍ରତ ପୁଣି ନିଜ ବିଚାରରେ ସହାନୁଭୂତିଶୀଳ ହୋଇ ଅସହାୟ ଆଖିରେ ପ୍ରଶ୍ନ ତୋଳୁଛନ୍ତି । ଆରେ ତୁ ଭଦ୍ରଲୋକଟା କେଉଁ ଦୁଃଖରେ ଏ ଦୁଃଖ ରାଜ୍ୟକୁ କିଛି ଦିନ ପାଇଁ ବରିନେଲୁ !

 

ସେ ଜଣେ ସମ୍ଭ୍ରାନ୍ତ ରୋଗୀ ଓ ତାକୁ ଏଟେଣ୍ଡ କରୁଥିବା ବିଶ୍ଵସ୍ତ ଛାତ୍ର ସହରର ଭଦ୍ରଲୋକ ଏଇ ଧାରଣାଟିକୁ କେମିତି ତା ମନରେ ବଦ୍ଧ ମୂଳ କରି ଦେଇଥିଲେ । କିନ୍ତୁ କେତେଦିନର ରହଣୀରେ ତାର ସବୁ ନୂଆ ନୂଆ ଅନୁଭବ ରୂପ ପାଇଛି । ତାକୁ କାହିଁକି ମନେହେଉଛି ଏଇ ସବୁ ଅଟୋପ ଆଡ଼ମ୍ବର ଗୋଟାଏ ହାତଗଢ଼ା ଉପଚାର, ସ୍ଵାଭାବିକ ନଙ୍ଗଳା ଜୀବନଠାରୁ ବହୁ ଦୂରରେ । ଜୀବନ କ’ଣ ଗୋଟିଏ ଡେକୋରେସନ୍‌ରେ ମିଛ ହୋଇଯିବା ପୋଷାକ ପତ୍ର ଖୋଲିଦେଇ ଔପଚାରିକତାକୁ ଅସ୍ଵୀକାର କରିଦେବା !

 

ଔପଚାରିକତା କେମିତି ମଣିଷକୁ ମିଛ କରିଦେଉଛି । ସେ ଅତୀତରେ ଅନୁଭବ କରିଛି କ୍ଲାସର ରୁମ୍‌ରେ ପ୍ରଥମ ଧାଡ଼ିରେ ବସିଥିବା ଚରିତ୍ରମାନଙ୍କର ଦୁଷ୍ଟ ଚାହାଣୀ, ବିପର୍ଯ୍ୟସ୍ତ ବେଣୀ ବନ୍ଧନ ଓ ସର୍ବୋପରି ଓଠର ଅର୍ଥପୂର୍ଣ୍ଣ ହସରେ ରଙ୍ଗ ବେରଙ୍ଗର ଟୋପାମାନ ପ୍ରସ୍ତୁତ ପାଠ୍ୟକ୍ରମକୁ ଗୋଳମାଳ କରନ୍ତି ଓ ପିଚୁରାସ୍ତାର ସାଇନ୍‌ବୋର୍ଡ଼ରେ ନା ଲିପିବଦ୍ଧ ହେଇଯିବାର ଭୟରେ ସେ ତଥାକଥିତ ଭଦ୍ର ସମାଜର ଉପଚାର ଭିତରେ ରୋଗୀର ଯନ୍ତ୍ରଣାଠାରୁ ଏକ ଯୋର୍‌ଦାର୍ ଯନ୍ତ୍ରଣାରେ ଅହରହ ଘାଣ୍ଟି ହୋଇଯାଇଛି ।

 

ବିଦ୍ରୋହର ରୂପ ବା କଣ ? କିଛି ଉତ୍ତେଜନା ଓ ଔପଚାରିକ ଦୁନିଆରେ ସର୍କସ ବାଘପରି ସବୁ କଥାକୁ ଅନିଚ୍ଛାକୃତ ଭାବେ ମାନିନେଇ ସହଜ ଅଭିନୟ କରିଯିବା କଥା । ଅଭିନୟର ଜୟ ହେଉ । ସ୍ଲୋଗାନ—ସେଇ ଚନ୍ଦାମୁଣ୍ଡିଆ ବୃଦ୍ଧମାନଙ୍କର ଯଦିଓ ରାତିରେ ଝିଅ ବା ନାତୁଣୀମାନଙ୍କର ପେଣ୍ଟିକୁ ଖୋଲି ଦେଇ ଗୋଟାଏ ଗରମ ତ୍ଵକ୍‌କୁ ଅନୁଭବ କରି ବୟସକୁ ଅନ୍ଧାରରେ ଭୁଲିଯିବାର କାମନା ନେଇ ଜୀବନ ବଞ୍ଚୁଛନ୍ତି ସେମାନେ

 

ସେ ନିଜ ଭିତରୁ ମୁକୁଳି ଯାଉଥିଲା କ୍ରମେ । ତାର ମନେହେଲା ଏକ ମୁହୂର୍ତ୍ତରେ ତାର ଆଟୋପର ସାମଗ୍ରୀଗୁଡ଼ିକୁ ସେ ଯଥାସ୍ଥାନକୁ ଫେରାଇ ଦେବ ଏବଂ ୱ୍ୟାର୍ଡ଼ର ସାଧାରଣ ରୋଗୀଟିଏ ପରି ଗୋଟାଏ ନିରୀହ ସରଳତାରେ ମିଶିଯିବ ସେଇମାନଙ୍କ ସହିତ । ଜୀବନ ସହିତ ମିତ୍ର ବସିବ ।

 

ସେ ବିଛଣାରେ ଉଠିବସିଲା ଓ ପାଖ ଟେବୁଲରେ ଥିବା ତା ଫଳ ପାକେଟଗୁଡ଼ିକୁ ଅନାଇଲା । ଲାଲ୍ ଲାଲ୍ ଆପେଲ, କଳା ଧଳା ଅଙ୍ଗୁର, ହର୍ଲିକ୍‌ସ ଶିଶି, ବିସ୍କୁଟ, ରୋଟି ଇତ୍ୟାଦି । ତାର ସେଇ ମୁହୂର୍ତ୍ତରେ ଧାରଣା ହେଲା ଏଇ ପଦାର୍ଥଗୁଡ଼ିକ ତାକୁ ଜୀବନ ଠାରୁ ଦୂରେଇ ଦେଉଛନ୍ତି ଓ ଏଇ ସାଧାରଣ ଲୋକଙ୍କ ଠାରୁ ତା ଭିତରେ ଗୋଟିଏ ବ୍ୟବଧାନ ସୃଷ୍ଟି କରୁଛନ୍ତି ଏବଂ ସେଇ ବସ୍ତୁମାନେ ଯେମିତି ସେ ହସପିଟାଲର ସବୁଠାରୁ ସୁନ୍ଦରୀ ନର୍ସ ପୁଷ୍ପାଦି’କୁ ଉପାଦାନ ଯୋଗାଉଛନ୍ତି, ତାଙ୍କୁ ଗୋଟିଏ ବଡ଼ ମଣିଷ ବୋଲି ଭାବିବାକୁ ଓ ଅନ୍ୟାନ୍ୟ ରୋଗୀମାନେ ତାଙ୍କ ସାନିଧ୍ୟ (ଯେ କୌଣସି କାରଣରୁ ହେଉ) ଚାହୁଁଥିଲାବେଳେ ସେ ଗୋଟିଏ ଧରା ନ ଦେବା ପକ୍ଷୀପରି ଇଞ୍ଜେକ୍‌ସନ ସିରିଞ୍ଜ ଧରି ଅଧାହସ, ଅଧା ଅପ୍ରକାଶିକ ଭାବରେ କେବଳ ତାରି ହାତରେ ଇଞ୍ଜେକସନ୍‌ଟି ଫୋଡ଼ିଦେଇ ଅଧିକାଂଶ ସମୟରେ ତା ଭଲମନ୍ଦ ନେଉଛନ୍ତି ।

 

ପୁଷ୍ପାଦି’ ସହିତ କୌଣସି ସମ୍ପର୍କ ସ୍ଥାପନ କରାଯାଇ ନ ପାରେ, ଅଥଚ ବସ୍‍ଷ୍ଟାଣ୍ଡ ବା ଫ୍ଲାଟଫର୍ମର ସମ୍ଭାନ୍ତ ଟ୍ରେନରେ ଯାତ୍ରା କରୁଥିବା ସୁନ୍ଦରୀ ଝିଅର ମୁହୃର୍ତ୍ତକର ମନକୁ ବାନ୍ଧି ରଖିବାର ଧରାପରି ପୁଷ୍ପାଦି’ର ହସଭାବ ତାକୁ ସମୟରେ ଆମୋଦିତ କରୁଥିଲେ ବି ଆଜି ସେ ସେଥିପ୍ରତି ବିତସ୍ପୃହ ହୋଇପଡ଼ିଲା ଏବଂ ତା ପ୍ରତି ଗୋଟିଏ ଅନ୍ୟମନସ୍କ ଭାବ ପ୍ରକାଶ କଲା ।

 

ଆଜି ସେ ତା ଖୋଳପାରୁ ମୁକୁଳି ଯାଇଛି ଏବଂ ସତ୍ ଜୀବନଟିକୁ ଅତି ଦୟନୀୟ ଭାବେ ଅନ୍ୱେଷଣ କରୁଛି । ତା’ର ମନେହେଲା ସେ ପାଇ ଯାଉଛି କ୍ରମେ ।

 

ସେ ଉଠିପଡ଼ିଲା ଓ ପାଖ ବେଡ଼ରେ ଶୋଇଥିବା ମଫସଲି ଲୋକଟିର ବିଛଣା କଡ଼ରେ ବସିଗଲା । ଯେ ରୋଗୀଟି ଶୋଇ ଯାଇଥିଲା । ତା’ଦେହରେ, କପାଳରେ ସେ ତାର ଅପାତତା ସ୍ନେହଶୀଳ ହାତଟି ଘୁରାଇ ନେଲା । ରୋଗୀଟି ଆଖି ଖୋଲିଲା ଏବଂ ବଲ୍ ବଲ୍ କରି ତା ମୁହଁକୁ ଚାହିଁଲା । ସେ ଚାହିଁଲା ଏଇଥିପାଇଁ ଏତେ ଦିନଧରି ଦେଖି ଆସୁଥିବା ଅନ୍ୟ ରାଜ୍ୟର ମଣିଷଟି ହଠାତ୍ କାହିଁକି ଆଜି ତା ରାଜ୍ୟର ମଣିଷ ହୋଇଗଲା । ସେ କିଛି ପ୍ରଶ୍ନ କରିପାରିଲା ନାହିଁ, ଅଥଚ ଗୋଟିଏ ନୂଆ ସାଙ୍ଗଭାଇର ସହୃଦୟ ଆବେଦନରେ ବୋଧହୁଏ ଆଶ୍ଵସ୍ତ ହୋଇ ଆଖିବୁଜି ଦେଲା-

 

ତା’ପରେ ସେ ଏଇ ଆଚରଣ ପ୍ରଦର୍ଶନ କଲା ପ୍ରତ୍ୟେକଟି ରୋଗୀ ନିକଟରେ ଏବଂ ଠିକ୍ ସେଇ ସମୟରେ ପୁଷ୍ପାଦି’ ତା’ର ସ୍ଵଭାବସୁଲଭ ଆକର୍ଷଣୀୟ ଭାବରେ ସିରିଞ୍ଜ ଧରି ତା ନିକଟରେ ଯେତେବେଳେ ପହଞ୍ଚିଗଲା ସେ ଭଲ ହୋଇଗଲାଣି ବୋଲି ସ୍ପଷ୍ଟ ଜଣାଇ ଦେଲା ଓ ପୁଷ୍ପାଦି’ ଫେରି ଯାଉଥିଲାବେଳେ ତାଙ୍କୁ ଅଟକାଇ ଗୋଟିଏ ବାକ୍ୟ ସେ ବିହୁଳ ହୋଇ ଉଚ୍ଚାରଣ କଲା, ପୁଷ୍ପାଦି’ ଲଙ୍ଗଳା ହୋଇପଡ଼ିଲେ ଦୁନିଆର ଭାରି ସୁନ୍ଦର ନା ।

 

ପୁଷ୍ପାଦି’ କିଛି ବୁଝିପାରିଲାନି ବୋଧହୁଏ । ତଥାପି ସେ ବୁଝାଇବାକୁ ଚେଷ୍ଟା କଲା । ତୁମ ବୟସର ଚାପ ସତ୍ତ୍ୱେ ଗୋଟିଏ ଆର୍ଟିଫିସିଆଲ ଗାରମେଣ୍ଟରେ ତମ ସ୍ତନ ଦୁଇଟିକୁ ଯେମିତି ଜୀବନ୍ତ କରି ଗୋଟିଏ ଅହଂକାରରେ ନିଜକୁ ସ୍ଵତନ୍ତ୍ର ବୋଲି ଭାବୁଛ, ସେ ସବୁ ଖୋଲିଦିଅ ତୁମ ଓହଳି ପଡ଼ିଥିବା ସ୍ତନରେ ମଧ୍ୟ ଗୋଟାଏ ପ୍ରାକୃତିକ ସୌନ୍ଦର୍ଯ୍ୟ ଅଛି ।

 

ତାପରେ ସେ ତାର ସମସ୍ତ ଫଳ ପକେଟକୁ ରୋଗୀମାନଙ୍କ ଭିତରେ ବାଣ୍ଟୁଥିଲାବେଳେ ଦେଖିଲା ପୁଷ୍ପାଦି’ କେମିତି ବିଷର୍ଣ୍ଣ ଓ ତାର ଏଇ ପାଗଳାମୀକୁ ସ୍ଵୀକାର ନକରି ସିରିଞ୍ଜ ସହିତ ଡିଉଟି ରୁମକୁ ଫେରିଗଲା ।

 

ସେ ସେଇ ମୁହୂର୍ତ୍ତରେ କରୁଣ ହୋଇଗଲା–ମିଛର ଆବରଣ ମୁକ୍ତ ହେବାକୁ ସତମଣିଷଟି ପାଇଁ ତଥାପି ଅନନ୍ତ ସମୟ ଅପେକ୍ଷା କରିଛି ।

Image

 

ଦେଶ ବୋଇଲେ !

 

ଏଇ ଶାଲା ବକୃତା ପ୍ରତିଯୋଗିତାରେ ଯେତିକି ଝମେଲା.. ବୈଦିକ ରୀତିରେ ପାରମ୍ପରିକ ବିବାହ ପରି । ନିଜର ରୁଚି ନାହିଁ, ସ୍ଵାଧୀନତା ନାହିଁ କେବଳ ବାପାମା, ଭାଇ–ଭଉଣୀର ଆକସ୍ମିକ ଅମୋଡ଼କୁ ବାଧ୍ୟ ଶିଶୁ ପରି ମାନିନେବା କଥା । ଉଦ୍ଦୀପନା, ପ୍ରଥମ ଥର ପାଇଁ ଗୋଟିଏ ଅଜଣା ଝିଅକୁ ପାଖରେ ଧରି ଶୋଇବା ପାଇଁ । ନ ହେଲେ କେଉଁ ଗାରେଣ୍ଟି ଅଛି ଗୋଟାଏ, ଫିକା ନୀଳ ଆଲୋକରେ ପଞ୍ଜାବୀ ପକେଟା/ବ୍ଲାଉଜରେ ଠୋପାଏ ‘ମାଇଁଚଏସ୍’ ବା ‘ଇଣ୍ଟିମେଟ୍’ର ବୁନ୍ଦା ଝାଡ଼ି ସାରା ରାତିକୁ କଥର ଅରଣ୍ୟରେ ହଜାଇ ଦେବାର ନିଶା ପାଣିଚିଆ ହେଇଯିବ ନି ବିରୁଦ୍ଧ ରୁଚି ସସ୍ପର୍ଶରେ....ଗୋଟାଏ ନିବେଦିତ ଦୃଷ୍ଟି....ତମର ଏ ଦେହ, ଦାରୁଣ ନିଦାଘର ଫଟା ଭୁଇଁର କାମନା ଟୋପାଟାଏ ଜଳ, କେତେବେଳେ ଆଷାଢ଼ର ଅନ୍ଧାର ଶୋଇବାର ଉପକ୍ରମ ଭିତରେ । ଡିବେଟ୍ ପରି ଯୁକ୍ତିତର୍କର ସୁଯୋଗ ନାହିଁ, ଅନୁଶାସନର ରାୟରୁ ମାନିନେବା କଥା ଗଧର ବୋଝ କହିବା ପରି । ତଥାପି ବୈଦିକ ରୀତିର ନାରୀଟିକୁ ଧରି ସଫଳ ସଂସାରୀରେ ପରିଣତ ହୋଇଗଲା ପରି ଗୋଛାଏ ପ୍ରତିଦ୍ଵନ୍ଦ୍ଵୀଙ୍କ ଭିତରେ ଏକ ହେବାର ଝୁଙ୍କଟାକୁ ଅସ୍ଵୀକାର କରାଯାଇ ନ ପାରେ ।

 

ମନରେ ଯୁକ୍ତିଟିକୁ ଦୋହଲାଉଥିଲା ଆଦିମ । ଯୁକ୍ତିତର୍କର ସୁଯୋଗ ନାହିଁ ବୋଲି ପ୍ରତିଯୋଗିତାରୁ ଓହରିଯିବା ଗୋଟାଏ ପ୍ରକାର ପରାଜୟ । ବରଂ ନେକଷ୍ଟ ଅକେଜନ୍‌ରେ ସ୍ପିଚ୍‍କୁ ଡିବେଟରେ ପରିଣତି କରାଯାଇପାରେ । ସେଇଟା ହାତରେ କଥା—ଆଦିମ ନିଶ୍ଚିତ ଥିଲା ତା’ର ଏ ଯୁକ୍ତିକୁ ସମସ୍ତ ଛାତ୍ର ମାନିନେବେ । ଆପାତତଃ ସ୍ଥିର କଲା ପ୍ରତିଯୋଗୀତାରେ ଭାଗନେବ । ଘଣ୍ଟାଏ ପୂର୍ବରୁ ବକ୍ରୁତାର ବିଷୟବସ୍ତୁ, ପୁଣି ଗଣ୍ଡେ ଖାଇଦେଇ ଦି’ପୃଷ୍ଠା କେଉଁଠି କେମିତି ଖେଳାଇ ପକାଇ ବଡ଼ମଣିଷଙ୍କର ଉକ୍ତି କେତୋଟିକୁ ମୁଖସ୍ଥ କରି ଜଣାଇଦେବାକୁ ପଡ଼ିବ; ମୋତେ ଯେମିତି ଦେଖୁଛ, କଳୁଛ, ମୁଁ ସେମିତି ନୁହେଁ । ମୁଁ ସ୍ଵତନ୍ତ୍ର, ମୁଁ ଭିନ୍ନ କିସମର.. ତମ ସମଗ୍ର ଅଜ୍ଞାନୀ ବୋକାମାନଙ୍କ ମଧ୍ୟରେ ମୁଁ ଏକମାତ୍ର ବ୍ୟକ୍ତି । ମୁଁ କ୍ଳାସର ସବୁଠାରୁ ସୁନ୍ଦରୀ (ବରଂ ଆର୍ଟିଷ୍ଟିକ୍) ଝିଅକୁ ଚାହିଁ ଅଧ୍ୟାପକର ଟେପରେକର୍ଡ଼ରେ ବକ୍ତବ୍ୟକୁ ଉପେକ୍ଷା କରେ । ମୁଁ ତା ଗାଲର ତ୍ଵକ୍, ଆକ୍ଷିରେ ପୃଥିବୀକୁ କଳନା କରେ ଓ ବେଣୀ ଦୁଇଟି ଆଗକୁ ଆସି ସ୍ତନାଙ୍କରରେ କେମିତି ଢଳିପଡ଼ିଥାଏ (ଧନ୍ୟ ରାଧାନାଥ) ତାକୁ ଅନୁଧ୍ୟାନ କରେ । ମୁଁ ରୂପକୁ ଦେଖେ ଏବଂ ତା’ ସହିତ ମିଶେ ଦେହ ବାହାରେ । କେବଳ ସେହି ଆର୍ଟିଷ୍ଟିକ୍ କନ୍ୟା ନୁହେଁ । ଚାରିଟା ବାଜିଗଲେ ଛୋଟ ସେହି ବଜାରରେ ଟହଲ ମାରେ ପାନ ଦୋକାନ/ଚା’ ଦୋକାନରେ ବି ଯାହାକୁ ଗୋଟିଏ ଗୋଟିଏ ଛୋଟିଆ ପୃଥିବୀ କୁହାଯାଇପାରେ । ସେହି ହେଲା ମୋର ଅନୁଭୂତି ଓ ପାଠପଢ଼ାର ପରିସର । ତୁମ ମୁଖସ୍ତକରା — ଯୁଗ ଯୁଗ ଧରି ବାଜି ଆସିଥିବା ଟେପ୍‍ର ଶବ୍ଦ ନୁହେଁ । ତୁମେ ମୋତେ ଲଫଙ୍ଗା, ବଜାରୀ କହିଲେ ବି ତୁମର ସାମନାରେ ଠିଆ ହୋଇ ତୁମକୁ କହିବି, ଦେଖିବେ ବୋକା ! ତୁମ ବିଚାରରେ ଏକ ଲଫଙ୍ଗା ଟୋକାଟି ମଣିଷରୁ କେମିତି ଚିହ୍ନିଛି, ତା’ ସମସ୍ୟାରେ ଛନ୍ଦି ହେଇ ପଡ଼ିଛି ।

 

ଆଦିମ ପ୍ରକୃତିସ୍ଥ ହେଲା –ମତଲବୀ ଦୁନିଆ ବିଷୟରେ ଚିନ୍ତାକଲେ ମୁଣ୍ଡ ପାଗଳ ହୋଇଯିବ ଓ ଶେଷରେ ସମସ୍ତଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇ ବ୍ରାହ୍ମଣ କାନ୍ଧରେ ଛେଳି କୁକୁର ପରି ଗୋଟିଏ ସିନିକ୍ ପାଲଟି ଯାଇ କେଉଁ ଦିନ ସ୍ନଟ୍‍ପରି ଆକ୍ଷି ବୁଜି ଦେବ ସୁନ୍ଦର ଦୁନିଆଟିର ଅବହେଳା କରି କରି ।

 

ସିନିକ୍ ହେବାଟା ଇଚ୍ଛାକୃତ ନୁହେଁ ପାରିପାର୍ଶ୍ୱିକୀ ସହିତ ଦ୍ଵନ୍ଦ୍ଵରୁ ଅନେକଟା ନିଜେ କେବଳ ସତ୍, ପାରିପାର୍ଶିକ ଛଳନାପୂର୍ଣ୍ଣ । ସ୍ଵରୂପ ପ୍ରକାଶିତ ଆଦିମ ଅନେକ ଆଦିମରେ ପରିଣତ ହୋଇଯିବ । ଆଦିମ ପ୍ରବଳ ଆତ୍ମସନ୍ତୋଷରେ କେମିତି ଉତ୍ସାହିତ ହୋଇ ପଡ଼ିଲା ଓ ମେସ୍‍ର ଖଟ ଉପରୁ ଝଟ୍‍ପରି ଓହ୍ଲାଇ ଆସି ଆଇନା ସାମ୍ନାରେ ଥୋଇଲା । ମୁହଁର ଉପର ଅଂଶକୁ ଛାଡ଼ି ଅବଶିଷ୍ଟରେ କ୍ରିମ୍‍ ବୋଳିଲା ଏବଂ ମୁହଁଟିକୁ ପରିଷ୍କାର କରି ସେଭ୍ କଲା । ହାଙ୍ଗରରୁ ତା’ ବିଚାରରେ ଷ୍ଟାଇଲିସ୍ ପୋଷାକ ପେୟାର ବାହାର କରି ପିନ୍ଧିନେଲା । ବେକ ମୂଳରେ କିଛି ଏକ୍‌ସୋଟିକା ଓ ଦୁଇହାତ ଚକରେ ଝାଡ଼ିନେଇ ପାପୁଲି ଦୁଇଟିକୁ ଘଷିଦେଲା । ତା’ପରେ ପାପୁଲି ଦୁଇଟିକୁ ସମତାଳରେ ଦୁଇଥର ଝାଡ଼ିଦେଇ ମୁହଁ ଉପରେ ଆସ୍ତେ ବୁଲାଇ ନେଲା ।

 

ଆଇନାରେ ମୁହଁଟି କିଛି ପରିମାଣରେ ଉଜ୍ଜ୍ଵଳ ଦିଶିଲା ।

 

ଆଦିମ କେମିତି ତନ୍ମୟ ହୋଇଗଲା—ଆକର୍ଷଣୀୟ ପୋଷାକ ଓ ସାମାନ୍ୟ କସମେଟିକ୍ ମଣିଷର ପର୍‍ସନାଲ୍‍ଟି କେତେକାଂଶରେ ବଢ଼ାଇ ଦିଏ, ଯେମିତି ତା’ର ବର୍ତ୍ତମାନ । କିଛି କଥାବାର୍ତ୍ତା ନାହିଁ, ଚୁପଚାପ୍, ସ୍ଵାଭାବିକ ଗମ୍ଭୀର୍ଯ୍ୟ ସହିତ ପାଖଚଲା ଲୋକ/ ବଜାର/ ପରିବା ବିକାଳୀ । ବହିଥାକକୁ ଫୁଲିଲା ଛାତିରେ ଜାକିଧରି ଚାଲୁଥିବା ଝିଅ ଉପରେ ସତର୍କ ଦୃଷ୍ଟିପାତ, କେହି ଆଉ ଭିତରଟିକୁ ପଢ଼ିବେନି–ଚାଲିଛି ଜଣେ ବ୍ୟକ୍ତିତ୍ଵ ସଂପନ୍ନ ଭଦ୍ରଲୋକ । ଏଇ ଶାଲା ଦୁନିଆ...କେତେ ମୁଖା, ଶାସ୍ତ୍ରୀୟ ପଦ୍ଧତିର ଅଭିନୟ, କେବଳ କହିଦେବାକୁ: ମୁଁ ଭଦ୍ରଲୋକ ହୋ ସାଙ୍ଗ–ଭାଇ । ମୁଁ ଭଦ୍ରଲୋକ ଯେ ହଲିଲା ପାଣିକୁ ଗୋଡ଼ ବଢ଼ାଏନି ।

 

ଆଦିମ ହସିଦେଲା—ଆଟୋପର ଦୁନିଆ, ଆଟୋପ ଭିତରେ ସନ୍ତୁଳିତ ଆତ୍ମାଟି ବଡ଼ ଦହଗଞ୍ଜ । ତଥାପି ବ୍ୟକ୍ତିତ୍ଵ, ଗାମ୍ଭୀର୍ଯ୍ୟ, ନିଜର ସ୍ଵାତନ୍ତ୍ର୍ୟ.. ଡାଏସ୍‌ ଉପରେ ଠିଆହୋଇ ପଡ଼ିଲା ପରେ ଅନ୍ୟଠାରୁ ଏକ ସ୍ଵତନ୍ତ୍ର ଉଚ୍ଚତାକୁ ଉଠିବାର ନିଶା ।

 

ଆଦିମକୁ ଏସବୁ ଲାଗେ ଟ୍ରାଡ଼ିସିନାଲ ନାଟକର ଚରିତ୍ରମାନଙ୍କ ପରି । ତଥାପି ତାହା ଦୀର୍ଘଦିନର ଚଳଣି ଓ ଆନନ୍ଦ....ଚଳିଯିବା, ସିନିକ୍ ହେବା ଗୋଟାଏ ଆବଶ୍ୟକତା ନୁହେଁ, ବରଂ କିଛି ଦିନପରେ ସୁଟ୍‍ପରି ଆଖିବୁଜି ଦେବା ।

 

ଆଦିମ ସତର୍କ ହେଲା, ସମୟ ହାତରୁ ଖସିଯାଉଛି ପ୍ରେମିକାଟି ଅନ୍ୟର ପୌରୁଷରେ ଆକର୍ଷିତ ହୋଇ ତୁମ ହାତରୁ ଖସିଗଲା ପରି । ସେ ଭାବିଲା ବିଷୟକୁ କଣ ହେଇପାରେ ଓ ପ୍ରସ୍ତୁତି କେଉଁ ପ୍ରକାର ହେବା ଆବଶ୍ୟକ । ସେ କାହିଁକି ଭାବିନେଲା ସାଂପ୍ରତିକ ରାଜନୀତି, ଅର୍ଥନୀତି କିମ୍ବା ଆନ୍ତର୍ଜାତିକ ପାୱା୍‌ରଗେମ୍‌କୁ ନେଇ କୌଣସି ବିଷୟ ଦିଆଯାଇ ପାରେ । ସେ ସେଲ୍‌ଫରୁ କେତେଖଣ୍ଡ ବହି ବାହାର କଲା ଓ କେତେଗୁଡ଼ିଏ ପଏଣ୍ଟ ନୋଟ୍ କରି ସେଗୁଡ଼ିକୁ ବାରମ୍ବାର ଦୋହରାଇଲା । ଏଇ ଅବସ୍ଥାରେ ହଠାତ୍ ସେ ଅନୁଭବ କଲା ଯେ କିଛି ନୂଆକଥା ଜାଣୁନି, ଅତୀତରେ ବକୃତା ମାନଙ୍କରେ ଏଇସବୁ କଥା ଓ ଯୁକ୍ତିକୁ ଜଣେ ପେଶାଦାର ବକ୍ତାପରି ସଫଳ ପ୍ରୟୋଗ କରି ବିଚାରକ ମଣ୍ଡଳୀର ଦୃଷ୍ଟି ଆକର୍ଷଣ କରିଛି । ସବୁ ତାଙ୍କୁ ଜଳ ଜଳ ଦିଶିଲା ଓ ସେ ବହି ବନ୍ଦ କରିବା ସହିତ ଟୁକୁରା କାଗଜ ଗୁଡ଼ିକୁ ପବନରେ ଉଡ଼ାଇ ଦେଲା । ଏବେ କଣ କରିବ ଭାବୁ ଭାବୁ ତା’ ଫୁଲ୍ ସୁ ଉପରେ ଆଖି ପଡ଼ିଲା ଓ ସେଥିରେ ରଙ୍ଗଲଗାଇବା ତା’ ପାଇଁ ଅଧିକ ଦରକାରୀ ମନେହେଲା ।

 

ହାତରେ ସମୟ ମାତ୍ର ଘଣ୍ଟାଏ କେତେ ମିନିଟ୍ । ଯୋତାରେ ରଙ୍ଗ ଦେବାରେ କିଛି ବ୍ୟୟ ହେବ....ହେଉ ବରଂ ଯୋତାରେ ରଙ୍ଗଦେବ । ସେ ଗୋଟିଏ ପେଶାଦାର ମୋଚି ପରି ଯୋତାରେ ରଙ୍ଗ ଲଗାଇଲା ଓ ରଙ୍ଗ ଦେଲାବେଳେ ଭାବୁଥିଲା ନ ଦେଲେ ବିଶେଷ କଣ କ୍ଷତି ହୁଅନ୍ତା । ଯେତେବେଳେ ତା’ର ମନେ ପଡ଼ିଲା ବକ୍ତୃତା ସଭାମାନଙ୍କର ଅନେକ ଦର୍ଶକ ଉଭୟ ସେକ୍‌ସର । ପ୍ରତ୍ୟେକ ଚରିତ୍ରର ମତ ଦେବା ପ୍ରତ୍ୟେକଠାରୁ ଭିନ୍ନ । ସେଥିପାଇଁ ସେ ମୁହଁର ଦାଢ଼ି ସଫାକଲା । ରୁଚିପୂର୍ଣ୍ଣ ପୋଷାକ ପିନ୍ଧିଲା ଓ ଏଇ ଏବେ ଯୋତାରେ ରଙ୍ଗ ବୋଳୁଛି । ହୁଏତ ଏସବୁ ଉପରେ ଗୁରୁତ୍ୱ ଦେଇ ନଥାନ୍ତା ଓ ନିଜର ଜ୍ଞାନର ସୀମାକୁ କେବଳ ପ୍ରସାରିତ କରିଥାନ୍ତା କେତୋଟି ଦାମୀ ବହିର ପୃଷ୍ଟା ଦେଇ । ଏଇ କୋଡ଼ିଏ ବାଇଶ୍ ବର୍ଷର ଉଦ୍ଦାମ ଜୀବନରେ ବାର୍ଦ୍ଧକ୍ୟର ଅନୁଭୂତି ଆସିଗଲା–ଦାମୀ ବହିର ପୃଷ୍ଠା ଭିତରୁ ସତକଥାଗୁଡ଼ିକ କାଉଣ୍ଟି ଆଣି ଜ୍ଞାନକୁ ବ୍ୟାପକ କରିବା ଗୋଟାଏ ବୋକାମିରେ ପୁଅ । ସଂପ୍ରତି ଆଟୋପ ବଡ଼ କଥା, ବଡ଼ କଥା ନେଇଆଣି ଥୋଇବାର ସଫଳତା... ଦୁନିଆଟା ଆଜି ବଡ଼ ସଜାଣରେ ପୁଅ !

 

ଏଇ ପ୍ରସ୍ତୁତି ଓ ବିରୁଦ୍ଧ ଚିନ୍ତା ମଧ୍ୟରେ ସୁଷମା ମହାନ୍ତି ଆସିଗଲା ଆଦିମର ମନଭିତରକୁ । ବଡ଼ ଅଦ୍ଭୁତ ଝିଅଟା । ଦୁନିଆରେ କଣ ଝିଅ ନାହାନ୍ତି; ମନ ହେଲେ ଯାହାକୁ ଯେତେ । ହେଲେ ସେ କେମିତି ଗୋଟାଏ କଙ୍କି ପରି–ହାତ ପାହାନ୍ତାରେ ସାର୍ଟ କଲାର ଉପରେ ବସିପଡ଼ିଲା ପରି–ଅଥଚ ତାଙ୍କୁ ଧରିବା କଷ୍ଟ, ପୁଣି ତାକୁ ଧରି ଯନ୍ତ୍ରଣା ଦେବାଟା (ଯଦି ତା ପାଇଁ ସେଇଟା ସତ୍ୟ ହୋଇଥାଏ) ଗୋଟାଏ ଅପରାଧର କଥା ହେବ ବୋଲି ଆଦିମ ଭାବେ । ଆଦିମ ଭାଗନେଉଥିବା ପ୍ରତ୍ୟକ ପ୍ରତିଯୋଗିତା ପୂର୍ବରୁ ସେ ଆସି ଡାଏସ୍‍ର ନିକଟବର୍ତ୍ତୀ ପ୍ରଥମ ଧାର ଗୋଟିଏ ସ୍ଥାନ ଅଧିକାର କରିବ । ଅଧିକାର କଲା ଭଲ କଥା, ହେଲେ ପୁଣି ବସି ବସି ମିତ ଚାହିଁବ ଯେ ସମୟରେ ତୁମେ ଚାହିଁଦେଲେ ତୁମ ପଏଣ୍ଟ ଗୋଳମାଳ ହୋଇଯିବାକୁ ବାଧ୍ୟ । ବିଷାଦର କଳାଛାଇ ସେତେବେଳେ ତା’ ମୁହଁକୁ ଢାଙ୍କିଦେବ ଓ ତା’ ଆଚରଣରେ ଅତିଷ୍ଠତା ପ୍ରକାଶ ପାଇବ । ବାଳିକାରେ । ଆଦିମ ମନେ ମନେ ହସିଦେଇ କହେ: ତୁ ଯଦି ବୁଝିପାରନ୍ତୁ..ସବୁ ଅନର୍ଥର ମୂଳ ତୁ ବୋଲି । ସେ ବା କାହିଁକି ବୁଝିବ..ସେ ତ ଗୋଟିଏ ଅଶରୀରୀ ସନ୍ତୁଷ୍ଟ ଆତ୍ମା ପରି ନିଜ ଜ୍ଞାତ–ପରିଜନର ସୁଖ–ସ୍ଵାଚ୍ଛନ୍ଦ୍ୟକୁ କେବଳ ଅନୁଧ୍ୟାନ କରେ ଛାଇ ପରି । କେମିତି ମ’ ସେ ଝିଅଟା..ଆଦିମ ଗୁମ୍ ମାରିଯାଏ, ଦେହ ଉପରେ କସ୍‌ମେଟିକ୍‍ର ଅତ୍ୟାଚାର ନାହିଁ, ଶାଢ଼ୀର ରଙ୍ଗବେରଙ୍ଗର ସମାହାର ନାହିଁ, ଅଥଚ କେମିତି ଆକର୍ଷଣୀୟ ଲାଗେ ତ’ ଦେହରେ ରଙ୍ଗ, ରଙ୍ଗ ସାଙ୍ଗକୁ ମୁଣ୍ଡରେ ଟୋପା, ଟୋପା ସାଙ୍ଗକୁ ଫିକା ରଙ୍ଗର ଶାଢ଼ୀ ଓ ଶାଢ଼ୀ ସାଙ୍ଗକୁ ସାମ୍ପୋକରା ବାଳକୁ ଏଣୁତେଣୁ ଗୁଡ଼ାଇ ଦେବାର ଢଙ୍ଗ । ତାରକା ତରକା ଆଖିରେ କେତେ ଅପ୍ରକାଶିତ କଥା ।

 

ତାକୁ କଥା କହିଦେଲେ, ମିଶିଗଲେ ସବୁ ସରିଯାଆନ୍ତା ବୋଧ ହୁଏ । ସେହି ଗତାନୁଗତିକତା : ତୁମେ ଖୁବ୍ ଆର୍ଟିଷ୍ଟିକ୍ ..ତମର ସବୁ ସୁନ୍ଦର, ମୁଁ ମଧ୍ୟ କମ୍ ନୁହେଁ..କଣ ଅସୁବିଧା ହୁଅନ୍ତା । ସେ କାହିଁକି ଆପତ୍ତି କରନ୍ତା କି । ସେ ତ ପ୍ରତିଯୋଗିତାର ସାମ୍ନା ବେଞ୍ଚରେ ବସେ, କମନରୁମ୍‍ର ପରଦା ଫାଙ୍କାରୁ ଅନୁଧ୍ୟାନ କରେ ଓ ଆଦିମ ଚାହିଁଦେଲେ ହସିକରି ଅନ୍ୟକଥାର ବାହାନା କରେ । ସତରେ ମିଶିଗଲେ ସବୁ ସରିଯାଆନ୍ତା ..ପ୍ରଥମ ପ୍ରଥମର ରୋମାଞ୍ଚ ଶେଷରେ କେମିତି ପାଣିଚିଆ ଧରନ୍ତା ଓ ଦିନେ ସୁଷମା ମହାନ୍ତି ଗର୍ଭଣୀ ଗାଈଟିଏ ପରି ପେଟ ପୁଲାଇ ଅନ୍ୟର ଅନୁକମ୍ପାର ପାତ୍ରି ହୁଅନ୍ତା । ସୁଷମା ମହାନ୍ତିର ସେମିତି ଏକ ଅବସ୍ଥାକୁ ଆଦିମ କେବେ ଚିନ୍ତା କରିପାରେନା ।

 

ଆଦିମ ପ୍ରକୃତିସ୍ଥ ହେଲା.. ମିଛଟାରେ କାହିଁକି ସେ ସୁଷମା ମହାନ୍ତି କଥା ଏତେ ଚିନ୍ତା କରିବ । ସେ ତ ତା ଇଚ୍ଛାର ବାଳିକା । ତା’ର ଅଧିକାର ଅଛି ଆଦିମ କହୁଥିଲା ବେଳେ ମୁହଁରୁ ଗୋଡ଼ ପର୍ଯ୍ୟନ୍ତ ଚାହିଁ ରହିବାର । ସଜାଣ ଦୁନିଆରେ ସେ ବ୍ୟତିକ୍ରମ, ହୁଏତ ଚାହୁଁଥିବ ଆଦିମ ଅତିକ୍ରମ ହେଉ । ଅବଶ୍ୟ ଆଦିମ ଅତିକ୍ରମ, ସେଇଥିପାଇଁ ସେ ପ୍ରତିଯୋଗିତାର ଦର୍ଶକମଣ୍ଡଳୀର ପ୍ରଥମ ବେଞ୍ଚରେ ବସେ । ଆଦିମ ହାତଘଣ୍ଟା ଦେଖିଲା—ଆଉ ମାତ୍ର ଘଣ୍ଟାଏ ସମୟ । ଉତ୍କଣ୍ଠା କ୍ରମେ ବିବ୍ରତ ଅବସ୍ଥାକୁ ଆସିଗଲା । ଏ ପର୍ଯ୍ୟନ୍ତ ବିପ୍ଳବ ‘ବିଷୟବସ୍ତୁ’ ସହିତ ଫେରିଲା ନାହିଁ ।

 

ଆଦିମ ଯୋତା ପିନ୍ଧିନେଲା ଓ ଯୋତାର ଷ୍ଟ୍ରାପ୍ ଭିଡ଼ିଲା । ପରେ ସୋରାଇରୁ ପାଣି ଗଡ଼ାଇ ପିଇଲା ଓ ଆବଶ୍ୟକ ନଥିଲେ ବି ଖଣ୍ଡେ ସିଗ୍ରେଟରେ ନିଆଁ ଧରାଇଲା । ସମୟ ସରିଯାଉଛି, କେବଳ ସରିଯାଉନି ଯେ ପ୍ରତି ମୁହୂର୍ତ୍ତରେ ସତର୍କ କରୁଛି ଆଉ କିଛି ବାକି ରହିଥିଲା କି-! ଫାଇନାଲ ଘଣ୍ଟା ବାଜିଗଲେ ଖାତା ଛଡ଼ାଇ ନେବା କଥା ଯେ ।

 

ସେ ପୁନର୍ବାର ଖଟତଳୁ ଟୁକୁରା କାଗଜଗୁଡ଼ିକ ଗୋଟାଇ ଆଣିଲା ଓ ସେଥିରେ ଆଖି ପକାଇଲା ବେଳେ ଏଇ ପ୍ରକାର ମନୋଟନିରେ ଘାଣ୍ଟି ହୋଇଗଲା । ସେଇ ଯାହା ନୂଆ ନୂଆ କେତେଜଣ ବଡ଼ମଣିଷ ପୃଥିବୀରେ ଜନ୍ମ ନେଇଥିଲେ ଓ ଅନୁଭୂତିର କଥା କିଛି କହି ଯାଇଥିଲେ । ଏବେ କାହିଁ ପୁରୁଣା ରେକଡ଼ ଘସି ହୋଇ ହୋଇ ବିକୃତି ଶବ୍ଦ କଲାପରି ଭଲ କଥାଗୁଡ଼ା ବାରମ୍ବାର ପ୍ରୟୋଗ ହୋଇ ଅର୍ଥପ୍ରକାଶର କ୍ଷମତା ହରାଇଲେଣି । ନୂଆ ମଣିଷ କାହିଁ ? ତାକୁ ଲାଗେ ମଣିଷ ସବୁ ମରିଗଲେଣି ଓ କଥାମାନ ଅନ୍ତର୍ଦ୍ଧାନ ହୋଇଗଲେଣି । ଏବକା ମଣିଷଗୁଡ଼ା କେମିତି ଯାନ୍ତ୍ରିକ ଶବ୍ଦ ପ୍ରଚାରର ମାଧ୍ୟମ ହୋଇ ଗଲେଣି ।

 

ଆଦିମ ଭାବିଲା ସେ ବଞ୍ଚିଗଲା ଓ ତା’ ମନୋଟନିର ସମୟ ଅତିକ୍ରମ କରିଗଲା । କାରଣ କବାଟରେ ନକ୍ ଓ ପରେ ପର ବିପ୍ଳବର ସ୍ଵର: ଗୁରୁ । ଚଞ୍ଚଳ ଖୋଲି ଆସିଥିଲା ବିଷୟ ।

 

ରୁମରେ ପଶିଯାଇ ବିପ୍ଳବ ଖଟ ଉପରେ ବସିଗଲା ଓ କପାଳରୁ ଝାଳ ପୋଛି ଗ୍ଲାସେ ପାଣି ପାଇଁ ଅପେକ୍ଷା କଲା କାରଣ ବିଷୟଟି ଜାଣିଲା ପରେ ଶୀଘ୍ର ଆଦିମ ନିକଟରେ ପହଞ୍ଚାଇ ଦେବାକୁ ସେ ଜୋର ସାଇକ୍‌ଲିଂ କରିଥିଲା, ଫଳରେ ଅତିରିକ୍ତ ଧକ୍‌କାରେ ଧଇଁ ସଇଁ ହୋଇ ପଡ଼ିଥିଲା । ପାଣି ପିଇ ସାରିଲା ପରେ ସେ ଟିକିଏ ସତେଜ ହେଲା ଏବଂ ପକେଟରୁ କାଗଜ ଟୁକୁରାଟି ବାହାର କରୁ କରୁ ବକ୍ତୃତା ପ୍ରତିଯୋଗିତାର ସମ୍ଭାବ୍ୟ ଫଳକୁ ନିଜ ବାଟରେ ପ୍ରକାଶ କଲା: ଗୁରୁ, ଏଥର ମାତ୍ର । ଶାଲା ଟପ୍ ବିଷୟ ଅଛି‘ଦେଶ ଗଠନରେ ଛାତ୍ରର ଭୂମିକା’, ଗୁରୁ କୁଆପଥର ପରି ଖଲି ଝାଡ଼ିଦେବ ।

 

ବିଷୟଟି ଶୁଣିଲା ପରେ ଆଦିର ମୁହଁ କେମିତି ବିଷଣ୍ଣ ହୋଇ ପଡ଼ିଲା, ଖଣ୍ଡିଏ ସିଗ୍ରେଟରେ ନିଆଁ ଧରାଇଲା ଓ ପ୍ଲାଟ ହୋଇ ଖଟରେ ଶୋଇଗଲା । ତା’ର ଦୃଷ୍ଟି କୋଠାରୀର ଛାତି ଓ ମୁହଁରୁ ବାହାରୁଥିବା ଧୁଆଁ କୁଣ୍ଡଳି ଉପରେ ସମ୍ବାବଦ୍ଧ ଥିଲା । ଏମିତି ଗୋଟାଏ ସ୍ଥିତ ବସ୍ଥା କିଛି ସମୟ ଧରି ଚାଲିଲା ଏବଂ ବିପ୍ଳବ ତା’ର ଭୂମିକା ଠିକ୍ କରି ନ ପାରି କେବଳ ଆଦିମର ଏଇ ସବୁ ବ୍ୟତିକ୍ରମକୁ ଲକ୍ଷ୍ୟ କରୁଥିଲା ।

 

ବିପ୍ଳବ ତା ନାଁକୁ ଜଷ୍ଟିଫାଏ କରେ ନା, ସେ ଭାସମାନ ଏବଂ ଆଦିମ–ମାନଙ୍କ ଚରିତ୍ରର ସ୍ତାବକତାରେ ସେମାନଙ୍କର ପୌରୁଷ । ତେଣୁ ଆଦିମର ପ୍ରତିକ୍ରିୟା ଉପରେ କୌଣସି ପ୍ରଶ୍ନ କରିବା ତା’ର କୌଣସି ଉତ୍ତର ପାଇଲେ ସମାଧାନ ଦେବାର ବୌଦ୍ଧିକତା ତାର ନାହିଁ । ଆଦିମକୁ କେବଳ ଗୁରୁ କହିବାରେ ତାର ଆନନ୍ଦ । ସେଇଥିପାଇଁ ନିରବ ରହିବା ଆପାତତଃ ତା’ ପାଇଁ ଏକାନ୍ତ ଆବଶ୍ୟକ ।

 

ଆଦିମ ହଠାତ୍ ଉଠି ପଡ଼ିଲା ଓ ଚକାପାରି ବସିପଡ଼ି ମୁହଁ ତଳକୁ ଝୁଲାଇଦେଲା । ତାପରେ କ’ଣ ଭାବି ଗମ୍ଭୀରଭାବେ ତା’ର ନିଷ୍ପତ୍ତି ଜଣାଇ ଦେଲା ବିପ୍ଳବକୁ: ମୁଁ ଏ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବି ନାହିଁ । ଏମିତି ଗୋଟିଏ ଆକସ୍ମିକ ଉତ୍ତରରେ ବିସ୍ମିତ ହେବା ପୂର୍ବରୁ ଆଦିମ ଖଟରୁ ଓହ୍ଲାଇଗଲା ଓ ବିପର୍ଯ୍ୟସ୍ତ ଭାବରେ କୋଠାରୀରେ ଘୂରିବାକୁ ଲାଗିଲା । ଏମିତି କିଛି ସମୟ ଘୂରିଲା ଓ ଗୋଟିଏ ପଟ କାନ୍ଥ ନିକଟରେ ଅଟକିଗଲା । କାନ୍ଥରେ ଝୁଲୁଥିବା ଫଟୋଗୁଡ଼ିକୁ ସେ ଜଣ ଜଣ ଦେଖିଲା,—ମାହାତ୍ମା ଗାନ୍ଧୀ, ଶିରିଡ଼ି ବାବା ପରେ ଦିଶୁଥିବା ତାର ଜେଜେ ଓ ଉତ୍କଳମଣି ଗୋପବନ୍ଧୁ । ଆଦିମର ଦୃଷ୍ଟି ପଲକହୀନ ଥିଲା । ତିନି ଜଣ ବ୍ୟକ୍ତି, ତିନୋଟି ଚେହେରା, ସେମାନଙ୍କର ତିନି ପ୍ରକାର ସ୍ଵତନ୍ତ୍ର ଦୃଷ୍ଟି । ସେଇ ଦୃଷ୍ଟିମାନଙ୍କରେ ଯେମିତି ଅନେକ ପୁସ୍ତକ ପୃଷ୍ଠାର ପାଠ ପୂର୍ଣ୍ଣ ହୋଇ ରହିଛି ଯାହାକୁ ପଢ଼ି ପଢ଼ି ମଣିଷ ହୁଏତ ଗୋଟିଏ ସତ୍ ମଣିଷରେ ରୂପାନ୍ତରିତ ହୋଇ ପାରିଥାନ୍ତା ..ଅଥଚ ହେଲାନାହିଁ, ହୋଇ ପାରିଲା ନାହିଁ ସେମାନଙ୍କର ମୃତ୍ୟୁ ପରେ ପରେ । ଲୁହା ଫେମର ଚଷମା କାଚ ଭିତରେ ମହାତ୍ମାର ଆଖିରେ କେତେ ସ୍ଵପ୍ନ, କେତେ ସମ୍ଭାବନା.. ଛଳନା ନାହିଁ, ମୃଦୁହସର ଆନ୍ତରିକ ସ୍ପର୍ଶରେ ସବୁ ସତ୍ ବୋଲି ଏମିତି ଧାରଣା କେଉଁ ଆଖି ଦେଇପାରନ୍ତା । ସେ ଚିନ୍ତା କରିଥିଲା କି ଦେଶ କହିଲେ କେବଳ ଏକ ଭୂଖଣ୍ଡ ନୁହେଁ, କୋଟିଏ ଲୋକଙ୍କ ହୁଦୟାବେଗ ସହିତ ନିଜ ଆବେଗକୁ ମିଶାଇ ବସିବାକୁ ଅନୁଭୂତି ବୋଲି ।

 

ଆଦିମକୁ ଆଜି କେମିତି ଅର୍ଥହୀନ ମନେ ହେଉଛି ବ୍ରାହ୍ମମୁହୂର୍ତ୍ତରେ ଜେଜେଙ୍କର ଉଦାତ୍ତ କଣ୍ଠର ବାଣୀ: ସର୍ବେ ଭବନ୍ତୁ ସୁଖିନଃ, ଏବଂ ତା’ର ଆବିଶ୍ଵାସ ଆସିଯାଉଛି ତା’ଠାରେ ଜେଜେଙ୍କର ବିଶ୍ଵାସ ନାହିଁ । କେମିତି ସାଢ଼େ ଛ’ ଫୁଟର ହାଡ଼ୁଆ ମଣିଷଟା ସତୁରୀ ବର୍ଷରେ ସଳଖ ହୋଇ ଗାଁ ଦାଣ୍ଡରେ ଚାଲେ ଓ କୁହାଟ ମାରିଦେଲେ ସାରା ଗାଁ ଉଠିପଡ଼ି ଠିଆ ହୋଇଯାଏ ତା’ ନିକଟରେ । ତା’ ଚଉଡା ଛାତି ଥିଲା ଗାଁ ଲୋକଙ୍କର ଆଶ୍ରୟ ସ୍ଥଳ, ସେ ଖୁଆଇ ଖୁଆଇ ଲୋକଙ୍କୁ ଅଣନିଃଶ୍ୱାସୀ କରି ପକାଉଥିଲା । ସ୍ନେହ–ପ୍ରେମ–ସହାନୁଭୂତିର ଦାନରେ ନିଜେ ନିଃଶ୍ଵ ହୋଇପଡ଼ିଲା । ସେ ଥିଲା ସ୍ଵତନ୍ତ୍ର, ଗାଁ ଲୋକଙ୍କ ପାଇଁ ଏକ ନମୁନା ।

 

ତା’ ଦୃଷ୍ଟି ଆସ୍ତେ ଘୂରିଗଲା ଅନ୍ୟ ଲୋକଟି ଆଡ଼େ…ତାଙ୍କ ଦୃଷ୍ଟି ସହିତ ନିଜର ଦୃଷ୍ଟି ମିଳିଗଲା ପରେ ଆଦିମ କେମିତି କରୁଣ ହେଇପଡ଼ିଲା । ଆଦିମକୁ ଲାଗିଲା ଯେମିତି କୋଟିଏ ସନ୍ତାନର ସେବା ଭିତରେ ଟିକିଏ ସମୟ ବି ପାଇଲା ନାହିଁ ମୁହଁଟିକୁ ପରିଷ୍କାର କରିବା ପାଇଁ । ସେମାନେ ସବୁ ବିତରଣ କରି ଚାଲିଗଲେ, ଅଥଚ ଆମେ ଅପଦାର୍ଥ…ପ୍ରବଳ କ୍ଷୋଭରେ ଆଦିମର ନିଜ ଉପରେ କିପରି ଘୃଣା ଆସିଗଲା ।

 

ଆଦିମ ସ୍ମରଣ କଲା ତା’ ବାପାଙ୍କୁ, ବାପାମାନଙ୍କୁ । ସେମାନେ ହୁଏତ ଜଣେ ଜଣେ ଅବଧାନ; ସରସ୍ଵତୀ, ଗଣେଶ ପୂଜାରୁ ଆରମ୍ଭ କରି ବିଭିନ୍ନ ସମୟରେ ଉପାର୍ଜ୍ଜନର ଉପାୟ ଖୋଜି ଖୋଜି ସେମାନଙ୍କୁ କେବଳ କେତୋଟି ନିର୍ଦ୍ଦିଷ୍ଟ ସୂତ୍ର ଧରାଇ ଦେଇଛନ୍ତି…ମଡ଼ାଉଥା ଏମିତି ଯୁଗ ଯୁଗ ଏବଂ ଆମେ ଏମିତି ତମ ପାଇଁ କାନ୍ଦୁ କାନ୍ଦୁ ମିଳୁଥିବା ପଦାର୍ଥତକ ବାନ୍ଧି ପକାଇଥାଉଁ । ଆଦିମ ମୁହଁ ତଳକୁ କରି ଫେରି ଆସିଲା ତା’ ଖଟ ନିକଟକୁ ଏବଂ ବିପ୍ଳବକୁ କୌଣସି କଷ୍ଟ ନ ଦେବାକୁ ସ୍ଥିରଭାବରେ ପୁନର୍ବାର ତା’ର ମତ ଜଣାଇ ଦେଲା: ସେ ବକ୍ତୃତାରେ ଆଜି ଅଂଶ ଗ୍ରହଣ କରିବ ନାହିଁ ।

 

ବିପ୍ଳବ ନୀରବରେ ଉଠି ଠିଆ ହେଲା ଏବଂ ଆପାତତଃ ସେ କୋଠରୀରୁ ବାହାରି ଯିବାକୁ ସ୍ଥିର କଲା; ଯେହେତୁ ଆଦିମର ନିଷ୍ପତ୍ତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାର ଶକ୍ତି ତା’ର ନାହିଁ ବୋଲି ସେ ସଚେତନ ।

 

ବିପ୍ଳବ ଚାଲିଗଲା ପରେ ଆଦିମ ଶୋଇଯିବାକୁ ଚେଷ୍ଟାକଲା । ଶୋଇ ଯାଇଥିଲେ ସେ ହୁଏତ ବଞ୍ଚି ଯାଇଥାନ୍ତା । ସପ୍ରତି ଅବଧାନଟିରି ବିରୁଦ୍ଧରେ ତା’ର ପ୍ରତିକ୍ରିୟାକୁ ସେ ଭୁଲିଯାଇଥାନ୍ତା ଓ ନିଦ ଭାଙ୍ଗିଗଲା ପରେ ଏକ ଶାନ୍ତ ଶୀତଳ ଅନୁଭୂତିର ସେ ବଜାରକୁ ଯାଇଥାନ୍ତା, ଟୋକାମାନଙ୍କୁ ଯାତାୟାତ କରୁଥିବାର ଦେଖିଥାନ୍ତା ଏବଂ ଛକ ସ୍ଥାନମାନଙ୍କରେ ଚଳନ୍ତି ରାଜନୀତିକୁ ନେଇ ସେଇ ପାନଦୋକନୀଠାରୁ ବଜାର ଲୋକଙ୍କ ଆଲୋଚନା ଶୁଣିଥାନ୍ତା । ଶେଷରେ ରାତି ଆସିଥିଲେ ପୁନର୍ବାର ଶୋଇଯାଇଥାନ୍ତା ।

 

ଆଦିମ ଶୋଇପାରିଲା ନାହିଁ । ଅବଧାନଗିରିର ଧାରଣାଟା ଯେମିତି ତାକୁ ଭୂତ ଭଳି ମାଡ଼ିବସିଛି । ଯୁବକ ଛାତ୍ରମାନଙ୍କୁ ନୀତିବାକ୍ୟ ଶୁଣାଇବା ଯେମିତି ତାଙ୍କର ଧର୍ମ ଏବଂ କୋଥଳୀ ଭିତରେ ତୁଳସୀ କଣ୍ଠିକୁ ଗଣି ଗଣି ‘ହରେକୃଷ୍ଣ’ର ଶବ୍ଦ ଭିତରେ ଘର ଓଳାଉଥିବା ଚାକରାଣୀର ଝୁଲିପଡ଼ିଥିବା ସ୍ତନକୁ ଚାହିଁ ଆମୋଦିତ ହେବା ତାଙ୍କର ଅଧିକାର ଯେମିତି ! ଆଉ ହବନି ବାପୁ । ଏ ଟୋକା ଖାଲି ଗଢ଼ୁଥିବେ ଆଉ ଗାନ୍ଧୀ ଟୋପିର ଛତା ଦେଖି ତୁମେ ଭାଙ୍ଗୁଥିବ…ମା’କୁ ମାଇପ ପାଶବିକତାରେ ମତ୍ତ ହେଉଥିବେ ।

 

ଗୋଟାଏ ନିଷ୍ଫଳ ଅଭିମାନରେ ଆଦିମ ତକିଆରେ ମୁଁହ ଗୁଞ୍ଜିଦେଲା ।

 

ଆଦିମର ଇଚ୍ଛା ହେଲା ସେ କାନ୍ଦିବ ଏବଂ କାନ୍ଦି କାନ୍ଦି ଲୁହର ବନ୍ୟାରେ ବାପା, ବାପାମାନଙ୍କର ପାପକୁ ସବୁ ଧୋଇଦେବ । ଧୋଇଦେବ ଯେ ସେଇଠୁ ଆରମ୍ଭ ହେବ ଗୋଟାଏ ନୂଆ ପବିତ୍ରତା…ସୂର୍ଯ୍ୟୋଦୟ ପାଇଁ ଅପାପବିଦ୍ଧା କୁମାରୀକନ୍ୟାଠାରେ ନୂଆ ପ୍ରସୂତିର ବେଦନା ।

 

ଆଦିମ ଅନେକ ଥର ଏମିତି ସ୍ଵପ୍ନ ଦେଖିଛି । ଏ ସ୍ଵପ୍ନ ତାକୁ ସତପରି ଲାଗେ ଯେତେବେଳେ ସୁଷମା ମହାନ୍ତିର ଆଖିରେ, ଓଠରେ ପରିପୂର୍ଣ୍ଣ ଦୁନିଆର ଚିତ୍ର ସେ ଦେଖେ ।

 

ଆଜି ବି ଏବେଠାରୁ ସୁଷମା ମହାନ୍ତି ପ୍ରତିଯୋଗିତା ହଲ୍‌ର ପ୍ରଥମ ଧାଡ଼ିରେ ବସିଥିବା ଆଦିମକୁ ଅପେକ୍ଷା କରି ଏବଂ ତା’ର ଅନୁପସ୍ଥିତିରେ ହସର ମୁହଟି ତା’ର ଫିକା ବାସିଫୁଲ ପରି । ପର ଦିନ ସକାଳେ ସେ କହିପାରେ: ଆଦିମ ତମେ କିନ୍ତୁ ଭୁଲ୍ କଲ । ଆଦିମ ସେ ନିଷ୍ପାପ ବାଳିକାକୁ କଣ କହି ବା ସନ୍ତୁଷ୍ଟ କରିପାରିବ । ତଥାପି ବଞ୍ଚିଯିବା ପାଇଁ ସେ କହିଦେଇ ପାରେ: ସୁଷମା ଦେଶ କହିଲେ ଏକ ଭୂଖଣ୍ଡ, ନା ଗୋଟାଏ ଉପଲବ୍‌ଧି ଏ ପର୍ଯ୍ୟନ୍ତ ମୁଁ ବୁଝିପାରିଲି ନାହିଁ ।

 

ଆପାତତଃ ଆଉ ଅଧିକ କଣ କହିପାରନ୍ତା ଆଦିମ !

Image

 

ଇଶ୍ୱରଙ୍କ ଅବର୍ତ୍ତମାନରେ

 

ପୌଢ଼ ଦୀନକୃଷ୍ଣଙ୍କ ଜୀବନରେ ଏମିତି ଗୋଟିଏ ଗୋଟିଏ ଅପ୍ରୀତିକର ମୁହୂର୍ତ୍ତ ଆସିଥାଏ ଓ ସେଇ ମୁହୂର୍ତ୍ତକ ଅନୁଭବକୁ ଅତିକ୍ରମ କରି ନ ପାରି ଅସହାୟ ଭାବରେ ଧରାପଡ଼ିଯିବା ତାଙ୍କ ପାଇଁ ଏକ ମାନବିକ ଦୁର୍ବଳତା ।

 

ଘଟଣାଟି ସେମିତି କିଛି ନୁହେଁ, ମାତ୍ର ଦମକାଏ ପବନକୁ ନେଇ । ଦୀନକୃଷ୍ଣ ଅତି ସାଧାରଣ ଭାବରେ ନିଜ ବୃତ୍ତିଗତ ଧନ୍ଦାରେ ବ୍ୟସ୍ତ ଥିଲେ । ଶୀତର ପ୍ରାଦୁର୍ଭାବରେ ତାଙ୍କ ଦେହ ପାଣ୍ଡୁର ଦିଶୁଥିଲା । ଓଠ–ପାଟିରେ ଋତୁ ପ୍ରଭାବଜନିତ ଫାଟ ପାଇଁ ପାନପିକ ଚରିଯାଇ ପାଟି ଲଗାଏତ ସାମାନ୍ୟ କିଛି ଅଞ୍ଚଳକୁ ଲାଲ କରି ଦେଇଥିଲା । ମୁଣ୍ଡର ବାଳ ଟାଆଁସା, ମୁଁହର ଛୋଟ ଛୋଟ ଦାଢ଼ୀ ତାକୁ ଅବଧୂତପନ୍ଥୀ କୁଚ୍ଛ୍ର ସାଧକର ରୂପ ଦାନ କରିଥିଲା । ପୁଣି ଦୀନକୃଷ୍ଣଙ୍କର ସାଧାରଣ ସୌଦର୍ଯ୍ୟ ରୁଚିର କୌଣସି ପର୍ଯ୍ୟାୟ ସ୍ପର୍ଶ କରେନା । ଏଇ ଅବହେଳିତ ଅଥଚ ଆରେଃହୀନ ଚେହେରାକୁ ଅଧିକ ବିକୃତ କରିଦିଏ ତାଙ୍କ ଗୋଦଡ଼ ଗୋଡ଼, ଖାମଖେୟାଲ ପୋଷାକପତ୍ର ଓ ସାମାଜିକ ନୀତି–ନିୟମ ବିରୁଦ୍ଧ ଚଳଣୀ । ଆପତଃ ବିଚାରରେ ଭଦ୍ର ମନେ ହେଉଥିବା ଲୋକମାନେ ତେଣୁ ଅତି ସିଧାସଳଖ ମନ୍ତବ୍ୟ ଦିଅନ୍ତି: ଦୀନକୃଷ୍ଣ ଜଣେ ବାଜେ ଅସାମାଜିକ ଲୋକ ।

 

ସେଇ ଦୀନକୃଷ୍ଣ ନିଜର ବୃତ୍ତିଗତ ଧନ୍ଦାରେ ବ୍ୟସ୍ତଥିଲେ ଓ ହଠାତ୍ ଅନୁଭବ କଲେ ଦମକାଏ ପବନକୁ । ଫେବୃଆରୀର ଦ୍ୱିପ୍ରହର । ବାହାରେ ଖରା, ସେମିତି ଦୃଶ୍ୟମାନ ଜଗତକୁ ପରିଷ୍କାର କରି ଧୋଇ ଦିଆ ଯାଇଛି । ଦୀନକୃଷ୍ଣ କିଛି ସମୟ ପାଇଁ ଠିଆ ହୋଇଗଲେ । ଉଦ୍‌ଗ୍ରୀବ ଗ୍ରାମ ଜନତା କୌଣସି ମେଳା ବା ପର୍ବ–ପର୍ବାଣୀରେ ଲାଉଡ଼ସ୍ପିକରର ଚୁଙ୍ଗାକୁ ଚାହିଁଲା ପରି ତାଙ୍କ ମୁହଁରୁ ଏପର୍ଯ୍ୟନ୍ତ ଆଗ୍ରହରେ ଶୁଣୁଥିବା ତରୁଣ–ତରୁଣୀମାନେ ମୁହୂର୍ତ୍ତକ ପାଇଁ ସଶୟରେ ଛନ୍ଦି ହୋଇଗଲେ । ପରିବେଶର ସେଇ ସ୍ଥିତାବସ୍ଥାର ଦୀନକୃଷ୍ଣ ତରୁଣ ତରୁଣୀଙ୍କ ମୁଁହ ଉପରେ ଥରେ ଆଖି ବୁଲାଇନେଲେ ଓ ମନେ ମନେ ଅନୁଧ୍ୟାନ କରୁଥିଲେ ଦମକାଏ ପବନ କେବଳ ତାଙ୍କ ପାଇଁ, ନା ସମସ୍ତଙ୍କ ପାଇଁ ।

 

ପବନଟା ସମସ୍ତଙ୍କ ପାଇଁ !

 

କେବଳ ପବନ ନୁହେଁ, ବର୍ଷାଠାରୁ ଖରା ଓ ଚନ୍ଦ୍ର କିରଣ ପର୍ଯ୍ୟନ୍ତ ସମସ୍ତ ପ୍ରକୃତି ମଣିଷ ପାଇଁ ଆବଶ୍ୟକ ଦୀନକୃଷ୍ଣଙ୍କ ବିଚାରରେ । ଛୋଟ ପିଲାଠାରୁ ଆଜି ପର୍ଯ୍ୟନ୍ତ, ପୁସ୍ତକରୁ ଅନୁଭୂତି ପର୍ଯ୍ୟନ୍ତ ସବୁଥିରେ ଯେମିତି ଏଇ ଆବଶ୍ୟକତାକୁ ପ୍ରତ୍ୟକ୍ଷ କରି ଆସିଛନ୍ତି ।

 

ଅଥଚ ଆଜି ଯେମିତି ଗୋଟାଏ ବ୍ୟତିକ୍ରମ । ସେ ସମସ୍ତ ତରୁଣତରୁଣୀଙ୍କ ମଧ୍ୟରେ କିଛି ପ୍ରତିକ୍ରିୟା ତ ନ ଥିଲା, ବରଂ ଦୀନକୃଷ୍ଣ ଅନାବଶ୍ୟକ ଭାବରେ ଅସ୍ୱାଭାବିକ ହେଇ ପଡ଼ିଛନ୍ତି, ଏଇ କଥା ସେମାନଙ୍କର ପାଇଁ କୌତୁହଳର ବିଷୟ ଯେମିତି !

 

ଦୀନକୃଷ୍ଣ ଏପର୍ଯ୍ୟନ୍ତ ହାତରେ ଧରିଥିବା ବହିଟିକୁ ବନ୍ଦ କଲେ । ଆଖିରୁ ଚଷମା କାଢ଼ି କାଚରେ ଥିବା ସ୍ପଟ୍‌ଗୁଡ଼ିକୁ ସଫା କରୁ କରୁ ଗମ୍ଭୀର ଅଥଚ କୋମଳ କଣ୍ଠରେ ପ୍ରଶ୍ନ କଲେ ! ପିଲେ-! କିଛି ଅନୁଭବ କଲ ?

 

ଚଷମାଟା ଆଖିରେ ଦେଉ ଦେଉ ଦୀନକୃଷ୍ଣ ଦେଖିଲେ ତାଙ୍କର ଏଇ ପ୍ରଶ୍ନଟି ଏକ ବିରୁଦ୍ଧ ପ୍ରତିକ୍ରିୟା ସୃଷ୍ଟି କରିଛି । ଫଳରେ ପିଲାମାନଙ୍କ ଭିତରେ କିଛିଟା ଚାପ ଗୁଞ୍ଜରଣ ସୃଷ୍ଟି ହେଇଚି ଓ ସେମାନେ ପରସ୍ପର ଭିତରେ ଠେଲାପେଲା ଲାଗୁ ଲାଗୁ ମୁହଁମାନଙ୍କରେ ଭାବ ପ୍ରକାଶ କରୁଥିଲେ ବୁଢ଼ାର ବାହାରିଲା ପାଗଳାମୀ !

 

ଦୀନକୃଷ୍ଣ କଥାଟି ବୁଝିଗଲେ ଓ ସେଥିପାଇଁ ଦୁଃଖ ପ୍ରକାଶ କଲେନି । କାରଣ ସମୟ ଅସମୟରେ ତାଙ୍କର ଏ ପ୍ରକାର ପାଗଳାମୀ ସହଜାତ ଯାହା ପ୍ରଭାବରୁ ତାଙ୍କ ପାଇଁ ମୁକ୍ତି ଅସମ୍ଭବ-। ତେଣୁ ସେ ଖାମଖେୟାଲ ଭାବରେ ସାମାନ୍ୟ ହସିଦେଲେ ଓ ସଂକ୍ଷିପ୍ତ ‘ହଉ’ କହିଦେଇ ସେମାନଙ୍କଠାରୁ ବିଦାୟ ନେଲେ ।

 

ପରବର୍ତ୍ତୀ ଘଟଣାଗୁଡ଼ିକ ଦୀନକୃଷ୍ଣଙ୍କୁ ଅଧିକ ସନ୍ଦିହାନ କଲା । କାରଣ ସେଇ ତରୁଣ–ତରୁଣୀମାନଙ୍କଠାରୁ ଫେରିଆସିବା ପରେ ସେ ଯେଉଁମାନଙ୍କୁ ଭେଟିଲେ ସେମାନେ ପ୍ରାତ୍ୟହିକ ରୋଟିନବନ୍ଧା ଗତାନୁଗତିକ ଜୀବନର ସହକର୍ମୀ । ପ୍ରଜ୍ଞା ନାମକ ଏକ ଆଧୁନିକ ବିଶେଷଣରେ ପ୍ରଜ୍ଵଳ ସେମାନେ; ପୁଣି ସେଇ ବିଶେଷଣଟିକୁ ଏକ ସର୍ବଜନସ୍ଵୀକୃତିରେ ପରିଣତ କରିବା ପାଇଁ ବ୍ୟକ୍ତିଗତ ବ୍ୟବହାର, କଥାବାର୍ତ୍ତା ଚାଲିଚଳଣରେ ପ୍ରାଣାନ୍ତକ ଉଦ୍ୟମ ସେମାନଙ୍କର । ଦୀନକୃଷ୍ଣ ବିଶ୍ୱାସ କରିଥିଲେ ଅନ୍ତତଃ କଞ୍ଚା ଅନୁଭୂତିହୀନ ତରୁଣ–ତରୁଣୀମାନେ ସେଇ ସାମୟିକ ପବନର ମହାତ୍ମ୍ୟ ଅନୁଭବ କରି ପ୍ରକାଶ କରି ପାରୁ ନଥିଲେ ବି, ଏଇ ପ୍ରଜ୍ଞା–ପୁରୁଷମାନେ ଅକସ୍ମାତ ଭାବରେ ଉଲ୍ଲସିତ ହୋଇଥିବେ ଏଇ ଚମକପ୍ରଦ ଅନୁଭବରେ ସମସ୍ତ ଗତାନୁଗତିକ କର୍ମକୁ ଭୁଲି କିଛି ସିଗ୍ରେଟ୍‌କଫିର ଆସର ମଧ୍ୟରେ ତରୁଣୀ ସହକର୍ମୀଙ୍କ ଚତୁପାଶ୍ୱର୍ରେ ଘେରି ଯାଇ ତରଙ୍ଗାୟିତ ହେଉଥବେ ।

 

ଆ…ହାରେ ଦୀନକୃଷ୍ଣ ! ତୋ ନୋଥଡ଼ା ଶରୀରର ଅନ୍ତଃସ୍ଥଳରେ ଯେଉଁ ଅନୁଭବଟି ଆଜି ତୋତେ ଏମିତି ଏକ ହାସ୍ୟାସ୍ପଦ ପରିସ୍ଥିତି ସହିତ ମୁକାବିଲା କରିଦେବା ପାଇଁ ଯାଉଛି, ସେଇ ଅନୁଭବ ପ୍ରଜ୍ଞା–ପୁରୁଷମାନଙ୍କ ଭିତରେ ଥିଲେ ତ ହେଲା ! ପ୍ରଜ୍ଞା ଯେତେବେଳେ ଏଇ ଇଚ୍ଛାକୃତ ଭୂଷଣରେ ପରିଣତ ହୁଏ ଅନୁଭବ ଦୂରେଇ ଯାଏ ବୃଦ୍ଧ ବୟସରେ ତାରୁଣ୍ୟର ସ୍ଵପ୍ନ ପରି । ତୁ ଏବେ କରିବୁ କଣ !

 

ବିବ୍ରତ ଦୀନକୃଷ୍ଣ ଦେଖିଲା ସେ ଲୋକମାନଙ୍କୁ ଓ ନିଃଶବ୍ଦରେ ବସିଗଲା ତରୁଣୀ ସହକର୍ମୀଙ୍କ ନିକଟରେ । କେତେକ ଉଦାସ, ଆଉ କେହି ଜୀବନ୍ତ, କିନ୍ତୁ ସଂପୃକ୍ତ ସାଂପ୍ରତିକ ରାଜନୀତିରେ–ଚେୟାରମେନ ନିର୍ବାଚନରେ ନିର୍ଦ୍ଧିଷ୍ଟ ପ୍ରାର୍ଥୀର ହିସାବ, ଜିତିବା ପ୍ରଶ୍ନ ଉପରେ । ଯେମିତି ଦୁନିଆରେ ଘଟଣା କହିଲେ ଚେୟାରମେନରୁ ଏମ୍. ଏଲ୍: ଏ: ନିର୍ବାଚନ ପର୍ଯ୍ୟନ୍ତ ଓ ସେଥିରେ ବ୍ୟୟ ହେଉଥିବା ଅର୍ଥର ଆନୁପାତିକ ପ୍ରାପ୍ୟ ଜନଗଣର । ଜୀବନଟାକୁ ରୁଦ୍ଧି ଛନ୍ଦି ଟଙ୍କା କେତେଟାକୁ ପୁଟୁଳା ବାନ୍ଧିଦେଲା ପରେ ଥାକ ଥାକ ଶୁଖିଲା କାଠ ଉପରେ ଶୋଇ ଯାଇ ଦେହଟାକୁ ଅଗ୍ନିକୁ ସମପର୍ଣ କରିଦେବାର ଗତାନୁଗତିକ ଜୀବନ ଭିତରେ ଅଜସ୍ର ଗ୍ରୀଷ୍ମ, ବର୍ଷା, କାକର, ବସନ୍ତ ଅତିକ୍ରମ କରି ଯାଉଛି । କଣ ଦାୟ ସେମାନଙ୍କର ଜହ୍ନରାତି କେମିତି ସୌଭାଗ୍ୟ ମିଶ୍ରକୁ ଦିଶିଲା ପ୍ରେମିକାର ଖୋଲାପିଠି ପରି ଅନୁଭବ କରିବାକୁ ।

 

ଦୀନକୃଷ୍ଣ ଅତି ସନ୍ତପଣରେ ତରୁଣୀ ସହକର୍ମୀଙ୍କୁ ଅନୁଧ୍ୟାନ କଲା । ସେ ଖଣ୍ଡିଏ ବିଡ଼ିଆ ପାନକୁ କଳରେ ମୃଦୁ ଚାପ ଦେଉ ଦେଉ କୌଣସି କାବ୍ୟର ପୃଷ୍ଠା ଓଲଟାଉଥିଲେ । ତାଙ୍କ ଆକାଶରଙ୍ଗର ଶାଢ଼ୀ ସହିତ ନିର୍ଲିପ୍ତ ଦୃଷ୍ଟି ଓ କପାଳର ଛୋଟ ସବୁଜ ଟୋପାଟିକୁ ମିଶାଇଦେଲା ପରେ ଲାଗୁଥିଲା ସେହି କେବଳ ଏ ପବନକୁ ଅନୁଭବ କରିଥିବେ । ଅଥଚ ଏଇ ସମୟ ଭିତରେ ସେ ଥରେ ଦୀନକୃଷ୍ଣଙ୍କୁ ଚାହିଁନେଲେ ଓ ପୁନର୍ବାର ପୁସ୍ତକରେ ଆଖି ପକାଇଲା ପରେ ଦୀନକୃଷ୍ଣଙ୍କର ମନେ ହେଲା ସେ କହୁଛନ୍ତି; ଦୁନିଆଁ ତ ଏମିତି ଚାଲିଛି…..ଗ୍ରୀଷ୍ମ ବର୍ଷା କାକର ବସନ୍ତର ଅର୍ଥ କଣ ? ଦେଖନ୍ତୁ ନା ଆପଣଙ୍କ ଚେହେରାକୁ ! ଗୋଦଡ଼ ଗୋଡ଼, ଶରୀର ପ୍ରାଦୁର୍ଭାବରେ ସେମଟା ଦେହ ଉପରେ ପବନର ଶିହରଣ ଅସଙ୍ଗତ କେମିତି…ଭୁଲିଯାନ୍ତୁ ସେ ପବନକୁ ଓ ଗୋଟିଏ ସାମାଜିକ ମଣିଷ ପରି ମିଶାଇ ଦିଅନ୍ତୁ ନିଜକୁ ଚେୟାରମେନ ନିର୍ବାଚନରେ; ପାରିଲେ ଆନୁପାତିକ ଅର୍ଥକୁ ଦୁଇଟି ପରେ ଗଣି କେହି ନ ଜାଣିଲା ପରି ସନ୍ତର୍ପଣରେ ପକେଟରେ ଭରିଦିଅନ୍ତୁ ।

 

ତରୁଣୀଙ୍କ ଉଦାସ ଦୃଷ୍ଟିରେ ହଠାତ୍ କେମିତି ଦୀନକୃଷ୍ଣ କାକୁସ୍ଥ ହୋଇଗଲେ । ତାଙ୍କର ମନେହେଲା ସେଠାରେ ବସିବା ପାଇଁ ସେ ଅନୁପଯୁକ୍ତ ଓ ବସିବା ଫଳରେ ଯେଉଁ ଦୃଶ୍ୟଟି ସୃଷ୍ଟି ହେଉଛି ତାହା ବିରୋଧାତ୍ମକ ଯେମିତି ମରହଟ୍ଟୀ ବୃଦ୍ଧଟି ସହିତ ଆଧୁନିକା ନାତୁଣୀ ଚାଲିଛି ତା’ର ଯୁଗୋପଯୋଗୀ ପୋଷାକ ସହିତ ।

 

ଦୀନକୃଷ୍ଣ ସନ୍ତପର୍ଣରେ ଉଠିଗଲେ କାହାକୁ କିଛି ନ କହି । ତାଙ୍କ ଉଠିଯିବା ଉପରେ କେହି କିଛି ଗୁରୁତ୍ଵ ଆରୋପ କରିନଥିଲେ ହୁଏତ ।

 

ବାହାରକୁ ବାହାରିଗଲା ପରେ ଦୀନକୃଷ୍ଣ କେମିତି ହାଲ୍‌କା ମନେକଲେ । ଆପାତତଃ ତାଙ୍କର ଅନୁଭୂତିକୁ ବୁଝିପାରୁନଥିବା ତାଙ୍କର ପାରିପାର୍ଶ୍ଵିକ ଯାହା ଏପର୍ଯ୍ୟନ୍ତ ତାଙ୍କୁ ଭୂତପରି ମାଡ଼ିବସି ବିବ୍ରତ କରି ପକାଉଥିଲା, ତାହା ସଂପ୍ରତି ତାଙ୍କ ଶରୀର ଓ ମନରୁ ଅବତରି ଗଲା ପରି ସେ ବୋଧ କରୁଛନ୍ତି ।

 

ଦୀନକୃଷ୍ଣ ତାଙ୍କ ଗୋଦଡ଼ ଗୋଡ଼ଟିକୁ ବୋହି ଚାଲୁଥିଲା ବେଳେ ବାହାର ଜଗତ ମିତ୍ର ପରି ମନେହେଲା । ସେ ଦେଖିଲେ ରାସ୍ତା କଡ଼ର ଅସଂପୂର୍ଣ୍ଣ କୋଠାଘର ଉପରେ ପାରା ଯୋଡ଼ିଏ ବସି ଘୁଡ଼ୁରୁ ଘୁଡ଼ୁରୁ ହେଉଛନ୍ତି ଓ ଚଞ୍ଚୁ ସାହାଯ୍ୟରେ ପରସ୍ପରକୁ ମୃଦୁ ଆଘାତ କରୁଛନ୍ତି, ରାସ୍ତାକଡ଼ରେ ହଳଦୀବସନ୍ତଟି ଖଣ୍ଡିଉଡ଼ା ଦେଉଛି, ଉପରେ ପ୍ରକାଣ୍ଡ ସୂର୍ଯ୍ୟ ତାର ନିୟମିତ ଆଲୋକ ଦାନ କରୁଛି ଏବଂ ଏସବୁ ସହିତ ସେ ଦୁଷ୍ଟ ପବନ ଆସି ମଝିରେ ମଝିରେ ଦୀନକୃଷ୍ଣଙ୍କୁ ଛୁଇଁ ଦେଇ ଯାଉଛି ।

 

କେଜାଣି କାହିଁକି ଦୀନକୃଷ୍ଣଙ୍କ ଆଖିରେ‌‌ ଲୁହ‌ ଆସିଗଲା…ସବୁ ତ ଠିକ୍ ଚାଲିଛି । ଜଗତଟା ପାଗଳ ହୋଇଯାଇ ବର୍ତ୍ତମାନ ପରିବେଶକୁ ଗୋଟିଏ ଉତ୍ସବରେ ପରିଣତ କରିଦିଅନ୍ତା । କେମିତି ଗୋଟାଏ ସଂଶୟ ଦୀନକୃଷ୍ଣଙ୍କ ମନକୁ ଆସିଗଲା—ପଶ୍ଚିମରୁ ଦମକାଏ ପବନ ସହିତ ଭାସି ଆସିଥିଲା ଗୋଟାଏ ସମ୍ବାଦ: ଈଶ୍ଵର ମରିଗଲେ । ତାଙ୍କ ଯୁବା ବୟସରେ ଦୀନକୃଷ୍ଣ ଲକ୍ଷ୍ୟ କରିଥିଲେ ଏଠିକା ଲୋକେ ସେ ସମ୍ବାଦରେ ଉଲ୍ଲସିତ ହୋଇ ତାକୁ କାନ୍ଥବାଡ଼ରେ ପ୍ରାଚୀରପତ୍ର ଜରିଆରେ ପ୍ରକାଶ କରିଥିଲେ । ଦୀନକୃଷ୍ଣ ସେତେବେଳେ ବି ଅନୁଭବ କରିଥିଲେ ସମ୍ବାଦଟି କେବଳ ଗୋଟାଏ ସୌଖୀନ୍ ପ୍ରଚାର, ଅନ୍ୟଥା ତାଙ୍କ ମନ୍ଦିର ସିଂହାସନରେ ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ସେମିତି ହସୁଥିଲେ ପରସ୍ପର ଉପରେ ଢଳିପଡ଼ି ଓ କୌତୁକିଆ ଗାଈଟି ତା’ ଜିଭରେ ତାଙ୍କ ପଦ ଲେହନ କରୁଥିଲା । ପୁଣି ସଂଧ୍ୟାବେଳେ ଶଙ୍ଖ–ଘଣ୍ଟା ଧ୍ଵନିରେ ଗାଁର ସମୁଦାୟ ବାୟୁମଣ୍ଡଳ ମୁଖରିତ ହେଉଥିଲା । ଆଜି ହୁଏତ ଧାରଣା ବଦଳି ଯାଇଛି…ସ୍ଵର୍ଗର ସେଇ ଅଦୃଶ୍ୟ ଦେବତାଟି ମର ଶରୀରରେ ଅବତୀର୍ଣ୍ଣ ହୋଇଛନ୍ତି ଏଇ ମର୍ତ୍ତ୍ୟ ଭୁଇଁରେ ବିଭିନ୍ନ ବାବାମାନଙ୍କ ରୂପରେ । ହୁଏତ ପ୍ରଭେଦ ଏତିକି ସେତେବେଳେ ଜେଜେବାପା ଭୋରରୁ ଉଠି କେଉଁ ପୁରୁଣା ଅମଳର ମଠା ଧୋତି ପିନ୍ଧି ତୁଳସୀ–ଚନ୍ଦନ ଭିତରେ ବିଭିନ୍ନ ଔପଚାରିକ ପଦ୍ଧତିରେ ପୂଜାର ଏକ ପାରିବେଶିକ ଧାରଣା ସୃଷ୍ଟି କରି ଶେଷରେ ଘଣ୍ଟାଏ କାଳ ଗୋଟାଏ ଧଳା କନାମୁଣାରେ ହାତ ପୁରାଇ ମାଳଟିକୁ ଶହେ ଆଠ ଥର ଗଣୁଥିଲାବେଳେ ଅନ୍ୟ ସାଙ୍ଗରେ କଥାବାର୍ତ୍ତା କରିପାରୁଥିଲେ । ଆଜି କିନ୍ତୁ ସେ ଉପଚାର ଦୀର୍ଘ ଭଜନରେ ରୂପାନ୍ତରିତ ହେଇଯାଇଛି ଓ ମଠା ଧୋତି ପରିବର୍ତ୍ତେ ପଞ୍ଜାବୀ ପତଲୁନ୍; ପେଣ୍ଟ–ସାର୍ଟ ସବୁ ଚଳୁଛି ।

 

ପଶ୍ଚିମା ହାୱା‌ଟି କିଛି ଆଲୋଡ଼ନ ସୃଷ୍ଟି କରି ଦେଇଛି ସିନା ମୂଳ ସ୍ୱରଟିକୁ ପୋଛି ଦେଇ ପାରିନି ।

 

ସବୁ ଠିକ୍ ଚାଲିବା କଥା, କିନ୍ତୁ ଚାଲୁନି, ଗୋଳମାଳିଆ ହେଇ ଯାଉଛି । ସବୁ ଭେଜାଲ୍ ହେଇଯାଇଛି, ଅନୁଭୂତି ଶୁଦ୍ଧ ହେଇ ପାରୁନି । କେଉଁଠି ତ୍ରୁଟି ରହିଗଲା ।

 

ଏମିତି ଗୁଡ଼ାଏ ଧାରଣା ଭିତରେ ଦୀନକୃଷ୍ଣ ବଜାରର କେନ୍ଦ୍ର ବିନ୍ଦୁରେ ପହଞ୍ଚି ଯାଇଥିଲେ । ଆଉ କେତୋଟି ଫର୍ଲଙ୍ଗ ଗଲେ ତାଙ୍କର କଲୋନୀ ଓ ପ୍ରତିଦିନର ସୁଖ–ଦୁଃଖ, ପରଶ୍ରୀକାତରତ ଅସୂୟା ଜୀବନ ଯାତ୍ରାର ତାଙ୍କର ପରିବେଶ । ସମବେତ ପ୍ରତିବେଶୀ ଅଥଚ ନିଜସ୍ଵ ଚିନ୍ତାଧାରାର କଲୋନୀ ।

 

ସେଇ କେନ୍ଦ୍ରସ୍ଥଳରେ ଟିକେ ଠିଆ ହେଲେ ଦୀନକୃଷ୍ଣ । ଏବଂ ନୀରବରେ ଲକ୍ଷ୍ୟକଲେ ପବନ କାହାକୁ କେମିତି ସ୍ପର୍ଶ କରିଛି କି ନାହିଁ । ଚାରି ପାଞ୍ଚଟା ରିକ୍‌ସା…ରିକ୍‌ସାବାଲାମାନେ ବୈଶାଖର ମଧ୍ୟାହ୍ନ କୁକୁର ପରି ହାଲିଆ ହୋଇ ରିକ୍‌ସା ଭିତରେ ଢୋଳେଇ ପଡ଼ିଛନ୍ତି, କେତୋଟି ଲେମ୍ବୁ, ଅଣ୍ଡା, ଓଉକୁ ଅଖା ପାଳରେ ସଜାଇ ଦେଇ ପାଖରେ ଗ୍ରାମ୍ୟ ସ୍ତ୍ରୀ ଲୋକଟି ଏଣେ ତେଣେ ଚାହୁଁଛି ଯେମିତି ଏଇ କର୍ମଟି ତାର ଇଚ୍ଛାବିରୁଦ୍ଧ । ପୁଣି ଗୋଟିଏ ବତୀଖୁଣ୍ଟକୁ ଆଉଜି ବସିଥିବା ଗ୍ରାମ୍ୟ ଲୋକଟି ବିଡ଼ି ଖଣ୍ଡକୁ ଜୋରକରି ଟାଣୁଥିବା ଅବସ୍ଥାରେ ଅତିଷ୍ଠ ହୋଇ ଲକ୍ଷ୍ୟ କରୁଛି କେମିତି ତା’ର ଛତା ଖଣ୍ଡକୁ ଗାଁ ଗୋଡ଼ରେ ମାଡ଼ିବସି ମିଆଁ ବୁଢ଼ାଟା ଛତାର ଟୋପି ଟାଣ କରି ସରୁ କଣ୍ଟାଟିଏ ପିଟି ଚାଲିଛି । ଏଇ ଗତାନୁଗତିକ ଦୃଶ୍ୟ ଭିତରେ ଦୀନକୃଷ୍ଣ ପବନର ସ୍ପର୍ଶ କିଛି ଅନୁଭବ କଲେନି । ହଠାତ୍ ଦୁଇଟି ଦୃଶ୍ୟ ଦେଖିଲା ପରେ ତାଙ୍କର ମନ ହେଲା ଏଇ ଅନୁଭବ ନିହାତି ଅସ୍ୱାଭାବିକ । ଦୃଶ୍ୟ ଦୁଇଟି ଏହିପରି—ଦୁଇଟି ରିକ୍‌ସାରେ ବୋଝେଇ ହୋଇଛି ବଲ୍‌ଚାର ଓ ସୋୟବିନ୍ ଟିଣ ଏବଂ ଠିକ୍ ସେଇ ବୋଝେଇ ରିକ୍‌ସାର ଅଗ୍ରଭାଗରେ ଦେଉଳର ଚୂଡ଼ା ପରି ଟେରିକଟ୍ ପଞ୍ଜାବୀ ପିନ୍ଧି ଲୋକଟିଏ ସିଗ୍ରେଟ୍ ଟାଣୁଛି ଓ ରିକ୍‌ସାବାଲାକୁ ତାଗିଦ୍ କରୁଛି ଶୀଘ୍ର ଚାଲିବାକୁ ଏବଂ ଅନ୍ୟ ଦୃଶ୍ୟଟି ହେଲା ଦୀନକୃଷ୍ଣ ସାମ୍ନାର କୃଷ୍ଣଚୂଡ଼ା ଗଛ ଓ ଠିକ୍ ତାରି ତଳେ ଚା’ ଦୋକାନଟିଏ ଯେଉଁଠି । ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କର ଭିଡ଼ ଜମେ । ଦୀନକୃଷ୍ଣ ଦେଖିଲେ ଜଣେ ଚନ୍ଦାମୁଣ୍ଡିଆ ବୃଦ୍ଧ ଲୋକ ଗମ୍ଭୀର ହୋଇ ବସିଛନ୍ତି ଓ ଯେମିତି କିଛି ଚିନ୍ତା କରୁଛନ୍ତି, ଅଥଚ ତାଙ୍କୁ ବୃତ୍ତାକାରରେ ଘେରିବସିଥିବା ବ୍ୟକ୍ତିମାନେ ତାଙ୍କ ଚିନ୍ତାର ଫଳାଫଳକୁ ଆଗ୍ରହରେ ଅପେକ୍ଷା କରିଛନ୍ତି । ଦୃଶ୍ୟଟି ଦୀନକୃଷ୍ଣଙ୍କୁ ରହସ୍ୟମୟ ମନେହେଲା କେବଳ ତା’ ପଛରେ ଆସନ୍ନ ନିଷ୍ପତ୍ତିର ସୂଚନା ଅଛି ବୋଲି । ଦୀନକୃଷ୍ଣ ବି ସେଇ ନିଷ୍ପତ୍ତି ପାଇଁ କିଛି ସମୟ ନିର୍ବାକ ହୋଇଗଲେ ଓ ପରେ ପରେ ଦେଖିଲେ ବୃଦ୍ଧଙ୍କର ମୁଖଭଙ୍ଗୀର ସାମାନ୍ୟ ଜାଣୁଥିଲେ ମି. ପ୍ରସାଦ ତାଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମରୁ କିଛି ସ୍ଵତନ୍ତ୍ର ସମୟ ନିଅନ୍ତି ତାଙ୍କ ଅଫିସ ଯିବା ପ୍ରସ୍ତୁତିରେ । ସେଦିନ ସେ ଅସ୍ୱାଭାବିକ ଥିଲେ ଏବଂ ଘରର ଅନ୍ୟମାନଙ୍କ ଧାରଣାରେ ତାଙ୍କ ପ୍ରସ୍ତୁତ ପର୍ବ ଭିତରେ ବନ୍ଧୁକର ଶବ୍ଦ ସମସ୍ତଙ୍କୁ ବିସ୍ମିତ କରିଥିଲା ଓ ପରେ ପରେ ଯେଉଁ ଦୃଶ୍ୟକୁ ଘରଲୋକଙ୍କ ଠାରୁ ଅଫିସର କେତେକ କର୍ମଚାରୀ ପ୍ରତ୍ୟକ୍ଷ କଲେ ତାହା ବଡ଼ ବୀଭିତ୍ସ ଓ ଭୟଙ୍କର । ମି:‌ ପ୍ରସାଦ ତାଙ୍କ ପଢ଼ା ଟେବୁଲ ର ବେକ ଭାଙ୍ଗି ଶୋଇଯାଇଥିଲେ ଯଦିଓ ବନ୍ଧୁକଟି ସ୍ଵାଭାବିକ ରୀତିରେ ତାଙ୍କ ହାତମୁଠାରେ ଦୃଢ଼ ଥିଲା । କିଛି ରକ୍ତ ଟେବୁଲ ଉପରେ ଗଡ଼ି ଆସି ଚଟାଣର କାର୍ପେଟକୁ ଲାଲ କରି ଦେଇଥିଲା ।

 

ବନ୍ଧୁକ ସହିତ ଖେଳିବା ମି: ପ୍ରସାଦଙ୍କର ଗୋଟାଏ ହବି । ହୁଏତ ଏଇ ଖେଳରୁ ଦୁର୍ଘଟଣା ଘଟିଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ।

 

ଆଗ୍ରହର ଦ୍ଵିତୀୟ ପର୍ଯ୍ୟାୟ :

 

ଅନ୍ତତଃ ଏକ ସାମୟିକ ଉତ୍ତେଜନା ପାଇଁ ଏମିତି ସିଦ୍ଧାନ୍ତ ନିଆଯାଇପାରେ ଯେ ମି: ପ୍ରସାଦଙ୍କ ଏବଂବିଧ ମୃତ୍ୟୁ ଇଚ୍ଛାକୃତ ଆତ୍ମହତ୍ୟା ଓ ବିଶେଷ କରି ଏହା ପ୍ରେମଜନିତ । ଲୋକମାନଙ୍କର ଏଇ ଧାରଣାକୁ ଅଧିକ ସକ୍ରିୟ କରୁଥିଲେ ସମ୍ବାଦପତ୍ରରେ ପୋଲିସ ଅନୁସନ୍ଧାନର ପରବର୍ତ୍ତୀ ବିବରଣୀ ଗୁଡ଼ିକ । ଘଟଣାଟିର ସତ୍ୟାସତ୍ୟ ବୁଝିବା ପାଇଁ ପୋଲିସ ଅବଶ୍ୟ ଅନେକ ସୂତ୍ର ସହିତ ଯୋଗାଯୋଗ ସ୍ଥାପନ କରିଥିଲେ; କିନ୍ତୁ ସହର ଲୋକଙ୍କ ପାଇଁ ଦୁଇଟି ଚରିତ୍ରଙ୍କର ମତାମତ ଗୁରୁତ୍ୱପୂର୍ଣ୍ଣ ଥିଲା ଓ ସେ ଦୁଇ ଜଣ ହେଲେ ମି. ପ୍ରସାଦଙ୍କର ବିଧବା ପତ୍ନୀ ଏବଂ ତାଙ୍କର ଷ୍ଟେନୋ କୁମାରୀ ଲୀନା ।

 

ମସେସ୍ ପ୍ରସାଦଙ୍କ ବକ୍ତବ୍ୟ

 

ମି. ପ୍ରସାଦ ଅତିମାତ୍ରାରେ ସ୍ନେହୀ ସ୍ୱାମୀଟିଏ ଥିଲେ । ତାଙ୍କୁ ସେ ପୂର୍ଣ୍ଣ ପ୍ରେମ ଦେଉଥିଲା, ତାଙ୍କୁ ଅନ୍ୟମାନଙ୍କ ଭିତରେ ଗୋଟାଏ ସ୍ଵତନ୍ତ୍ର ଷ୍ଟାଟସ୍ ଦେବାପାଇଁ ସବୁ ପ୍ରକାର ଉଦ୍ୟମ କରୁଥିଲେ । ମି. ପ୍ରସାଦଙ୍କର ଇଚ୍ଛା ଥିଲା ତାଙ୍କୁ କାଚ ଆଲମିରାର ଗୋଟିଏ ଲୋଭନୀୟ କଣ୍ଢେଇ କିମ୍ବା ପଞ୍ଜୁରୀର ଗୋଟିଏ ବାରମାସୀ ଚଢେ଼ଇ ପରି ସଜାଇ ରଖିବାକୁ; ଯେ ଭିନ୍ନ ଋତୁରେ ନିଜର ରଙ୍ଗ ପରିବର୍ତ୍ତନ କରୁଥିବ ଓ ଜଣେ ମୁଗ୍‌ଧ ଦର୍ଶକ ପରି ସେ କେବଳ ଅନୁଭବ କରୁଥିବେ ନିକଟରୁ ଓ ଦୂରରୁ ।

 

ଏସବୁ ସତ୍ତ୍ୱେ ଅନେକ ସମୟରେ ମି: ପ୍ରାସାଦଙ୍କର ଜୀବନରେ କେତେକ ବ୍ୟତିକ୍ରମ ତାଙ୍କୁ ବଡ଼ ଅସ୍ଵାଭାବିକ ମନେହୁଏ । ଦିନେ ଦିନେ ତାଙ୍କ ମନକୁ କ’ଣ ଆସେ କେଜାଣି, ସେ ଠିଆ ହେଇପଡ଼ନ୍ତି ଲନର ଗୋଲାପଗଛ ନିକଟରେ । କ୍ରମେ କେମିତି ସମ୍ମୋହିତ ହୋଇପଡ଼ନ୍ତି ଓ ଫୁଲଟିକୁ ଦୁଇ ହାତରେ ଧରି ନେଇ ଏକ ନିବିଡ଼ ତନ୍ମୟତାରେ ଛନ୍ଦି ହୋଇପଡ଼ନ୍ତି । ତା’ପରେ ସେ ଅବଶ ମନେ ହୁଅନ୍ତି ଓ ଅନ୍ଧାର ଆସିବା ପର୍ଯ୍ୟନ୍ତ ଲନ୍ ର ଘୂରି ବୁଲନ୍ତି କାହାକୁ କିଛି ନ କହି । ଆଉ କେବେ ଉଦାସ ଉଦାସ ଭାବ ନେଇ ଅଫିସରୁ ଫେରନ୍ତି । ବାରଣ୍ଡାର ଚୌକିରେ ବସି ରହି ଝାପ୍‌ସା ଦିଶୁଥିବା ପାହାଡ଼ କିମ୍ବା ସନ୍ଧ୍ୟା ଆକାଶରେ ଜହ୍ନ ଉପରେ ଆଖି ରଖି ଚୁପ୍‌ଚାପ୍ ରହିଯିବେ କିଛି ସମୟ; ସେତେବେଳେ ଘରଲୋକ ସାହସ କରି କିଛି କଥାବାର୍ତ୍ତା କରନ୍ତି ନାହିଁ । ବରଂ ଇଚ୍ଛା ହେଲେ ତାଙ୍କ ପୋଷା କୁକୁରକୁ ଧରି କ’ଣ ଯେମିତି କଥାବାର୍ତ୍ତା କରନ୍ତି ତା’ ସହିତ…ବାସ୍ । ପୁଣି କେତେବେଳେ ପାଗଳଙ୍କ ପରି ଶୀତ ରାତିରେ ବିଛଣାରୁ ଉଠିଯିବେ ଓ ଖୋଲା ଦେହରେ ଟାୱେଲ୍‌ଟା ବେଢ଼ାଇ ଦେଇ ଘୂରି ଘୁରି ଫେରିବେ ଠିକ୍ ସକାଳୁ ସକାଳୁ ।

 

ଏମିତି ଅଦ୍ଭୁତ ନିଶା ସମୟ ସମୟରେ ମିସେସ୍ ପ୍ରସାଦଙ୍କୁ ଧାରଣା ଦିଏ ଯେ ମି: ପ୍ରସାଦ ଜଣେ ଏବ୍‌ନରମାଲ୍ ବ୍ୟକ୍ତି । ବାହାର ଲୋକଙ୍କୁ ପାଇଁ ତାଙ୍କର ଯେଉଁ ମନ୍ତବ୍ୟ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ସେଇଟା ହେଲା ମି: ପ୍ରସାଦଙ୍କର ସୁନ୍ଦରୀ ନାରୀମାନଙ୍କ ପ୍ରତି ପ୍ରବଣତା ।

 

ଶେଷରେ ମିସେସ୍ ପ୍ରସାଦ କେତୋଟି କଥା ଉପରେ ଗୁରୁତ୍ଵ ଦେଇଥିଲେ: ଘଟଣାଟି ଘଟିବାର କିଛିଦିନ ପୂର୍ବରୁ ମି: ପ୍ରସାଦ କ୍ରମେ ଅନ୍ୟମନସ୍କ ହୋଇପଡୁ଼ଥିଲେ ଓ ଠିକ୍ ପୂର୍ବ ଦିନ ରାତିରେ ନିବିଡ଼ ଆଲିଙ୍ଗନ ଭିତରେ ମିସେସ୍ ପ୍ରସାଦଙ୍କୁ କିଛି କହିବାକୁ ମନ କରୁଥିଲେ—ସେତେବେଳେ ତାଙ୍କ ଆଖି ଦୁଇଟିରେ ଅସହାୟ ଭାବ ସ୍ପଷ୍ଟ ଥିଲା । ତା’ପରେ ହଠାତ୍ ବିଛଣାରୁ ଉଠିପଡ଼ିଲେ ଓ ଝରକାଦେଇ ବାହରର ଅନ୍ଧାକାରକୁ ଗୋଟାଏ ବ୍ଲାଙ୍କ ପାୟର କଲେ ଏବଂ ବନ୍ଧୁକଟି ଷ୍ଟାଣ୍ଡ୍‌ରେ ଥୋଇଦେଇ ପୁନର୍ବାର

Image

 

Unknown

ଭାବକୁ ନିକଟ ସେ ଯେ !

 

ଏକ ଗତାନୁଗତିକ, ନିଷ୍କ୍ରିୟ ଜୀବନକୁ କିଛି ସମୟ ପାଇଁ ଆଲୋଡ଼ିତ କରିବା ପାଇଁ ସମ୍ବାଦଟିରେ ପ୍ରଚୁର ଉପାଦାନ ଥିଲା । ସକାଳର ହକର ସମ୍ବାଦଟିକୁ ନେଇ କିଛି ଉତ୍ତେଜନା ପ୍ରକାଶ କରୁଥିଲା ନୁହେଁ, ବରଂ ତା ସାଇକେଲଟିକୁ ମନ୍ଥର କରି ନିର୍ଦ୍ଦିଷ୍ଟ କ୍ୱାର୍ଟରମାନଙ୍କରେ କାଗଜଟିକୁ ମୋଡ଼ି ମାଡ଼ି ଫିଙ୍ଗି ଦେଲା ବେଳେ ଚମକପ୍ରଦ ସମ୍ବାଦଟିକୁ କାଗଜରୁ ପଢ଼ି ବୁଝିବାର ଧୈର୍ଯ୍ୟ ହରାଇ ଗୃହସ୍ୱାମୀ/କର୍ତ୍ତ୍ରୀ ତା’ ମୁହଁରୁ ସମ୍ୱାଦଟିର ବିଶେଷ ବିବରଣୀ ଶୁଣିବା ପାଇଁ ଆଗ୍ରହରେ ଗେଟ୍‌ପାଖକୁ ଚାଲିଗଲାବେଳେ ସେ ପରବର୍ତ୍ତୀ କ୍ୱାର୍ଟର ସାମ୍ନାରେ ଅନୁରୂପ ଦୃଶ୍ୟ ଓ ତତ୍‌ପରତା ପ୍ରକାଶ କରି କ୍ରମେ ଦୂରକୁ ଚାଲି ଯାଉଥାଏ । ଏବଂ ଏକ ଚାଲିଯିବା ଭିତରେ ସେ ହକରଟି ଯେମିତି ଏକ ସାହାଡ଼ା ସମାନରୂପ ବିଶିଷ୍ଟ କ୍ୱାର୍ଟରମାନଙ୍କ ସାମ୍ନାରେ ଗୋଟିଏ ନିର୍ଦ୍ଦିଷ୍ଟ ଛବି ଆଙ୍କିଦେଇଗଲା । ଗତ ରାତିରେ ଏକାନ୍ତ ନିଜସ୍ୱ ଗୋପନୀୟ ଜୀବନକୁ ଭୁଲିଯାଇ ସକାଳୁ ସକାଳୁ ଅବ୍ୟବସ୍ଥିତ ଶରୀର ଓ ମନ ନେଇ ଯେଉଁ ଗୃହସ୍ୱାମୀ/କର୍ତ୍ତ୍ରୀମାନେ ବୈଠକଖାନାର ଆଭିଜାତ୍ୟରେ ନିଜକୁ ସାମିଲ କରି କପେ କଫି କିମ୍ବା ଚା ସହିତ ଖବରକାଗଜ ପୃଷ୍ଠାମାନଙ୍କ ମଧ୍ୟ ଦେଇ ସର୍ବସାଧାରଣ ଜୀବନରେ ମିଶିଯିବା ପାଇଁ ସେ ଦିନର ପ୍ରାଥମିକ ପ୍ରସ୍ତୁତି କରନ୍ତି, ସେମାନେ ଏସବୁ ଗତାନୁଗତିକ କାର୍ଯ୍ୟକ୍ରମ ଭୁଲି ଯିଏ ଯେଉଁ ଅବସ୍ଥାରେ ଥିଲେ, ହକରର ଚମକପ୍ରଦ ସମ୍ବାଦ ପରିବେଷଣରେ, ସେଇ ଅବସ୍ଥାକୁ ଆଦରି ନେଇ ନିଜ ନିଜର ଗାର୍ଡନ୍‌ମାନଙ୍କରେ ସମ୍ବାଦଟିକୁ ଆମୂଳଚୂଳ ପଢ଼ିଗଲେ ଓ ପରେ ପରେ ଅନ୍ୟ ସମ୍ବାଦଗୁଡ଼ିକୁ ଗୌଣ ମନେକରି କେହି ଉପରକୁ ଚାହିଁ ଘଟଣାଟି ପଛରେ ଥିବା ରହସ୍ୟକୁ ଉନ୍ମୋଚନ କରିବାର ବାଟ ଖୋଜିଲା, କେହି ବା ହାତରେ କାଗଜଟିକୁ ଝୁଲାଇଦେଇ ତଳକୁ ଝୁଙ୍କି ପଡ଼ିଥିବା ଭାରାକ୍ରାନ୍ତ ମୁଣ୍ଡରେ ଆଙ୍ଗୁଳିରେ ଟିକା ମାରୁମାରୁ ସମ୍ୱାଦଟିରେ ବିସ୍ମୟ ପ୍ରକାଶ କରୁଥିଲା ଓ ଆଉ କେତେକ ଯଥାସମ୍ଭବ ସମ୍ୱାଦଟିର ଗୁରୁତ୍ୱରୁ ମୁକ୍ତ ହେଇଯିବା ପାଇଁ ବାରଚୁଡ଼ ଓୟାରର ସୀମା ନିକଟରେ ପ୍ରତିବେଶୀ ସହିତ ଉତ୍ତେଜନାମୟ ଆଲୋଚନାରେ ବ୍ୟସ୍ତ ।

 

ସମ୍ବାଦଟି ନେଇ ସକାଳର ସହର ହଠାତ୍‌ ଏକ ସଜୀବ ସକ୍ରିୟତାରେ ଚଞ୍ଚଳ ହୋଇ ଉଠିଲା । କାରଣ ଘଟଣାଟିର ସମ୍ବନ୍ଧ ସେହି ସହର ସହିତ ସଂପୃକ୍ତ ଯେହେତୁ ସହରଠାରୁ ଅଳ୍ପ କେତେ କିଲୋମିଟର ବ୍ୟବଧାନର କୌଣସି ଶାଖା ଅଫିସରେ ଏହା ଘଟିଥିଲା ଏବଂ ପ୍ରତ୍ୟେକଟି ବ୍ୟକ୍ତି ସେହି ଘଟଣା ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ଠିକ୍‌ ରୂପେ ଚିହ୍ନି ନ ଥିଲେ ବି ତାଙ୍କର ପଦବୀ ଗୋଟାଏ ସାଧାରଣ ପରିଚୟ ସୃଷ୍ଟି କରିଥିଲା ସେଇ ସହରର ଲୋକମାନଙ୍କ ପାଇଁ ।

 

ଘଟଣାଟି ଘଟିଥିଲା ପୂର୍ବଦିନ ପୂର୍ବାହ୍ନ ଦଶଟା ତିରିଶ ମିନିଟରେ ଯେତେବେଳେ ପୋଷାକୀ ସହରର ଲୋକମାନେ ସେମାନଙ୍କର ଆନୁପାତିକ ପଦବୀମାନଙ୍କୁ ନେଇ ଏକ ନିଜସ୍ୱ ଅହଂରେ ନିଜକୁ ଆବିଷ୍କାର କରନ୍ତି ଏବଂ ସେହି ଅନୁଭବଟିକୁ ଦିନ ଚାରିଟା ପର୍ଯ୍ୟନ୍ତ ବଞ୍ଚାଇ ରଖନ୍ତି-। ଅଥଚ ସେଇ ଅହଂବୋଧ ତାଙ୍କ ପାଇଁ ଗୋଟାଏ ବୋଝ ଥିଲା କି କଣ, ଫଳରେ କ୍ୱାର୍ଜ ଏଣ୍ଡ୍‌ କେ-: ଶାଖା ଅଫିସର ଜେନେରାଲ ମେନେଜର ମି. ପ୍ରସାଦ ନିଜ ଦୁଇନଳିଆ ବନ୍ଧୁକ ଫୁଟାଇ ସେଇ ବୋଝରୁ ମୁକ୍ତ ହେଲେ ଯେମିତି !

 

ବାସ୍‌, ଘଟଣାଟିର ପୂର୍ଣ୍ଣଚ୍ଛେଦ ସେତିକିରେ ପଡ଼ିଥିଲେ ଲୋକମାନଙ୍କର ବିଶେଷ କିଛି କ୍ଷତି ହେଇ ନ ଥାନ୍ତା । ଏମିତି ଅନେକ ଘଟଣା ଦୁର୍ଘଟଣା ଘଟୁଛି ପ୍ରତି ମୂହୁର୍ତ୍ତରେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ, କେଉଁଠି ଚାଞ୍ଚଲ୍ୟ ଅଛି, ନାହିଁ । କିନ୍ତୁ ଏଇ ଘଟଣାଟି ପଛରେ କିଛି ବିଶେଷତ୍ୱ ଥିଲା, ଫଳରେ କେବଳ ସେଇ ସକାଳଟି ନୁହେଁ, ପରବର୍ତ୍ତୀ ଦିନମାନଙ୍କରେ ପ୍ରତ୍ୟେକ ସକାଳର ହକର ଡାକକୁ ସେ ସହରର ଲୋକମାନେ ଉଦ୍‌ଗ୍ରୀବ ହୋଇ ଚାହିଁ ରହିଲେ ।

 

ଆଗ୍ରହର ପ୍ରଥମ ପର୍ଯ୍ୟାୟ :

 

ଏହା ଏକ ଦୁର୍ଘଟଣା କିମ୍ବା ଇଚ୍ଛାକୃତ ଆତ୍ମହତ୍ୟା, ଏ ସମ୍ପର୍କରେ ସମ୍ବାଦପତ୍ରର ବିବରଣୀ ସଂଶୟଚ୍ଛନ୍ନ ଥିଲା–ଯେହେତୁ କେବଳ ଲୋକମାନେ ପରିବର୍ତ୍ତନ ଘଟୁଛି ମାଇକ୍‌ଟି ସଙ୍ଗୀତ ପରିବେଷଣ କରିବା ପୂର୍ବରୁ କୁଁ–କାଁ ହେଲାପରି । ବୃଦ୍ଧ ପାଟି ଖୋଲିଲେ ଏବଂ ଯେଉଁ ଶବ୍ଦଗୁଡ଼ିକ ପ୍ରକାଶିତ ହେଲା ସେଥିରୁ ଅର୍ଥ ବାହାରିଲା ଯେଉଁ ପ୍ରାର୍ଥୀଙ୍କ ସପକ୍ଷରେ ସର୍ବାଧିକ କର୍ମୀ ମତ ଦେବେ ସେ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବେ ।

 

ଦୀନକୃଷ୍ଣ ସକ୍ରିୟ ହେଲେ ଓ ନିଜେ ଗୋଟିଏ ନିଷ୍ପତ୍ତିରେ ପହଞ୍ଚିଲେ, ଯେଉଁ ପବନ ଆଜି ତାଙ୍କୁ ବିବ୍ରତ କରିଦେଲା ସେ ବସ୍ତୁ ଜଗତର କେଉଁ କେଉଁ ସ୍ଥାନମାନଙ୍କରେ ଅଟକି ଯାଉଛି ହୁଏତ ! ତାଙ୍କର ମନେହେଲା ମନୁଷ୍ୟ ନାମକ ପ୍ରାଣୀମାନେ ପଶ୍ଚିମା ହାଓ୍ୟାରେ ନିଜର ମୌଳିକ ଆଖିଟିକୁ ଭୁଲିଯାଇ ଯନ୍ତ୍ର–ମଣିଷରେ ରୂପାନ୍ତରିତ ହୋଇ ଯାଇଛନ୍ତି ଏବଂ କଣ୍ଢେଇ ନାଚର ପିତୁଳାମାନଙ୍କ ପରି ସ୍ୱୟଂଚାଳିତ ।

 

ଦୀନକୃଷ୍ଣ ଆଉ ସମୟ ନଷ୍ଟ କଲେନି । ତରବରରେ ତାଙ୍କର ସେଇ ପୁରାତନ ବାସସ୍ଥଳୀ କଲୋନୀ ଆଡ଼େ ଚାଲିଲେ । ଏବଂ ଏଇ ସମୟ ଭିତରେ ତାଙ୍କ ଧାରଣାରେ ସେ ଗୋଟିଏ କଥା ସ୍ଥିର କରି ନେଉଥିଲେ, ସମସ୍ତ ଜଗତ କଣ୍ଢେଇ ଖେଳର ପିତୁଳାରେ ପରିଣତ ହୁଅନ୍ତୁ ବରଂ ଘରେ କିନ୍ତୁ ତାଙ୍କର ଧର୍ମପତ୍ନୀ ବାଲ୍‌କୋନୀରେ ପବନକୁ ଉପଭୋଗ କରୁଥିଲେ ଓ ଗୋଟାଏ ଅଶ୍ୱସ୍ତିକର ଯନ୍ତ୍ରଣାରେ ଉଃ... ଆଃ ହୋଇ ଦୀନକୃଷ୍ଣ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରୁଥିବେ-

 

ଦୀନକୃଷ୍ଣ କଲୋନୀରେ ପହଞ୍ଚିଗଲେ ଓ ସେ ବିସ୍ମିତ ହେଲେ ସମୁଦାୟ କଲୋନୀଟି ଏକ ବିଷଣ୍ଣ ନିରବତାରେ ଆଚ୍ଛାଦିତ । ସେ ଜଣେ ଅବସନ୍ନ ଲୋକପରି ଷ୍ଟେୟାରକେଶ୍‍ ଦେଇ ଢଳି ଢଳି ଦି ମହଲାରେ ପହଞ୍ଚିଲେ ଓ ଦୀର୍ଘ ସମୟ ଧରି କବାଟରେ ଶବ୍ଦ କରି ନିଜର ଉପସ୍ଥିତି ଘୋଷଣା କଲେ ।

 

ଧର୍ମପତ୍ନୀ ବୋଧହୁଏ ଶୋଇ ଯାଇଥିଲେ । କ୍ରମାଗତ ଶବ୍ଦ ପରେ ସେ କୁନ୍ଥେଇବାର ସୂଚନା ସହିତ କବାଟ ଖୋଲିଲେ । ପରେ ଦୀନକୃଷ୍ଣ ଭିତରକୁ ଗଲେ ଓ ପଛକୁ ବୁଲିପଡ଼ି ନିଦକୁ ପୁନର୍ବାର ମଡ଼େଇ ନେବା ଧାରଣାରେ ଥିବା ଧର୍ମପତ୍ନୀକୁ ଧରିନେଲେ । ସେ ବିସ୍ମିତ ହେଲେ ଓ ଫେରିପଡ଼ି ଦୀନକୃଷ୍ଣଙ୍କୁ ଚାହିଁଲାବେଳେ ଦୀନକୃଷ୍ଣ କେମିତି ଅସହାୟ ଭାବରେ ପ୍ରଶ୍ନକଲେ ! ଏଇ କେତେ ଘଣ୍ଟା ପୂର୍ବରୁ ପୃଥିବୀକୁ ଦମକାଏ ନୂଆ ପବନ ଆସିଥିଲା, ଅନୁଭବ କଲ !

 

ଧର୍ମପତ୍ନୀ ନିର୍ବାକ୍‌ ହୋଇ ଚାହିଁଥିଲେ କେବଳ । ପବନ...ପବନ ମୁଁ... ବିବ୍ରତ ହେଇ କହୁଥିଲେ ଦୀନକୃଷ୍ଣ । କିଛି କିଛି ବୋଧଗମ୍ୟ ହେବା ଭଙ୍ଗୀରେ ଧର୍ମପତ୍ନୀ ଉତ୍ତର ଦେଲେ : ଆସିଥିବ, ମୁଁ ତ କବାଟଝରକା ବନ୍ଦକରି ଶୋଇଥିଲି ।

 

ଦୀନକୃଷ୍ଣଙ୍କ ବନ୍ଧନ ହୁଗୁଳିଗଲା ଓ ତାଙ୍କ ନିୟନ୍ତ୍ରଣରୁ ମୁକ୍ତହୋଇ ଧର୍ମପତ୍ନୀ ଚାଲିଗଲେ ବିଛଣାକୁ । ଦୀନକୃଷ୍ଣ ବୈଠକଖାନାକୁ ପଶିଲେ । କବାଟ ଝରକା ଖୋଲିଦେଲେ ଓ ସେ ଅକସ୍ମାତ୍‌ ଆଲୋକରେ ସେଲ୍‌ଫର ଉପର ଥାକରେ ଦେଖିଲେ ଠାକୁରଙ୍କ ଫଟୋକୁ । ନିର୍ଲିପ୍ତ । ମଉଳି ଯାଇଥିବା ଫୁଲ ସହିତ ସେ ଫଟୋର ବିଗ୍ରହଙ୍କ ଚିତ୍ର । ଅଗରବତୀ ଜଳି ଜଳି ତାର ଛାଇକୁ ଛାଡ଼ିଯାଇଛି, ଯେମିତି ଜୀବନ ଶୂନ୍ୟ ହେଇ ଲଇଁପଡ଼ିଛି । ଚିତ୍ର ଓ ପରିବେଶ ଦୀନକୃଷ୍ଣର ସାଂପ୍ରତିକ ଅନୁଭବ ।

 

ଦୀନକୃଷ୍ଣ ନିର୍ବିକାର ଭାବରେ ଫଟୋଟିକୁ ଚାହିଁଥିଲେ । କ୍ରମେ ତାଙ୍କର ଡୋଳା ଠାକୁରଙ୍କ ଚକାଚକା କଳାଡ଼ୋଳାରେ ସ୍ଥିର ହୋଇଗଲା...ଦୀନକୃଷ୍ଣ ହଜିଯାଉଛି...ଦୋହଲି ଯାଉଛି । ତରଳି ଯାଉଛି...ଏବଂ ଦୀନକୃଷ୍ଣ କିଏ ବୋଲି ନିଜକୁ ଆବିଷ୍କାର କରିପାରୁନି ।

 

ପୁଣି ନିଜକୁ ଆବିଷ୍କାର କଲାବେଳେ ସେ ଦେଖିଛନ୍ତି ସାଧାରଣ ଫଟୋଟିଏ ମଉଳା ଫୁଲର ଧୂପ–ଛାଇରେ କି ଉଦାସ...ବୋଧହୁଏ ଠାକୁର ଅପାତତଃ ବିଶ୍ରାମ ନେଇଛନ୍ତି ।

 

ଆଶ୍ୱସ୍ତ ଦୀନକୃଷ୍ଣ ଶୋଇଯାଇଥିବ ପରେ ହୁଏତ ।

 

ମିସେସ୍‌ ପ୍ରସାଦଙ୍କୁ ଜାବୁଡ଼ି ଧରି ପ୍ରଶ୍ନ କଲେ....ବଞ୍ଚିବା ମରିବାଟା କଣ ଗୋଟାଏ ପ୍ରକାରର ଅନୁଭୂତି ?

 

ସେ ଏମିତି ଏକ ଆକସ୍ମିତ ପ୍ରଶ୍ନ ପାଇଁ ପ୍ରସ୍ତୁତ ନ ଥିଲେ ଏବଂ ସେ ବାଜେକଥା ଉପରେ ଗୁରୁତ୍ୱ ନ ଦେଇ ତାଙ୍କୁ ଶୋଇପଡ଼ିବା ପାଇଁ ନିଜ ଦେହରେ ଜଡ଼ାଇ ନେଇଥିଲେ ।

 

ମିସ୍‌ ଲୀନା ସମ୍ପର୍କରେ :

 

ମି.ପ୍ରସାଦଙ୍କ ଚାକିରି ଜୀବନରେ ଲୀନା ଚତୁର୍ଥ ଲେଡ଼ି ଷ୍ଟେନୋ । ସେ ସମୟକ୍ରମେ ଅନ୍ୟ ତିନି ଜଣଙ୍କୁ ଅନ୍ୟ ବିଭାଗମାନଙ୍କୁ ବଦଳି କରାଇ ଦେଇଥିଲେ । ଲୀନା ଖୁବ୍‌ ଆର୍ଟିଷ୍ଟିକ୍‌ ବୋଲି ତା ମୁହଁରେ ମି.ପ୍ରସାଦ ଅନେକ ଥର ପ୍ରଶଂସା କରିଛନ୍ତି ଓ ଟୁର୍‌ମାନଙ୍କରେ ପି.ଏ ପରିବର୍ତ୍ତେ ସେ ତାଙ୍କୁ କେବଳ ସାଙ୍ଗରେ ନିଅନ୍ତି । ଅଫ୍‌ ଆୱାରରେ ଲୀନାକୁ ସାମ୍ନାରେ ବସାଇ ଘଣ୍ଟା ଘଣ୍ଟା ଗଳ୍ପ କମେଇବା ମି.ପ୍ରସାଦଙ୍କର ଗୋଟାଏ ସଉକ ଏବଂ ସେଇ ଭିତରେ ସେ ଡ୍ରିଙ୍କ୍‌ କରନ୍ତି ଓ ଏତେ ପରିମାଣରେ ଯେ ଶେଷରେ ଲୀନା ତାଙ୍କୁ କୌଣସି ପ୍ରକାର ବିଛଣାକୁ ନେଇଯାଏ ।

 

ଅଥଚ ସେମାନଙ୍କର ଦୈହିକ ସଂପର୍କ ନେଇ ଲୀନା ନୀରବ ରହିଥିଲା । (ସହରର ଲୋକଙ୍କ ପାଇଁ ଏଇଟା ଅବଶୋଷର କଥା ଥିଲା) । ତେବେ ଗୋଟାଏ ନିର୍ଦ୍ଦିଷ୍ଟ ସନ୍ଧ୍ୟାର ଘଟଣାକୁ ନେଇ ଲୋକମାନେ ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ମି: ପ୍ରସାଦଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ, ଆତ୍ମହତ୍ୟା; ତାହା ପୁଣି ସଂପୂର୍ଣ୍ଣ ଭାବରେ ପ୍ରେମ କାରବାରକୁ କେନ୍ଦ୍ରକରି ।

 

ସେଦିନ ଗୋଟାଏ ଜଙ୍ଗଲ ଅଞ୍ଚଳକୁ ମି: ପ୍ରସାଦଙ୍କର ଟୁର ପ୍ରୋଗ୍ରାମ୍‌ ଥିଲା । ଠିକ୍‌ ସଂଧ୍ୟାରେ ସେମାନେ ନିର୍ଦ୍ଦିଷ୍ଟ ବଂଲୋରେ ପହଞ୍ଚିଲେ । ବଂଲୋଟି ଗୋଟାଏ ପାହାଡ଼ ଉପରେ ଓ ତାର ପାଦଦେଶକୁ ଲାଗି ଶାଳର ଅରଣ୍ୟ । ସେଇ ଅରଣ୍ୟର କେଉଁଠି କେମିତି ଆଦିବାସୀ ବସ୍ତି ଗୋଟିଏ ଗୋଟିଏ ।

 

ସନ୍ଧ୍ୟା କ୍ରମେ ଘନେଇ ଆସିଲା ଓ ହଠାତ୍‌ ସେଇ ଶାଳବଣ ଭିତରୁ ମାଦଳର ଐକ୍ୟତାନ ସହିତ ଆଦିବାସୀ ସଙ୍ଗୀତର ମୂର୍ଚ୍ଛନା ଭାସି ଆସିଲା ଧୀର ପବନରେ । ସେତେବେଳେ ମି: ପ୍ରସାଦ ଖଣ୍ଡିଏ ବେତ ଚୌକିରେ ରିଲାକ୍‌ସ କରୁଥିଲେ ଓ ଲୀନା ସାମାନ୍ୟ ଦୂରରେ ଠିଆହୋଇ ବନ ପ୍ରକୃତିରେ ନିଜକୁ ହଜାଇ ଦେଇଥିଲା । ମି: ପ୍ରସାଦ କେମିତି ଅନ୍ୟମନସ୍କ ହୋଇଗଲେ ଓ ପରେ ପରେ ଚୁପ୍‌ଚାପ୍‌ ବଂଲୋର ପାହାଚ ଦେଇ ତଳକୁ ଓହ୍ଲାଇ ଗଲେ ଶାଳ ବଣରେ ଅଦୃଶ୍ୟ ହୋଇଯିବା ପର୍ଯ୍ୟନ୍ତ । ଅବଶିଷ୍ଟ ସମୟ କାଟିବା ଲୀନା ପାଇଁ ଏକ ସମସ୍ୟା ଥିଲା ।

 

ଏଇ ନିର୍ଜନତା ଭିତରେ ଲୀନା ମନକୁ ଗୋଟିଏ କଥା ବାରମ୍ବାର ଆନ୍ଦୋଳିତ କଲା: ମି: ପ୍ରସାଦ କହନ୍ତି ସେ ଖୁବ୍‌ ଆର୍ଟିଷ୍ଟିକ୍‌ । ଏଇ ଆର୍ଟିଷ୍ଟିକ୍‌ କଥାଟି କଣ ବୋଲି ଜାଣିବାକୁ ଲୀନାର ଇଚ୍ଛା ହେଲା ଓ ସେ ଡ୍ରେସିଂ ମିରର୍‌ ସାମ୍ନାରେ ଠିଆହେଲା । ନିଜକୁ ଖୁବ୍‌ ଦେଖିଲା ସେ...ଏମିତି ତ ଅନେକ ଝିଅ ଦେଖିବାକୁ, ଦୁଇଟି ସ୍ୱାଭାବିକ ସ୍ତନ, ଗୋଲଗାଲ ହାତ, ପ୍ରପରସୋନେଟ୍‌ ବଡ଼ି...ବେଶି ହେଲେ ମୁଣ୍ଡର ଟୋପା ଲାଲ କିମ୍ବା କଳା ନୁହେଁ, କୌଣସି ଫିକା ରଙ୍ଗର, ଶାଢ଼ୀ ମଧ୍ୟ-। ତେବେ ଆର୍ଟିଷ୍ଟିକ୍‌ କଣ ।

 

ବିଭିନ୍ନ ଭଙ୍ଗୀରେ ଲୀନା ଦେଖୁଥିଲା ନିଜକୁ ମିରର୍‌ରେ...ଯେତେ ବେଶି ସେ ଦେଖୁଥିଲା, ସେଇ ଶବ୍ଦଟି ଗୋଟାଏ ରହସ୍ୟ ପରି ତାକୁ ବେଢ଼ି ଯାଇଥିଲା ଓ ଶେଷରେ ଏମିତି ଏକ ଅନୁଭବରେ ତାକୁ ପହଞ୍ଚାଇ ଦେଲା ଯେତେବେଳେ ଲୀନାର ଇଚ୍ଛା ହେଲା ମି: ପ୍ରସାଦ ଫେରିଲା ପରେ ସେ ତାଙ୍କ ପାଖରେ ଶୋଇପଡ଼ିବ ଓ ଗୋଟିଏ ଗେହ୍ଲେଇ ଝିଅପରି—ପଚାରିବ ମୁଁ ଭାରି ଆର୍ଟିଷ୍ଟିକ୍‌ ନା !

 

ରାତି ସନ୍ଧ୍ୟାକୁ ଅତିକ୍ରମ କରିଯାଇଥିଲା । ମି: ପ୍ରସାଦ ଫେରିଲେ ଥୋଡ଼ାଏ କଣ୍ଟ୍ରିଲିକର ଚାପାରେ । ଡିନର୍‌ ପରେ ସେ ବିଛଣାରେ ଗଡ଼ିଯାଇ ସେଇ ଅଛିଣ୍ଡା ମାଦଲ ଓ ଆଦିବାସୀ ସଙ୍ଗୀତକୁ କାନ ଡେରିଥିଲେ । ପାଖ ସୁଟ୍‌ର ଲୀନା । କେମିତି ଏକ ଦୁର୍ବଳ ମାନସିକତାରେ ସେ ମି: ପ୍ରସାଦଙ୍କ ନିକଟକୁ ଚାଲିଗଲା ଓ ମିସେସ୍‌ ପ୍ରସାଦଙ୍କ ପରି ବ୍ୟବହାର କଲା । ସେଇ ଅର୍ଦ୍ଧଚେତନ ଅବସ୍ଥାରେ ମି: ପ୍ରସାଦ ସ୍ୱଗତୋକ୍ତି କଲାପରି କହୁଥିଲେ : ଦୋଜ୍‌ ଆଦିବାସୀ ଗାର୍ଲସ୍‌...ସୋ’ ଇନ୍‌ଫରମାଲ୍‌...ସୋ ସିମ୍ପଲ୍‌... ବଟ୍‌ ଇୟୁ ପ୍ରଫେଶନାଲସ୍‌ ! ଖୁବ୍‌ ଚାପାଗଳାରେ ସେ କହିଲେ : ପ୍ଲିଜ୍‌ ଅଫ୍‌...ପ୍ଲିଜ୍‌ ଅଫ୍‌ ।

 

ଲୀନା କିନ୍ତୁ ଅନ୍ୟ ବିଭାଗକୁ ସ୍ଥାନାନ୍ତରିତ ହୋଇ ନ ଥିଲା । କାରଣ ସେତେବେଳେକୁ ମି: ପ୍ରସାଦଙ୍କର କେମିତି ଏକ ଅନ୍ୟମନସ୍କ ଭାବ ସୃଷ୍ଟିହୋଇ ସାରିଥାଏ ଓ ତାର ଅଳ୍ପ କେତେ ଦିନ ପରେ ଏହି ଘଟଣାଟି ।

 

ଦିନକୁ ଦିନ ସମ୍ବାଦଟି ପୁରୁଣା ହେଇ ଆସିଲା ଓ ନୂଆ ନୂଆ ଚମକପ୍ରଦ ସମ୍ବାଦରେ କ୍ରମେ ସହରର ଲୋକେ ମି: ପ୍ରସାଦଙ୍କ କଥା ଭୁଲିଗଲେ ।

 

ୟା’ ଭିତରେ କିଛି ବର୍ଷ ଅତିକ୍ରାନ୍ତ ହୋଇ ଯାଇଛି । ଚିରାଚରିତ ନିୟମ ସୂତ୍ରରେ ମୁଁ ଅନ୍ୟ ସହରକୁ ସ୍ଥାନାନ୍ତରିତ ହୋଇଛି । ଏଠି କିଛି ବର୍ଷ, ପୁଣି ଆଉ କେଉଁ ସହରକୁ । ତାପରେ ଦାନ୍ତ କାଟିବ, ଆକ୍ଷର ପରଦାରେ ଧୂଳି ଜମିବ ଓ କେଉଁ ଏକ ସକାଳରେ ଡାକ ପିଅନର ଖାକୀ ପୋଷାକ କିମ୍ବା କାର୍ଯ୍ୟକ୍ରମ ପିଅନର ଖଦଡ଼ ପୋଷାକ ଦେଇ ଷ୍ଟାମ୍ପଟିଏ ଆସି ସତର୍କରେ ପିଠିରେ ଚିହ୍ନ ଦେଇଯିବ–ତୁମେ ଜଣେ ଅଦରକାରୀ ବ୍ୟକ୍ତିତ୍ୱ ।

 

ବଞ୍ଚିବାକୁ ଦେଲେ ଏମିତି ଅନେକ କଥା ଦୁନିଆରେ ଘଟେନି ବୋଲି ଧରିନେବାକୁ ହେବ, ଯଦିଓ ମାଡ଼ି ମାଡ଼ି ବସନ୍ତି ଅନେକ ସମୟରେ ।

 

ଦୁଃଖ, ଖାଲିଗୁଡ଼ାଏ ଅପ୍ରକାଶିତ ଦୁଃଖ । କିଏ ଛୁଇଁ ପାରୁଛି ମଁ କା’ ଦେହର ଉଷ୍ମତାକୁ କିମ୍ବା କୋହଲା ଭାଗକୁ ! ଚାଲିଛି ତ ଗୋଟାଏ ହୋ...ହୋ, ଆଲୋକ, ମେକ୍‌ ଅପର ଇଲୁକନ୍‌ ପରି । ଥୋକାଏ ଆନନ୍ଦିତ ଥୋକାଏ ଗୁମ୍‌ସୁମ୍‌ ଭାବ ନେଇ ଭାରାକ୍ରାନ୍ତ ।

 

ଜାଣେନା କାହିଁକି ସେଦିନ ସନ୍ଧ୍ୟାରେ ସେମାନେ ଏମିତି ଗୋଟିଏ ପତିକ୍ରିୟାକୁ ଆଣିଲେ । ସେମାନେ ତ ପିଲା ମନର ଜଟିଳ ସ୍ତରଗୁଡ଼ିକ ସହିତ ପରିଚିତ ହେବାକୁ ନା ଅଛି ବୟସ, ନା ଅନୁଭୂତି ! ଖାଲି ଦିପଦ କଥା; ମନର ଜଟିଳ ଅବସ୍ଥାକୁ କୋହଳ କରିଦେବା ପାଇଁ କେତେ ପଦ କଥାର ବିନିମୟ । ଏଇ ସୂତ୍ରକୁ ଧରି ପ୍ରତିକ୍ରିୟାଟି ଚାଲି ଆସିଲା... ଶବ୍ଦ ସବୁ ଦୁର୍ବଳ ହୋଇଗଲେଣି...ବହନ କରିବାର ଶକ୍ତି ହ୍ରାସ ପାଇଗଲାଣି...ମନକୁ ଛୁଇଁବା ପାଇଁ ମାଧ୍ୟମ ବଦଳି ଗଲାଣି ଆସିଲେଣି ପ୍ରତୀକ, ଚିତ୍ରକଳ୍ପ ଚିନ୍ତାତିରିକ୍ତ ତାକୁ ବୁଝେଇ ଦେବାପାଇଁ ।

 

ମୁଁ ହଠାତ୍‌ ଗୋଟିଏ ଟିଙ୍ଗ୍‌ ଶୂଳିଆ ବୃଦ୍ଧପରି ଡେଇଁ ପଡ଼ିଲି...କ’ଣ ଲାଭ ଅଛି ଏ ପ୍ରତୀକ ଚିତ୍ରକଳ୍ପ ଖେଳ ଭିତରେ ମଣିଷ ମନକୁ ଛୁଇଁ ଦେବା ପାଇଁ ଉଦ୍ୟମ କରିବା : ୟେ ବି ଦିନେ ରଙ୍ଗ ବଦଳେଇବ–ଏମିତି ସବୁ ଚାଲିଛି ।

 

ସେମାନେ ଆସ୍ତେ ଉଠି ଚାଲିଗଲେ । କାରଣ ମୋର ଏ ଆକସ୍ମିକ ଭାବ ସହିତ ସେମାନେ କିଛିଟା ଅଭ୍ୟସ୍ତ । ମୁଁ ଏକୁଟିଆ ରହିଗଲି ମୋ ଡ୍ରଇଂ ରୁମ୍‌ରେ । ସେତେବେଳେ ସେଇ କେତେବର୍ଷ ତଳର ସମ୍ବାଦଟି ମୋ ମନକୁ ଆସିଲା—ମି: ପ୍ରସାଦଙ୍କ ଆତ୍ମହତ୍ୟା କିମ୍ୱା ଦୁର୍ଘଟଣା ଓ ମୋ ବ୍ୟକ୍ତିଗତ ଜୀବନର ଗୋଟିଏ ଅନୁଭୂତି ।

 

ସୁଷମା ମହାନ୍ତି ସହିତ ବନ୍ଧୁତ୍ୱ ଉଦ୍ୟମସାପେକ୍ଷ ନୁହେଁ । ଏମିତି ବସୁ ବସୁ, କଥାବାର୍ତ୍ତା ଭିତରେ...ଏମିତି ହୁଏତ ହୋଇଥିବ ମୋର କେତେଟା କଥା ତାକୁ ଭଲ ଲାଗିଥିବ କିମ୍ବା ତାର କେତେଟା କଥା ମୋତେ । ମୁଁ ଖଣ୍ଡେ ପାନ ଦେଇଥିଲେ ସେ କପେ କଫି ବା ସେ ଖଣ୍ଡେ ପାନ ଦେଇଥିଲେ ମୁଁ କପେ ଚା । ଏତିକି ମାତ୍ର, ବଞ୍ଚିବାର କେତୋଟି ମୁହୂର୍ତ୍ତକୁ ଖାଲି ଟିକେ ଜୀବନ୍ତ କରିଦେବା କଥା–ଆଉ ଅଧିକ କ’ଣ ।

 

ଅଥଚ ଦିନେ ସୁଷମା ମହାନ୍ତି ସମୁଦ୍ର ପରି ଗମ୍ଭୀର ହେଇଗଲା । ମୁଁ ତ କୂଳର ମଣିଷ, କଣ ମାପିବ ତାର ଗଭୀରତାକୁ । ମୋର ସେଇ ଶବ୍ଦ ଗୁଡ଼ାଙ୍କୁ ନେଇ କିଛି ସନ୍ଦେହ ସୃଷ୍ଟି ହେଲା—ହୁଏତ ଏମାନେ ପ୍ରକୃତ ଅର୍ଥ ବହନ କରିବାର କ୍ଷମତା ହରାଇଛନ୍ତି କିମ୍ବା ଅର୍ଥକୁ ଅର୍ଥାନ୍ତର କରିବାର ଶକ୍ତି ହାସଲ କରିଛନ୍ତି । ତଥାପି ମୁଁ ଅନେକ ଶବ୍ଦ ପ୍ରୟୋଗ କରିଥିଲି; କିନ୍ତୁ ଶବ୍ଦ ସବୁ ଅର୍ଥାନ୍ତର ହେବା କଣ ମୋ ହାତର କଥା : କାରଣ ସୁଷମା ମହାନ୍ତି ଡରେ ଅନ୍ଧାରକୁ/ଆଲୋକକୁ/ମଣିଷକୁ ଓ ମଣିଷର ରୋଆବକୁ । ମୁଁ କେବଳ ଭାବ ପ୍ରକାଶ କରିଥିଲି : ଭଲ ହେଇଥାନ୍ତାରେ ସୁଷମା ମହାନ୍ତି-! ମିଛର ଅପପ୍ରୟୋଗରେ କାନ୍ଦି କାନ୍ଦି ଆଖିକୁ ଲାଲ୍‌ ନକରି କବାଟ ଝରକା ବନ୍ଦ କରି ବିଚ୍ଛିନ୍ନ ହେଇଯାଇଥାନ୍ତୁ ବାହାର ଜଗତରୁ । ଭୟ ଓ ଜୀବନ ତୋ ଦେଖିବାରେ କେଉଁଠି ମିତ୍ର ବସିଲେଣିକି ରେ !

 

ପିଲାମାନଙ୍କର ପ୍ରତୀକ, ଚିତ୍ରକଳ୍ପ ମି.ପ୍ରସାଦ ଓ ସୁଷମା ମହାନ୍ତି, ସବୁ ମିଶି ସେ ସନ୍ଧ୍ୟାକୁ ଏମିତି ଭାବକ୍ରାନ୍ତ କରିଦେଲେ, ଫଳରେ ମୁଁ ହଜିଗଲି ନିଜ ଭିତରେ ନିଜ ଚିନ୍ତାର ଅଥଳ ସମୁଦ୍ରରେ । ମୁଁ କେମିତି ସେତେବେଳେ ଭାବିଥାନ୍ତି ଆର ଘରେ ମୋ ପିଲାମାନେ ପରଦିନର ପାଠ ପ୍ରସ୍ତୁତ କରୁଛନ୍ତି, ମୋ ସ୍ତ୍ରୀ ଖାଦ୍ୟ ପ୍ରସ୍ତୁତ କରୁଛି ଓ ମୋ ପରିବାର ଯେମିତି ଚାଲିବା କଥା ଠିକ୍‌ ଚାଲିଛି ବୋଲି ।

 

ହଠାତ୍‌ କାହିଁକି ଇଚ୍ଛା ହେଲା ସୁଷମା ମହାନ୍ତି ପାଖକୁ ଦଉଡ଼ି ଯିବି ଓ ପୂର୍ବରୁ ଉଚ୍ଚାରଣ କରିଥିବା ଶବ୍ଦମାନଙ୍କୁ ପୁଣି ଥରେ ଦୋହରାଇ ନେବି । ଏଥର ଯଦି କିଛି ଅର୍ଥ ପ୍ରକାଶ କରନ୍ତି !

 

ମୋ ଡାକରେ ସୁଷମା ମହାନ୍ତି ବାହାରକୁ ଆସିଲା ଓ ମୁଁ ଯେତେବେଳେ କହିଲି ତୁମ ସହିତ ଅନେକ କଥାବାର୍ତ୍ତା ଅଛି, ସେ କହିଲା—କୁହନ୍ତୁ ।

 

ଆମେ ଦୁଇଜଣ ଠିଆ ହେଉଥିଲୁ । ସନ୍ଧ୍ୟାର ଅନ୍ଧକାର ଆକାଶ ଓ ପୃଥିବୀକୁ ଛାଇ ଦେଇଥିଲା–ଆମେ ଯେମିତି ଅପରେସନ୍‌ ଟେବୁଲ ଉପରେ ସଜ୍ଞାହୀନ ରୋଗୀ ଦୁଇଟି । କେମିତି ଗୋଟାଏ ଭୟ ମୋତେ ମାଡ଼ି ବସିଲା—ଏଥର ଯଦି ଶବ୍ଦଗୁଡ଼ିକ ଅର୍ଥ ପ୍ରକାଶ ନ କରନ୍ତି !

 

ଅନେକ ମୁହୂର୍ତ୍ତ ଆମେ ସେମିତି ଠିଆ ହେଇଥିଲୁ । ସୁଷମା ମହାନ୍ତି ପ୍ରତିବାଦ କଲାନି । ମୋର ମନେ ହେଲା ଏକ ନୀରବତା । ମଧ୍ୟରେ ଅନେକ କଥା ମୁଁ କହିଦେଇଛି ଯାହା ଶବ୍ଦମାନଙ୍କ ମାଧ୍ୟମରେ କୁହାଯାଇ ପାରି ନଥାନ୍ତା ।

 

କିଛି ମୁହୂର୍ତ୍ତ ପରେ ସୁଷମା ମହାନ୍ତି ତାର କୋଠରୀ ବନ୍ଦ କରିଥିବ ଓ ମୁଁ ମଧ୍ୟ ଫେରି ଆସିଥିବି, ସର୍ବୋପରି ଭଦ୍ର ସହର ତା ନିଜ ବାଟରେ ।

Image

 

ଭୟ

 

ଅଥଚ ପିଲାଦିନେ ସେ ଅନୁଭବଟି କେଡ଼େ ନିରାପଦ । ବେଶି ହେଲେ ରୂପରେଖାହୀନ ସେଇ ଅଜଣା ଆଶଙ୍କାଟିକୁ ସମ୍ମୁଖୀନ ହେବାକୁ ବୁଢ଼ୀମା, ବଡ଼ ଭଉଣୀ, ମାର ବେକକୁ ଜୋର୍‌ରେ ଜାକି ଧରି ଆଖି ବୁଜି ଦେବା କଥା । କିଛି ସମୟ ଚୁପ୍‌ ଚାପ୍‌ କେଉଁ ରୂପରେ...ଗୋଟାଏ ସାଲୁବାଲୁ ଲୋମଶ ପ୍ରାଣୀ କିମ୍ବା ଅନନୁଭୂତ ଏକ ଦାନବ ବା ଆଉ କିଛି । ନିଦ ଆସିଗଲେ ଭଲ କଥା । ନ ହେଲେ ସ୍ୱତଃ ହସଟିଏ ସଶବ୍ଦରେ ଆତ୍ମପ୍ରକାଶ କରେ ଓ ଆଶ୍ୱସନାପୂର୍ଣ୍ଣ ସଂଳାପ ମନଟାକୁ ହାଲୁକା କରିଦିଏ...ନଇଁରେ ମିଛରେ କହୁଥିଲି ଶୋଇଯିବୁ ବୋଲି ।

 

ଆହା ! ଦିନଗୁଡ଼ା କୁଆଡ଼େ ଚାଲିଗଲା, ତା ସହିତ ବିଶ୍ୱାସ ବି । ରାତି ଅଧରେ ସେ ନିଛାଟିଆ ବରଗଛ ମୂଳେ ବସି ହେଉଛି, ଭିସା ଡାଆଣୀର ସାହାଡ଼ା ମୂଳରେ ଠିଆହୋଇ ଅତୀତର କାହାଣୀକୁ ରୋମନ୍ଥନ କରିହେଉଛି । ସବୁଗୁଡ଼ା କୁଆଡ଼େ ଉଡ଼ିଗଲା ସାମାନ୍ୟ ଗୋଟିଏ ଯୋଡ଼େ ଶବ୍ଦକୁ ବୁଝିଲା ପରେ–ଅନ୍ଧବିଶ୍ୱାସ ଓ ପାରମ୍ପରିକ କୁସଂସ୍କାର ।

 

ଅଥଚ ପୁନର୍ବାର ପଡ଼ିଗଲି ଗୋଟାଏ ଘଟଣା ଚକ୍ରରେ । ପିଲାବେଳର ଭୟ ପରବର୍ତ୍ତୀ କାଳରେ ଏକ କୌତୁହଳ ମନେହେଲା ବେଳକୁ ଭୟର ନୂତନ ସଜ୍ଞା କେମିତି ପକ୍ଷମେଲି ଦେଉଛି ଅନୁଭବ ଭିତରେ । ଏକଦା ନିରାପଦ ମନେ ହେଉଥିବା ଅନୁଭବ ପୁଣି ନିର୍ଦ୍ଦିଷ୍ଟ ଭାବରେ କ୍ଷତିକାରକର ଭୂମିକା ନେଇପାରେ ଏ ବିଶ୍ୱାସ ମୋର ନ ଥିଲା ଘଟଣାଟି ଘଟିବା ପୂର୍ବରୁ ।

 

ଘଟଣାଟି ଏକାନ୍ତ ବ୍ୟକ୍ତିଗତ । ତେଣୁ ପ୍ରକାଶ କରିବାକୁ ଗଲାବେଳେ ମନରେ କିଛିଟା ସଂକୋଚ ରହୁଛି । ତେବେ ବ୍ୟକ୍ତିଗତ ଘଟଣାକୁ ସାଧାରଣ କରାଯାଇପାରେ । ଯେମିତି ଗୋଟିଏ ସାଧାରଣ କଥା–ପ୍ରେମ ନିଅପରି ପାରେ । ପ୍ରତ୍ୟେକଙ୍କ ଜୀବନରେ ପ୍ରେମର ନିର୍ଦ୍ଧିଷ୍ଟ ଅନୁଭୂତି ରହିଛି ଓ ପ୍ରତ୍ୟେକ ନିଜ ନିଜର ସ୍ମୃତିରେ ଅତି ମୂଲ୍ୟବାନ୍ ପଦାର୍ଥ ପରି ସାଇତି ରଖନ୍ତି କେବେ ପୁଣି ସେ ସ୍ମୃତିଟା ମନକୁ ଆସିଗଲେ କେହି କେହି ଏକ ଉଦାସ ଭଙ୍ଗୀରେ ସିଗ୍ରେଟ୍‌ ଖଣ୍ଡେ ପକେଟରୁ କାଢ଼ି ନିଆଁ ଧରାଇ ଧୂଆଁ କୁ ଅତି ବିପର୍ଯ୍ୟସ୍ତ ଭାବରେ ଶୂନ୍ୟମଣ୍ଡଳ ଫୁଙ୍କି ଦିଅନ୍ତି । ଯଦି ସେଇ ପ୍ରେମାନୁଭୂତିକୁ ସାଧାରଣ କରି ଦିଆଯାଏ, ସେଇ ଗୋଟିଏ ପ୍ରକାରର….ସୁବିଧା ହେଲା ତ ବାହା ହୋଇ ପଡ଼; ନ ହେଲେ–ଏ ଜନ୍ମରେ ନ ହେଲା ଦୁଃଖ ନାହିଁ…ଅମର ପ୍ରେମ ସ୍ଵର୍ଗୀୟ ହେଇଥିଲେ ପର ଜନ୍ମରେ ଆମେ ମିଳିତ ହେବା…କିମ୍ଵା ମୋ ସୁନାଟା ପରା ! ରାଗ କରିବନି । ଦୈହିକଠାରୁ ଆତ୍ମିକ ମିଳନ ମହୀୟନ, ପରସ୍ପରର ସ୍ମୃତିରେ ଆମେ ବଞ୍ଚିରହିବା…ଈଶ୍ଵରଙ୍କ ଆଶୀର୍ବାଦ ଥିଲେ ପରଜନ୍ମରେ ଦେଖା…ନିଶ୍ଚିତ ପ୍ରବଞ୍ଚନା ହେଲେ ବି ପ୍ରତ୍ୟେକ ଜୀବନରେ ସେଇ ପୌନପୁନିକ ପ୍ରବଞ୍ଚନା ।

 

ସେମିତି ମୋର ଏଇ ବ୍ୟକ୍ତିଗତ ଘଟଣାଟି । ଅବଶ୍ୟ ଏଇଟା ସାଧାରଣ ହେଇ ପାରିବ କି ନା ସେଇଟା ପରବର୍ତ୍ତୀ ବିଚାର ।

 

ମୁଁ ତାକୁ ଆବିଷ୍କାର କରିଥିଲି ଅତି ଆକସ୍ମିକ ଭାବରେ । ମୋର ତିଥି, ବାର, ନକ୍ଷତ୍ର ବା ସ୍ଥାନ ମନେ ପଡ଼ୁନି । ତେବେ କୌଣସି ଛୁଟି ଅବସରରେ ନିହାତି ଏକ ହାଲୁକା ମାନସିକ ଅବସ୍ଥା ଭିତରେ ମୁଁ ଘୂରି ବୁଲୁଥିବାବେଳେ ରାଜପଥ/ ସିନେମାହଲ୍‌ /କଣ୍ଟ୍ରିବାର୍‌ରେ ତା’କୁ ଠାବ କରିଥିଲି । ଟେରିଟେରିଆଲ୍‌ ଆର୍ମିଜୱାନ୍ ପରି ତା’ର ଛୋଟ ଛୋଟ ବାଳ ସାଙ୍ଗକୁ ବଳିଷ୍ଠ ମାଂସପେଶୀ ଥିବା ଶରୀର ଓ ତା’ର ବ୍ଲୁ, ଜିନ୍‌ ପେଣ୍ଟସାର୍ଟ । ସେ ଅନର୍ଗଳ କଥା କହେ ଓ କଥା ସହିତ ତା’ର ମୁଭ୍‌ମେଣ୍ଟ ବି ।

 

ସେଦିନ ମୁଁ ତାକୁ ପ୍ରଥମ ଦେଖିଲି । ସେ ଅନର୍ଗଳ କାହାକୁ କିଛି କଥା କହୁଥାଏ । ହଠାତ୍‌ ସେ ନୀରବ ହେଇଗଲା ଯେତେବେଳେ ଦେଖିଲା ମୁଁ ତା’ ପ୍ରତି ଆଗ୍ରହୀ ହୋଇ ଠିଆ ହୋଇ ତାକୁ ଚାହିଁ ରହିଛି । ସେ ବନ୍ଦ୍‌ ହେଇଗଲା ପରେ ହୁଏତ ସେ ସ୍ଥାନ ଛାଡ଼ି ଆଉ କେଉଁଆଡ଼େ ଅକସ୍ମାତ ଚାଲି ଯାଇଥାନ୍ତା । କିନ୍ତୁ ମୋ ଚାହିଁବାରେ କିଛି ତୃଟି ବା ବିଶେଷତ୍ଵ ଆଉ କିମ୍ବା ସେପରି ପରିସ୍ଥିତିରେ ତା’ର କ’ଣ କରିବାଟା ଠିକ୍‌ ହୋଇଥାନ୍ତା ଏ ସିଦ୍ଧାନ୍ତ କରି ନପାରି ସେ ଅନିଶ୍ଚିତତା ମଧ୍ୟରେ ହସିଦେଲା ।

 

ସେଦିନ ପୁଣି ଥରେ ମୁଁ ପୁରୁଣା କଥାକୁ ନୂଆକରି ବୁଝିଲି ସାମାନ୍ୟ ହସଟିଏ ମଣିଷକୁ ନିକଟବର୍ତ୍ତୀ କରାଏ ବୋଲି । ମୁଁ ହସିଦେଲି ଓ ପରେ ପରେ ବହୁ ଦିନର ପୁରାତନ ବନ୍ଧୁ ପରି ତା’ କାନ୍ଧରେ ହାତରଖି ତା’ ସହିତ ପରିଚୟର ପୃଷ୍ଠା ଖୋଲିଲି ।

 

ସେ କହିଲା । ସେ ବାଦଲ୍‌ । ବାସ୍‌, ମୁଁ ଅଧିକ ତାକୁ କିଛି ପଚାରି ନାହିଁ । ପଦଟି ଭିତରେ ଯେତେବେଳେ ପୂର୍ଣ୍ଣଭାବ ପ୍ରକାଶିତ ସେତେବେଳେ ପୂର୍ବାପର ସଙ୍ଗତିର ଆବଶ୍ୟକତା ବା କ’ଣ ? ସେ ବାଦଲ୍‌, ଜଣେ ଯୁବକ–ତା’ ନାଁର ଅର୍ଥକୁ ବ୍ୟାଖ୍ୟା କଲେ ଯାହା ବୁଝାଯିବ ସେଗୁଡ଼ିକ ତା’ ଚରିତ୍ରରେ ପ୍ରକାଶିତ…ସେ ଶାରଦୀୟ ଆକାଶର ଖଣ୍ଡେ ଭସା ମେଘ ପରି । ମା’ ଠାରୁ କ’ଣ ଆଉ ଅଧିକ ପରିଚୟ ଲୋଡ଼ା । ମୁଁ ମୋ ନିଜ ବିଷୟରେ କହିବାକୁ ଯାଉଥିଲି ସେ ମୋ ମୁହଁରେ ହାତଦେଲା । ସେ ଅତି ସରଳ ଭାବରେ ବୁଝାଇଦେଲା ସେ ଯେତେବେଳେ ଦୁନିଆର ସଜ୍ଜନମାନଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ସେତେବେଳେ ତା’ ପ୍ରତି ଆଗ୍ରହୀ ହେବାରେ ମୋର କୁଆଡ଼େ ପରିଚୟ ନିହିତ । ତା’ପରେ ଆମେ ନିଜ ବିଷୟରେ ଅଧିକ କିଛି ଜାଣିବାକୁ ଚେଷ୍ଟାକରି ନ ଥିଲୁ । ବରଂ ପ୍ରତିଦିନ ପରସ୍ପରକୁ ଥରେ ଭେଟିବାର ସାଧାରଣ କାର୍ଯ୍ୟକ୍ରମ ହାତକୁ ନେଇଥିଲୁ ।

 

ପ୍ରକୃତରେ ବାଦଲକୁ ମୋ ଚରିତ୍ରର ଏକ ବିଭାଗ ହିସାବରେ ମୁଁ ଧରିନେଇଥିଲି । ତା’ର ମଧ୍ୟ ଅନୁରୂପ ଅନୁଭବ ବୋଲି ସେ ମୋତେ କହେ ।

 

ଆମେ କ୍ରମେ ଏତେ ଅନ୍ତରଙ୍ଗ ହେଇଗଲୁ ଯେ, ପ୍ରେମିକ–ପ୍ରେମିକାର ଇଚ୍ଛାପରି ଆମ ଉଭୟଙ୍କ ଦରଜା ସାମ୍ନାସାମ୍ନି ହେଉ କିମ୍ବା ଝରକା ଖୋଲିଲେ ପରସ୍ପରକୁ ଦେଖିପାରୁ ବୋଲି ଅନୁଭବ କଲୁ ଓ ସେହି ଅନୁସାରେ ଗୋଟିଏ ଫ୍ଲାଟ୍‌ର ପାଖାପାଖି ଦୁଇଟି ରୁମ୍‌ ନେଇ ରହିଲୁ ।

 

କ୍ରମେ ଆମ ସନ୍ଧ୍ୟାକାଳୀନ ବିଳାସ ଭ୍ରମଣର ସ୍ଥାନ ପରିବର୍ତ୍ତନ ହେଲା । ସେଥିପାଇଁ ସ୍ଥାନର ଦୋଷ ନ ଥିଲା, ବରଂ ଯେଉଁମାନଙ୍କୁ ଅତିକ୍ରମ କରି କିମ୍ବା ସଂପର୍କରେ ଆସି ବିଳାସ–ଭୂମିକାକୁ ଉପଭୋଗ ବୋଲି ମନେ କରୁଥିଲୁ ସେମାନେ ଆମକୁ ଈର୍ଷା କରୁଥିଲା ଭଳି ଆମେ ଅନୁଭବ କଲୁ । ଆମ ପରସ୍ପରର କୋଠରୀ, କିଛି କଣ୍ଟ୍ରି କିମ୍ବା ବିଦେଶୀ ପାନୀୟ ସହିତ ଆମ ବିଳାସ–ଭ୍ରମଣ ସ୍ଥାନ ଦେଲା ।

 

ଅନେକ ସମୟରେ ଆମେ ଆଲୋଚନା କରୁ; ମଣିଷର ଈର୍ଷା ବା ଅସହିଷ୍ଣୁ ଅବସ୍ଥାଟା କ’ଣ । ମୁଁ ପରିହାସରେ କୁହେ….ବାଦଲଚନ୍ଦ୍ର, କଥାଟା କ’ଣ କିହୋ ! ବାଦଲ୍‌ ମଜ୍‌ଗୁଲ୍‌ ଅବସ୍ଥାକୁ ଆହୁରି ଟିକେ ଶକ୍ତିଶାଳୀ କରିବାକୁ ଦି’ଢ଼ୋକ ପିଇଦିଏ ଓ ଜଣେ ସିଦ୍ଧାନ୍ତ ପରି ଗଳାଝାଡ଼ି କୁହେ: ବୁଝିଲ ବଡ଼ଭାଇ ! ପୃଥିବୀଟା ତ ଘୁରୁଛି…ସେଇ ଘୁରୁଥିଲା ଅବସ୍ଥାରେ ସବୁ ଲୋକଗୁଡ଼ାକଙ୍କର ମନେହୁଏ ଗଡ଼ିପଡ଼ିଲା ପରି । ସେମାନେ ପୁଣି ସମୟରେ ଦେଖନ୍ତି ଅନେକ ସ୍ଥିର ହୋଇ ଠିଆ ହୋଇଛନ୍ତି । ସେଇଠୁ ଶଳାଙ୍କର ଆରମ୍ଭ ହୋଇଯାଏ ମୁଣ୍ଡ ଖରାପ । ସେଇ ସ୍ଥିର ହେଇ ଠିଆ ହୋଇଥିବା ଲୋକଟାକୁ ହଲାଇବାକୁ ଚେଷ୍ଟା କରନ୍ତି । ସେଇଟାକୁ ବୋଲି ଈର୍ଷା ।

 

ମୁଁ ହସିଦିଏ । ବାଦଲ୍‌ ସେଇ ମଜଗୁଲ୍‌ ଅବସ୍ଥାରେ ତା’ ମତାମତର ସ୍ଵୀକୃତି ଦାବୀ କରେ—କ’ଣ ! ମିଛ କହିଲି ବଡ଼ଭାଇ ? ଠିକ୍‌ ଅଛି, ସାମାନ୍ୟ ମୁଣ୍ଡ ହଲାଇ ମୋର ସମର୍ଥନ ଜଣାଇ ମୁଁ ମୋ ଗ୍ଲାସ୍‌ଟିକୁ ମୁହଁ ପାଖକୁ ନିଏ ।

 

ମୋ ପାଖରୁ ଏଇ ସ୍ଵୀକୃତି ପାଇଲା ପରେ–ବାଦଲ୍‌ ଅଧିକ ଉଲ୍ଲସିତ ହେଇଯାଏ ଓ ସ୍ୱାଭାବିକଠାରୁ ଅଧିକ ପ୍ରଗ୍‌ଳଭ୍‌ ମନେ ହୁଏ । ସେତେବେଳେ ସେ ପ୍ରମାଣ କରିବାକୁ ଚେଷ୍ଟା କରେ ପୃଥିବୀର କେତେକ ମୁଷ୍ଟିମେୟ ଜ୍ଞାନୀ ଲୋକଙ୍କ ମଧ୍ୟରେ ସେ ଅନ୍ୟତମ । ମୁଁ ତାକୁ ଉପଭୋଗ କରେ ।

 

ହଁ….ଗୋଟାଏ….ଗୋଟାଏ…କ’ଣ ମ । ଶାଲା ପିନ୍‌ ଅଟକି ଗଲା—ହୁଁ, ଭାରି ବଡ଼ଲୋକଟେ ଥିଲା…ମଞ୍ଜି କଥା ପଦେ କହିଲା: ଲୋକର ସବୁକାମ ପଛରେ ଗୋଟିଏ ପ୍ରବୃତ୍ତି କାମ କରୁଛି ହଁ, କେମିତି । ସିନେମାହଲ୍‌ ସାମ୍ନାରେ ଆରମ୍ଭ ଓ ଶେଷରେ ଗହଳିରେ ଏକାକାର ହେଇଯାଅ, ନହେଲେ ଅନ୍ଧାରିଆ ପାନଦୋକାନରେ ଠିଆହୋଇ ମାଛକୁ ବଗ ଟାକିଲା ପରି ଚାହିଁଥାଅ । ବସ୍‌ର ଡାହାଣ ପଟ ଝରକା ପାଖରେ ଠିଆ ହୁଅ କିମ୍ବା ଅଇନା ସାମ୍ନାରେ ପାଞ୍ଚଘଣ୍ଟା ଧରି ମୁଣ୍ଡ କୁଣ୍ଡାଅ—ଏକା କଥା—ଯୌନକ୍ଷୁଧା ଫ୍ରଏଡ଼ । ଅସଲ ମୁଣ୍ଡରୁ ଠିକଣା କଥା ବାହାରିଛି । କିଏ କ’ଣ ବୁଝୁଛି, କହିଦେଲେ ତମେ ଅଭଦ୍ର… ।

 

ତାକୁ ବେଶି ବକିବାକୁ ସୁଯୋଗ ନ ଦେଇ ମୁଁ କଥାର ପ୍ରସଙ୍ଗ ବଦଳାଏ । ନହେଲେ ସେ ଏମିତି ବହୁ କଥା ଗପିଯିବାର ଯୋଗ୍ୟତା ହାସଲ କରିଛି ।

 

ଆଚ୍ଛା ବାଦଲ୍‌ ! ଆମର ଏ ବନ୍ଧୁତ୍ଵ ଯଦି ସଂକୀର୍ଣ୍ଣ ଈର୍ଷାରେ କେବେ ବିପର୍ଯ୍ୟସ୍ତ ହୁଏ !

 

ବାଦଲ୍‌ ପ୍ରାୟ ଡେଇଁପଡ଼େ । ଏଇ ଦେଖ ଭାଇ…ଚନ୍ଦ୍ର, ସୂର୍ଯ୍ୟ ଅଛି…ମୁଁ ମଣିଷର ପିଲା, ଆମର ବନ୍ଧୁତା…ହୃଦୟ, କହିବା ପୂର୍ବରୁ ନିଜ ଛାତିରେ ଓ ମୋ ଛାତିରେ ଦୁଇଚାରିଥର ହାବୋଡେ଼ଇ ଦିଏ,…ହୃଦୟକୁ ନେଇ ତାକୁ କେହି ଭାଙ୍ଗି ପାରିବେନି–କେହି ପାରିବେନି–ମଦନିଶାରେ ସେ ଢୋଳେଇ ପଡ଼େ । ମୋର ଧାରଣା ହୁଏ ମଦ ବା କୌଣସି ପ୍ରକାର ନିଶା ବୋଧହୁଏ କିଛି ସମୟ ପାଇଁ ମଣିଷକୁ ତାର ସ୍ଵାଭାବିକ ସଂକୀର୍ଣ୍ଣତା/ ଦୁର୍ବଳତାଠାରୁ ଦୂରକୁ ନେଇଯାଏ । ସେ ଏ ସଂସାରକୁ ଅତିକ୍ରମ କରିଯାଏ ।

 

ଅନେକ ସମୟରେ ବାଦଲ ଆଉ ମୁଁ ଏ ସଂସାରକୁ ଅତିକ୍ରମ କରିବାକୁ ଚେଷ୍ଟା କରୁ ମଦ କିମ୍ବା ଅନ୍ୟ କୌଣସି ଇଣ୍ଟୋକ୍‌ସିକେଶନ୍‌ ମାଧ୍ୟମରେ । କାରଣ ଦୁନିଆର ହିସାବୀ ମଣିଷମାନଙ୍କର ଗୋଷ୍ଠୀଭୁକ୍ତ ହେବା ପାଇଁ ଆମର କିଛି ଯୋଗ୍ୟତାର ଅଭାବ ଥାଉ କିମ୍ବା ଏଇ ହିସାବୀ ବୁଦ୍ଧିଟା ଆମର ରୁଚି ବିରୁଦ୍ଧ ହେଉ ଆମେ ସେ ସହିତ ସାଲିସ୍‌ କରିପାରୁ ନା । ସେଥିପାଇଁ ବାଦଲ୍‌ କହେ, ବୁଝିଲ ବଡ଼ଭାଇ ! ହିସାବୀ ହେଇ ଅମଣିଷ ହେବା ଅପେକ୍ଷା ବେପରୱା ମଣିଷଟିଏ ହେବାରେ ଆନନ୍ଦ ଥାଏ କି ନା । ହଇ, ତମେ ବିଶ୍ୱାସ କର…ହିସାବୀ ଲୋକଗୁଡ଼ାକ ଲାଗନ୍ତି ଯେମିତି ଛୋଟ ଦୁନିଆର ଲୋକ…ଟିକିଲି ଟିକିଲି ବାମନଗୁଡ଼ାକ, ଟସର ପୋକର ଖୋସ ପରି ଛୋଟ ତାଙ୍କର ବୁଦ୍ଧି । ବଡ଼ଭାଇ ସେ ବ୍ୟାପକ ହେଇ ପାରିବେନି ।

 

ଗୋଟିଏ କଥାର ପୁନରାବୃତ୍ତି ଫଳରେ ତା’ କଥା ପ୍ରତି ମୋର ଆଗ୍ରହ କମିଯାଏ ଓ ହଠାତ୍‌ ମୋର ଭାବାନ୍ତରକୁ ଲକ୍ଷ୍ୟକରି ସେ ନୀରବ ହେଇଯାଏ । ମୁଁ ପୁନର୍ବାର କିଛି ନ କହିବା ପର୍ଯ୍ୟନ୍ତ ସେ ଚୁପ୍‌ ରହେ ।

 

ହୁଏତ ବାଦଲ୍‌ ଏବଂ ମୋ ସଂପର୍କରେ ମୁଁ ଗୁଡ଼ାଏ ଭୂମିକା ଦେଲିଣି । ଏଇଟା କିନ୍ତୁ ମୋର ଉଦ୍ଦେଶ୍ୟ ନୁହେଁ । ଆଜି ବାଦଲ୍‌ର କଥାଟା ମନକୁ ଆସିଗଲା ପରେ ପଛ ଦିନଗୁଡ଼ା କେମିତି ଜୋର୍‌ କରି ମୁଣ୍ଡ ଭିତରେ ଆସ୍ଥାନ ଜମାଇ ଦେଉଛନ୍ତି । ହଁ ଏବେ ଅସଲ କଥାଟା କହୁଛି ।

 

ସେଇ ନିର୍ଦ୍ଧିଷ୍ଟ ଦିନଟି ବୋଧହୁଏ ବାଦଲ ସହିତ ଶେଷ ସଂପର୍କର ଦିନ । ଆଜି ତାକୁ କେଉଁଠି କେମିତି ଦେଖିବାକୁ ପାଏନା, ସେକଥା ନୁହେଁ । ଏବକାର ଦେଖା କିନ୍ତୁ ଆନ୍ତରିକତାହୀନ ଗୋଟିଏ ବେଶ୍ୟାର ନିୟମିତ ଦେହଦାନ ପରି । ଟିକେ ହସିବା, ଲୌକିକତା ପାଇଁ ଦି’ପଦ କିଛି ଅନାବଶ୍ୟକ କଥାହେବା ଯଦିଓ ଆମର ସଂପର୍କ ଲୌକିକତାର ସୀମା ବାହାରେ ବୋଲି ଆମେ ସେତେବେଳେ ଏକମତ ହୋଇଥିଲୁ । ବାଦଲ୍‌ କୌଣସି କାମରେ ବୋଧହୁଏ ବାହାରକୁ ଯାଇଥାଏ-। ଏକୁଟିଆ କୋଠରୀରେ ମୁଁ ପିଲାଦିନକୁ ରୋମଛନ କରୁଥିଲି । ସେଇ ଭୟକଥା ।

 

ବାଦଲ୍‌ ସ୍ଵାଭାବିକ ଭାବରେ କୋଠରୀକୁ ପଶି ଆସିଲା, ବଡ଼ଭାଇ ଆଜି କଥା କ’ଣ ! ଏମିତି ଗମ୍ଭୀର ଯେ ?

 

ମୁଁ କିଛି ସମୟ ତାକୁ ନିରୀକ୍ଷଣ କଲି । ମୋର ମନେ ହେଲା ବନ୍ଧୁମାନେ ବି ଅନେକ ସମୟରେ ଶତ୍ରୁରେ ରୂପାନ୍ତରିତ ହେଇ ପାରନ୍ତି । କିଛି ସମୟ ପରେ ମୁଁ ପଚାରିଦେଲି—ବାଦଲ୍‌, ଭୟ କ’ଣ କିରେ !

 

—ଭୟ !

 

—ହଁ, ଭୟ !

 

ମୁଁ ଲକ୍ଷ୍ୟ କଲି ବାଦଲ୍‌ କେମିତି ନିରୁତ୍ସାହିତ ହେଇପଡ଼ିଲା ଏବଂ ଭୟ, ଆଶଙ୍କା ଓ ଅସହାୟତାର ଏକ ଭାବ ତା’ ଚାହାଣୀକୁ ସଂକ୍ରମିତ କଲା । ସାମାନ୍ୟ ପରେ ସେ ମୋତେ ଏଡାଇ ଯିବାକୁ ଚେଷ୍ଟା କଲା ଓ ଉଠିପଡ଼ି ମୋ ସେଲଫ୍‌ରେ ଥିବା ହ୍ଵିଇସ୍କି ବୋତଲ ଆଡେ ହାତ ବଢା଼ଇଲା…

 

ମୁଁ ତା’ ହାତଧରି ଅଟକାଇ ଦେଲି । ମୋ ପ୍ରଶ୍ନର ଆଗ ଉତ୍ତର ଦେ, ମୁଁ କହିଲି ।

 

ପ୍ଲିଜ୍ ବଡ଼ଭାଇ । ପାପ କି ପୁଣ୍ୟ ମୁଁ ଜାଣେନା…, ବାଦଲ୍‌ର କଣ୍ଠରେ ବ୍ୟସ୍ତତା ଥିଲା । ଅନ୍‌ଲେସ୍‌ ଆଇ ଏମ୍‌ ଡ୍ରଙ୍କ……ଆଇ କାଣ୍ଟ…ପ୍ଲିଜ୍‌… ।

 

ମୁଁ ତାକୁ ଆଉ ବାଧା ଦେଲିନି । ସେ ପାଣି ପିଇଲା ପରି ହ୍ୱିସ୍କି ଗୁଡ଼ାଏ ପିଇଗଲା ଓ ପରେ ଗୋଟାଏ ଚେୟାରରେ ଝୁଙ୍କି ବସିପଡ଼ିଲା । ଏଣେତେଣେ ବିବ୍ରତ ଭାବରେ ଚାହୁଁ ଚାହୁଁ ସେ ମୋ ଉପରେ ଦୃଷ୍ଟି ସ୍ଥିର କଲା । ତା’ପରେ ସେ ସମ୍ମୋହିତ ହେଲା ପରି କହିବାକୁ ଲାଗିଲା–ଭୟ–ଭୟ ଆସିଗଲା ପରେ ମଣିଷ ଭିତରେ…ମଣିଷ ଭିତରେ ଅସାମର୍ଥ୍ୟଜନିତ ଗୋଟାଏ ହିଂସ୍ରତା କେମିତି ମୁଣ୍ଡ ଟେକେ…ତାକୁ ଈର୍ଷା ବି କୁହାଯାଇପାରେ ।

 

ଏଥର ସେ ସିଧା ହୋଇ ବସିଲା ଯଦିଓ ଆଲ୍‌କହଲ୍‌ର ପ୍ରଭାବ କ୍ରମେ ସ୍ପଷ୍ଟ ହେଉଥିଲା-। ଏଥର କିଛିଟା ଗମ୍ଭୀର ହେବାକୁ ଚେଷ୍ଟା କଲା ।.. ସେଇ ମୁଁ କହୁ ନ ଥିଲି ଏତେ ବଡ଼ ଦୁନିଆରେ ଶାଲା ଖାଣ୍ଟି ଲୋକଟା…ସେ ଫ୍ରଏଡ଼ ବୁଢ଼ାଟା…ଶାଲା, ବୁଢା଼ କି ଟୋକା କିଏ ଜାଣେ ! ସେଇ କହୁ ନ ଥିଲି…ସିନେମାହଲ୍‌ ସାମ୍ନା କିମ୍ଵା ବସ୍‌ର ଡାହାଣପଟ ଝରକା…କିମ୍ଵା ବାପା ମା’ ନ ଥିବାର ସୁଯୋଗ ଦେଖି ଡ୍ରଇଁ ରୁମରେ ଗପିବା…ସବୁ ଏକା କଥା… ।

 

ଭାବବିହ୍ୱଳ ହୋଇ ସେ ମୋ ହାତକୁ ଜାବୁଡ଼ି ଧରିଲା…ବଡ଼ଭାଇ ବିଶ୍ଵାସ କର, ଲୋକଟାକୁ ଜୀବନ ଦେଇ ମୁଁ ଭଲ ପାଉଥିଲି…କିନ୍ତୁ ଶେଷରେ ମୁଁ ଈର୍ଷା କଲି ତାକୁ ଶେଷକରି ଦେବାକୁ ଚାହିଁଲି ତା’ର ଚରିତ୍ରସଂହାର କରି ।

 

ମୁଁ ଟିକେ ହସିଦେଲି ଓ ପରିବେଶକୁ ହାଲ୍‌କା କରିଦେବା ପାଇଁ କହିଲି—ମନେକର ମୁଁ ତୋର ସେଇ ବନ୍ଧୁଟି…

 

ମୋର ଶେଷ ପଦରେ ବାଦଲ୍‌ କେମିତି ଅସ୍ଵାଭାବିକ ଭାବେ ଭୟଙ୍କର ଦିଶିଲା ଓ ଚିତ୍‌କାର କଲା…ମାଇଟ୍‌ ବି…ୟୁ ନୋ ମାଇଁ ସିକ୍ରେଟସ୍‌…ଆଇ ଉଇଲ୍‌ କିଲ୍‌ ୟୁ…

 

ତା’ପରେ ସେ ହଠାତ୍‌ ଉଠିପଡ଼ି ତା’ ପକେଟରୁ ଛୁରୀଟେ ବାହାର କଲା ।

 

କୌଣସି କଥା ଘଟିବା ପୂର୍ବରୁ ମୁଁ ତାକୁ ମୋ ଆୟତ୍ତରେ ରଖି ଦେଇଥିଲି ।

 

କିନ୍ତୁ ବାଦଲ୍ ଯଦି ମୋ ଲାଇଫ୍‌ ଉପରେ କିଛି ଆଟେ°ପଟ୍‌ ନେଇଥାନ୍ତା ଘଟଣାଟା ଆଜି ବିଶେଷ କିଛି ଧରଣର ବୋଲି ମୋର ମନେ ହୋଇ ନ ଥାନ୍ତା ।

 

ଏବେ କିନ୍ତୁ ଆମର ସଂପର୍କ ଲୌକିକତାର ପରିସୀମା ମଧ୍ୟରେ ଆବଦ୍ଧ ।

Image

 

ମାନବେତର

 

ଏଇ ଶତକର ଶେଷ ଚତୁର୍ଥା°ଶରେ ମଣିଷ ଯେତେବେଳେ ସେଇ ଘୁଷୁରୀ ଦଳଙ୍କଠାରୁ ଅଧିକ ସଭ୍ୟ ଓ ଶାଳୀନ, ସେତେବେଳେ ଏ ବିରାଟ ଭୂଖଣ୍ଡରେ ଘଟିଥିବା ଘଟଣାଟି ପଙ୍କ, କାଦୁଅରେ ଲୋଟୁଥିବା ଘୁଷୁରୀ ଦଳକୁ ସ୍ତମ୍ଭୀଭୂତ କରିଥିଲା ଏବଂ ତଦ୍‌ଜନିତ ପ୍ରତିକ୍ରିୟାରୁ ସେମାନଙ୍କ ମଣିଷ ହେବାର ଉଦ୍‌ଘୋଷଣ ସମସାମୟିକ ମଣିଷ ପାଇଁ ଏକ ଗୌଣ ଘଟଣା ହେଲେ ବି, ସମୟର ଚୋରା ବାଲିରେ ତାହା ଲିପିବଦ୍ଧ ହୋଇଯାଇ ପରବର୍ତ୍ତୀ ଐତିହାସିକମାନଙ୍କ ପାଇଁ ମଣିଷ ଜୀବନ ସମ୍ପର୍କୀୟ ଗୋଟିଏ ପ୍ରାମାଣିକ ଉପାଦାନ ହିସାବରେ ପରିଗଣିତ ହେବ ନିଶ୍ଚୟ ।

 

ଅବଶ୍ୟ ସେମାନେ ଘୁଷୁରୀ ବୋଲି ସଚେତନ ଏବଂ ନିଶ୍ଚିତ, କଦାଚିତ ସେମାନେ ମଣିଷ ହୋଇ ପାରିବେ ନାହିଁ । ତେବେ ଘଟଣାଟିର କ୍ରମ ଓ ତାର ପରିଣତି, ପୁଣି ଉପସ୍ଥିତ ରାଜନ୍ୟବର୍ଗଙ୍କର ସ୍ୱୟଂକ୍ରିୟ ଶବ୍ଦ ପ୍ରଚାରର ଧାରାକୁ ନେଇ ଘୁଷୁରୀ ଦଳପତିଟି ମଣିଷର ସଂଜ୍ଞାକୁ ନେଇ ଘୋରତର ଦ୍ଵନ୍ଦରେ ପଡ଼ିଥିଲାବେଳେ କେତେକ ଯୁବ ଘୁଷୁରୀଙ୍କ ଘନ ଘନ ସ୍ଲୋଗାନ ଓ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟିର ଉଦ୍ୟମ ଭିତରେ ସେ ବାଧ୍ୟ ହୋଇ ଘୋଷଣା କରିଦେଲା: ଆଜିଠାରୁ ଆମେ ନିଜକୁ ମଣିଷ ବୋଲି କହିବୁ ।

 

ସେ ଘୁଷୁରୀମାନେ ସୃଷ୍ଟିର ଆଦିକାଳରୁ ମଣିଷ ସହିତ ଜନ୍ମ ନେଇଥିଲେ । ଅକଳନ ସମୟ ଧରି ସେମାନେ ଦେଖି ଆସିଛନ୍ତି ଏ ସୃଷ୍ଟିର ବିଚିତ୍ର ପରିବର୍ତ୍ତନ ଓ ସେହି ପରିବର୍ତ୍ତନକୁ ତାଳ ଦେଇ ମଣିଷର ରୂପଗତ ଓ ବୌଦ୍ଧିକ ପରିବର୍ତ୍ତନ । ପ୍ରଥମର ସେହି ଲଙ୍ଗଳା ମଣିଷର କି ସୂକ୍ଷ୍ମ ପରିବର୍ତ୍ତନ ଘଟିଲା କାଲି ପରି, ସେ ଘୁଷୁରୀମାନେ ମନକୁ ମନ ବିଶ୍ଳେଷଣ କରୁଥିଲେ, ଲୁଗା ପିନ୍ଧିଲେ, ଲୁଗାକୁ ପେଣ୍ଟ କଲା, କାଠ ଓ ଲୁହାରେ ଭୂଇଁ ଚିରୁ ଚିରୁ ସେଥିରେ ପୁଣି ବନ୍ଧୁକରୁ ବୋମ ପର୍ଯ୍ୟନ୍ତ ତିଆରି କରିବାକୁ ମୁଣ୍ଡ ଖେଳାଇଲା । କରିଦେଲା ସବୁ ଏ ମଣିଷ, ନିଜ ବୁଦ୍ଧିର ତାକତକୁ କାମରେ ଲଗାଇ । ଆଉ ଏ ସବୁ ଭିତରେ ସେ ଘୋଷଣା କରିଦେଲା ଏ ଘୁଷୁରୀ ଗୁଡ଼ାକ ବଡ଼ ଅପରିଷ୍କାର । ମ୍ଳେଛ ଏବଂ ଏମାନଙ୍କୁ ନେଇ ଗୋଟିଏ ସୁସ୍ଥ ଜୀବନ ବଞ୍ଚାଯାଇ ନପାରେ । ତେଣୁ ସେହି ଦିନରୁ ସେ ଘୁଷୁରୀମାନଙ୍କୁ ନିର୍ଦ୍ଦେଶ କରିଦେଲା ତାଙ୍କ କାଦୁଅର ଟୁବି ଗଡ଼ିଆକୁ ଓ ଯାବତୀୟ ଅମେଧ୍ୟ ଗ୍ରାସ ସେମାନଙ୍କ ପାଇଁ ବ୍ୟବସ୍ଥା କରିଦେଲା ।

 

ସେ ଘୁଷୁରୀମାନଙ୍କର ସେଥିପାଇଁ ଅନୁଶୋଚନା ନ ଥିଲା । ସେମାନେ ଏଡ଼େ ସତ୍ୟବନ୍ତ ଏବଂ ବାସ୍ତବ ଦୃଷ୍ଟିଭଙ୍ଗୀର ଜୀବମାନେ, ମଣିଷର ନିଷ୍ପତ୍ତିକୁ ଅତି ଯଥାର୍ଥ ବୋଲି ଗ୍ରହଣ କରିନେଲେ । କାରଣ, ସେମାନଙ୍କର ଅସାମଞ୍ଜସ୍ୟ ଶରୀର, ଦେହର ଟାଆଁସା ଲୋମ ଓ ସର୍ବୋପରି ଦୁର୍ଗନ୍ଧ ବାହାରୁଥିବା ସେ ଶରୀରକୁ ନେଇ କେମିତି ମଣିଷ ଗୋଟିଏ ସୁସ୍ଥ ସଭ୍ୟ ଜୀବନ ଯାପନ କରିପାରନ୍ତା । ସେମାନେ ବିନୟର ସହିତ ମଣିଷର ରୁଚିକୁ ସମ୍ମାନ ଦେଲେ ଓ ସେମାନଙ୍କ ପଶୁ ହୃଦୟରେ କାମନା କରିଥିଲେ ମଣିଷ ଏମିତି ସହଜ, ସୁନ୍ଦର ହୋଇ ଆତଜାତ ହେଉଥାଏ । ସେଇଥିରେ ସେମାନଙ୍କର ଆନନ୍ଦ ।

 

ମଣିଷର ସିଦ୍ଧାନ୍ତକୁ ଏମିତି ସୁଧର ଭାବରେ ମାନିନେବାର ଦୃଷ୍ଟାନ୍ତ ବିରଳ ଏ ଦୁନିଆରେ । ସେ ଘୁଷୁରୀ ଦଳଙ୍କୁ ଦେଖିଲେ ମନେ ହେବ କେଡ଼େ ଉଦାସୀନ ସେମାନେ ଏ ଦୁନିଆ ବିଷୟରେ ! ଅନବରତ ପଙ୍କ–କାଦୁଅ ଓ ମୁଥା ମୂଳକୁ ଗୋଜିଆ ମୁହଁମାନଙ୍କରେ ଖେଳେଇ ପକାଉଥିଲା ବେଳେ, ସମୟରେ ଉପରକୁ ମୁହଁ ଟେକି ଏମିତି ବୋକାଳିଆ ଭାବ ପ୍ରକାଶ କରନ୍ତି ମନେହେବ ଯେମିତି ସେମାନେ ଦୁନିଆ ବିଷୟରେ ସଚେତନ ହୋଇଛନ୍ତି ଏବଂ ଘଟଣାର କ୍ରମକୁ ଅଘ୍ରାଣ କରୁଛନ୍ତି ବାୟୁମଣ୍ଡଳରୁ । କିମ୍ବା କୌଣସି ଅଘଟଣ ପାଇଁ ଅତିରିକ୍ତ କ୍ରୋଧୀ ସେ ଘୁଷୁରୀମାନେ ଏକ ଆସନ୍ନ ମୁକାବିଲା ପାଇଁ ପ୍ରସ୍ତୁତ । ଅଥଚ ପାଖକୁ ଚାଲିଗଲେ କିଲ୍‌ ବିଲିଆ ଦୌଡ଼ିମାରି ଜଣାଇଦେବେ ସେମାନେ ମିଛ ରୋଆବ୍‌ ଦେଖାଉଥିବା ବାଳକ ପରି ନିରୀହ ।

 

ସେମାନଙ୍କର ଏବଂବିଧ ଜୀବନଧାରା ମଧ୍ୟରେ ସଂପ୍ରତି ସେମାନେ ଗୋଟିଏ ଘଟଣା ପ୍ରତ୍ୟକ୍ଷକଲେ ଓ ପ୍ରଥମେ ଘଟଣାଟିର କୌତୁହଳୋଦ୍ଦୀପକ ବିନ୍ୟାସ ଦେଖି ଚମତ୍କୃତ ହେଉଥିଲେ ବି ପରେ ତା’ର ହିଂସ୍ରତାରେ ମିୟମ୍ରାଣ ହୋଇ ପଡ଼ିଥିଲେ ।

 

ଘୁଷୁରୀମାନଙ୍କ ବିଚାରରେ ଲୋକଟା ନିଶ୍ଚୟ ଗୋଟିଏ ବଡ଼ ମଣିଷ । କାରଣ ତା ଚେହେରାରୁ ଫୁଟି ପଡ଼ୁଛି ବଡ଼ ମଣିଷର ଲକ୍ଷଣ–ପୋଷାକପତ୍ର ଖୁବ୍‌ ଦାମୀ, ତୀକ୍ଷଣ୍‌ ଦୃଷ୍ଟି ସହିତ ଇଷତ୍‌ ଚନ୍ଦା ମୁଣ୍ଡକୁ ମିଶାଇ ଦେଖିଲେ ଲୋକଟା ବୁଦ୍ଧିଆ ମନେହେଉଛି । ତା’ ଛଡ଼ା ସେମାନେ ଅନେକ ସମୟରେ ଦେଖିଛନ୍ତି ଏଇଭଳି ଲୋକ ସବୁ ଖୋଲା ଜିପ ଗାଡ଼ିରେ ହାତଯୋଡ଼ି ଠିଆ ହୋଇ ଯାଆନ୍ତି ଓ ବସ୍ତାଧାରର ହଜାର ହଜାର ଲୋକ ରୁଣ୍ଡ ହୋଇ ସେମାନଙ୍କ ନାଁରେ ଜୟ ଜୟ କରନ୍ତି । ପୁଣି ମୁହଁ ଦିଶୁନଥିଲେ ବି ଲୋକ ଗହଳୀରୁ ପରିସ୍କାର ବାଳକ କିମ୍ଵା ଲାଲ୍‌ ରଙ୍ଗର ଫ୍ରକ୍‌ ପିନ୍ଧିଥିବା ବାଳିକା ଦୌଡ଼ିଆସେ ତାଙ୍କ ଗାଡ଼ି ସାମ୍ନାକୁ ଘରୁ ଯତ୍ନରେ ଆଣିଥିବା ଫୁଲମାଳାକୁ ତାଙ୍କ ବେକରେ ଗଳାଇଦେବା ପାଇଁ । ଏ ସବୁ ଲୋକମାନେ ବି ମୁହୂର୍ତ୍ତକ ପାଇଁ ହସନ୍ତି, ପିଲାଟିକୁ ଗାଡ଼ିକୁ ଟେକିନେଇ ସ୍ନେହ କରନ୍ତି ଓ ଅନେକ ଫଟୋ ଉଠିସାରିଲା ପରେ ପୁନର୍ବାର ପିଲାଟିକୁ ତଳକୁ ଓହ୍ଲାଇ ନିଅନ୍ତି । ପିଲାଟି ବାପା ମାଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ମୁହଁ ସ୍ଵାଭାବିକ ହୋଇ ଯାଇଥାଏ ।

 

ଗୋଟିଏ ବଗୁଲିଆ ଘୁଷୁରୀ ଟୋକା ସେ ଲୋକଟିର ପରିଚୟ ଦେଇଦେଲା ବଡ଼ପାଟିରେ—ନେତା ବା । ସମସ୍ତେ ସମସ୍ଵରରେ ଟୋକା ଘୁଷୁରୀର ସ୍ଵରକୁ ଦୋହରାଇଲେ—ଏବଂ ତାର ପ୍ରତ୍ୟୁତ୍‌ପନ୍ନମତିତା ପାଇଁ ତାକୁ ବହୁତ ତାରିଫ୍‌ କଲେ । ତା’ର ତାରିଫ୍‌ରେ ଅନ୍ୟ ଯୁବ ଘୁଷୁରୀଟିଏ କେମିତି ଇର୍ଷାନ୍ଵିତ ହୋଇ ପଡ଼ିଲା । ସେ ଯୁକ୍ତିକଲା ରାଜାମାନେ ଦେଶରୁ ଚାଲିଗଲାପରେ ଏମାନେ ସବୁ ନୂଆ ରାଜା । ଏ ଲୋକଟିକୁ ନେତା ନ କହି ରାଜା କହିବା ଅଧିକ ଯୁକ୍ତିଯୁକ୍ତ । ଏତିକି କହିଦେଲା ମାନେ ସମସ୍ତଙ୍କ ଦୃଷ୍ଟି ଓ ସମର୍ଥନ ପଛ ଘୁଷୁରୀ ଟୋକାଟି ନିଜ ଆଡ଼କୁ ଟାଣିନେଲା ।

 

ଅନ୍ୟ ଅପେକ୍ଷାକୃତ ପ୍ରୌଢ଼ ଘୁଷୁ୍ରୀଟିଏ କିନ୍ତୁ ସେଇ ଶବ୍ଦ ଦୁଇଟିର ଘୋଷଣାରେ ବିବ୍ରତ ହେଲା ଓ ତା’ର ଗୋଜିଆ ମୁହଁକୁ ଇଷତ୍‌ ମେଲା କରି ଏକ ଆଶ୍ଚର୍ଯ୍ୟ–ବିସ୍ମୟ ଭାବନେଇ ଉପରକୁ ଚାହିଁଲା । ତା’ର ଆଚରଣରେ ଅନ୍ୟ ଘୁଷୁରୀମାନେ ସ୍ତମ୍ଭୀଭୂତ ହେବା ସ୍ଵାଭାବିକ, ଯେହେତୁ କୌଣସି ବୟୋଜ୍ୟେଷ୍ଠର ଆକସ୍ମିକ ଭାବାନ୍ତରରେ କିଛି ଅନିଷ୍ଟ ବା ଅଘଟଣର ସମ୍ଭାବନା ଥାଏ ବୋଲି ।

 

ଅନ୍ୟମାନଙ୍କର ମାନସିକ ଅବସ୍ଥାକୁ ଜୋର ନଦେଇ ସେ କିନ୍ତୁ ନିଜ ଭାବନାରେ ତନ୍ମୟ ଥାଏ–ସଂପ୍ରତି ଏ ଶବ୍ଦ ବହୁ ବ୍ୟବହୃତ ଓ ତାକୁ ବିଶେଷଣ ଭାବେ ଗ୍ରହଣ କରୁଥିବା ବ୍ୟକ୍ତିମାନେ ଠାକୁର ଦେବତାଙ୍କଠାରୁ ବଡ଼ ବୋଲି ପ୍ରକାଶ କରନ୍ତି ନିଜ ବ୍ୟବହାରରେ । ଯଦିଓ ସେ ଘୁଷୁରୀଟି ନିଶ୍ଚିତ ଅନ୍ୟମାନଙ୍କୁ ବୋକା ବୋଲି ଧରି ନେବାର ସ୍ଥିର ସିଦ୍ଧାନ୍ତ ଭିତରେ ସେମାନେ ପ୍ରାୟତଃ ନିଜେ ବୋକା ଏବଂ ଅନ୍ୟମାନଙ୍କର ଏକ ଉଦାସୀନ ସମର୍ଥନ ଭିତରେ ସେଇ ବ୍ୟକ୍ତିଟି ତା’ର ମୋଟାବୁଦ୍ଧିର ସତ ବା ଅପପ୍ରୟୋଗ ଫଳରେ ନିଜକୁ ଏକ ଗଡ଼ଜାତ ସମ୍ରାଟର ସୁବିଧାଜନକ ସ୍ଥାନରେ ପ୍ରତିଷ୍ଠିତ କରିଛି । ତେବେ ଏ ଲୋକଟି ସର୍ବସାଧାରଣଙ୍କ ଦ୍ଵାରା ଗୃହୀତ ବୋକାମାନଙ୍କ ପରି ନୁହେଁ । ତାକୁ କୁହାଯାଇ ପରେ ଜଣେ ରାଜା କରଦ ରାଜ୍ୟର ଏବଂ ନିଜର ବୁଦ୍ଧି ବଳରେ ମହା ମହାସମ୍ରାଟ ଓ ଛତ୍ରପତିମାନଙ୍କୁ ବୋକା କରି ଦେଇଛି । ସେ ଗୋଟିଏ ଯାଦୁକର, ତା’ର କାଉଁରୀ କାଠିର କିମତ୍‌ରେ ସମସ୍ତଙ୍କୁ କାବୁ କରିବାର ଯୋଗ୍ୟତା ତା’ଠାରେ ।

 

ଘୁଷୁରୀଟି ତାର ଗୋଜିଆ ମୁହଁକୁ ଓଳାଇ ଦେଲା ସ୍ଵାଭାବିକ ଢଙ୍ଗରେ ଓ ଘଟଣାର କ୍ରମକୁ ଅନୁଧ୍ୟାନ କଲା । ତା’ର ଏ ଭାବାନ୍ତରରେ ଅନ୍ୟ ଘୁଷୁରୀମାନେ ଆଶ୍ଵସ୍ତ ହେଲେ ।

 

ଲୋକଟା ବଡ଼ ଧୂର୍ତ୍ତଥିଲା; ନହେଲେ କେଡ଼େ ସୂକ୍ଷ୍ମ ଓ ସହଜ ଉପାୟରେ ପୂର୍ବ ନରପତିମାନଙ୍କୁ ରାଜ୍ୟ ତାଜ୍ୟ କରି ସିଂହାସନଟିକୁ ମାଡ଼ି ବସିଲା । ତେବେ କିଛି ଭୁଲ୍‌ ବି କରିଦେଲା–ଆପାତତଃ ମୁଥା ମୂଳରେ ଗୋଜିଆ ମୁହଁକୁ ଭୂଷି ପକାଉଥିବା ସେଇ ବୟସ୍କ ଘୁଷୁରୀଟି ଗାଲୁ ଗାଲୁ ହୋଇ ସ୍ଵଗତୋକ୍ତି କଲା । ଯଦି ସେ ରକ୍ଷୀ ଦଳଟିକୁ ରଖି ନଥାନ୍ତା ! ସେଇମାନେ ଶେଷରେ ତା’ର କାଳ ହେଲେ ।

 

ଶଳା, ଅସଲ ଘୁଷୁରୀଟାଏ ତୁ–ମୂରବୀ ବୋଲି ପରିଗଣିତ ହେଉଥିବା ଘୁଷୁରୀଟି ଚିତ୍‌କାର କଲା ମୂଥା ମୂଳରୁ ମୁହଁ ଟେକି । ସେ ଲୋକଟା ଆଉ ଭୁଲ୍‌ କଲା କଣ ! ଶାଲା, ଦେଶକୁ ସମ୍ଭାଳିବାକୁ ସବୁ ରାଜାତ ଦଳେ ଲେଖା ରକ୍ଷୀ ଖଞ୍ଜି ଦେଇଥାନ୍ତି । ପଡ଼ୋଶୀ ରାଜା ଯୁଦ୍ଧ କରିଥିଲେ ତୁ ତା ପିଠରେ ପଡ଼ିଥାନ୍ତୁ ? ସ୍ଵଗତୋକ୍ତି କରୁଥିବା ଘୁଷୁରୀଟି ମନକୁ ମନ କ୍ୱାଇଲ୍‌ ହେଇଗଲା ।

 

ତା ପରେ ଯେଉଁ ଅବସ୍ଥାରେ ରକ୍ଷୀଟି ସିଂହାସନାରୁଢ଼ ହେବାର ସ୍ୱପ୍ନ ଦେଖିଲା ଓ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ କାଯ୍ୟକ୍ରମ ନେଲା ତା’ର ଆକ୍ଷିଦେଖା ବିବରଣି ଦେବାକୁ ସେ ବୃଦ୍ଧ ଘୁଷୁରୀଟି ପ୍ରସ୍ତୁତ ହେଲା । ହଠାତ୍‌ ଯୁବଘୁଷୁରୀଟିଏ ଅନୁରୋଧ କଲା: ଅଜା ! ଆମେ ଦୀର୍ଘ ଦିନରୁ ରାଜା–ମନ୍ତ୍ରୀର କାହାଣୀ ଶୁଣିନୁ । ସେଇ ମର୍ମରେ କଥାଟି କୁହ ।

 

ବୃଦ୍ଧ ଘୁଷୁରୀ ଆରମ୍ଭ କଲା: ବଇଲେ କଥା କଣ କି ! ସେ ରକ୍ଷୀଟି ସଦାସର୍ବଦା ହତିଆର ହସ୍ତ ହୋଇ ରାଜାଙ୍କ ନିରାପତ୍ତାକୁ ଲକ୍ଷ୍ୟ ରଖିଥାଏ । ଦିନକର ଘଟଣା–ସେ ରାଜାଟି ଶୋଇଗଲା କିଛିକ୍ଷଣ । ରକ୍ଷୀ ପାଇଁ ସେଇଟା ସୁବର୍ଣ୍ଣ ସୁଯୋଗ ଥିଲା । ସେ ସିଂହାସନରେ ବସି ପଡ଼ିଲା ପରେ ତାକୁ ଲାଗିଲା ଇନ୍ଦ୍ରଆସନ ପରି । ସେ ଇନ୍ଦ୍ର ଆସନରେ ବସିଥିଲା ବେଳେ ସେ ଚିନ୍ତାକଲା ରାଜାଙ୍କର ଅନ୍ତଃପୁର ଓ ସମସ୍ତ ରାଣୀମାନଙ୍କ କଥା/ରାଜାଙ୍କର ଶତସହସ୍ର ସ୍ୱର୍ଣ୍ଣମୁଦ୍ରାର ରାଜକୋଷ ବିଷୟରେ ଏବଂ ସେବାଦାସ ପରି ଖଟୁଥିବା ରାଜ୍ୟର ଅସଂଖ୍ୟ ଦାସମାନଙ୍କର ଆନୁଗତ୍ୟ ବିଷୟରେ । ସେ ଯେ ବସିଗଲା, ବସିଯିବ ସବୁଦିନ ପାଇଁ ଓ ଏଇ ଆଶାରେ ଅଧସ୍ତନ ରକ୍ଷୀମାନଙ୍କୁ ହାତକରି ଶୋଇଥିବା ରାଜାଟିକୁ ବାନ୍ଧି ପକାଇଲା ।

 

ହେଲା କଣ କି–ସେ ଆଉ ଗୋଟିଏ ପର୍ଯ୍ୟାୟରେ କଥା କହିଲା: କଥାଟି ସେତିକିରେ ଛିଣ୍ଡିଥିଲେ ଆଉ କିଛି ଝମେଲା ନଥିଲା ବା ରାଜାଟିକୁ ଏ ଦୂର୍ଯୋଗରେ ପଡ଼ିବାକୁ ହେଇ ନଥାନ୍ତା । ତାର ଦୀର୍ଘ ଜୀବନର ଅନୁଭୂତିରୁ ସେ ଏବେ ବୁଝିଥିଲା—ଏ ରାଜା ବଡ଼ କ୍ଷମତା ଲୋଭୀ । ଜୀବନ୍ତ ଥିବା ପର୍ଯ୍ୟନ୍ତ କୌଣସି ରାଜାଙ୍କୁ ସେ ନିରବଚ୍ଛିନ୍ନ ସିଂହାସନରେ ବସାଇ ଦେବ ନାହିଁ । ତେଣୁ ତା’ର ବିଲୋପ ସାଧନ ଏକମାତ୍ର ପନ୍ଥା ଥିଲା ରକ୍ଷୀଟି ପାଇଁ ।

 

ରକ୍ଷୀଟି ମୂଳ ରାଜାଙ୍କଠାରୁ ବିଚକ୍ଷଣ ବୋଲି ପରିଚୟ ଦେଲା । ସେ ରାଜାଙ୍କ ନାମରେ ଗୋଟିଏ ଅଭିଯୋଗ ପତ୍ର ପ୍ରସ୍ତୁତ କଲା ଓ ତଦନୁସାରେ ରାଜାଙ୍କୁ ମୃତ୍ୟୁଦଣ୍ଡକୁ ବିଧାନ କଲା । ରକ୍ଷୀର ବିଚାରରେ ରାଜାଙ୍କ ଦୋଷଥିଲା ଗୁରୁତର: ସେ ଜାବତ୍‌ଜୀବନ ରାଜଭୋଗ ଅଭିଳାଷ ପୋଷଣ କରିଥିଲେ । ଏ ଅପରାଧ ପାଇଁ ମାମୁଲି ଦଣ୍ଡ ଯଥେଷ୍ଟ ନୁହେଁ । ଏହା ପରବର୍ତ୍ତୀ ବଂଶଧର ପାଇଁ ସୁପରଂପରା ସୃଷ୍ଟି କରିବ ନାହିଁ ବୋଲି ଦଣ୍ଡଟିକୁ ଅଧିକ ଜଟିଳ କରାଯାଇପାରେ । ତେଣୁ ତାଙ୍କୁ ଦଉଡ଼ିରେ ଝୁଲାଇ ମାରିବା ପୁର୍ବରୁ ତାଙ୍କ ଶରୀରର ଯାବତୀୟ ଯନ୍ତ୍ରଣା ରୁନ୍ଧି ଦିଆଯାଇ ପାରେ ।

 

ଯୁବ ଘୁଷୁରୀଟିଏ ଏ ଉକ୍ତିରେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଲା । ସେ ସଚରାଚରେ ଦେଖୁଛି କ୍ଷମତାର ଲୋଭ । ଦେହରୁ ଚମ ଛିଡ଼ି ଯାଇଥିବା ବୁଢ଼ା କଫିନ୍‌ରୁ ମୁଣ୍ଡ ଟେକୁଛି ଯୁବକ ବୋଲି ବାହାସ୍ପୋଟ ମାରି, ଏ ରାଜାଟା ଏବେ କି ହାଣମାର ଦୋଷ କରି ପକାଇଲା ! ଅନ୍ୟ ଏକ ବୃଦ୍ଧ ଘୁଷୁରୀ ସ୍ଵଗତୋକ୍ତି କଲା: ହଃ…କ୍ଷମତାର ଖେଳ । ତେବେ ମଣିଷତ ଏବେ ମହାମାନବ ହୋଇଯାଇ ଆମମାନଙ୍କ ପରି ପଶୁମାନଙ୍କ ପ୍ରତି ଦୟା ପ୍ରଦର୍ଶନର ବିଧାନ ଖଞ୍ଜି ଦେଲାଣି…ସେ ବିଧାନ କଣ ଏ ରାଜାଙ୍କୁ ଲାଗୁ ହେବନି !

 

ଛାଡ଼ ଏବେ ଦେଖିବା କଣ ହେଉଛି ! ଏତ ବଡ଼ ଲୋକଙ୍କ ବିଧାନ, ଆମ ମାନଙ୍କ ପରି ଘୁଷୁରୀବା କଣ ଏଥିରୁ ବୁଝିବା, ଆଉ ଗୋଟିଏ ଘୁଷୁରୀ ମତଦେଲା ।

 

ଅତଃପର ରକ୍ଷୀଟି ଦଣ୍ଡ ବିଧାନର ଦିନଧାର୍ଯ୍ୟ କଲା ଓ ପ୍ରତିବେଶୀ ଲୋକମାନଙ୍କର ଶାସକବର୍ଗକୁ ଆହ୍ଵାନ ଦେଲା ! ଶକ୍ତିଥିଲେ ଏ ଦୁର୍ଗତିରୁ ନରପତିକୁ ମୁକ୍ତକର ।

 

ଘୁଷୁରୀମାନେ ଧୈର୍ଯ୍ୟର ସହିତ ଅପେକ୍ଷା କଲେ ଏହା ପରେ କଣ ଘଟୁଛି ଦେଖିବା ପାଇଁ । ନିର୍ଦ୍ଦିଷ୍ଟ ଦିବସରେ ସେଇ ଭୂଖଣ୍ଡରେ ଅନ୍ୟାନ୍ୟ ରାଜାର ନରପତିମାନେ ଉପସ୍ଥିତ ହେଲେ । ସେମାନଙ୍କ ପାଇଁ ପଦବୀ ଭେଦରେ ଆସନର ବ୍ୟବସ୍ଥା ହୋଇଥିଲା ଓ ପ୍ରତ୍ୟେକଟି ଆସନ ପଛରେ ସେମାନଙ୍କ ରାଜାର ବୈରଖ ସଳଖ ବଂଶ ଦଣ୍ଡରେ ଶୋଭା ପାଉଥିଲା । ସେମାନେ ଆସନ ଗ୍ରହଣ କଲାପରେ ରକ୍ଷୀଟି ସେମାନଙ୍କ ସମକ୍ଷରେ ଉପସ୍ଥିତ ହେଲା ଓ ଅଭିଯୁକ୍ତ ଆସାମୀର ଦୋଷରେ ଏକ ଧାରା ବିବରଣୀ ସହିତ ଦଣ୍ଡ ବିଧାନର ପଦ୍ଧତିଟି ବୁଝାଇ ଦେଲା । ସେ କିଛି ସମୟ ଅପେକ୍ଷା କଲା ଯଦି ଉପସ୍ଥିତ ରାଜନ୍ୟ ମଣ୍ଡଳୀର କିଛି କହିବାର ଥାଏ !

 

ଘୁଷୁରୀମାନେ ଅନୁଧ୍ୟାନ କରୁଥିଲେ ।

 

ପ୍ରତ୍ୟେକଟି ରାଜପୁରୁଷ ଗୋଟିଏ ଗୋଟିଏ ଖେଳ କଣ୍ଢେଇ ପରି ମନେ ହେଉଥିଲେ । ସେମାନେ ସ୍ଥିର, ଅଚଞ୍ଚଳ, ଚକ୍ଷୁ ପଲକହୀନ । ରକ୍ଷୀଟୀର ବକ୍ତବ୍ୟ ପରେ ପର୍ଯ୍ୟାୟ କ୍ରମେ ପ୍ରତ୍ୟେକଙ୍କର ପାଟି ମେଲା ହେଲା ଓ ସେଥିରୁ ଗୋଟିଏ ଯାନ୍ତ୍ରିକ ସ୍ୱର ନିର୍ଗତ ହେଲା: ମାନବିକତା ବିଚାରରେ ରାଜାଙ୍କୁ ମୁକ୍ତି ଦିଆଯାଉ ।

 

ରକ୍ଷୀଟି ସେ ଯାନ୍ତ୍ରିକ ସ୍ୱର ପ୍ରତି ଉଦାସୀନ ଥିଲା । ସେ ସଚେତନ ଥିଲା ଉପସ୍ଥିତ ରଜନ୍ୟବର୍ଗଙ୍କର ସ୍ୱର ସ୍ଵୟଂଚାଳିତ, ଏଥିରେ ମାନବିକତାର ସ୍ପର୍ଶ ନାହିଁ; କେବଳ ସୌଜନ୍ୟ ପ୍ରକାଶର ଏକ ମାଧ୍ୟମ । କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାର ଶିଷ୍ଟାଚାର ରହିଛି ସେମାନଙ୍କର । ତେଣୁ ସେ ମୃଦୁହାସ୍ୟ ସହିତ ଉପସ୍ଥିତ ପାର୍ଶଦମାନଙ୍କୁ ଆଦେଶ ଦେଲା ଅଭିଯୁକ୍ତ ରାଜାଙ୍କର ଦଣ୍ଡବିଧାନ ପାଇଁ ।

 

ବିଚାରର ଏଇ ପ୍ରହସନ ମଧ୍ୟରେ ଘୁଷୁରୀମାନଙ୍କର ସର୍ବାଙ୍ଗ ରୋମାଞ୍ଚିତ ହେବାର ଲକ୍ଷଣ ସ୍ୱରୂପ ସେମାନଙ୍କର ଟାଆଁସା ଟାଆଁସା ଲୋମଗୁଡ଼ିକ ଉର୍ଦ୍ଧ୍ଵମୁଖୀ ହୋଇଗଲା । ସେମାନେ କେବଳ ଅତିଶୟ ଆବେଗ ଓ ଉତ୍କଣ୍ଠାର ଘଟଣାଟିକୁ ଅପେକ୍ଷା କରିଥିଲେ । ଆଦେଶ ମାତ୍ରେ ପାର୍ଶଦମାନେ ରାଜାଟିକୁ ଟାଣି ଟାଣି ନେଇ ଆସିଲେ ଓ ଫାଶୀ ଖୁଣ୍ଟ ନିକଟରେ ଠିଆ କରାଇ ତା ବେକରେ ଦଉଡ଼ିର ଫାଶ ଭିଡ଼ିଦେଲେ । ରାଜା କିଛି ପ୍ରତିବାଦ କଲେନି, ବରଂ ତାଙ୍କ ମୁଖମଣ୍ଡଳ ପ୍ରଶାନ୍ତ ଓ ଆତ୍ମ ସନ୍ତୋଷରେ ଉଜ୍ଜଳ ଦିଶୁଥିଲା । ତାଙ୍କ ବେକରେ ଫାଶ ଦଉଡ଼ି ଲାଗିଲା ପରେ ଉପସ୍ଥିତ ରାଜନ୍ୟ ବର୍ଗଙ୍କର ଓଷ୍ଠ ପୁନର୍ବାର ବିସ୍ଫାରିତ ହେଲା ଓ ପୂର୍ବପରି ପର୍ଯ୍ୟାୟ କ୍ରମେ ସମସ୍ତଙ୍କ ପାଟିରୁ ସେଇ ଯାନ୍ତ୍ରିକ ସ୍ୱରଟି ଶୁଣାଗଲା; ମାନବିକତା ବିଚାରରେ ରାଜାଙ୍କୁ ମୁକ୍ତି ଦିଆଯାଉ ।

 

ସେମାନଙ୍କ ସ୍ୱର ରକ୍ଷୀ ନିକଟରେ ପହଞ୍ଚିବା ପୁର୍ବରୁ ଫାଶୀ ଦଉଡ଼ି ଟାଣ ହୋଇଯାଇଥିଲା ଓ ଏକଦା ମହାମହିମ ନରପତି ହିସାବରେ ଖ୍ୟାତ ଲୋକଟି ବଡ଼ ଅସହାୟ ଭାବରେ ଝୁଲି ପଡ଼ିଥିଲା କାର୍‌ ସାମ୍ନାରେ ଝୁଲୁଥିବା ରବର କଣ୍ଢେଇ ପରି ।

 

ଘଟଣାଟି ଘଟିଗଲା ପରେ ଘୁଷୁରୀମାନଙ୍କ ମଧ୍ୟରେ ବିଦ୍ରୋହର ସୂତ୍ରପାତ ହେଲା । ହଠାତ୍‌ ଗୋଟିଏ ଯୁବ ଘୁଷୁରୀ ଚିତ୍କାର କଲା, ଏମାନେ ନିଶ୍ଚୟ ମଣିଷ ନୁହଁନ୍ତି । ଏ ଶତାବ୍ଦୀରେ ଏପରି ଜଘନ୍ୟ କାମ ଏକାବେଳେକେ ଅସମ୍ଭବ ।

 

ଯୁବ ଘୁଷୁରୀର ବିଦ୍ରୋହାତ୍ମକ ଉକ୍ତିଟିର ସତ୍ୟାସତ୍ୟ ବୁଝିବା ପାଇଁ ସରବ୍ୟ ଘୁଷୁରୀଟି ସନ୍ତର୍ପଣରେ ରାଜନ୍ୟ ମଣ୍ଡଳୀ ନିକଟକୁ ଅଗ୍ରସର ହେଲା, ଯେତେବେଳେ ଅନ୍ୟ ଘୁଷୁରୀମାନେ ଏ ବିଭତ୍ସ ଦୃଶ୍ୟରେ ଉପାୟହୀନ ଅଶ୍ରୁ ବିସର୍ଜନ କରୁଥିଲେ କେବଳ ।

 

ସେ ପ୍ରତ୍ୟେକ ସଭ୍ୟଙ୍କୁ ଜଣ ଜଣ କରି ପରୀକ୍ଷା କଲା ଓ କିଛି ସମୟ ତା’ର ଥୋମଣୀକୁ ଉର୍ଦ୍ଧ୍ଵମୁଖ କରି କଣ ଚିନ୍ତା କରି ସେଇଠୁ ଘୋଷଣା କଲା ଆମେ ମଣିଷ ବୋଲି ଭାବୁଥିବା ଜୀବମାନେ ପ୍ରକୃତ ମଣିଷ ନୁହଁନ୍ତି । ସେମାନଙ୍କର ହୃଦୟ ନାମକ ଯନ୍ତ୍ରଟି ଅଚଳ ହୋଇପଡ଼ିବା ଫଳରେ କୃତ୍ରିମ ଯନ୍ତ୍ର ସାହାଯ୍ୟରେ ସେମାନଙ୍କର ସ୍ୱର ସଞ୍ଜୋଜନା କରାଯାଇଛି ।

 

ଏ ଘୋଷଣାଟି ଶୁଣିଲା ପରେ ଯୁବ ଘୁଷୁରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହେଲା । ସେମାନେ ଶୋକ ସନ୍ତପ୍ତ ବୃଦ୍ଧମାନଙ୍କୁ ଅପେକ୍ଷା ନକରି ସିଦ୍ଧାନ୍ତ ନେଲେ–ମଣିଷର ଅବର୍ତ୍ତମାନରେ ସେମାନେ ନିଜକୁ ମଣିଷ କରିବାରେ କୌଣସି ନୀତିଗତ ବାଧା ନାହିଁ ।

 

ସର୍ବ ସମ୍ମତି କ୍ରମେ ପ୍ରସ୍ତାବଟି ଗୃହୀତ ହେଲା ପରେ ସେମାନେ ନିକଟସ୍ଥ ଟୁବି ଗଡ଼ିଆରେ ସ୍ନାନ କଲେ ଓ ମୁଁହ ତଳକୁ କରି ଏକ ନୀରବ ଶୋଭାଯାତ୍ରାରେ କୌଣସି ଦେବମନ୍ଦିରରେ ଉପସ୍ଥିତ ହେଲେ । ପୂଜକହୀନ ସେଇ ମନ୍ଦିରରେ ସେମାନେ ପ୍ରାୟ ପ୍ରାର୍ଥନା କଲେ, ହେ ପ୍ରଭୋ ! ଆମେ ଅମେଧ୍ୟ ଗ୍ରାସ କରୁଥିବା ପଶୁ ମଣିଷ ହେବାର ବାସନା ପୋଷଣ କରି ଯେଉଁ ଅପରାଧ କରିଛୁଁ ସେଥିରୁ ଆମକୁ କ୍ଷମା ଦିଅ । ଆମେ କସ୍ମିନ୍‌ କାଳେ ମଣିଷ ହେବାର ବାସନା କରିନୁ । କିନ୍ତୁ ଏ ଭୂଖଣ୍ଡ ମଣିଷ ଶୂନ୍ୟ କଥାଟିକୁ ଆମେ ସହ୍ୟ କରି ପାରୁନୁ । ଯେଉଁ ମୁହୂର୍ତ୍ତରେ ହୃଦୟଯୁକ୍ତ ମଣିଷର ଆବିର୍ଭାବ ଘଟିବ ଆମେ ସେମାନଙ୍କୁ ସମସ୍ତ ଦାୟିତ୍ଵ ବୁଝାଇ ଦେଇ ପୁନର୍ବାର ଫେରିଯିବୁ ଆମର ଟୁବି ଗଡ଼ିଆକୁ ଓ ଆଦରରେ ଗ୍ରହଣ କରିନେବୁ ଆମର ଅମେଧ୍ୟ ଗ୍ରାସକୁ ।

 

ଆପାତତଃ ଆମକୁ କ୍ଷମା ଦିଅ ! ମନ୍ଦିର ପ୍ରାଙ୍ଗଣରୁ ନୀରବରେ ସେମାନେ ଅପସରି ଗଲେ କ୍ରମେ ।

Image

 

ଅରଷ୍ଟି

 

ଠିକ୍‌ ପରଦିନ ରାତି ଦୁଇଟା ତିରିଶ ମିନିଟ୍‌ରେ ତା’ର ନିଦ ଭାଙ୍ଗିଗଲା । ସେ ବିଛଣାରୁ ଉଠି ପଡ଼ିଲା ଓ କୋଠରୀର ଚତୁଃପାର୍ଶ୍ଵରେ ଥରେ ଆକ୍ଷି ବୁଲାଇ ଆଣିଲା । ସବୁ ନୀରବ, ନିଷ୍ପନ୍ଦ । କେବଳ କେତେଗୁଡ଼ିଏ ଜୀବଙ୍କର ଶୋଇପଡ଼ିଥିବା ଅସହାୟ ଶରୀରମାନଙ୍କ ମଧ୍ୟରୁ ନିଶ୍ୱାସ–ପ୍ରଶ୍ୱାସ ପରି ଏକ ସାଧାରଣ କ୍ରିୟା ବିଭିନ୍ନ ସ୍ୱର ଶବ୍ଦ ମାଧ୍ୟମରେ ପ୍ରକାଶିତ ହେଉଥିଲା ।

 

ସେ କିଛି ମୁହୂର୍ତ୍ତ ଥକ୍‌କା ମାରି ବସିଗଲା । କାରଣ ସେ ଜାଣିପାରି ନଥିଲା କାହିଁକି ତାର ନିଦ ଭାଙ୍ଗିଗଲା ! ଏବଂ ସମୟରେ ଭାଙ୍ଗିଗଲେ ବି ସେ କାହାକୁ କେମିତି ପଦେ ନାଁ ଧରି ଡାକିଦେଇ (ସେ ସ୍ତ୍ରୀ ହୋଇପାରେ/ପିଲାମାନେବି) ପୁଣିଥରେ କେତେବେଳେ ଶୋଇପଡ଼େ ତା’ର ଅଜାଣତରେ । ଅଥଚ ଆଜି ସେମିତି କିଛି ଘଟିଲାନି । ବରଂ ନିଦ ଭାଙ୍ଗିଗଲା ପରେ ନିଃଶ୍ୱାସ–ପ୍ରଶ୍ୱାସ ଜନିତ ସ୍ୱର–ଶବ୍ଦ ସବୁ ତାକୁ କେମିତି ଏକ ବିଶେଷ ଭାବମୟ ଜଗତକୁ ଘେନି ଯାଉଛନ୍ତି ଓ ସେ ସବୁକୁ ନ ବୁଝି ପାରିବାର ରହସ୍ୟମୟ ଅନୁଭୂତି ଭିତରକୁ ଠେଲି ହେଇଯାଉଛି ।

 

ତା’ର ମନେହେଲା ସ୍ଵର୍ଗରେ ଲୁକ୍‌କାୟିତ ଇଶ୍ଵର ନାମକ ପ୍ରାଣୀ ଇଛାକଲେ କ୍ଷଣକ ମଧ୍ୟରେ ଏ ଶବ୍ଦମାନଙ୍କୁ ବନ୍ଦ କରିଦେଇ ପାରନ୍ତି ଓ ଅବଶିଷ୍ଟ ପ୍ରାଣୀମାନଙ୍କ କ୍ରନ୍ଦନରୋଳ ମାଧ୍ୟମରେ ଅପ୍ରକାଶିତ ଘୋଷଣା କରିଦେଇ ପାରନ୍ତି ଏମାନେ ସବୁ ମରିଗଲେ ବୋଲି । ରାତିର ଏଇ ନିର୍ଦ୍ଧିଷ୍ଟ ମୁହୂର୍ତ୍ତରେ ତା ନିଜ ସମେତ ସମସ୍ତ ପ୍ରାଣୀମାନଙ୍କ ଉପରେ ଈଶ୍ୱରଙ୍କର ଏ ଇଚ୍ଛା ଘଟିଯିବା ଅସମ୍ଭବ ନୁହେଁ । ଘଟିଗଲେ ବରଂ କିଛି କ୍ଷତି ହୁଅନ୍ତାନି ଏମିତି ଗୋଟିଏ ଧାରଣା କାହିଁକି ତାକୁ ଆଚ୍ଛାଦିତ କରିଦେଲା ଓ ସେ ଭାବିଲା ତାପରେ ଅବଶ୍ୟ ଯୁଦ୍ଧ ଭିତ୍ତିରେ ଗୋଟିଏ ନୂତନ ସୃଷ୍ଟିର ପ୍ରସ୍ତୁତି ଆରମ୍ଭ ହୋଇଯାନ୍ତା । ପୁନଶ୍ଚ ଶୂନରୁ ଆରମ୍ଭ କରି ଏକ, ଦୁଇ କରି ଏମିତି ନିର୍ଦ୍ଧିଷ୍ଟରୁ ଅସଂଖ୍ୟ ପର୍ଯ୍ୟନ୍ତ ବ୍ୟାପିଯାନ୍ତା କ୍ରମେ ।

 

ତା ମନ ଆଶଙ୍କାରେ ଘାରିଯାଏ ! ଯେଉଁ ନୂଆ ପ୍ରାଣୀମାନେ ଆସିବେ ସେମାନେ ଯେ ଆଜି ପରି ଏକ ଅବଶ୍ୟମ୍ଭାବୀ ଅନିଶ୍ଚିତରେ ଥରି ନ ଉଠିବେ ଏ ଗ୍ୟାରେଣ୍ଟି କିଏ ବା ଦେଇପାରିବ ତାକୁ ! ଦେଇ ପାରନ୍ତେ କେବଳ ସେଇ ଇଶ୍ଵର; କିନ୍ତୁ ସେତ ଏମିତି ଖଞ୍ଜା ପ୍ରାଣୀଟିଏ ଖାଲି ଗୋଟିଏ ପ୍ରଚାରର ବସ୍ତୁ ପାଲଟି ଯାଇ ଅନୁଭୂତିର ପରିସର ବାହାରେ ରହି ଯାଉଛନ୍ତି । ସେ ଏବେ କରିବ କଣ !

 

ଏଇ କରିବ କଣର ଅନୁଭୂତି ଜୀବନଧାରାର ଅନେକ ମୁହୂର୍ତ୍ତରେ…ନା ସମାଧାନ ଅଛି, ନା ସହଜ ବୁଝାମଣାରେ ଆକ୍ଷୀ ବୁଜି ଦେଇହବ ! ପୁରୁଣା କଥା କ୍ରମେ ଗତାନୁଗତିକ ହେବା ସ୍ଵାଭାବିକ । ଈଶ୍ଵର ପ୍ରଚାରର ବସ୍ତୁ ହେଲେ କୌଣସି କଥାର ସମାଧାନ ନାହିଁ । ତେବେ ମୁଖ୍ୟ କଥା….ଏଇ ମାଡ଼ି ମାଡ଼ି ପଡ଼ିବାର ଭାବ, ଯାହାକୁ ଭୟ/ଆଶଙ୍କାର ରୂପ ଦିଆଯାଇପାରେ, ସେ ଅନାହତ ଭାବେ ପଶିଆସେ ଚେତନାକୁ ଓ ରାତିର ସ୍ଵପ୍ନ ଦିନର ଆଲୋକରେ ହଜିଗଲା ପରି ନିଜର ସତ୍ତା ହରାଇ ଦିଅନ୍ତି ସେଇ ଭୟ/ଆଶଙ୍କା ମାନେ ସମସ୍ତ କୋଳାହଳ ମଧ୍ୟରେ ।

 

ସେ କୋଠରୀର ଆଲୋକ ଦେଲା । ଆଲୋକ ଦେବା ଫଳରେ ଗୋଟିଏ କଥା ଲାଭ ହେଲା—ନିଶ୍ୱାସ–ପ୍ରଶ୍ୱାସ ଜନିତ ସ୍ୱର–ଶବ୍ଦ ସବୁ କାହିଁକି ହଠାତ୍‌ କ୍ଷୀଣ ମନେହେଲା ଓ ସ୍ପଷ୍ଟ ହେଲେ କୋଠରୀର ବସ୍ତୁମାନେ ।

 

ବସ୍ତୁମାନଙ୍କର ଅନେକ ସମୟରେ ଗୋଟିଏ ଶକ୍ତି ଥାଏ ବ୍ୟକ୍ତିକୁ ନିଜ ଭିତରେ କିଛି ସମୟ ଛନ୍ଦି ଦେବାକୁ । ଅଥଚ ସେମିତି କିଛି ତା’ନିକଟରେ ଘଟୁନି । ସେ ସ୍ପଷ୍ଟ ଦେଖିପାରୁଛି ତା’ର ବୁକ୍‌ସେଲଫ ଓ ସେଥିରେ ଥାକ ମରାହୋଇ ରହିଥିବା ତାର ପ୍ରିୟ ବହିମାନେ, ସେଲ୍‌ଫକୁ ଲାଗି ହେଣ୍ଡିକ୍ରାଫ୍‌ଟନ ଟେବୁଲ ଲେମ୍ପ, ଟେବୁଲ ଲେମ୍ପରୁ ଉକୁଟି ଉଠୁଥିବା ବୃଦ୍ଧ ମୁହଁର ସିଗ୍ରେଟ, ପ୍ଲାଷ୍ଟିକ ଫୁଲ ଓ ସର୍ବୋପରି ତା’ସ୍ତ୍ରୀର ଯୁବତୀ ଅବସ୍ଥାର ଫଟୋକୁ ତା ଫଟୋ ସହିତ ମିଶାଇ କୌଣସି ଆର୍ଟିଷ୍ଟ ରୋମାଣ୍ଟିକ୍‌ କଥାଚିତ୍ରର ନାୟକ–ନାୟିକା ଚିତ୍ରପରି ତିଆରି କରିଥିବା ଆକର୍ଷଣୀୟ ଫଟୋଟି ତ ତା’ର ଦୃଷ୍ଟି ଆକର୍ଷଣ କରି ପାରୁନି । ଅନ୍ୟ ସମୟ ହେଇଥିଲେ ସେ ହୁଏତ ଉଜ୍ଜ୍ଵଳ ଆଲୋକକୁ ବନ୍ଦ କରି ଦେଇଥାନ୍ତା ଓ ଜିରୋ ଆଲୋକ ମଧ୍ୟରେ ରେକର୍ଡ଼ ପ୍ଲେୟାରରେ କୌଣସି ଲଘୁ ଶାସ୍ତ୍ରୀୟ ସଙ୍ଗୀତର ରେକର୍ଡ଼ ବସାଇ ଦେଇ ସ୍ତ୍ରୀକୁ ଧୀରେ ଉଠାଇ ଅବଶିଷ୍ଟ ରାତିକୁ ଗୋଟାଏ ମୁଡ଼୍‌ରେ କଟାଇ ଦେଇଥାନ୍ତା ।

 

ଏବେ କାହିଁକି ତା’ର ମନେ ହେଲା ଏସବୁ ଆଉ ସମ୍ଭବ ନୁହେଁ । ମାନେ ଏଇ ହସ ଖୁସି…ମୁଡ଼୍‌ ଓ ଗୋଟାଏ ତନ୍ମୟ ହୋଇ ରହିବାର ଭାବ । ହୁଏତ ସମ୍ଭବ ହୋଇ ପାରନ୍ତା ଯଦି ସେ ନିଜକୁ ଅଯଥାରେ ଜଣେ ଜ୍ଞାନୀ ଲୋକ ବୋଲି ମନେ କରନ୍ତା କିମ୍ୱା ନିଜେ ଓ ନିଜର ହାତଗଢ଼ା ଅହଂକୁ ଜାବୁଡ଼ି ଧରି ବାହାରେ ଗୋଟାଏ ବିରାଟ ଦୁନିଆକୁ ଆକ୍ଷି ବୁଜି ଦେଇପାରନ୍ତା । କିନ୍ତୁ ମଣିଷ ତା ପାଇଁ ଏକ ଶବ୍ଦ ନୁହେଁ, ଗୋଟାଏ ଅନୁଭବ–ଯେଉଁଠି ସବୁ ରୁଗ୍‌ଣ ପାଣ୍ଡୁର ମୁହଁରେ ହସ ଝଲକ୍‌ ଥାନ୍ତା, ପ୍ରତ୍ୟେକଟି ଦୁଃଖ ତା ନିଜର ବୋଲି ସେ ଅନୁଭବ କରନ୍ତା–ଏମିତି ତା’ର ଧାରଣା । ଏଇ ଧାରଣାକୁ ନେଇ ବଂଚୁ ବଂଚୁ ଅନେକ ସମୟରେ ସେ ଅସାମାଜିକ ବୋଲି ହୁଏତ ପରିଚିତ ହୋଇପାରୁଥାଏ ଚଳନ୍ତି ଅହଂକାରୀ ମଣିଷମାନଙ୍କ ନିକଟରେ । କାରଣ ସେ ତାଙ୍କ ନିକଟରେ ବସିପାରୁନି ସନ୍ଧ୍ୟାର ବୈଠକମାନଙ୍କରେ କିମ୍ବା ନିଜକୁ ପ୍ରତିଷ୍ଠା କରିବାର ଯୁକ୍ତି ମଧ୍ୟରେ । ଏମିତି କାହିଁକି ସେ ବୁଝାମଣାରେ ପହଞ୍ଚି ଯାଇଛି ଦୁନିଆ ବିଷୟରେ କିଛି ଜାଣି ନ ଥିବା ସଂକୀର୍ଣ୍ଣ ଲୋକମାନେ କେବଳ ସନ୍ଧ୍ୟାକୁ ସାରି ଦିଅନ୍ତି ଅଯଥା କଥାବାର୍ତ୍ତା କିମ୍ବା ଯୁକ୍ତିତର୍କ ଭିତରେ । ଅନ୍ୟଥା ପବନରେ କରୁଣା ପ୍ରତିଶୋଧରେ ରୂପାନ୍ତରିତ ହେବାର ସମ୍ବାଦ ସେମାନଙ୍କୁ ବିଚଳିତ କରିଦିଅନ୍ତା ହୁଏତ । ସେମାନେ ବିଗଳିତ ହୋଇ ଯାଆନ୍ତେ ଓ ଦୁନିଆକୁ କଳି ପାରୁ ନ ଥିବା ବାଳକ ପରି ବଲ ବଲ କରି ଆକାଶକୁ ଚାହିଁ ରହନ୍ତେ ।

 

ସେ ସବୁ ବୁଝିପାରୁଛି ଓ ଇଚ୍ଛା କରି ହସ ଖୁସିରେ ମଜଗୁଲ ହୋଇ ପାରୁନି । ସନ୍ଧ୍ୟାର ଆସର, ଯୁକ୍ତିତର୍କ, ଶୁଦ୍ଧ ସ୍ନାନ ପର ସ୍ତ୍ରୀର ଅର୍ଥପୂର୍ଣ୍ଣ ହସ ଓ ପିଲାମାନଙ୍କର କୋଳାହଳ ସବୁ କେମିତି ତାକୁ କରୁଣ୍ୟର ଏକ ଭାବମୟ ଜଗତକୁ ଘେନି ଯାଉଛନ୍ତି । ସେଥିପାଇଁ ପରଦିନ ଠିକ୍‌ ରାତି ଦୁଇଟା ତିରିଶ ମିନିଟରେ ତା’ର ନିଦ ଭାଙ୍ଗିଗଲା ।

 

ତାକୁ ହଠାତ୍‌ ମନେହେଲା ତା’ କୋଠରୀଟି ଗୋଟିଏ ରୁଦ୍ଧଦ୍ଵାର ଜେଲ କୋଠରୀରେ ପରିଣତ ହୋଇଯାଇ ପାରେ ଏବଂ ପାଖ କୋଠରୀରେ ଶୋଇଥିବା ତାର ସ୍ତ୍ରୀ, ପୁତ୍ର, କନ୍ୟା ତା’ର ଶେଷ ସାକ୍ଷାତ ପାଇଁ ନିଦରୁ ଉଠିପଡ଼ି ପାରନ୍ତି । ପରେ ପରେ ଦୁଇଟି ଲେଖାଁ ଭାସିଲା ଆକ୍ଷିରେ ଝଲସି ଯିବ ଫାଶୀ—ବନ୍ଧୁକ—ବାୟୋନେଟର ଦୁନିଆ ।

 

ପରିବେଶଟି ତାକୁ ମାଡ଼ି ବସିଲା ପରି ଲାଗିଲା । ସେ କୋଠରୀର ଦ୍ଵାର ଖୋଲିଲା ଏବଂ ଧୀର ଶବ୍ଦରେ ବାହାରକୁ ଚାଲିଗଲା ।

 

ଅଧା ରାତିରେ ଏମିତି ଉଠିପଡ଼ିବା ତାର ଗୋଟାଏ ସଉକ । ସେ ରାତିରେ ଉଠିପଡ଼େ ଓ ଆକାଶକୁ ଚାହେଁ । ଆକାଶରୁ ଅନ୍ଧକାରକୁ । ଅନ୍ଧକାରକୁ ସେ ଭୟ କରେନା । କାରଣ ସେ ନିଶ୍ଚିତ ଆକାଶର ବ୍ୟାପ୍ତି ଅନ୍ଧକାରକୁ ଢ଼ାଙ୍କି ଦେଇ ପାରିବ । ସେ ନିଶ୍ଚିତ ଆକାଶର ଲକ୍ଷେ ତାରକାର ଆଲୋକ ଏକତ୍ରିତ ହେଲେ ପୃଥିବୀର ସମସ୍ତ ଅନ୍ଧକାର ପରିମାଣରେ ଯଥେଷ୍ଟ କମ୍‌ ହେବ ଧୋଇଯିବା ପାଇଁ ।

 

ଅଥଚ ଆଜି ସେ ଉପଲବ୍‌ଧି ତାର ଆସିପାରୁ ନଥିଲା ଯଦିଓ ଆଜି ପୃଥିବୀକୁ ଅନ୍ଧାର ଢାଙ୍କି ଦେଇ ନ ଥିଲା । ଆକାଶରେ ଥାଳିପଟ ପରି ଜହ୍ନ ଏବଂ ତାର ଆଲୋକ ପୃଥିବୀକୁ ରହସ୍ୟମୟ କରିଦେଇଛି । ଯେମିତି ମସ୍ତବଡ଼ ବଉଳା ଗାଈର ଛାଲ ସମୁଦାୟ ପୃଥିବୀକୁ ଢ଼ାଙ୍କି ଦେଇଛି । ଏଇ ମିଛ ଦୃଶ୍ୟ ପାଇଁ ବୋଧହୁଏ ଆକାଶର ନକ୍ଷତ୍ରମାନେ ସେମାନଙ୍କର ଜ୍ୟୋତି ହରାଇ ଦେଇଛନ୍ତି ।

 

ଅତୀତରେ ସେ ଅନୁଭବ କରିଥିଲା ଅନ୍ଧାରର ଆତ୍ମା ଅଛି । ଅନ୍ଧାରର ମାୟା ଅଛି । ଅନ୍ଧାରର ଆକର୍ଷଣ ଅଛି । ରାତିର ତୁହାକୁ ତୁହା ଅଛିଣ୍ଡା ସ୍ୱରରେ ତାର ଆତ୍ମା, ନ ବୁଝି ପାରିବା ରହସ୍ୟରେ ତାର ମାୟା ଓ ତା ଭିତରେ ଦଉଡ଼ୁ ଦଉଡ଼ୁ ଆଲୋକକୁ ନିଶ୍ଚିତ ଭେଟିବାର ଆକର୍ଷଣ । ଆଜି କିନ୍ତୁ ନା ଅନ୍ଧାର, ନା ଆଲୋକ । ଆଲୋକ ଅନ୍ଧାର ମିଶାମିଶି ଗୋଟିଏ ନୂଆରୂପ । ରହସ୍ୟମୟ ।

 

ସେ କିଛି ବୁଝିପାରିଲା ନାହିଁ । ଅନ୍ଧାର ରାତିରେ ଯେଉଁ ଆକାଶ ତାକୁ ଈଶ୍ଵରଙ୍କ ବାସସ୍ଥଳୀ ବୋଲି ସ୍ପଷ୍ଟ ପ୍ରତୀୟମାନ ହେଉଥିଲା ସେ ଆକାଶଟି କେମିତି ଫାଙ୍କା ଫାଙ୍କା ଲାଗୁଛି । ଇଶ୍ଵର ହୁଏତ ନାହାନ୍ତି, କିମ୍ବା ଥିଲେ କେଉଁ ଶ୍ୟାମଳ ଶିଆଳୀ ଲଟାରେ ଆଖି ବୁଜିଦେଇ ଜାରା ହାତରେ ଧରାଇ ଦେଇଛନ୍ତି ଧନୁତୀରଟି । ବିଚାରା ଜାରା ସେ’ତ ଶବର, କେମିତି ବୁଝିବ ରଙ୍ଗା ଚରଣ ଆଉ ହରିଣ କାନର ପାର୍ଥକ୍ୟ !

 

ତାକୁ ଅକସ୍ମାତ୍‌ ମନେହେଲା ଗୋଟାଏ କିଛି ବିସ୍ଫୋରଣ ଘଟିବ । ନ ହେଲେ ପରିବେଶଟି ଅନ୍ୟ ରାତି ମାନଙ୍କ ପରି ନ ହୋଇ ଏମିତି ଅସ୍ଵାଭାବିକ ମନେ ହୁଅନ୍ତା କାହିଁକି ! କିମ୍ବା ଏଇ ନିକଟରେ କେଉଁଠି ଈଶ୍ଵର ଶିଆଳୀ ଲଟାରେ ଆତ୍ମଗୋପନ କରିଛନ୍ତି ଏବଂ ଜାରା କର୍ତ୍ତୃକ ପ୍ରେରିତ ତୀକ୍ଷ୍‌ଣ ଶରଟି କେଉଁ ଛଟକରେ ଆସି ତାଙ୍କ କୋମଳ ପାଦକୁ ବିଦ୍ଧ କରିଛି ।

 

ତା’ର ଦେହ ରୋମାଞ୍ଚିତ ହୋଇଆସୁଛି କ୍ରମେ ଓ ପିଲାଦିନର ଗୋଟିଏ ହଜିଲା ଦୃଶ୍ୟ ସ୍ପଷ୍ଟ ହୋଇ ଆସୁଛି । ଦୃଶ୍ୟଟି ଯେତିକି ସ୍ପଷ୍ଟ ହେଉଛି, ସେ ଭୟରେ ସଙ୍କୁଚିତ ହୋଇ ପଡ଼ୁଛି ।

 

ସେ ଦୁଇହାତ ଯୋଡ଼ିଦେଇ ଉପରକୁ ଚାହିଁଲା—ମୁଁ ଜାଣି ନ ଥିଲି ପ୍ରଭୁ ! ପାପ-ପୁଣ୍ୟର ଅସ୍ପଷ୍ଟ ଧାରଣାରେ ନିର୍ବୋଧ ବାଳକ କରି ଦେଇଥିଲି ସେଇ କାମ । ଆଜି କିନ୍ତୁ କଣ ପାରିବି ! ତଥାପି ସେ ଦୃଶ୍ୟକୁ ସେ ଠେଲି ଦେଇ ପାରୁନି—ସେଇ କିଶୋର ବୟସର କୌତୁହଳରେ କୁକୁଡ଼ା ମୁଣ୍ଡଟିକୁ ଗୋଟିଏ ଚୋଟରେ ଦୁଇଗଡ଼ କରିଦେବା କଥା ଓ ସେ ହାତରୁ ଖସିଯାଇ ଉଡ଼ିଯିବା ବେଳେ ସାଙ୍ଗମେଳରେ ମଜା ଦେଖୁ ଦେଖୁ ପ୍ରବଳ ହସିବାର କଥା । ହସ ଭିତରେ ଛଟ୍‌ପଟ୍‌ ହେଲା ପରେ ସ୍ଥିର ହେଇଗଲା । କୁକୁଡ଼ାଟା ସ୍ଥିର ହେଇଗଲା ପରେ ସେମାନଙ୍କ ହସ ବନ୍ଦ ହେଇଗଲା ।

 

ସେ କେଉଁ ପୁରୁଣା ଦିନର କଥା । ଦୃଶ୍ୟଟିର ପ୍ରାସଙ୍ଗିକତା ସଂପର୍କରେ ଚିନ୍ତା କରୁ କରୁ ସେ ଦେଖିଲା ଆକାଶ କ୍ରମେ ଅନ୍ଧାର ହେଇଯାଉଛି ଓ ସେ ଦୃଶ୍ୟଟି ପୁନର୍ବାର ଅଭିନୀତ ହେଉଛି । ଏଥର କିନ୍ତୁ ଗୋଟିଏ ନୁହେଁ, ବହୁ ସଂଖ୍ୟାରେ ସେମିତି ମୁଣ୍ଡ ନ ଥିବା କୁକୁଡ଼ା ଫଡ଼ଫଡ଼ ଶବ୍ଦ କରି ଉଡ଼ୁଛନ୍ତି ତା’ ମୁଣ୍ଡ ଚାରିପଟରେ ଏବଂ ହସୁଥିବା କିଶୋରମାନଙ୍କର ସଂଖ୍ୟା ଚାରି ପାଞ୍ଚ ନୁହେଁ, ଅସଂଖ୍ୟ । ପୁଣି କିଶୋରମାନେ ପରିଣତ ବୟସ୍କ ବ୍ୟକ୍ତିରେ ରୂପାନ୍ତରିତ ହୋଇଛନ୍ତି ।

 

ସେ ଭୟ ପାଇଗଲା । ଏମିତି ହୋଇପାରେ ଏକ ଉଡ଼ୁଥିବା ମୁଣ୍ଡକଟା କୁକୁଡ଼ା ଗୁଡ଼ିକ କ୍ରମେ ସ୍ଥିର ହୋଇଯାଇ ପାରନ୍ତି ଓ ସେମାନଙ୍କ ସଂଖ୍ୟା ଏତେ ଅଧିକ ଯେ ଶେଷରେ ସେମାନଙ୍କ ସ୍ତୁପ ଭିତରେ ସେ ନିଖୋଜ ହୋଇଯାଇ ପାରେ !

 

ସେ ହଠାତ୍, ତା କୋଠରୀ ଭିତରକୁ ପଳାଇ ଆସିଲା ଓ ଆଲୁଅ ଲିଭାଇ ବିଛଣାରେ ଗଡ଼ିଗଲା । ତା ଭିତରେ ଏ ବ୍ୟତିକ୍ରମ କାରଣ ଖୋଜୁ ଖୋଜୁ ଗତ ରାତିର ଠିକ୍ ଏଇ ସମୟରେ ପରିଚିତ ହୋଇଥିବା ଗୋଟିଏ ନାଁ ତାର ମନେପଡ଼ିଲା ।

 

ସେ ନିଶ୍ଚିତ ହୋଇଗଲା ସେଇ ନାଁଟି ସହିତ ପରିଚିତ ହେବାଠାରୁ ତା ଭିତରେ ଏଇ ପ୍ରତିକ୍ରିୟା ଆରମ୍ଭ ହୋଇଯାଇଛି । ଗୋଟାଏ ଅଜଣା ଆଶଙ୍କାରେ ସଙ୍କୁଚିତ ହୋଇପଡ଼ୁଥିବା ବେଳେ ସେଇ ନାଁଟିକୁ ସେ ଉଚ୍ଚାରଣ କରିନେଲା—ତାରା ମାସିହ !

 

ଏବଂ ତାର ମନେହେଲା ଏଇ ଦୁଇଟା ତିରିଶରେ ସମୁଦାୟ ପୃଥିବୀର ସମୟ ସ୍ଥିର ହୋଇଯାଇଛି ଓ ରେଜେଇଟା ମୁଣ୍ତରେ ତାଙ୍କୁ ତାଙ୍କୁ ଗୋଟିଏ ସଂଶୟ ତା’ ମନକୁ ଆଚ୍ଛାଦିତ କରିଦେଲା—କୌଣସି ଗୋଟାଏ ସର୍ବଶେଷ ଧ୍ଵଂସ ନ ଘଟିବା ପର୍ଯ୍ୟନ୍ତ ଆଉ ପୃଥିବୀରେ ସୂର୍ଯ୍ୟୋଦୟ ହେବନି !

Image

 

ତୋ ଆଖିରେ ଓଠରେ ଏ ଦୁନିଆରେ ଶବରୀ

 

ସେଦିନ ସନ୍ଧ୍ୟା ଛ’ଟା ବେଳୁ ଟାଉନହଲ୍‌ର ପରିବେଶଟା ବେଶ୍ ଜମି ଉଠିଥିଲା ।

 

ଅନ୍ୟ ଦିନମାନଙ୍କର ସାଧାରଣତଃ ସାଢ଼େ ଛ’ଟା ପରେ ନିତ୍ୟକର୍ମ ସାରି ସଭ୍ୟମାନେ ଜଣ ଜଣ କରି ଆସିବାକୁ ଆରମ୍ଭ କରନ୍ତି ଓ ସାତଟା ବେଳକୁ ପ୍ରାୟ ସମସ୍ତେ ଉପସ୍ଥିତ ହୋଇଯା’ନ୍ତି-। ପ୍ରଥମେ କ୍ଲବର ଉନ୍ନତି କଲେ କିଛି ଆଲୋଚନା, ବୟସ ଭେଦରେ ପରସ୍ପର ପ୍ରତି କିଛି ମଧୁର ଆପେକ୍ଷ, ସମସାମୟିକ ରାଜନୀତି ଓ ଏଇସବୁ ପାରମ୍ପରିକ ଆଲୋଚନା ଭିତରେ ନିଜ ନିଜର ହବି ଅନୁସାରେ ସଭ୍ୟମାନେ ଛୋଟ ଛୋଟ ଗ୍ରୁପରେ ପରିଣତ ହୋଇସାରିଥାନ୍ତି ଏବଂ ଦୂରରୁ ଜଣେ ଅନୁଧ୍ୟାନ କଲେ ଦେଖିବ କେମିତି ବ୍ରିଜ୍‌ର କଣ୍ଟ୍ରାକ୍‌ଟ; କେରମର କୁଇନ୍, ପୁଣି ଖବର କାଗଜର ପୃଷ୍ଠାମାନଙ୍କରେ ଆଲୋଚନା ସବୁ ହଜି ଯାଉଛନ୍ତି ।

 

ଆଲୋଚନା ସବୁ ହଜିଯା’ନ୍ତି ରାତି ନ’ଟା ପର୍ଯ୍ୟନ୍ତ ।

 

କ୍ଳବର ସମସ୍ତ ସଭ୍ୟଙ୍କ ଉଦ୍ଦୀପନା କ୍ରମେ ମଉଳିଯାଏ ରିହାର୍‌ସଲ ପରବର୍ତ୍ତୀ ଅଭିନେତାମାନଙ୍କର ମନୋଭାବ ପରି । ଘର-ସଂସାର, ବାପା-ମା, ପିଲା-ସ୍ତ୍ରୀର ଚିତ୍ର ଉଜ୍ଜଳ ହୋଇଉଠେ ଏବଂ ଦାୟିତ୍ୱବୋଧର ଚାପ ଭିତରେ ସଭ୍ୟମାନେ ଜଣ ଜଣ ଅନ୍ତର୍ହିତ ହୋଇଯାନ୍ତି ପାଟିରେ ଖଣ୍ଡେ ପାନ ବା ସିଗ୍ରେଟ୍ ପୂରାଇ ଓ ଶେଷରେ ଅନିୟମିତ ଦରମାର ଚୌକିଦାର ଭଜନା ତୋଳାଇବା ଅବସ୍ଥାରୁ ମୁକ୍ତ ହୋଇ କେତେଗୁଡ଼ିଏ ହାଇ ସହିତ ବିପର୍ଯ୍ୟସ୍ତ ଦରୀ, ଖେଳ ସରଞ୍ଜାମକୁ ସଜାଡ଼ି ରଖି କ୍ଳବଘରର ଆଲୋକ ଲିଭାଏ । ଦିନକର ସକ୍ରିୟ କ୍ଲବ ନୀରବ ହୋଇଯାଏ ପର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ।

 

ସମୁଦାୟ ସହରରେ ଏଇ କ୍ଳବଟି ଜୀବନ୍ତ । ଜୀବନ୍ତ ସହରର ଯେଉଁମାନଙ୍କୁ ବୁଦ୍ଧିଜୀବୀ କୁହାଯାଏ ସେମାନେ ଏ କ୍ଳବର ସଭ୍ୟ । ସେମାନେ କେତେଜଣ ଅଧ୍ୟାପକ, ପଦସ୍ଥ ସରକାରୀ କର୍ମଚାରୀ, ଉଚ୍ଚଶିକ୍ଷା ସମାପ୍ତ କରି ବ୍ୟବସାୟରେ ସଂପୃକ୍ତ ଥିବା କେତେକ ଯୁବକ ଓ ରିଟାୟାର୍ଡ଼ ସରକାରୀ କର୍ମଚାରୀ । ପୁଣି ପ୍ରତିସନ୍ଧ୍ୟାରେ ସେମାନେ ଉପସ୍ଥିତ ହୁଅନ୍ତି, ଦେଶ ବିଦେଶର ରାଜନୀତି, ଅର୍ଥନୀତିର ସମସ୍ୟାକୁ କେନ୍ଦ୍ର କରି ନିଜର ଧାରଣା ସହିତ । ଏ କ୍ଲବକୁ ଛାଡ଼ିଦେଲେ ସହରର ଅନ୍ୟମାନେ ଗତାନୁଗତିକ ଓ କେବଳ ବ୍ୟକ୍ତିଗତ ସମସ୍ୟା ସହିତ ଗୋଟିଏ ସୀମିତ ପୃଥିବୀର ବାସିନ୍ଦା । କ୍ଳବର ସଭ୍ୟମାନଙ୍କ ବିଚାରରେ ସେମାନେ କେତେଗୁଡ଼ିଏ ଫସିଲ୍, ଦୁନିଆର ବିବର୍ତ୍ତନରେ କିଛି ପ୍ରମାଣିକ ଉପାଦାନ ହେବାପାଇଁ ।

 

ସେ ସଚେତନ ବ୍ୟକ୍ତିମାନେ ନିର୍ଦ୍ଧାରିତ ସମୟର ପୂର୍ବରୁ ସେଦିନ ଉପସ୍ଥିତ ହେଇ ଯାଇଥିଲେ ଓ କିଛି ଗୋଟାଏ ଘଟିବା ପୂର୍ବରୁ ସେ ସମ୍ପର୍କରେ ଗୁଡ଼ାଏ ଆଲୋଚନା ମାଧ୍ୟମରେ ନିଜ ନିଜକୁ ପ୍ରତିଷ୍ଠା କରିବା ପାଇଁ ବ୍ୟାକୁଳ ପ୍ରତିଯୋଗିତା ଆରମ୍ଭ କରି ଦେଇଥିଲେ ପରସ୍ପର ମଧ୍ୟରେ । ଠିକ୍ ସେତିକିବେଳେ ପାଗର ଆର୍ଦ୍ରତା ପାଇଁ ହେଉ କିମ୍ବା ଏକ ବିଶେଷ ମାନସିକ ଚାହିଦାରୁ । ହେଉ ସେ ଅନିୟମିତ ଦରମାର ଚୌକିଦାର ହାଇୱେକଡ଼ ଦେଶୀ ଭାଟିକୁ ଚାଲିଯାଇଥିଲା ଓ ନିଜକୁ ଗୋଟିଏ ସ୍ୱପ୍ନମୟ ଜଗତରେ ହଜାଇ ଦେଇ ଫେରି ଆସିଥିଲା ଲାଲ୍ ଲାଲ୍ ଆଖି ସହିତ । ସେ କ୍ଳବର ପଛ ଦରଜା ନିକଟରେ ବସି ସମ୍ମାନସ୍ପଦ ସଭ୍ୟମାନଙ୍କୁ ନିର୍ଲିପ୍ତ ଚାହାଣୀରେ ଅନୁଧ୍ୟାନ କରୁଥିଲା ଜୁଳୁଜୁଳୁ କରି ଚାହିଁଥିବା ଜଳହସ୍ତୀ ପରି ।

 

ଅବଶ୍ୟମ୍ଭାବୀ ମୁହୂର୍ତ୍ତଟି ଆସିଗଲା କାନ୍ଥ ଘଣ୍ଟାରେ ଛ’ଟା ବାଜିବାର ସୂଚନା ପରେ । ସଭ୍ୟମାନେ ସଚେତନ ହେଲେ ଓ ଅର୍ଦ୍ଧ ବୃତ୍ତାକୃତିରେ ରେଡ଼ିଓକୁ ଘେରିଗଲେ ତାର ଶବ୍ଦମାନଙ୍କୁ ଶୋଷି ନେବାକୁ । କେବଳ ହରିଶବାବୁ ଓ ଭଜନା ନିର୍ଲୀପ୍ତ ଥିଲେ । ସମ୍ବାଦର ପ୍ରଥମ ବାକ୍ୟ ଥିଲା ମୋରାରଜୀ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ସମ୍ବାଦଟି ସଂପୂର୍ଣ୍ଣ ହେବା ପୂର୍ବରୁ ନିଜର ବୟସକ୍ରମ ଭୁଲିଯାଇ ରିଟାୟାର୍ଡ଼ ସିଭିଲ୍‌ସର୍ଜନ ସିକ୍‌ଦାର ବାବୁ ‘ଭିକ୍‌ଟ୍ରି’–’ଭିକ୍‌ଟ୍ରି’ କହି ଚିତ୍କାର କରି ଉଠିଲେ ।

 

ତାଙ୍କର ସେଇ ଆକସ୍ମିକ ଶବ୍ଦଟି ରେଡ଼ିଓର ସମ୍ବାଦ ଅପେକ୍ଷା ଅଧିକ ଦୃଷ୍ଟି ଆକର୍ଷଣକାରୀ ଥିଲା ଅନ୍ୟମାନଙ୍କ ନିକଟରେ । ବୃଦ୍ଧଙ୍କର ଏତାଦୃଶ ପ୍ରତିକ୍ରିୟାକୁ ଅନ୍ୟମାନେ ଉପଭୋଗ କରୁଥିଲାବେଳେ ଯୁବ ବ୍ୟବସାୟୀ ସୌମ୍ୟରଞ୍ଜନ ଓ ଓକିଲ ଉପ ସ୍ୱାଇଁ ସୌଜନ୍ୟବୋଧର ସୀମା ଅତିକ୍ରମ କରିବାକୁ ବାଧ୍ୟ ହେଲେ । କାରଣ ପ୍ରତିଦିନର ଆଲୋଚନାରୁ ସେମାନେ ସିକ୍‌ଦାରବାବୁଙ୍କ ମତଲବ ବୁଝିଥିଲେ, ଫଳରେ ଛିଗୁଲେଇବା ସ୍ୱରରେ ଉତ୍ତର ଦେଲେ, ଭିକ୍‌ଟ୍ରି ନା ଛତୁ ମଁ ! ଆଉ ଅଯୋଧ୍ୟା ନା ରାମଚନ୍ଦ୍ର !

 

ଆରେ ବାପା ! ଅଯୋଧ୍ୟାକୁ ରାମଚନ୍ଦ୍ର, ନା ରାବଣ ? ସିକ୍‌ଦାର ବାବୁ ନିଜ ମତକୁ ଅନ୍ୟ ଉପରେ ଲଦିଦେବାକୁ ଚାହିଁଲେ ! ଆରେ ବାବୁ ! ଦେଶକୁ ଚଳାଇବା ପାଇଁ ଗୋଟିଏ ଶୃଙ୍ଖଳିତ ଦଳ ଦରକାର, ଦଳକୁ ଦିଗ୍‌ଦର୍ଶନ ଦେବାପାଇଁ ଦୃତ ନେତୃତ୍ୱ । ତୁମେ ତ ଦେଖିଲ ! କେତେଟା ଦିନ…ମୋଟ କଥା ପାଞ୍ଚଭାଇ କେଉଁଠି ଏକାଠି ହେଲେଣି ! ଏହା ଘଟିବ ବୋଲି ଆମେ ବହୁ ପୂର୍ବରୁ ଜାଣିଥିଲୁ…ଏବେ ଖାଲି ଅପେକ୍ଷା କର–; ପାନ ସିଠାର ଗୋଟାଏ ବିରାଟ ଟେଳା ପାଟିରୁ ବାହାର କରି ସିକ୍‌ଦାରବାବୁ ଆଉ ଦୁଇ ଖଣ୍ଡ ପାନ ପୁନର୍ବାର ପାଟିରେ ପୂରାଇଦେଲେ ଓ ତାଙ୍କ କୁତ୍ରିମ ଦାନ୍ତ ଦୁଇ ଧାଡ଼ିରେ ଶୀଘ୍ର ଶୀଘ୍ର ପାନରେ ଚାପ ଦେଉଥିଲେ । ସେ ଏବେ ଶୀଘ୍ର ପାନ ଦୁଇ ଖଣ୍ଡ ଚୋବାଉଥିଲେ, କାରଣ ଏକାଥରକେ ଗୁଡ଼ାଏ କଥା କହିଥିବାରୁ ଇନ୍ଦ୍ରିୟମାନଙ୍କୁ ସକ୍ରିୟ କରିବା ତାଙ୍କର ଇଚ୍ଛା ବୋଧହୁଏ ।

 

ଉପ ସ୍ୱାଇଁ ଏବଂ ସୌମ୍ୟରଞ୍ଜନ ପୁଣି ପାଳି ଧରିଲେ: ଆଜ୍ଞା, ମଣିଷ ଗୁଡ଼ାତ ଆଉ ମାଙ୍କଡ଼ ନୁହଁନ୍ତି—ଆଜିକା ବୋଲୁଅମାଡ଼ କାଲିକି ଭୁଲିଯିବେ ।

 

ସେମାନେ ସିକ୍‌ଦାରବାବୁଙ୍କୁ ଭାରତୀୟ ଦର୍ଶନ ବିଷୟରେ ବୁଝାଇଲେ ଭାରତୀୟମାନେ ବାକ୍ ସ୍ଵାଧୀନତା ଉପରେ ଜୋର୍ ଦିଅନ୍ତି । ଏଇ କଥାର ଜୋର୍ ବୁଝାଇବାକୁ ସେମାନେ କହିଲେ: ଦେଖିଲେ ନାହିଁ ରାତିଅଧରେ କେମିତି ଗାଈ–ବାଛୁରୀକୁ ଏକାସାଙ୍ଗରେ ଫିଟାଇଦେଲେ !

 

ସିକ୍‌ଦାରବାବୁଙ୍କୁ ଚିଡ଼େଇବା ପାଇଁ ସୌମ୍ୟରଞ୍ଜନ ଆଉ ଦୁଇ ପଦ ଯୋଡ଼ିଦେଲା: ଉପେନ୍ଦ୍ରବାବୁ, କଥାଟା ଆପଣ ଧରି ପାରିଲେନି । ଅଜା, କ’ଣ ଭାବୁଛନ୍ତି କି—ଜେଜେ ଗଲେ, ମା’ଙ୍କ ପରେ ନାତି ପୁଣି ଚାଲି ଆସିବେ ସିଂହାସନକୁ…ମାନେ ଭାରତବର୍ଷଟା ରାଜା, ମହାରାଜାର ଦେଶ କି ନା… ଅଜା କୁଆଡ଼େ ଦେଓ୍ୟାନ୍ ପୋଷ୍ଟଟା ପାଇଯିବେ !

 

ହଇରେ ଟୋକାଏ ! ସିକ୍‌ଦାରବାବୁ ଆଉ ଦୁଇ ଖଣ୍ଡ ପାନ ପାଟିରେ ଜାକି ଦେଲେ । ତୁମ ନାକ ତଳେ ଏଇ ତ ନିଶ ଗଜରୁଛି…କେତେ ବର୍ଷ ଏ ଦୁନିଆକୁ ଦେଖିଲଣି ମୋତେ ଭାରତୀୟ ଦର୍ଶନ ବୁଝାଇବ ? ସେଇ ମାଇକିନା କେବଳ ଏ ଦେଶକୁ ଚିହ୍ନିଛି…ୟାକୁ ପାହାରେ ବସାଇ ବଥା ନ ମରୁଣୁ ପୁଣି ବିଧେ ବସାଇଲେ ହାଁଜୀ ହାଁଜୀ କହି ମୁଣ୍ଡ ଟୁଙ୍ଗାରିବେ । ଦେଖିବ ମାଇକିନା ଯଦି ଫେରି ନ ଆସିଛି ମୋ ନାଁରେ କୁତା ପାଳିବ ।

 

ଏମିତି ଗୋଟିଏ ରିସ୍କ୍ ବାଜି ପାଇଁ ସିକ୍‌ଦାର ବାବୁ ମନରେ ଶଙ୍କିଗଲେ ଓ କଥାଟିର ମୋଡ଼ ଘୁରାଇଦେବାକୁ ଆରମ୍ଭ କଲେ, ସ୍ଵାଧୀନତା ଶବ୍ଦ ନୁହେଁ ହୋ ବାବୁ ! ଅନୁଭୂତି । ଏଇ ଦେଖିଲ ନାଇଁ ସ୍ଵାଧୀନତାର ହାହି ଦେଇ କେମିତି ରାସ୍ତାରେ ଲଙ୍ଗଳା ହୋଇପଡ଼ିଲେ । ଏଇଟା ସେ କମ୍ୟୁନିଷ୍ଟ ହେବା କଥା ହେଇଚି ନାଁ ତା’ର ଦୀପରେ ତେଲ ଦେବା କଥା ହେଇଚି ? କଥାଟି ଆଉ ଟିକେ ହାଲୁକା କରିଦେବାକୁ ସିକ୍‌ଦାରବାବୁ ଆଉ ପାହାଚେ ତଳକୁ ଓହ୍ଲାଇଗଲେ–ହଇ ହୋ ତମେ କହିଲ, କମ୍ୟୁନିଷ୍ଟ ହେଇଛ, କେତେଜଣ ମହକିଲଙ୍କ କେଶ୍‍ ମାଗଣାରେ ଲଢ଼ିଲଣି ?

 

ଏପର୍ଯ୍ୟନ୍ତ ତାସ୍ ମୁଠାକୁ ସଫଲ୍ କରୁଥିବା ମଲ୍ଲିକ୍‌ବାବୁ ଆଲୋଚନାରେ ହସ୍ତକ୍ଷେପ କରିବାକୁ ଆବଶ୍ୟକ ମନେକଲେ । ସେ ସ୍ପଷ୍ଟ ବୁଝିପାରୁଥିଲେ ଏଇ ରାଜନୀତିକୁ ନେଇ ତର୍କ ଶେଷରେ ବ୍ୟକ୍ତିଗତ କଳହରେ ରୂପାନ୍ତରିତ ହେବ ଓ କାଲି ସନ୍ଧ୍ୟାରେ ହୁଏତ କ୍ଳବ୍‌ରେ ତାଲା ପଡ଼ିବ । ସେ ତାଙ୍କ ଚନ୍ଦା ମୁଣ୍ତରେ ହାତ ବୁଲାଉ ବୁଲାଉ ପାଟି ଖୋଲିଲେ: ‘ଇନ୍ଦିରା ଗାନ୍ଧୀ, ଚରଣ ସିଂ ବଡ଼ କଥା ନୁହେ”—ତାଙ୍କ ମୁଁହ କ୍ରମେ ଗମ୍ଭୀର ହୋଇ ଆସୁଥିଲା, “ମୋତେ ଲାଗୁଛି, ଭାରତର ଜନ୍ମ ଲଗ୍ନଟା ଠିକ୍ ନୁହେଁ….ଗୋଳମାଳିଆ ।”

 

ମଲ୍ଲିକ୍‌ବାବୁ କିଛି ସମୟ ନୀରବ ହେଲେ । ଦୁଇ ହାତରେ ମୁହଁ ପୋଛିଲେ । ପକେଟରୁ ବିଡ଼ିଟିଏ ବାହାର କରି ଦାନ୍ତରେ କାମୁଡ଼ିଲେ । ଦିଆସିଲି ଟା ଅନ୍ୟ ପକେଟରେ ଦରାଣ୍ଡୁ ଦରାଣ୍ଡୁ ପୁଣି ବୋଧହୁଏ କଥା ପାଟିକୁ ଆସିଗଲା, ସେ ବିଡ଼ିଟିକୁ ଡାହାଣ ହାତରେ ଧରି ଜଣେ ଦାର୍ଶନିକ ପରି ଗମ୍ଭୀର ଦୃଷ୍ଟି ନିକ୍ଷେପ କଲେ । ସେତେବେଳେ ତାଙ୍କ କପାଳର ଚର୍ମ ଭାଙ୍ଗ ଭାଙ୍ଗ ହୋଇଯାଇଥିଲା । ସେ କହିଲେ: ମୋଟକଥା ଦେଶ କଥା କେହି ଚିନ୍ତା କରୁନି…

 

ସେ ଏଥର ବିଡ଼ିଟି ଦୁଇ ଓଠ ଫାଙ୍କରେ ଚାପି ଧରିଲେ ଓ ଦିଆସିଲି ମାରି ଦୁଇ ହାତ ମୁଠାରେ ଜଳିଲା କାଠିଟିକୁ ଆବଦ୍ଧ କରି ମୁଣ୍ଡ ନୁଆଇଁ ବିଡ଼ିରେ ନିଆଁ ଧରାଇଲେ । ଡାହାଣ ହାତରେ ଅଧାଜଳା କାଠିଟି ହଲାଇ ହଲାଇ ଲିଭାଇଦେଇ ଫିଙ୍ଗି ଦେବା ଭିତରେ ବା ହାତରେ ବିଡ଼ିରୁ ଜୋର ଦମେ ନେଇ ଛାତି ଭିତରେ ସମୁଦାୟ ଧୁଆଁକୁ ଖେଳାଇ ଦେଇସାରିଥିଲେ । ଗୋଟାଏ ଖୁଁ ଖୁଁ କାଶ ଭିତରେ ସେ ଆଉ କିଛି କହିବାକୁ ଚାହୁଁଥିଲା ବେଳେ ଅନିୟମିତ ଦରମାର ଚୌକିଦାର ଭଜନା ଏମିତି ଶବ୍ଦ କରି ହସିଲା ଯେ କିଛି ଗୋଟାଏ ଅନ୍ତିମ ସତ୍ୟର ଆତ୍ମପ୍ରକାଶ ଅପେକ୍ଷାରେ ସମସ୍ତ ସଭ୍ୟ ଉଦ୍‌ଗ୍ରୀବ ହୋଇ ଚାହିଁ ରହିଲେ ।

 

ଭଜନାର ହସ ଶେଷରେ ଧକେଇବା ପରି ମନେହେଲା । ସେ ତାର ଦୁଇ ହାତ ଉପରେ ମୁହଁଟିକୁ ଥୋଇଦେଇ ଦୁଇ ଧାଡ଼ି ନାଲି ଦାନ୍ତ ଦେଖାଇ କହିଲା: ବୁଢ଼ାବାବୁ ପଦେ କଥା କହିଲେ…ଆଁ...ପଦୁଟିଏ କହିଲେ ଏତେ ବେଳକେ..ହଇ ଆଜ୍ଞା ! ଅଚୁତାନନ୍ଦ ମହାପ୍ରଭୁ (ସେ ଦୁଇ ହାତରେ ଜୁହାର କଲା) ମହାପ୍ରଭୁ କହିଚି; ସତ ଉପୁଜିବ ସତୁରୀ କି..ଆଁ । …ଆଜ୍ଞା ମହାପ୍ରଭୁ ହିସାବକୁ ସତୁରୀ କହିଲେ ଅଶୀ ହଉଚି ଆଜ୍ଞା..ଆରମ୍ଭ ହେଇଗଲା…ସତ ଆସିବ ନିଶ୍ଚେ…

 

ଭଜନା କିଛି ସମୟ ଥକ୍‌କା ନେଲା । ତାପରେ ପୂର୍ବପରି ଗୋଟିଏ କିଣିକିଣିଆ ହସ ଭିତରେ ସେ ଆରମ୍ଭ କଲା: ବୁଝିଲ ନା ଆଜ୍ଞା ଭାଟି ପାଖରୁ ଆସିଲା ବେଳକୁ ଶଳା ସେ ବନା ପାଗଳା, ମଣିଷ ଦେଖିଲେ ଖେଙ୍କି ଆସିବ, ଆଜି କି ମୁଚୁକୁନ୍ଦ ହସ…କଥା କ’ଣ କି, ବଇଲେ ସେ କଇଁ ପାଗିଳୀ ଆଜି ଜୁଟିଚି ସେଠି…ତୁମେ ଆଜ୍ଞା ବିଶ୍ୱାସ କରିବ ନି, ଶଳା ଘଇତା–ମାଇପ ମେତି ଦୁଃଖ ସୁଖ ହଉଚନ୍ତି…ମହାପ୍ରଭୁ କହିଲା ସତ କ’ଣ କି…ଭଲ ମଣିଷ କ୍ଷେମତା ପାଇଁ ପାଗଳ ହେବେ ପାଗଳ ସବୁ ଭଲ ମଣିଷ ହୋଇଯିବେ…

 

ଭଜନାର ଏ ଦୀର୍ଘ ଭୂମିକା ଅନେକଙ୍କ ପାଇଁ ବିରକ୍ତିକର ଥିଲା । କାରଣ ମଲ୍ଲିକବାବୁ ସଫଲ୍ କରିଥିବା ତାସ୍ ବାଣ୍ଟିଲେଣି ଓ ପାରମ୍ପରିକ ପାର୍ଟନରମାନେ ନିଜ ନିଜର ପୋଜିସନ୍ ନେଇଗଲେଣି । ଅନ୍ୟ ଟେବୁଲରେ ଚେସ୍ ବୋର୍ଡ଼, ଦରି ଉପରେ କେରମ୍ ଧରି ସଭ୍ୟମାନେ ବସିଗଲେଣି । ସାମ୍ପ୍ରତିକ ରାଜନୀତି ସ୍ଥିର ହୋଇଗଲାଣି ଓ ଖେଳ କ୍ରମେ ଜମି ଉଠୁଚି ସେଇ ନାତିଦୀର୍ଘ କ୍ଳବ୍‌ର ହଲ୍ ଭିତରେ ।

 

ଭଜନା ବିଳିବିଳୋଉଚି । ତା’ର ଏକମାତ୍ର ଶ୍ରୋତା ଅଧ୍ୟାପକ ହରିଶ ବାବୁ, ଉଦାସୀନ, ନିସ୍ପୃହ ଖେଳ ପ୍ରତି । ସ୍ଵାଭାବିକ ଦିନମାନଙ୍କରେ ସେ ଅନ୍ୟମନସ୍କ, ଆଜି ପୁଣି ଅନ୍ୟମାନଙ୍କ ଆବେଗ ଓ ଉତ୍କଣ୍ଠା ଏକ ଗତାନୁଗତିକତାରେ ପରିଣତ ହେଲାବେଳେ ସେ କେମିତି ମ୍ରିୟମାଣ ହୋଇ ପଡ଼ିଛନ୍ତି । ସେ ଭଜନାର ସଂଳାପ ଓ ମଲ୍ଲିକବାବୁଙ୍କ ଶେଷ ପଦ କଥାକୁ ନେଇ ଚିନ୍ତାଗ୍ରସ୍ତ ।

 

ହରିଶ ବାବୁ ଭଜନା ନିକଟକୁ ଉଠିଗଲେ ଓ ତା’ର ମିତ୍ରପରି ତାକୁ ବିହ୍ଵଳ ହୋଇ ଚାହିଁରହିଲେ । ଅତି ସାଧାରଣ, ମଣିଷ ସୀମାର ଶେଷ ଲୋକଟି ଏ ଭଜନା । କେଉଁ ଅଚ୍ୟୁତାନନ୍ଦ, ତା’ର ଗ୍ରାମ–ଧାମ–ଜନ୍ମ ଇତିହାସ ଯାହାପାଇଁ ରହସ୍ୟମୟ, ସେ କହୁଛି ମାଳିକା ସମ୍ପର୍କରେ । କିଛି ବୁଝିନି ସେ, ଅଥଚ ତା’ ଜୀବନର ଏଇ ସ୍ୱଳ୍ପକାଳ ମଧ୍ୟରେ ହୁଏତ ଗୁଡ଼ାଏ ଅସଙ୍ଗତ ଭିତରେ ସେ ଛନ୍ଦିହୋଇ ପଡ଼ିଛି, ଫଳରେ ମାଲିକା ପରି ଏକ ଭବିଷ୍ୟତ ଭାଷାକୁ ନିଶ୍ଚିତ ସୌଭାଗ୍ୟ ଉଦୟର ସୂଚନା ବୋଲି ଧରିନେଇଛି ତା କଳ୍ପନାରେ । ସେ ପେଟେ ପିଇଦେବା ଭିତରେ ନିଜେ ହଜିଯାଇଥିଲେ ମଧ୍ୟ ସମୟରେ ସଚେତନ ହେଉଛି ଓ ଦେଶରେ କିଛି ଗଣ୍ଡଗୋଳ ଘଟିଯାଇଛି ବୋଲି ମୁଣ୍ଡକୁ ଢୁକିଗଲା ପରେ ମାଲିକାର ସତ୍ୟାସତ୍ୟ ନେଇ ତାର ବିଶ୍ୱାସ ନୂଆ ରୂପ ନେଉଛି ।

 

ହରିଶ ବାବୁ ଭଜନା ଭିତରେ ହଜିଗଲା । ସେ ତାକୁ ପ୍ରେମ କଲେ, ପ୍ରେମ କଲେ ତାର ସରଳ ସଂଳାପଗୁଡ଼ିକ କୌଣସି ପ୍ରାକ୍ ପ୍ରତିଷ୍ଠିତ ଧାରଣାରୁ ମୁକ୍ତ ବୋଲି ତାଙ୍କର ଇଛାହେଲା ସେ ଭଜନାକୁ କଥା କୁହାଇବେ । ତାର କଥାଗୁଡ଼ିକୁ ଉପଭୋଗ କରିବେ, ବାରମ୍ବାର ବାଜୁଥିବା ପୁରୁଣା ରେକର୍ଡ଼ର ସଙ୍ଗୀତ ପରି । ସେ ଭଜନାକୁ କହିଲେ: ତୁ ଅଚ୍ୟୁତାନନ୍ଦ ମହାପ୍ରଭୁଙ୍କରେ ଭଜନା…ତୁ ସିଦ୍ଧ ପୁରୁଷ !

 

ଭଜନା ଚମକି ଗଲା । ହାତଯୋଡ଼ି ଚାରି ପାଞ୍ଚ ଥର ମୁଣ୍ଡରେ ମାରିଲା ! ଅପରାଧ କରିଦେଲୁ ବାବୁ…ମୁଁ କେଉଁଠି ମହାପ୍ରଭୁ ହେଇ ପାରିବି ! ମୁଁ ତ ମଦ ପିଇଚି…ଆଁ..ହଁ, କଥା କ’ଣ କି–ଆଜି ଶଳା ଚାଉଳ ନ ଥିଲା, ଶାଳୀ ଚିଲେଇଲା, ଚିଲେଇଲା ଯେ ମୁଣ୍ଡକୁ ମୋର ପିତ୍ତ ଚଢ଼ିଗଲା…ଶଳା ଚାଉଳ ନାଇଁ ବୋଲି ହସିବାକୁ ମନା ! ପିତ୍ତ ଚଢ଼ିଗଲା ଯେ ପିଟିଲି ବହେ….ଆଁ… ହଁ, ପିଟିଲି ପିଟିଲି, ଶଳା ପାଟିରୁ ଫେଣ କାଢ଼ି ପକାଇଲା ।

 

ଭଜନା ଗୁମ୍ ମାରିଗଲା । ସେ କେମିତି ଅସହାୟ ମନେହେଲା । ଅତ୍ୟଧିକ ପିଇଥିବା ହେତୁ ତା’ର ଲାଲ ଆଖି ଆର୍ଦ୍ର ଥିଲା । ତା’ ଚେହେରା ଆପାତତଃ ହରିଶ ବାବୁଙ୍କୁ କାରୁଣ୍ୟର ଏକ ଅନୁଭୁତିକୁ ଟାଣିନେଲା । ସେ ଏମିତି ଗୋଟିଏ ସୁଯୋଗ ସୃଷ୍ଟି କରିଥିବାରୁ ନିଜକୁ କେମିତି ଅପରାଧୀ ମନେ କଲେ । ହୁଏତ ସେ ଭଜନାର ଧାରଣାକୁ ଅନ୍ୟଆଡ଼େ ଘୁରାଇ ଦେବେ–; ଭାବୁଥିଲାବେଳେ ଦମ୍ ନେଇ ଭଜନା ଖୋଲିଦେଲା ତା’ର କଥାର ରେକର୍ଡ଼କୁ ।

 

—ମନଟା କେଉଁଠି ଖଇଚିଆ ଧଇଲା ବାବୁ, ପିଇଦେଲି…ସେ ଶଳା ତ ମାଇକିନା ଲୋକ…କେଇଁତି ବୁଝିବ ହସର ମଉଜ କେଉଁଠି…ନ ହେଲେ ବାବୁ ସେ ବନା ପଗଳା ଏଇଁତି ହସନ୍ତା !

 

ହରିଶ ବାବୁ ଉଠି ଠିଆ ହେଲେ । ତାଙ୍କର ଫେରିବା ସମୟ ହେଇନି । ତଥାପି ସେ ଫେରିଯିବାକୁ ଚାହିଁଲେ । ପରିବେଶ ତାକୁ ଭାରାକ୍ରାନ୍ତ ମନେହେଲା । ତାଙ୍କର ମନେହେଲା ସେ, ତାଙ୍କ ବନ୍ଧୁ ଓ ସମସ୍ତେ ମିଶି ପରିବେଶକୁ ଏମିତି ବିଷାକ୍ତ କରି ଦେଉଛନ୍ତି…କେବଳ ନିଜକୁ ଟିକେ ଟେକିଦେବା ପାଇଁ, ନିଜର ସିଂହାସନଟେ ଗଢ଼ିନେବା ପାଇଁ ସେ/ସେମାନେ ଉଦ୍ୟମ କରିଛନ୍ତି । ଏଇ ଉଦ୍ୟମ ଭିତରେ ନିଜ ପାଇଁ/ସମସ୍ତଙ୍କ ପାଇଁ ପରିବେଶକୁ ଅଶ୍ୱସ୍ତିକର କରି ଦେଇଛନ୍ତି ।

 

ହରିଶବାବୁ ନିଜ କଥା/ଅନ୍ୟମାନଙ୍କ କଥା ଚିନ୍ତା କରୁଥିଲେ । ସେ/ସେମାନେ ଜୀବନର କୌଣସି ମହାର୍ଘ ମୌଳିକ ବସ୍ତୁଟି ହଜାଇ ଦେଇଛନ୍ତି ।

 

ସେମାନେ ନିଃସ୍ୱ ହେଇଯାଇଛନ୍ତି । କ୍ରମେ ତାଙ୍କର ବିଶ୍ଵାସ ଫେରି ଆସୁଛି—ହଜି ଯାଇଥିବା ମହାର୍ଘ ପଦାର୍ଥଟି ସେ ପୁନର୍ବାର ଆବିଷ୍କାର କରିପାରିବେ ଏବଂ ଆବିଷ୍କାର କରିଦେଲେ ବୋଧହୁଏ ସିକ୍‌ଦାରବାବୁ ଓ ଉପ ସ୍ୱାଇଁର ଯୁକ୍ତିତର୍କ ଅନାବଶ୍ୟକ ହୋଇପଡ଼ିବ ।

 

ସେ ସମସ୍ତଙ୍କ ଅଜାଣତରେ କ୍ଳବ୍‌ରୁ ବାହାରି ଆସିଲେ । ସେ ବାହାରି ଆସିଲାବେଳେ ଖେଳ ଭିତରେ ନିଜ ନିଜମାନଙ୍କୁ ହଜାଇ ଦେଇଥିବା ବନ୍ଧୁ ମାନଙ୍କ ମଧ୍ୟରୁ କେତେକଙ୍କ ସ୍ଵର ଶୁଣିପାରିଲେ । ଖେଳ ଜମି ଉଠିଛି…ହାତୀ ନୁହଁ/ଘୋଡ଼ା ନୁହଁ–ମନ୍ତ୍ରୀ ନୁହଁ ବା ନୌକା ନୁହଁ, ସାମାନ୍ୟ ସୈନ୍ୟମାନଙ୍କ ଦ୍ଵାରା ରାଜା ଆଜି ନିହତ ହେବେ । ଉପ ସ୍ଵାଇଁ, ସୌମ୍ୟରଞ୍ଜନ ପାଟି କରୁଥିଲେ—ଏଇ–ଏଇ…ରାଣୀ….ରାଣୀ । ସମସ୍ତଙ୍କର ସ୍ୱର/ଶବ୍ଦ କେତେଗୁଡ଼ିଏ ଉଦ୍ଦେଶ୍ୟହୀନ ସ୍ଲୋଗାନ୍ ପରି ମନେ ହେଲା ହରିଶବାବୁଙ୍କୁ । ସେ ପାହାଚ ଦେଇ ନିଃଶବ୍ଦରେ ଓହ୍ଲାଇ ଆସିଲେ ଓ ଅନ୍ଧାରରେ ମିଶିଗଲେ ।

 

ହରିଶବାବୁ ଏକମୁହାଁ ନିଜ ଭଡ଼ାଘରକୁ ଫେରୁଥିଲେ । ବସ୍ତାରେ ଜନଗହଳୀ ପାତକ । ପାନ ଦୋକାନ, ଅନ୍ୟ ଦୋକାନରେ ଲୋକ ଦଳ ଦଳ । ଆଲୋଚନାର କଥାବସ୍ତୁ ସାମ୍ପ୍ରତିକ ରାଜନୀତି ଦୃଶ୍ୟ ତାଙ୍କୁ ଅସହ୍ୟ ମନେହେଲା । ନିଜ ଦୋଷକୁ ବୁଝି ନ ପାରି ତାକୁ ଆଲୋଚନା କରିବାର ଆନନ୍ଦ କେଉଁ ପର୍ଯ୍ୟାୟରେ ସେ ବୁଝିପାରିଲେ ନାହିଁ । ସେ ଯଥାସମ୍ଭବ ଦୃଶ୍ୟ ମାନଙ୍କୁ ଅତିକ୍ରମ କରି ଯାଉଥିଲେ ମୁଁହ ତଳକୁ କରି । ଅନ୍ୟ ଦିନ ହୋଇଥିଲେ ଏସବୁ ଲୋକ ବସ୍ତା ଉପରେ କିଏ କେମିତି ଭେଟ ହୋଇଥାନ୍ତେ ଓ କ୍ଳବରୁ ଶୀଘ୍ର ଫେରିବାର କୈଫିୟତ ହୁଏତ ଦେବାକୁ ପଡ଼ିଥାନ୍ତା । ହରିଶ ବାବୁ ଜାଣନ୍ତି ତାଙ୍କ ଉତ୍ତର ସେମାନଙ୍କର କୌଣସି କାମକୁ ଆସିବନି-। ତଥାପି, ସେ/ସେମାନେ ସୌଜନ୍ୟବୋଧର ମଣିଷ ।

 

ନିଜ ଫାଟକ ନିକଟରେ ପହଁଞ୍ଚିଲା ପରେ ମିକ୍‌ସଡ଼ ବ୍ରିଡ଼୍‍ର କୁକୁରଟି ଭୁକିଲା । ଏ ସମୟରେ ତାଙ୍କ ଘରକୁ କେହି ଆସନ୍ତି ନାହିଁ । କୁକୁର ବି ଅଭ୍ୟସ୍ତ ନୁହେଁ, ସେ ଭୁକିଲା । ହରିଶବାବୁ ତାକୁ ‘ଟାଇଗର’ ବୋଲି ସମ୍ବୋଧନ କଲାପରେ ସେ ସ୍ୱର ବାରିପାରି ନୀରବ ହେଲା । ହରିଶ ବାବୁ ଦରଜା ନିକଟରେ ପହଁଚିଲା ବେଳକୁ କବାଟ ସ୍ଵତଃ ଖୋଲିଗଲା; ଯେମିତି ପୂର୍ବରୁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ‘ଟାଇଗର’ ସମ୍ବୋଧନ ଭିତରେ ହରିଶବାବୁ ସ୍ତ୍ରୀ ସରୋଜିନୀ ଜାଣିଗଲେ ବାବୁ ଆସିଗଲେ । ସେ ଅତ୍ୟଧିକ ସୁନ୍ଦରୀ ଓ ସ୍ଵାମୀ ସୋହାଗିନୀ । ଘରକାମ ଭିତରେ ବି ସେ ବାବୁଙ୍କ ବିଷୟରେ ସଚେତନ ଥାନ୍ତି । ତେଣୁ ହରିଶବାବୁ ଫାଟକ ଖୋଲିଲେ ତାଙ୍କ ଦେହରେ ସ୍ପନ୍ଦନ ଆସେ । ସେମାନେ ସୁଖୀ ଓ ସନ୍ତୁଷ୍ଟ । ହରିଶ ବାବୁ ଦୁଇଓଳି ଘରୁ ଯିବାବେଳେ/ଫେରିବାବେଳେ ତାଙ୍କୁ ଜାବୁଡ଼ି ଧରି ଚୁମା ଦିଅନ୍ତି, ଯଦିଓ ସେ ନିଶ୍ଚିତ ତାଙ୍କ ପୁଅ–ଝିଅ ଚୁମା ଶବ୍ଦର ଅର୍ଥ ବୁଝିଲେଣି ଏବଂ ସୁଯୋଗ ଆସିଲେ ଦେଇଦେଇ ପାରିବେ ମଧ୍ୟ । ଚୂମାଦେବା ପରସ୍ପର ପ୍ରତି ପ୍ରେମର ଏକ ନିଦର୍ଶନ ।

 

କବାଟ ଖୋଲିଦେଲା ପରେ ସରୋଜିନୀ ହରିଶବାବୁଙ୍କୁ ଚାହିଁଲେ । ହରିଶବାବୁ ତାଙ୍କୁ ଭିନ୍ନେ ମନେ କଲେ । ମୁଁହ ଭାରାକ୍ରାନ୍ତ, ପୁଣି ସହଳ କ୍ଳବ୍‌ରୁ ଫେରିଛନ୍ତି । ଗୋଟିଏ ଅଜଣା ଆଶଙ୍କାରେ ସରୋଜିନୀ ବିମର୍ଷ ହେଇ ପଡ଼ିଲେ । ହରିଶବାବୁ ଅବସ୍ଥାର ଗୁରୁତ୍ଵ ବୁଝିଗଲେ । ସେ ଓଠରେ ହସିଲେ ଓ ସରୋଜିନୀ ଗାଲରେ ଛୋଟ ଚାପୁଡ଼ା ମାରିଲେ । ଏତିକିରେ ସେ ଜଣାଇ ଦେଲେ ସବୁ ଠିକ୍ ଅଛି, ଆଶଙ୍କାର କାରଣ ନାହିଁ । ସରୋଜିନୀ ସେତକ ଅପେକ୍ଷା କରିଥିଲେ । ସେ କବାଟ ଭିତରୁ ବନ୍ଦ କଲେ ଓ ପୁନର୍ବାର ରୋଷାଇ ଘରକୁ ଚାଲିଗଲେ । ହରିଶବାବୁ ଷ୍ଟଡ଼ି ରୁମ୍‌ର ଆଲୋକ ଦେଲେ ।

 

ସେ ତାଙ୍କ ଷ୍ଟଡ଼ି ଚେୟାରରେ ବସି ଉପରକୁ ଚାହିଁଲେ । ଫେନଟି ସ୍ଥିର ହୋଇ ଝୁଲୁଛି । ସ୍ୱିଇଚ ଅନ୍ କଲେ ହଠାତ୍ ଘୁରିବାକୁ ଆରମ୍ଭ କରିବ ଏବଂ ଅଫ୍ କଲେ ଧୀରେ ବନ୍ଦ ହୋଇ ଠୁକ୍ କି ରହିଯିବ ପୋଷା ଜୀବ ପରି । ତାଙ୍କୁ ଭଲ ଲାଗିଲା ନାହିଁ । ସେ ଟେବୁଲରେ ଦୃଷ୍ଟି ପକାଇଲେ, କିଛି ବହି ଖୋଲା ହୋଇ ପଡ଼ିଛି ଓ କେତେଖଣ୍ତ ଟେବୁଲରେ ଥିବା ଛୋଟ ସେଲ୍‌ଫରେ । ସେ ଖୋଲା ବହିଗୁଡ଼ିକ ବନ୍ଦ କଲେ ଓ ସେଲ୍‌ଫରେ ସଜାଇ ଥୋଇଲେ । ସେଲ୍‌ଫରୁ ଖଣ୍ଡେ ବହି ଆଣି ଖୋଲିଲେ—ଅକ୍ଷର ଗୁଡ଼ିକ ଅଜଣା ମନେ ହେଲେ । ଆଗ୍ରହ ନଥିଲେ ସବୁ ଜିନିଷ ସେମିତି ଅଜଣା ଲାଗେ । ବହିର ପୃଷ୍ଠାମାନେ ତାକୁ ଛନ୍ଦି ପାରିଲେ ନାହିଁ । ସେ ପୃଷ୍ଠା ବନ୍ଦ କଲେ ଓ ବହିଟି ଯେଉଁଠୁ ଆଣିଥିଲେ ସେଇଠି ଥୋଇଦେଲେ । ତା’ପରେ ସେ ଉଠି ଠିଆ ହେଲେ । ଆଲୋକ ତାଙ୍କୁ ଭଲ ଲାଗିଲା ନାହିଁ । ସେ ସ୍ଵିଇଚ ଅଫ୍ କଲେ ଓ ଝରକାର ରେଲିଂ ଧରି ବାହାରକୁ ଚାହିଁଲେ । ତାଙ୍କ ଘର ସାମ୍ନା ଦେଇ ସରୁ ବସ୍ତାଟିଏ ହାଇୱେକୁ ଛୁଇଁଛି । ରାସ୍ତା ଦୁଇକଡ଼ରେ ଡେଙ୍ଗା ଡେଙ୍ଗା ଦେବଦାରୁ ଗଛ । ରାସ୍ତାଟି ଯେଉଁ ହାଇୱେକୁ ଛୁଇଁଛି ସେଠି ଇଉକାଲିପଟ୍‌ସର ଗୋଟିଏ ଛୋଟ ଜଙ୍ଗଲ । ସେଇ ଛୋଟ ଜଙ୍ଗଲର ଧାରେ ଧାରେ ଗୋଟିଏ ସରକାରୀ କଲୋନୀ । କଲୋନୀ ରାସ୍ତାରେ ଆଲୋକ ପୋଷ୍ଟର ଧାଡ଼ି । ଅନ୍ଧାର ଭିତରେ ଆଲୋକଗୁଡ଼ିକ ଗୋଟିଏ ଛୋଟ ସହରର ଭ୍ରମ ସୃଷ୍ଟି କରୁଛି । ହରୀଶ ବାବୁଙ୍କର ଇଚ୍ଛା ହେଲା ସେଇଠିକି ଟିକେ ବୁଲିବାକୁ ଚାଲିଯାନ୍ତେ । ତାଙ୍କର କାହିଁକି ଏମିତି ଇଚ୍ଛା ହେଉଛି ଭାବିଲାବେଳକୁ ଭଜନାର କଥା ମନେ ପଡ଼ିଲା ଏବଂ ବନା ପାଗଳା, କଇଁ ପାଗିଳୀ କଥା । ସେ ଆଜି ନିଶ୍ଚୟ ଯିବେ ଓ ପାଗଳ, ପାଗିଳୀ ଦୁଇଟିଙ୍କୁ ଦେଖିବେ । ବର୍ତ୍ତମାନ ସେ ଯାଇ ପାରିବେ ନି । ସରୋଜିନୀ ନିଶ୍ଚିତ ହେବେ ତାଙ୍କ ଆଶଙ୍କା ଅମୂଳକ ନୁହେଁ । ସମସ୍ତେ ଶୋଇଗଲେ ସେ ଯିବେ । ସେ ଷ୍ଟଡ଼ିରୁମ୍‌ରେ ତାଙ୍କ ବିଛଣାରେ ଗଡ଼ିଗଲେ । ବୋଧହୁଏ ଶୋଇଗଲେ ।

 

ସରୋଜିନୀଙ୍କ ଡାକରେ ତାଙ୍କ ନିଦ ଭାଙ୍ଗିଲା । ସ୍ପଷ୍ଟ ଆଲୋକରେ ସରୋଜିନୀ ଖୁବ୍‌ ସ୍ନେହାଳୁ ମନେ ହେଉଥିଲେ । ହରୀଶବାବୁ ତାଙ୍କ ଦୁଇ ବାହୁକୁ ଜାବୁଡ଼ି ଧରି ପଚାରିଲେ: ପ୍ରେମ କ’ଣ ବୁଝିଛ ସର ! ସରୋଜିନୀଙ୍କ ମୁହଁ ଲାଲ ପଡ଼ିଗଲା । ତାଙ୍କ ଅର୍ଥପୂର୍ଣ୍ଣ ସୃଷ୍ଟିରେ ଅନେକ କଥା ଶୁଣାଯିବ: ଏତେ ଆଲୋକରେ କ’ଣ ପ୍ରେମକୁ ବୁଝାଯାଇପାରେ, ଖାଇ ସାର, ପ୍ରେମ କ’ଣ ବୁଝିପାରିବ… ।

 

ହରୀଶବାବୁଙ୍କ ହାତ ଦୁଇଟି ଶିଥିଳ ହୋଇଗଲା । ସରୋଜିନୀ ଫୂର୍ତ୍ତିରେ ଚାଲିଗଲେ । ସରୋଜିନୀ ତାଙ୍କର ସଂକୀର୍ଣ୍ଣ ବିଚାରରେ ପ୍ରେମକୁ ବିଶ୍ଲେଷଣ କଲେ—ଅନ୍ଧାରରେ ଉଲଗ୍ନ ହୋଇ ଶୋଇବ…ମିଶିଯିବା ହଜିଯିବା ପରି । ସରୋଜିନୀ ବୁଝି ନାହିଁ କିଛି । ସେ ଚର୍ଯ୍ୟାଗୀତିକା ପଢ଼ିନାହିଁ-। ଭଜନାର ସ୍ତ୍ରୀ ବୁଝିନାହିଁ ଚାଉଳ ନ ଥିଲେ କେମିତି ହସିବାକୁ ହୁଏ ।

 

ରାତି ଦୁଇଟାରେ ହରିଶ ବାବୁଙ୍କୁ ନିଦ ଭାଙ୍ଗିଗଲା । ସେ ବିଛଣାରୁ ଉଠିପଡ଼ିଲେ । ସରୋଜିନୀ ସହିତ ତାଙ୍କ ସଂସାର ଶୋଇ ଯାଇଛି । ସେ ଏକ ସମୟରେ ଯିବେ ଓ ସେମାନଙ୍କ ଉଠିବା ପୂର୍ବରୁ ଫେରି ଆସିବେ । ପ୍ରତିବନ୍ଧକ ଅଛି, ସେଇଟା ବଡ଼କଥା ନୁହେଁ । ସଂପ୍ରତି ତାଙ୍କ ଚେତନାରେ ବନା ପାଗଳ ଓ କଇଁ ପାଗିଳୀ । ପ୍ରଥମ ଦରଜାରେ ‘ଟାଇଗର’ । ସେ ଭୁକିବନି ।

 

ସେ ଜାଣେ ମାଲିକ ଘରର ଲୋକ କେହି । ବରଂ ସେ କୁଉଁ କୁଉଁ ଶବ୍ଦ ଭିତରେ ନିଜ କର୍ତ୍ତବ୍ୟବୋଧର ପରିଚୟ ଦେବ ।

 

ହରୀଶବାବୁ ଗୋଟିଏ ନିଃଶ୍ୱାସରେ ଘରୁ ବାହାରି ଗଲେ । ସେ ବାହାରିଗଲେ ଯେ ପଛକୁ ବି ଫେରି ଚାହିଁ ନାହାନ୍ତି କିମ୍ବା ଟାଇଗରର ଆନୁଗତ୍ୟକୁ ଅନୁଭବ କରି ନାହାନ୍ତି । ସେ ଅନ୍ଧାରରେ ଏକୁଟିଆ ଚାଲୁଛନ୍ତି, ଅଥଚ ତାଙ୍କୁ ମନେ ହେଉଛି ସେ ଏକୁଟିଆ ଚାଲୁ ନାହାନ୍ତି, ହଜି ଯାଇଥିବା ବିଶ୍ୱାସମାନେ ମଧ୍ୟ ଗୋଟିଏ ଶୋଭାଯାତ୍ରାରେ ତାଙ୍କ ସହିତ ଚାଲୁଛନ୍ତି । ତାଙ୍କୁ ବେଶ୍‌ ହାଲ୍‌କା ଲାଗୁଛି ଓ ସେଥିପାଇଁ ସେ ଗୁଣୁ ଗୁଣୁ ହୋଇ ଗୋଟିଏ ଲଘୁ ସଙ୍ଗୀତ ସ୍ୱର ମଡ଼ାଉଛନ୍ତି । ସେ ଇଚ୍ଛାକଲେ ବର୍ତ୍ତମାନ ରାତି ସହିତ ବି କଥାବାର୍ତ୍ତା କରିପାରିବେ, କାରଣ ସେ ଅନୁଭବ କରୁଛନ୍ତି ତାଙ୍କ ସହିତ ସମତାଳରେ ରାତି ମଧ୍ୟ ଚାଲୁଛି ।

 

ଏମିତି ଚାଲୁ ଚାଲୁ ସେ ହଠାତ୍‌ ଛକ ନିକଟରେ ପହଞ୍ଚିଗଲେ । ଛକର ଫ୍ଲୋରୋସେଣ୍ଟ ଆଲୋକରେ ନିଜକୁ ସେ ଆବିଷ୍କାର କଲେ—ସେ ହରୀଶ ବାବୁ, ସାହିତ୍ୟ ଅଧ୍ୟାପକ, ଜୀବନରେ ହଜିଯାଇଥିବା ମହାର୍ଘ ପଦାର୍ଥଟିକୁ ଆବିଷ୍କାର କରିବା ପାଇଁ ରାତିର ଦ୍ଵିତୀୟାର୍ଦ୍ଧରେ ଏକୁଟିଆ ହାଇୱେ ଉପରକୁ ଚାଲି ଆସିଛନ୍ତି ।

 

ରାସ୍ତା ସେକଡ଼େ ଭଜନାର ମଦଭାଟି ଏବଂ ଭାଟି କଡ଼କୁ ପ୍ରକାଣ୍ଡ ବରଗଛ ତଳେ ପକ୍‌କା ଚଉତରା । ଆଲୋକରେ ସ୍ପଷ୍ଟ ଦିଶୁଥିଲା ସେ ଚଉତରାଟି । ହରୀଶବାବୁ ହାଇୱେ ତଳକୁ ଓହ୍ଲାଇଗଲେ ଓ ସାମାନ୍ୟ ଦୂରସ୍ଥ ଚଉତରାକୁ ଲକ୍ଷ୍ୟ କଲେ । ସେ ବିହ୍ୱଳ ହୋଇଗଲେ ସେଇ ଦୃଶ୍ୟଟି ଦେଖି ଯାହାର ଅଦ୍ଭୁତ ସାମଞ୍ଜସ୍ୟ ଥିଲା ତାଙ୍କ ଭାବଚେତନାର ଦୃଶ୍ୟଟି ସହିତ—ବେକରେ ରୁଦ୍ରାକ୍ଷ, ପୋହଳାର କଣ୍ଠିପରି ମାଳ, ପାଣ୍ଡୁର ଦେହ ଓ ଶ୍ମଶ୍ରୁପୂର୍ଣ୍ଣ ମୁହଁରେ ବନା ପାଗଳା ଦିଶୁଥିଲା ଜଣେ ସହଜ–ସିଦ୍ଧ ପରି । ସେ ସାମଧିସ୍ଥ । ଠିକ୍‌ ନିକଟରେ ଅର୍ଦ୍ଧ ଉଲଗ୍ନ କଇଁ ପାଗିଳୀ ସାଧିକା ପରି ଉଦ୍‌ଗ୍ରୀବ ହୋଇ ଚାହିଁ ରହିଛି ତା ମୁହଁକୁ । ହରୀଶ ବାବୁଙ୍କୁ ଉପରେ ଦୃଷ୍ଟି ପଡ଼ିଲା ପରେ ସେ ଉଠି ଠିଆ ହେଲା ଓ ନିଃଶଙ୍କୋଚରେ ପାଦ ଟିପି ଟିପି ଆସି ତା’ର ବିଶୀ ଆଙ୍ଗୁଳିଠି ଓଠରେ ଦେଇ ଏମିତି ମୁଦ୍ରାକଲା ଯେଉଁଥିରୁ ହରୀଶବାବୁ ବୁଝିଲେ ପାଟି କରନି ମୁଁଢ଼ ! ସିଦ୍ଧ ବର୍ତ୍ତମାନ ସହଜାନନ୍ଦର ଉପଲବ୍‌ଧିରେ ।

 

ଏ ଦୃଶ୍ୟରେ ହରୀଶବାବୁଙ୍କ ଛାତି ଭିତରେ ଝରଣାରେ କଳନାଦ ପରି ହସ ଉଛୁଳି ଉଠିଲା ଓ ସେ ଡେଇଁ ଡେଇଁ ହାଇୱେ ଉପରକୁ ଉପରକୁ ଉଠିଆସିଲା ବେଳେ ତାଙ୍କର ମନେ ପଡ଼ିଲା ସେ କେମିତି ଥରେ ପ୍ରେମରେ ଛନ୍ଦି ହେଇ ପଡ଼ିଥିଲା । ସେ ହାଇୱେ ଉପରକୁ ଆସିଲେ ଓ ପୁଣି ଥରେ ପଛକୁ ଫେରି ଦୃଶ୍ୟଟିକୁ ଉପଭୋଗ କଲେ । ସେ ବାଳିକା ଏବେ ଚିଠି ଦେଇଥିଲା: ସାରେ ! ରାଗିଥିଲେ ରାଗ ଖେଲିଦେବେ । ହରିଶବାବୁ ପୁନର୍ବାର ହୋ ହୋ ହୋଇ ହସିଲେ ! ସେ କେମିତି ସେଇ ନିର୍ବୋଧ ବାଳିକାକୁ ବୁଝାଇଦେଇ ପାରିବେ, ଏ ପ୍ରେମ କ’ଣ ଅନ୍ଧକାର କୋଠରୀରେ ଉଲଗ୍ନ ହୋଇ ମିଶିଯିବା, ହଜିଯିବାର ଅନୁଭୂତି ହୋଇଛି ଯେ ସେ ରାଗିଥିବେ !

 

ହରୀଶବାବୁ ଯେମିତି ଜୀବନରେ ହଜିଯାଇଥିବା ମହାର୍ଘ ବସ୍ତୁଟି ପୁଣି ଫେରି ପାଇଲେ ଓ ଏଇ ଅନୁଭୂତିକୁ ଆସନ୍ତା ସନ୍ଧ୍ୟାରେ ବଂଧୁମାନଙ୍କ ନିକଟରେ ପ୍ରକାଶ କରିବାର ସମୟ—ବ୍ୟବଧାନଟି ତାଙ୍କୁ ଯୁଗ ଯୁଗ ପରି ମନେ ହେଲା ସେତେବେଳେ ।

Image

 

ତୋ ଗୁଣ ସୁମାରି

 

ଅନେକ ଦିନରୁ ଅଭିଳାଷ ଗୋଟିଏ ପ୍ରେମଗଳ୍ପ ଲେଖିବା ପାଇଁ । ଏ ଅଭିଳାଷ ଇଚ୍ଛାକୃତ ନୁହେଁ, ଅନେକ ସମୟରେ ରାଗିବାରୁ/ତାତ୍ସଲ୍ୟରୁ ଓ ଗଳ୍ପ ପ୍ରତି ଏକ ଅନାସ୍ଥା ଭାବରୁ । କିନ୍ତୁ ଗୋଟେ ପ୍ରେମ ଗଳ୍ପ ଲେଖିବା କେଡ଼େ କଷ୍ଟ, ଯଦିଓ ପ୍ରେମର ଅନୁଭୂତିଟା ନିହାତି ସହଜ । ଏମିତି ହସୁ ହସୁ, ପାଖରେ ବସୁ ବସୁ ଆଳକରି ହାତର ଲେଖାଗୁଡ଼ିକୁ ତନଖି କରିବା, ସ୍ନେହ ବା ସଦିଚ୍ଛାର ପ୍ରମାଣ ସ୍ୱରୂପ ପିଠିରେ ଛୋଟ ଚାପଡ଼ଟେ ମାରିଦେବା କିମ୍ବା ବେଶୀ ହେଲେ ରଜନୀଗନ୍ଧାର ଦୁଇଟି ଡ଼େମ୍ପ ଆଣି ସତର୍କରେ ଧରାଇଦେବା । ଏ ସବୁ ଉପକ୍ରମ ବା କାର୍ଯ୍ୟ ପ୍ରେମର ଗୋଟିଏ ଗୋଟିଏ ସୁନ୍ଦର ଉପାଦାନ ହୋଇପାରେ । କିନ୍ତୁ ସେ ଉପାଦାନଗୁଡ଼ିକ ଉପଲବ୍‌ଧିର କଷଟୀରେ କଷି କଷି ଅନୁଭୂତିକୁ ପ୍ରକାଶ କରିଦେବା କେତେ ଯେ କଷ୍ଟ । ସେ ପାଇଁ ମୋତେ ଲାଗେ ଗୋଟିଏ ପ୍ରେମ ଗଳ୍ପ ଲେଖିବା ଯୋଗାସନର ଗୋଟାଏ କୁଚ୍ଛ୍ର ସାଧନା ପରି ।

 

ଅନେକ ଥର ଚେଷ୍ଟା କରିଛି ନାରୀ ଗୋଟିଏ ନଦୀ, ନଦୀର ବହିଯିବା ଧର୍ମ କୂଳବାଡ଼ ନମାନି । ସେମିତି ନାରୀ-ପ୍ରେମର ଉଚ୍ଛଳ ବନ୍ୟାରେ ସେ ତା’ର କୂଳ ହଜାଇ ଦିଏ । ସେତ କୁଳ ହଜାଇ ଦିଏ…ତା’ପରେ କଣ ? କେଉଁ କୁଳରେ ଲାଗିବ ସେ, କେଉଁ ଅନୁଭୂତିଟି ପାଇଲ ତୁମେ । ଗଳ୍ପ ଆରମ୍ଭ କରିଦିଏଁ, କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରେନା । ନାୟକ–ନାୟିକାକୁ ଗୋଟାଏ ସୁଖାତ୍ମକ ମିଳନରେ ମଜଗୁଲ କରିପାରେନା କିମ୍ବା ପ୍ରେମର ସନ୍ୟାସୀ–ସନ୍ୟାସିନୀ କରି ଘୋରବନକୁ ପଠାଇ ଦେଇପାରେନା କିମ୍ବା ରେଳ ଲାଇନ୍‌ କିମ୍ବା କୌଣସି ଅଜଣା ଇଲାକାକୁ ନାର୍ବସିତ କରିଦେଇ ପାରେନା । କଲମ ବନ୍ଦ ହୋଇଯାଏ, ମେଞ୍ଚାଏ ପାନ ଚୋବାଏ ଓ ମୁଣ୍ଡ ବାଳକୁ ଟାଣି ଟାଣି ଗୋଟାଏ ଅବସନ୍ନତାରେ ଆଖି ବୁଜିଦିଏ, ଅଥଚ ପ୍ରେମ ଗଳ୍ପଟିଏ ସମ୍ଭବ ହୋଇପାରେନା ।

 

ଆଉ କେବେ ଭାବେ ଅନ୍ୟ ଭାଷାର ଗଳ୍ପ ଉପନ୍ୟାସରୁ ପ୍ରେମ ଉପାଦାନ ଉଠାଇ ଦେବି—ପାଠକର ଆଖି ଝଲମଲ କରିଦେବି ଓ ନିଜପାଇଁ ଏକ ପୂର୍ଣ୍ଣ ସିଂହାସନ ବିସ୍ତୃତ କରି ବସି ପାନ ଚୋବାଉଥିବି—ସ୍ତାବକମାନଙ୍କ ଦ୍ଵାରା ପରିବେଷ୍ଟିତ ହୋଇ । ମଡ଼ର୍ଣ୍ଣ ଫ୍ରଷ୍ଟ୍ରେସନ୍‌…ସହଜରେ ଗୋଟାଏ କୈଫିୟତ । ଏମିତି ଥୋଡ଼ାଏ ଲେଖାଯାଇ ପାରନ୍ତା…ମ’ର ଅନ୍ତ୍ୟେଷ୍ଟି କ୍ରିୟାରେ ନାୟିକା ସହିତ କୌଣସି ସୁଇମିଂ ପୁଲ୍‌ରେ ସମୟ ବିତାଉ ବିତାଉ ତା’ ଖୋଲା ଜଙ୍ଘଦୁଇଟିର ମସୃଣତାକୁ ଅନୁଭବ କରାଯାଇପାରନ୍ତା । ସାମ୍‌ନା ଗୋଟାଏ ନିର୍ଜନ ପ୍ରକୋଷ୍ଠରେ ସିଗ୍ରେଟ ମୁହଁରେ ଧରି ‘ବୋରଡ଼ମ’କୁ ଭାଙ୍ଗିବାର କିଛି ଉପାୟ ନ ପାଇ ନାୟକାକୁ ଗୋଟାଏ ଖେଳ କଣ୍ଢେଇ ପରି ବ୍ୟବହାର କରାଯାଇ ପାରନ୍ତା ଓ ତା’ ଦେହରେ ଦେହ ମିଶାଇ ଦେଇ ମୂହୁର୍ତ୍ତକର ମହାସୁଖକୁ ଆସ୍ଵଦନ କରାଯାଇ ପାରନ୍ତା । ତା’ପରେ ତୁମେ କିଏ ଓ ସେ ନାୟିକା କିଏ ଚିହ୍ନାଚିହ୍ନି ହେବା ପାଇଁ ଜଣେ ଆଇଡ଼େଣ୍ଟି–ଫାଏର୍‌ର ଆବଶ୍ୟକତା ପଡ଼ନ୍ତା ।

 

ପର ମୂହୁର୍ତ୍ତରେ ମନରେ ଦ୍ଵନ୍ଦ୍ଵ ପୂର୍ଣ୍ଣ ହୋଇଯାଏ । ପ୍ରେମର ସଂଜ୍ଞା କଣ ବୋଲି ସଂଶୟ ମୁଣ୍ଡଟେକେ । ପ୍ରେମ କଣ ପ୍ରକୃତରେ ଦେହରେ ଦେହ ମିଶାଇ ଦେଇ ମୁହୂର୍ତ୍ତକର ମହାସୁଖକୁ ଅନୁଭବ କରିବା, ନା ଅନୁଭୂତିକୁ ଦେହ ବାହାରକୁ ନେଇ ଯାଇ ଶୂନ୍ୟରେ ଶୂନ୍ୟରେ ମନକୁ ସଂଯୋଗ କରି ମଜଗୁଲ ହେବା ? ପ୍ରେମର କେଉଁ ସଜ୍ଞାଟି ସତ୍ୟ ! ମନକୁ ମନ ଉତ୍ତର ଆସିଯାଏ, ହୁଏତ ବ୍ୟକ୍ତି ଓ ବୟସ ଭେଦରେ ତାହା ଅପେକ୍ଷିକ ।

 

ଏବେ ବୟସର ଦ୍ଵିତୀୟାର୍ଦ୍ଧରେ କଥାଟି ସତ ମନେ ହେଉଛି–ବ୍ୟକ୍ତି ଓ ବୟସ ଭେଦରେ ଆପେକ୍ଷିକ । ପରକୀୟା ଦେହଜ ପ୍ରୀତି ପାପ । ପାପଟିକୁ ସର୍ବ ସମକ୍ଷରେ ଖୋଲି ଦେବା ପାପରୁ ମୁକ୍ତ ହେବା । ମୁଁ ତ ହିନ୍ଦୁ ପ୍ରୌଢ଼ଟିଏ । ମୋ ପିଲାଏ ସ୍କୁଲ/କଲେଜରେ ପାଠ ପଢ଼ିଲେଣି । ସେମାନେ ଉଭୟ–ବିଧ ପ୍ରେମ ବୁଝିଲେଣି । ମୁଁ କାହିଁକି ପାପଟିକୁ ଲୁଚାଇ ରଖି ମୃତ୍ୟୁ କାଳରେ ବହୁ ଯନ୍ତ୍ରଣା ଭୋଗି ଛଟ୍‌ ପଟ୍‌ ହେବି ? ତେଣୁ କହିଦେଉଛି କେତେଟା କଥା—ବୟସ ସେତେବେଳେ ପନ୍ଦର କି ଷୋଳ । ସେତେବେଳେ ପ୍ରେମ କଣ ମ ! ଗାଧୁଆ ତୁଠରେ ଉଡ଼ି ଯାଉଥିବା ଲୁଗା ଫାଙ୍କାକୁ ଚାହିଁବା, ନୂଆ କରି ବାହା ହୋଇଥିବା ଯୁବକ–ଯୁବତୀମାନେ କଣ କରୁଥିବେ ରାତିରେ…ଏଇ ସବୁ ଭାବିବା ପ୍ରେମ ଓ ଖରାବେଳେ କିମ୍ବା ନିଶବ୍ଦ ରାତିରେ ନିଜ ଭିତରେ ସେଇ ଅନୁଭୂତିକୁ ଠାବ କରିବା…ଆଃ, କହି ହେବନି ସେ ସବୁ । ଆମ ରୁଚିପୂର୍ଣ୍ଣ ସମାଜଟା କସିଦେବନି ଠାଏ କରି ଚାପୁଡ଼ାଟା—ଶଳା, ଲଜ୍ୟାହୀନ, ବାପ–ଝିଅ ଏକାସାଙ୍ଗରେ ପଢ଼ି ପାରିବେନି ଗଳ୍ପଟି । ତାକୁ ପଢ଼ି ପାରିବେନି, ଅଥଚ ଅଟା ଭିତରେ ଶୁଖିଲା ବିଲକଳମ ପତ୍ରର ଗୁଣ୍ଡ, ତେଲରେ ଅଗରା ଓ ଦାଲଦାରେ ପୋଡ଼ା ମୋବିଲକୁ ହଜମ କରି ପରମ ସନ୍ତୋଷରେ ସେଠଜୀର ଅନ୍ତଲ ପେଟକୁ ଆଉଁସି ଦେବେ କେଡ଼େ ସରାଗରେ ।

 

ମାର ମ ଗୋଲି ତୋ ସମାଜକୁ; ଆହୁରି ଯଦି ରୁଚି ନୀୟମକୁ ଧରି ଚାଲୁଥାନ୍ତେ…ଶଳା ବନ୍ୟାଞ୍ଚଳକୁ ଚାଉଳ ଗଲାବେଳକୁ ବାଟରେ ଅଧେ କୁଆଡ଼େ ନିଲାମ୍‌ ହେଲାଣି ତ, ଗହମ କଣ୍ଟ୍ରୋଲ ଦୋକାନୀ ଚଢ଼ା ଦାମରେ ସବୁତକ ବେପାରୀଙ୍କୁ ଧରାଇ ଦେଲାଣି । ତେଣେ ଦେଶ ଲୋକଙ୍କ ପାଇଁ କାନ୍ଦି–କାନ୍ଦି ନେତାଙ୍କର ଆଖି ଫୁଲିଗଲାଣି । [ଅବଶ୍ୟ ସ୍ୱାସ୍ଥ୍ୟଗତ କାରଣରୁ ଅନେକ ସମୟରେ ଆଖି ଫୁଲିଲା ଫୁଲିଲା ଲାଗେ] । ନୀତି/ରୁଚି ତ ବହୁ ଦିନରୁ ମରିଗଲାଣି, ନିତସେ ଈଶ୍ଵରଙ୍କୁ ମାରିଦେଲା ପରେ ପରେ ଓ ନାଥୁରାମ ଗଡ଼ସେ ଗାନ୍ଧୀଙ୍କୁ । ଏବେ କାହାକୁ ଡରିବି । ନିଜ ହାତରେ ନିଜେ ଚଉଦପା, ତେଣୁ କହିଦେବି–ହଁ, କଥା କଣକି ସେଇ ପନ୍ଦର ଷୋଳବର୍ଷ ବୟସର କଥା—ବର୍ଷାଦିନ, ଖରାବେଳେ ହେବ ବୋଧହୁଏ । ସୁଯୋଗ କ୍ରମେ ଗୋଟାଏ ରିଫ୍ୟୁଜୀ ବଙ୍ଗ ବାଳିକା ସଂସ୍ପର୍ଶରେ ଆସିଲି ଓ କେରମ ଡଟ ଉପରେ ଷ୍ଟ୍ରାଇକର୍‌ଟା ଯୋଖି ପିଟ୍‌କୁ ଲକ୍ଷ୍ୟ କରୁଥିଲା ବେଳେ ତା ଆଖି ଉପରେ ମୋ ଆଖିଟା ପଡ଼ିଗଲା । ମୁଁ ସତ କହୁଚି ପ୍ରେମ କରିବାକୁ ହେଲେ କେମିତି ଚାହିଁବାକୁ ହୁଏ ମୁଁ ସେତେବେଳେ ଶିଖି ନଥିଲି । ଅଥଚ ସେ ବଜାତ୍‌ ଫାପୁଲି ଟୋକି ଆଖି ଭୁଲତା ଦୁଇଟିକୁ ଟେକି କହିଲା—ଭାରି ବାଗରେ ତ ଚାହିଁ ଶିଖିଲୁଣି ! ସେଇ କଥା ପଦକରେ ମୁଁ ଡ଼ଟ/ଷ୍ଟ୍ରାଇକର/ପିଟ୍‌/କରମ ବୋର୍ଡ଼କୁ ଭୁଲିଗଲି ଓ ହଠାତ୍‌ ମୋ ଭିତରୁ ପୂର୍ଣ୍ଣାଙ୍ଗ ମଣିଷଟିଏ ଯେମିତି ଫକ୍‌ କରି ଡେଇଁ ପଡ଼ିଲା ଓ ମଧ୍ୟାହ୍ନ କ୍ରମେ ଅନ୍ଧକାର ହୋଇଗଲା ।

 

ବିପର୍ଯ୍ୟସ୍ତ ବାଳିକାଟି ଉଠି ନିଜକୁ ସଜାଡ଼ୁଥିଲା ବେଳେ ପାପ ପୁଣ୍ୟ, ଭୟ ଆଶଙ୍କାରେ ପ୍ରେମ ପରି ଏକ ସୂକ୍ଷ୍ମ ଅନୁଭୂତିକୁ ମୁଁ ଭୁଲିଯାଇଥିଲି ଓ ଦ୍ଵିତୀୟ ଥର ପାଇଁ ତାକୁ ମୁହଁ ଟେକି ଚାହିଁବାକୁ ସାହସ ସଞ୍ଚୟ କରିପାରି ନଥିଲି କେବେ ।

 

ଆଉ ବି ଗୋଟେ ଅଧେ ସେମିତି ଅନୁଭୂତି । ମନେ କରନ୍ତୁ ଆପଣ ଗୋଟିଏ ଝିଅକୁ ପ୍ରେମ କରୁଛନ୍ତି । ଶବ୍ଦଟି ଏଠିକି ଆପେକ୍ଷିକ ହୋଇପାରେ । ଆପଣ ଅନୁଭବ କରୁଛନ୍ତି ସେ ଆପଣଙ୍କୁ ଆତ୍ମ ନିବେଦନ କରିଦେଲା । ଆପଣଙ୍କ ଭିତରେ ଭାବତରଙ୍ଗ ସୃଷ୍ଟି ହେଲା ଓ ସେଇ ଭାବତରଙ୍ଗର ପ୍ରଥମ ପ୍ରକାଶ ଘଟିବାକୁ ଯାଉଛି ଦୁଇଟି ଓଠକୁ ଅନ୍ୟ ଦୁଇଟି ଓଠ ସହିତ ମିଶାଇ ଦେବାରେ । ଠିକ୍‌ ସେତିକିବେଳେ ଯୁବତୀଟି ମୁହଁକୁ ଘୁଞ୍ଚାଇ ନେଲା ଓ ତା ନାକପୁଡ଼ା ଦୁଇଟିକୁ ଫୁଲାଇ ଦେଇ ଫର୍ମାସି କଲା: ଆଗ କୁହ ଏଥର କଟକ ଭୁବନେଶ୍ୱର ଗଲେ ମୋ ପାଇଁ ଗୋଟିଏ ଆଲ୍‌ବମ୍‌ ଓ ଭଲ ଶାଢ଼ୀଟିଏ ଆଣିବନା ! ତା ଭାବ ତରଙ୍ଗଟି ଆଉ ରହିବ ! କେମିତି ବା କେଉଁ ବାଗରେ ସେ ତା ଅନୁଭୂତି ପ୍ରକାଶ କରିଦେବ ଓ ସ୍ପର୍ଶଜାତର ଗାଳ୍ପିକଟି ସୁନ୍ଦର ପ୍ରେମ ଗଳ୍ପଟିଏ ଲେଖିଦବ । ପ୍ରେମ କଣ ଗୋଟାଏ ପଣ୍ୟଦ୍ରବ୍ୟ, କିଲୋ ଆଳୁ କି ବାଇଗଣ, କିଛି ପଇସାରେ ତାକୁ କିଣି ଦେଇହେବ । ଅବଶ୍ୟ କସମୋପଲିଟାନ ସିଟିରେ ପ୍ରେମର ବଜାର ଅଛି, ବୟସ ନେଇ ଦାମ୍‌, ଶହେରୁ ହଜାରେ ବା ପାଞ୍ଚ ହଜାର । ଦେହର ସୀମା ଭିତରେ ଯଦି ପ୍ରେମକୁ ସୀମାବଦ୍ଧ କରିଦିଆଯାଏ … ସେକ୍‌ସ୍‌କୁ ନେଇ ଗଳ୍ପ ଲେଖି ହେବ ସିନା, ପ୍ରେମକୁ ନେଇ କେମିତି !

 

ଏଇ ପରିପ୍ରେକ୍ଷୀରେ ମୋ ପକ୍ଷରେ ପ୍ରେମ ଗଳ୍ପ ଲେଖିବା ସମ୍ଭବ ନୁହେଁ, ତେବେ ଗୋଟାଏ ଗଳ୍ପଭାଷ ଦେଇଛି ମାତ୍ର । ପୁଣି ଭୟ, ସେଇ ସାମାଜିକ ଲୋକ ଓ ସେମାନଙ୍କର ତଥାକଥିତ ନୈତିକତା ଏବଂ ରୁଚିକୁ ନେଇ । କାରଣ ମୁଁ ପୌଢ଼ଟିଏ, ମୁଣ୍ଡରେ ଅଧାବାଳ ପାଚିଲାଣି, ଦାଢ଼ି ଅଧାଧଳା, ନିଶ ବି । ମୋ ପିଲାଏ ସ୍କୁଲ/କଲେଜକୁ ଗଲେଣି ଏବଂ ସେମାନଙ୍କ ପରିସରରେ ପ୍ରେମ କଣ ବୁଝିଲେଣି । ପୁଣି ମୋ ସହଧର୍ମିଣୀ ଗୋଟିଏ ଦୁଧ–ଛଡ଼ା ଗାଈପରି, ତଥାପି ମୁଁ ସାହିତ୍ୟର ଛାତ୍ର, ଆପଣ ହସନ୍ତୁ ବରଂ, ମୋ ଧାରଣା ସାହିତ୍ୟ ନିକଟରେ ପ୍ରେମର ସୂକ୍ଷ୍ମ ଅନୁଭୂତିଟି କେମିତି ଅଲକ୍ଷ୍ୟରେ ରହିଯାଇଥାଏ । ପାଚିଲା ବାଲିଆ ବୁଢ଼ା ବିଦଗ୍‌ଧ ଚିନ୍ତାମଣିକାବ୍ୟ ପଢ଼ାଇଲା ବେଳେ ଅପ୍ରାକୃତ ପ୍ରେମରେ ଛନ୍ଦି ହୋଇଯାଏ, ତା ଅସାମର୍ଥ୍ୟ ଶରୀର ମଧ୍ୟରେ ଗୋଟାଏ ସିତ୍‌କାର ଖେଳିଯାଏ ଓ ସେ ଅନୁଭବ କରେ ଅନ୍ତରରେ କେମିତି ପ୍ରେମ ବିହ୍ଵଳ ଶ୍ରୀମତୀ-। ‘ହେମ-ମରକତ’କୁ ଯୋଖି ଅଶକତ ଶରୀରରେ ପଡ଼ିରହେ, ପୁଣି ଶାମସୁବାସରେ କେମିତି ନିଶ୍ଚିନ୍ତରେ ନିଦ୍ରା ଯାଏ । ବଂଶୀ, କଦମ୍ବ, ଯମୁନା ତା’ ଚେତନାରେ ଏକାକାର ହୋଇଯାଏ ଓ ବୃନ୍ଦାବନର ନିତ୍ୟରାସରେ ପ୍ରେମର ସତ ସତ୍ତାଟିର ଅନ୍ୱେଷଣ କରେ ।

 

ସେମିତି ଗୋଟିଏ ପ୍ରେମର ଅନୁଭୂତି କହୁଛି ମୁଁ ପ୍ରୌଢ଼ ଲୋକଟି । ସେ ବେଶି କିଛି ନୁହେଁ, ଦୁଇଟି ଆକ୍ଷି ଓ ହଳେ ଅଧର ବିଷୟରେ । ଆକ୍ଷି ପୁଣି ଏତେ ବେଶୀ କଥା କହେ ଓ ଅଧର ଦୁଇଟି ଏତେ ନୀରବ । ସୁଯୋଗ କ୍ରମେ ମୁଁ ସେ ସଂସ୍ପର୍ଶରେ ଆସିଛି । ଦିନେ ହୁଏତ ପାହାନ୍ତିଆ ଜହ୍ନପରି ଦିବ୍ୟଲୋକର ଆବିର୍ଭାବରେ ସେ କୁଆଡ଼େ ଉଭେଇ ଯିବ । ତଥାପି ସେଇ ମୁହୂର୍ତ୍ତ କେତୋଟି ଜୀବନର ସବୁଠାରୁ ବେଶି ମହାର୍ଘ । ସେତିକିରେ ଜୀବନର ପୂର୍ଣ୍ଣତା । କିନ୍ତୁ କେତେଦିନ-। ସେ ଆକ୍ଷି ଦୁଇଟିକୁ ଯଦି ଖୋଲି ଦିଅନ୍ତା ଓ ଅଧର ହଳକ ଖୋଲି ଦିଅନ୍ତା ଏବଂ ମୋ ହାତକୁ ଟେକି ନେଇ କହନ୍ତା—ନେରେ ବୁଢ଼ା ! ଅବୟବ ତୋପାଇଁ ମନା, ତୋ ଦାନ୍ତ କାଟିଲାଣି–ଏଇ ପ୍ରତୀକ ହଳକ ନେଇ ବଞ୍ଚିରହ ଏବଂ ହରିମିଶ୍ର ‘ନିନ୍ଦିତ ଗଜପତି’ ସିଂହାସନରୁ ଓହ୍ଲାଇ ଆସି ହରିବୋଲ ସଙ୍କୀର୍ତ୍ତନ ଭିତରେ ନିଜର ସଂକୀର୍ଣ୍ଣ ବ୍ୟକ୍ତିଗତ ଗଣ୍ଡି ଭିତରୁ ମୁକୁଳି ଆସି ବିଶ୍ଵମାନବିକତାରେ ନିଜକୁ ସାମିଲ କରିଦେଇ ପ୍ରେମର ବାର୍ତ୍ତା ବୁଝିଦେଇ ଯାନ୍ତେ । ସଂସାର ଯାକ ବିଶୀସ୍ଵାନା/କଦମ୍ବ/ ଯମୁନା ଏକାକାର ହୋଇଯାଆନ୍ତା ଓ ବୃନ୍ଦାବନ ନିତ୍ୟରାସକୁ ଉପଲବଧି କରି କରି ମୁଁ ପାଗଳ ପରି ଗାଈ ବୁଲନ୍ତି ‘ତୋ ଗୁଣ ସୁମରି ଯେବେ ଯିବି ମରି ସଂସାରେ ଯଶ ସାର ହେବ ।’

 

ମୋ ଦ୍ଵାରା ପ୍ରେମଗଳ୍ପ ସମ୍ଭବ ନୁହେଁ, ଆପାତତଃ ଏଇଟିକୁ ଆପଣ ପ୍ରେମଗଳ୍ପ ବୋଲି ଧରି ନେଇ ପାରନ୍ତି ।

 

ମଲେବି, ଦୁନିଆରେ ପ୍ରେମ ଗଳ୍ପଟିଏ ଲେଖିବା କଣ ଏଡ଼େ ସହଜ କଥା !

Image

 

ପିକ୍‌ନିକ୍‌ : ସମୁଦ୍ର

 

ଚକ୍ରଧର ଅନେକ ଥର ସମୁଦ୍ର ଦେଖିଛି । ପିଲାଦିନେ ବାପାଙ୍କ ସାଙ୍ଗରେ । ବନ୍ଧୁ ମାନଙ୍କ ସହିତ ସ୍କୁଲ କଲେଜ ଜୀବନରେ । ସେତେବେଳେ ସେ ଅନୁଭବ କରିଥିଲା ସମୁଦ୍ର ଓ ତା ମଝିରେ କିଛି ନିୟନ୍ତ୍ରଣ; ଯେମିତି ସମୁଦ୍ର ଏକ ଭୟଙ୍କର ଜୀବ, ତା ସହିତ ସାମାନ୍ୟ ପିଲାଳିଆମି କଲେ ସେ ମଣିଷକୁ ଠକିଦେଇ ପାରେ ଏବଂ ଏମିତିକି ଗିଳିଦେଇ ପାରେ ମଧ୍ୟ । ସେଥିପାଇଁ ଆବଶ୍ୟକ ସତର୍କତା ଓ ଭଦ୍ରୋଚିତ ବ୍ୟବହାର । ସମୁଦ୍ର ନିକଟରେ ଏକାନ୍ତ ପ୍ରୟୋଜନ ବୋଲି ତାକୁ ନିୟନ୍ତ୍ରିତ କରୁଥିବା ଲୋକମାନଙ୍କର ପରଂପରା ଗତ ନିର୍ଦ୍ଦେଶ ।

 

ଚକ୍ରଧର ସମୁଦ୍ରକୁ କେବେ କଳି ନ ଥିଲା । ବରଂ କଳିବାର ସୁଯୋଗ ନଥିଲା । କେବଳ ଝାଉଁବଣରେ ବସିଯିବା କଥା, ବାଲିରେ ଛୋଟରୁ ବଡ଼ ବଡ଼ରୁ ଛୋଟ ସ୍ତୁପ ଗଢ଼ିବା କଥା, ବଡ଼ବଡ଼ ଢେଉ ଉପରେ ଛୋଟ ନୌକାର ଆବିର୍ଭାବ ଅନ୍ତର୍ହିତ ଦୃଶ୍ୟକୁ ଅନୁଧ୍ୟାନ କରିବା କଥା ଓ ସମୁଦ୍ରରେ ଅଧା ଲଙ୍ଗଳା ମାଇପୀ ମର୍ଦ୍ଦଙ୍କର ଗାଧୁଆ ଠାରୁ ଦଳଦଳ ଭିନ୍ନବେଶୀ ଲୋକଗହଳିରେ ବିସ୍ମିତ କୌତୁହଳରେ ମିଶିଯିବା କଥା ।

 

ସେତେବେଳେ ଚକ୍ରଧର ଆଉବି ଦୁଇଟି ରୂପ ଦେଖିଲା ସମୁଦ୍ରର—କୂଳରୁ, ତା’ ଗାଁର ସେଇ ଅଭିଶପ୍ତ ବୁଢ଼ୀଟି ଯେ ଜୀବନର ସମସ୍ତ ରୋମାଞ୍ଚକର ଅନୁଭୂତିକୁ ପର୍ଯ୍ୟାୟକ୍ରମେ ହତ୍ୟା କରି କରି ଏକ ଉପାୟହୀନ ଅସହିଷ୍ଣୁତାରେ ଅନ୍ୟମାନଙ୍କୁ ବହୁତ ଧିକ୍‌କାର କରେ, ତା ଜୀବନ ଦୁଃସ୍ଥତି ପାଇଁ ଅଭିସମ୍ପାତ ବର୍ଷଣ କରି ଅଲଂଘନୀୟ ନିଷ୍ଠୁର ବାସ୍ତବତାକୁ ଅସ୍ଵୀକାର କରି ଯେମିତ ସେ ବାଲି ଶଯ୍ୟାର ବାସ୍ତବତାକୁ ଅତିକ୍ରମ କରିଯିବା ପାଇଁ ବହୁ ସମୁଦ୍ରର ଢେଉମାନେ କ୍ରୋଧରେ ମୁଣ୍ଡ ପିଟି ପିଟି ଶେଷରେ ବାଲି–ଶଯ୍ୟାରେ ଲୀନ ହୋଇଯାନ୍ତି ଅସାମର୍ଥ ବୁଢ଼ୀଟି ପରି । ପୁଣି ଗଭୀର ସମୁଦ୍ରକୁ ଲକ୍ଷ୍ୟ କଲେ ତାକୁ ଲାଗେ ଖାନ୍‌ଦାନୀର ଶେଷ ସ୍ପର୍ଶକୁ ନେଇ ବଞ୍ଚିଥିବା ତା’ ବୁଢ଼ା ବା’ର ଉଦାସ ଚାହାଣୀ ଓ ପ୍ରଶାନ୍ତ ଶରୀର ପରି । ଆଜି କିନ୍ତୁ ସମୁଦ୍ର ଚକ୍ରଧରର ଚେତନାରେ ଅନ୍ୟ ରୂପରେ । ସମୁଦ୍ର ଚକ୍ରଧରକୁ ବିସ୍ମୟ କରି ଦେଇଛି ଓ ଜୀବନ ଦର୍ଶନର ଏକ ଅନ୍ତିମ ଅଥଚ ଅସ୍ଵିକୃତ ସତ୍ୟ ସହିତ ଚକ୍ରଧରକୁ ପରିଚିତ କରାଇ ଦେଇଛି ।

 

ଆଜି ସମୁଦ୍ର କହିଲେ କେବଳ ସେଇ ପ୍ରଶାନ୍ତ ଜଳଭାଗଟି ନୁହେଁ ଯେ ଦୁଇ ହାତରେ ଧରି ରଖିଛି ଆକାଶ ଓ ପୃଥିବୀକୁ । ସେଇ ଜଳଭାଗ ସହିତ ଆକାଶ/ପୃଥିବୀ/ଝାଉଁବଣ/ଏକୁଟିଆ ଡାକବଙ୍ଗ୍‌ଲୋ/ବିଭିନ୍ନ ବୟସର ପୁରୁଷ/ ସ୍ତ୍ରୀ ଓ ସବୁକୁ ମିଶାଇ ଦେଲାପରେ ଗୋଟାଏ ସାଧାରଣ ପରିଚୟ: ପିକ୍‌ନିକ୍‌ ।

 

ପିକ୍‍ନିକ୍‍ ବି ଚକ୍ରଧର ପାଇଁ ଗୋଟାଏ ଅନୁଷ୍ଠାନ/ଆୟୋଜନ ନୁହେଁ । ପିକ୍‌ନିକ୍‌ ଗୋଟାଏ ଅନୁଭବ । ଅବଶ୍ୟ ଅନ୍ୟମାନଙ୍କ ପାଇଁ ହସର ଗୋଟାଏ ଖୋରାଳ ହୋଇପାରେ, ତେବେ ଚକ୍ରଧରକୁ ପିକ୍‌ନିକ୍‌ କଣ ବୋଲି କେହି ପ୍ରଶ୍ନ କରିଦେଲେ ସେ ଅଗତ୍ୟା ହୁଏତ କହିପକାଇବ—ପିକ୍‌ନିକ୍‌ ସପ୍ତମ/ଅଷ୍ଟମ କ୍ଲାସରେ ପଢ଼ୁଥିବା କିଶୋରୀଟିଏ କିମ୍ବା ସବୁଜ ଅରଣ୍ୟରେ ଖାମ-ଖେୟାଲ୍‌ ଡିଆଁକୁଦାରେ ମତ୍ତିଥିବା ମୃଗ ଶିଶୁଟିଏ । ପୁଣି ଅନୁଭବବି ଶୀତ ରାତିରେ ଗୋଡ଼ତଳେ ଜାକିଜୁକି ହୋଇ ଶୋଇଥିବା ଶଙ୍ଖୀବିରାଡ଼ିର ସ୍ପର୍ଶପରି । ଏମିତି ଲାଗେ ତାକୁ ଯେତେ ଅବାସ୍ତବ ହେଲେବି ।

 

ପିକ୍‌ନିକ୍‌ ଚକ୍ରଧରକୁ ଭଲ ଲାଗେ । ସମୁଦ୍ର ଚକ୍ରଧରକୁ ଆକର୍ଷିତ କରେ । ପିକ୍‌ନିକ୍‌; ସମୁଦ୍ର ମିଶିଗଲା ପରେ ଚକ୍ରଧରକୁ ପାଗଳ କରେ ।

 

ବସ୍‌ରୁ ଓହ୍ଲେଇ ପଡ଼ିଲା ପରେ ଅନ୍ୟମାନଙ୍କୁ ପଛରେ ଛାଡ଼ିଦେଇ ଚକ୍ରଧର ପଥର ବନ୍ଧକୁ ଉଠିଗଲା ଓ ଗୋଟାଏ ନିରାପଦ ଉଚ୍ଚତାରୁ ଠିଆହୋଇ ପଥରବନ୍ଧ ତଳକୁ ଚାହିଁଲା । ଅଜସ୍ର ଛୋଟ/ବଡ଼ ଢେଉ ପଥର ଚଟାଣରେ ଧକ୍‌କା ଖାଇ ଫେରି ଯାଉଛି । ଚକ୍ରଧର କେମିତି ଏକ କରୁଣ ସହାନୁଭୂତିରେ ଢେଉମାନଙ୍କୁ ଲକ୍ଷ୍ୟକଲା । ଅନେକ ସମୟରେ ମଣିଷ ବି ସମୁଦ୍ର ପରି ନିର୍ଦୟ, ଭୟଙ୍କର; ନହେଲେ ମଣିଷ ସହିତ ମିଶିଯିବାର ସମୁଦ୍ରର ପ୍ରବଣତାକୁ କାହିଁକି ପଥରବନ୍ଧ ଦେଇ ଅବରୁଦ୍ଧ କରିଦିଅନ୍ତା ।

 

ଚକ୍ରଧର ଠିଆ ହୋଇଥିଲା ସେମିତି । ଗୋଟିଏ ଦିନରେ ସମୁଦ୍ର ତାର ପ୍ରଶସ୍ତତା ମଣିଷକୁ ରୂପାନ୍ତରିତ କରିଦେବାର ପ୍ରବଣତା ଓ ଅନ୍ୟ ଦିଗରେ ବର୍ଷରୁ ଓହ୍ଲାଇଥିବା ବିଭିନ୍ନ ବୟସର ନାରୀ/ପୁରୁଷ, ସଙ୍କୁଚିତ, କାକୁସ୍ଥ….ନିଜ ପୋଷାକ ମଧ୍ୟ ଛାପ ଶରୀରରେ ବହନ କରି ।

 

ସକାଳ ମଧ୍ୟାହ୍ନକୁ ଯାଉଛି । ରତ୍ନଧର ସେଇ ମଣିଷ ଆଉ ସମୁଦ୍ର ମଝିରେ ଠିଆହୋଇ ଘଟଣା ଗୁଡ଼ିକର କ୍ରମ ପରିଣତ ରୂପକୁ ଲକ୍ଷ୍ୟ କରୁଛି ।

 

ମଣିଷ କ୍ରମେ ତା’ର ପୋଷାକ ମନୋଭାବରୁ ମୁକୁଳୁଛି । କୋବି, ଆଳୁ, ଟମାଟୋ, ବାଇଗଣର ସ୍ତୁପ…ମାଂସ ଫୁଟିବାର ବାସ୍ନା, ପଟିରେ ସିଝା ଅଣ୍ଡା ଓ ମାଛ ଦେହରୁ କାତି ଛଡ଼ାଇବାର ଉଦ୍ୟମ ଭିତରେ ସେଇ ଝିଅ ପୁଅମାନେ କେମିତି ଖୋଲି ଯାଉଛନ୍ତି । ସକାଳୁ ସକାଳୁ ବସ୍‍ରୁ ଓହ୍ଲାଇଲା ବେଳେ ଯେଉଁ ଦୁଇଟି ସଂପ୍ରଦାୟ ହରିଣ ଓ ବାଘପରି ଭୟ/ହିଂସ୍ର ତାର ବ୍ୟବଧାନରେ ପରସ୍ପର ପ୍ରତି ସତର୍କ ଥିଲେ, ଏବେ କେମିତି ମିତ୍ରତାର ମହାନୁଭାବରେ ସେଇ ପରିବାକୁ ତ/ଫୁଟୁଥିବା ମାଂସ/ଛଟ ଛଟ୍ ହେଉଥିବା ମାଛ ଓ ସିଝାଅଣ୍ଡା ମାନଙ୍କୁ ନେଇ ତରଙ୍ଗାୟିତ ହେଲେଣି ।

 

ଚକ୍ରଧର ଠିଆ ହୋଇଛି ଓ ବିବର୍ତ୍ତନର ଧାରାଟିକୁ ଅନୁଧ୍ୟାନ କରୁ କରୁ ନିଜ ଭିତରେ କେମିତି ସମୁଦ୍ରକୁ ଆବିଷ୍କାର କରୁଛି । ଚକ୍ରଧର ଅନୁଭବ କଲା ତା’ର ପିକ୍‌ନିକ୍‌ ପାଟିକୁ ବି ସମୁଦ୍ର ସଂକ୍ରମିତ କଲାଣି । କାରଣ ଏକୁଟିଆ ଚକ୍ରଧରର ଚାରିକଡ଼ରେ ଲୋକଗହଳୀ ବଢ଼ିଲେଣି ଓ ମୁହଁ ଗୁଡ଼ିକ ସତ୍ତ୍ଵିକ ସନ୍ତୋଷରେ ଉଜ୍ଜଳ ଦିଶିଲେଣି । ନହେଲେ ନିଜର ଧାନବିଲ/ବାଡ଼ିବଗିଚା/ପୋଖରୀ/ଖାତକ ମାନଙ୍କ ନେଇ ସନ୍ତୁଷ୍ଟ ମଣିଷଟି ହସିଲାଣି ଓ ନିଜର ବିଷୟା–ବୃତ୍ତିକୁ ଭୁଲିଯାଇ କହିଲାଣି; ଏଇଠି ଯଦି ମଣିଷ ସବୁଦିନ ରହିଯାଇପାରନ୍ତା । ଆଉ ସେଇ ପ୍ରାପ୍ତ ବୟସ୍କା ତରୁଣଟି ଏକ ଅଳ୍ପ କେତେ ମାସରେ ତା’ର ନିଶ୍ଚିତ ଜୀବନ ବନ୍ଧୁଟିର ରୂପ, ପଦବୀ ଓ ଯୁଗ୍ମ ଜୀବନର ସ୍ଵପ୍ନରେ ବୁଡ଼ିଥିବା ସତ୍ୱେବି ଅପାତତଃ ସେ ସ୍ଵପ୍ନକୁ ଅର୍ଥହୀନ ମନେକରି ତା’ର ଆକ୍ଷି/ଓଠରେ ହଜିଯିବାର ଚିହ୍ନ ସବୁ ଛାଇଦେଲାଣି...ମାର୍‌ଗୋଲି ସେ ହିସାବୀ/ପୋଷାକୀ ଜୀବନକୁ...ଏଠି ଆମେ, ସମୁଦ୍ର, ସହୃଦୟତା...ମାଟିରେ ଠିଆହୋଇ ଆକାଶକୁ ଛୁଇଁଯିବାର ବିହ୍ଵଳତା...ଶେଷରେ ସେଇ ତରୁଣମାନେ ରଙ୍ଗଲିପା କାନ୍ଥରେ ଚକ୍ ବା ପୋଡ଼ା ଅଙ୍ଗାରରେ ଲେଖିଥିବା ଅଶ୍ଳୀଳ କଥାପଛ–ବେଞ୍ଚରେ ବସି କାଳି ଝାଡ଼ିବା କିମ୍ବା ବେଣୀ ଟାଣିଦେବାର କଥା ପାଇଁ କେମିତି ଲଜ୍ଜିତ ହୋଇଗଲେଣି ସେମାନଙ୍କର ତରୁଣୀ ବାନ୍ଧବୀମାନଙ୍କ ନିକଟରେ-ଛି ଛି , ଭୁଲିଯା ସେ କଥା, କେଡ଼େ ଛୋଟ, କେଡ଼େ ସଂକୀର୍ଣ୍ଣ ଆମେମାନେ, ବୁହତ୍ତମ ଅନୁଭବରେ କେବେ ଆମେ ମଜ୍ଜି ନଥିଲୁ–ଏବେ ମଜିଗଲୁଣି, ଆଉ ଦୋଷ ଧରନା, ହସିଦିଅ; ହସକୁ ସବୁ ସମୁଦ୍ରରେ ରୂପାନ୍ତରିତ କରି ।

 

ଗୋଟାଏ ଅସ୍ଵୀକୃତ ଅନୁଭବ କେମିତି ଧାଇଁଛି ସମୁଦ୍ର କୂଳକୁ । ଖୋଲି ଦେଉଛି ପୋଷାକ ପରିଚ୍ଛନ୍ଦ...ନଙ୍ଗଳା ମଣିଷଟି-ଡେଉଁଛି-ଖେଳୁଛି-ହସୁଚି ଓ ସମୁଦ୍ର ସହିତ ଏକାକାର ହୋଇଯାଉଛି । ତା କଣ୍ଠରେ ଅନୁଭବ ସଂଗୀତରେ ପରିଣତ ହେଉଛି–ମଣିଷ ସୁନ୍ଦର/ସମୁଦ୍ର ସୁନ୍ଦର/ପୃଥିବୀ ସୁନ୍ଦର ନଙ୍ଗଳା ମଣିଷ ସୁନ୍ଦର/ ଖୋଲା ଆକାଶ ସୁନ୍ଦର/ ଉଚ୍ଛଳ ସମୁଦ୍ର ସୁନ୍ଦର...ସବୁ ସୁନ୍ଦର ।

 

ଚକ୍ରଧରର ଅବଶୋଷ; ଏଇ ସୌନ୍ଦର୍ଯ୍ୟ ବୋଧ ବିରାଟ...ତାକୁ ପୋଷାକୀ ଜୀବନରେ ଛୁଇଁ ହୁଏନା; ଛୁଇଁ ହୁଏନା ବୋଲି ଅନ୍ତର୍ଗତ ବେଦନା...ଆପାତତଃ ଭୁଲିଯାଅ ଅନ୍ତର୍ଗତ ବେଦନା...ଆପାତତଃ ଭୁଲିଯାଅ ଅନ୍ତର୍ଗତ ବେଦନାକୁ ।

 

ମଧ୍ୟାହ୍ନ ଚାଲିଯାଉଛି ସଂଧ୍ୟାକୁ । ଅନ୍ଧାର ମାଡ଼ିଆସୁଛି ବ୍ୟକ୍ତିଗତ ଦୁଃଖପରି । ସେଇ ଦୁଃର ଅନ୍ଧାରରେ ମିଶିଯାଉଛି ଦୌଡ଼ିବାର ଦୃଶ୍ୟ, ଶାଢ଼ୀ ସାୟା ବ୍ଲାଉଜ ଓ ପେଣ୍ଟ ପତ୍‌ଲୁନ୍ ସ୍କାର୍ଫର ଉଡ଼ିବାର ଦୃଶ୍ୟ, ହିସାବୀ/ସ୍ଵପ୍ନର ମଣିଷର ଆନ୍ତରିକ ମୁହଁର ତନ୍ନୟତା ସବୁକୁ ଅନ୍ଧାର ହଜାଇ ଦିଏ, ଦୁଃଖ ଜୀବନର ସୁଖର ଅନୁଭୂତିମାନଙ୍କୁ ଯେମିତି ।

 

ଅନ୍ଧାରରେ ବସ୍ ଢଳି ତାର ଯାତ୍ରା ଆରମ୍ଭ କରେ । କଡ଼ ସିଟ୍‌ରେ ଚକ୍ରଧର ସମୁଦାୟ ବସ୍‌ଟି ଭିତରେ ଆଖିବୁଲାଇ ନିଏ । ତାକୁ ଲାଗେ ଗେଣ୍ଡା ତା’ର ନିରାପଦ ଖୋଳପାରେ ଆତ୍ମଗୋପନ କଲାପରି ସମୁଦ୍ର ହୃଦୟ ମାନଙ୍କରେ ଲୀନ ହୋଇଯାଇଛି । ସମୁଦ୍ର ହଜିଯାଇଛି ।

 

ଅନ୍ୟମାନଙ୍କ ପରି ଚକ୍ରଧର କୌଣସି ବେଦୀ ମନ୍ଦିର ସାମ୍ନାରେ ଓହ୍ଲାଇ ପଡ଼େ । ପାଖ ପୋଖରୀରେ ଗୋଡ଼ ହାତ ଧୋଇ ଦୀପ, ଭୋଗ ଧଣ୍ଡାରେ ବ୍ୟକ୍ତିଗତ ଶୋକକୁ ଖୋଲିଦିଏ ନୀରବରେ...ଖାଲି ଏଇ ଶୋକକୁ ଖୋଲିଦେବା କଥା ସିନା, ଉପଶମର ଇତିହାସ କିଏ ବା ଲେଖି ରଖିୁଛି । ଯଦି ସେ କହିଦେଇ ପାରନ୍ତା–ମା ଲୋ ! ମୋତେ ତୁ ସମୁଦ୍ରରେ ପରିଣତ କରିଦେ, ବରଂ ଦୁଃଖ/ ଶାକର ଲୁଣି ପାଣିରେ ମୁଁ ପରିପୂର୍ଣ୍ଣ ହୋଇଯାଏ । ଚକ୍ରଧର ଜାଣେ ମନ ଆଉ ମଣିଷର ବ୍ୟବଧାନ । ସେ ଆଖିବୁଜି ଦିଏ ।

 

ଆଖି ଖୋଲିଲା ପରେ ବିରାଟ ବରଗଛର ଛାଇତଳେ ପିକ୍‌ନିକ୍‌ର ପୂର୍ଣ୍ଣଛେଦ ପଡ଼େ । ତାର ପୋଷାକୀ ସହରର ସୀମା ଉପରେ ପାଦଦେଇ ସେ ଅନୁଭବ କରେ ପିକ୍‌ନିକ୍/ସମୁଦ୍ର, ମିଷ୍ଟାନ୍ନ ମିଠାକଥା କୁହୁଡ଼ିମିଶା ଜହ୍ନ ଆଲୁଅର ରହସ୍ୟମୟତାରେ ହଜିଯାଇଛି । ସେ ପିକ୍‌ନିକ୍ ପାର୍ଟିକୁ ପଛ କରିଦେଇ ତା’ର ପରିଚିତ ରାସ୍ତାରେ ଚଳୁଥିଲା ବେଳେ ତାକୁ ଲାଗେ ପିଠିରେ ଏକ ବିରାଟ ବୋଝବୋହି ସେ ଟାଣିହୋଇ ଚାଲୁଛି କେବଳ । ପୁଣି ଭଡ଼ାଘର ନିକଟରେ ପହଞ୍ଚିଗଲା ପରେ ସେ ଦେଖେ ପାଖରେ ସେଇ ଟୁବି–ଗଡ଼ିଆଟି । ଏକ ଅସହାୟ ମାନସିକତାରେ ଜହ୍ନ ଆଲୁଅର ରହସ୍ୟମୟତା ସହିତ ତନ୍ମୟ ହୋଇଯାଇ ସେ ନିଜକୁ ପ୍ରଶ୍ନକରେ କିଏ ସେଇ ଅଦୃଶ୍ୟ ପରୁଷ ସମୁଦ୍ରକୁ ଆଣି ଟୁବିଗଡ଼ିଆରେ ପରିଣତ କରିଦିଏ !

 

ଓ ତା’ପରେ ରାସ୍ତାକଡ଼ରୁ ତା ବସାଘରକୁ ଢାଲୁ ହୋଇ ଗଡ଼ିଯାଇଥିବା ରାସ୍ତାରେ ପାଦ ଦେଉ ଦେଉ ନିଜକୁ ଉତ୍ତର ଦିଏ—କେଜାଣି !

Image

 

ଚନ୍ଦ୍ରଭାଗା ଓ ପାପ ପୁଣ୍ୟର କଥା

 

ଖାମ ଖେୟାଲ ରାମକୃଷ୍ଣ ସମୟରେ ଅତିମାତ୍ରାରେ ଭାବପ୍ରବଣ ହେଇଯିବା ଓ ତଦ୍‌ଜନୀତ ପ୍ରଭାବରେ ନିଜେ କୌଣସି ସିଦ୍ଧାନ୍ତରେ ପହଞ୍ଚି ନପାରିବା ତା ପାଇଁ ଏକ ସାଧାରଣ ଘଟଣା ।

 

ସାଧାରଣ ଘଟଣା ସମୟରେ ଅସାଧାରଣରେ ପରିଣତ ହୁଏ ଓ ଫକୀର ମୋହନଙ୍କ ଜେଜୀର ସର୍ବଶକ୍ତିମାନ୍ ଅଦୃଷ୍ଟ ବିରୁଦ୍ଧରେ ନିଷ୍ଫଳ ପ୍ରତିବାଦ ଭିତରେ ପାପ–ପୁଣ୍ୟର ବିଚାରଧାରା କେମିତି ନିର୍ଦ୍ଦିଷ୍ଟ ରୂପ ହରାଇ ଦିଏ ।

 

ରାମକୃଷ୍ଣ ସୀମାବଦ୍ଧ ଥିଲା ଗୋଟିଏ ଷୋଳ ଜଣିଆ କ୍ଳାସରୁମ୍‌ରେ ଓ ଠିକ୍‌ ଅବ୍ୟବହିତ ପୂର୍ବରୁ ଚନ୍ଦ୍ରଭାଗାର ଏକ ନିର୍ଦ୍ଦିଷ୍ଟ ପଂକ୍ତିରେ ଅଟକି ଗଲା । ତା’ର ସେତେବେଳେ ମନେ ପଡ଼ିଗଲା ରାଧାନାଥଙ୍କ ଶାରିରୀକ ରୂପଟି, ପଞ୍ଜରା ହାଡ଼ ଗଣିହେଇ ଯାଉଛି, ଲମ୍ବା ଲମ୍ବା ନିଶ ପାଟି ରୂପକ ଏକ ନିର୍ଦ୍ଦିଷ୍ଟ ଅବସ୍ଥିତିକୁ ଆଚ୍ଛାଦିତ କରିଦେଉଛି ଓ ସର୍ବୋପରି ସେଇ ଉଦାସ ଆଖିରେ ବାଘଛାଲ ଉପରେ ଆଣ୍ଠୋଇ ପଡ଼ିବାର ଦୁର୍ବଳ ଶାରିରୀକ ପ୍ରତିଛବିଟିରେ ସୌନ୍ଦର୍ଯ୍ୟବୋଧର ଅନୁଭୂତି କେଉଁ ପର୍ଯ୍ୟାୟର—ପାପ, ନା ପୁଣ୍ୟର !

 

ରାମକୃଷ୍ଣ ସାମାନ୍ୟ ଦମ୍ ନେଲା ଓ ପୁନର୍ବାର ପଦଟି ଦୋହରାଇଲା : ‘ସ୍ତନାଙ୍କୁରେ ବ୍ୟସ୍ତେ ଦୋଳଇ ମୋତିମାଳା ତରଳା.... ।’

 

ସେ ହଠାତ୍ କାହିଁକି ବିମର୍ଷ ହୋଇପଡ଼ିଲା: ସାମ୍ନା ଧାଡ଼ିରେ ବସିଥିବା କନ୍ୟାଗଣଙ୍କ ମୁହଁ କ୍ରମେ ପଟଳ ହୋଇଗଲା ଓ ସେମାନେ ଉତ୍ସୁକ ହୃଦୟରେ ରାମକୃଷ୍ଣ ମୁହଁକୁ ଚାହିଁବା ପରିବର୍ତ୍ତେ ନିଜ ନିଜର ଅନାବଶ୍ୟକ ଖାତାମାନଙ୍କରେ କ’ଣ ଲେଖିବାର ଅଭିନୟ କଲେ ଏବଂ ଠିକ୍ ତାଙ୍କ ପଛକୁ ବସିଥିବା ଯୁବକମାନେ କେମିତି ତରଙ୍ଗାୟିତ ହେଲେ ଓ ପରସ୍ପରକୁ ଆଙ୍ଗୁଳିରେ ଟିପା ମାରିବା ସହିତ ତାଙ୍କ ପ୍ରକାଶିତ ହସକୁ ଯଥା ସମ୍ଭବ ଲୁଚାଇବାକୁ ଚେଷ୍ଟା କରୁଥିଲେ । ଗୋଟିଏ ବିସ୍ପୋରଣର ଦ୍ଵାରଦେଶରେ ରାମକୃଷ୍ଣ ପହଞ୍ଚି ଯାଇଥିଲା । ତା’ ପାଟିର ଅପ୍ରକାଶିତ ସଂଳାପଗୁଡ଼ିକ କାର୍ତ୍ତିକ ଶେଷର ଖଇଫୁଟା ମାଛମାନଙ୍କ ପରି ଫକ୍‌ଫାକ୍ ତା ଅନ୍ତରରୁ ଫୁଟି ପଡ଼ୁଥିଲେ : ବଜାତ୍ ଟୋକା/ଟୋକୀ...ଶଳା ଖାଲି ଦେହକୁ ଚିହ୍ନିଛ...ଶୋଲ ପରି ଖାଲି ପାଣି ସୁଅର ସର୍ବୋଚ୍ଚ ସ୍ତରରେ ଭାସିଯିବା କଥା...ଗଭୀର ପାଣିର ଅନୁଭୂତ କାହିଁ ତୁମ ହୃଦୟରେ ! ଟିକେ ଜୀବନକୁ ଚିହ୍ନ !

ସେ ପୁନର୍ବାର କିଛି ସମୟ ନୀରବ ରହିଲେ ।

ନାଁ, ତାଙ୍କର କେଉଁଠି ଭୁଲ୍ ରହିଗଲା । ମାନେ, ତାଙ୍କ ବୟସ ପରିଣତ ହେଲା ପରେ କିଛି ବିଧି ହୁଏତ ସେ ପ୍ରସ୍ତୁତ କରିଦେଲେ, ଫଳରେ ଭଲ ମନ୍ଦର ଗୋଟିଏ କଳ୍ପିତ ଧାରଣାର ଛାପ ଏ ଛୁଆଙ୍କ ମନରେ ରହିଗଲା ଓ ସେହିପରି କିଛି ତଥାକଥିତ ମନ୍ଦକଥା ଆଲୋଚନାର ପରିସର ଭିତରକୁ ଆସିଗଲା ବେଳେ ସେମାନଙ୍କ ବନ୍ଧୁଗତ ଜୀବନରେ ଆଲୋଡ଼ନ ଆସୁଛି ।

ସତରେ ସେମାନେ କଣ ବନ୍ଧାଗତ ! ହେଇଥିଲେତ କିଛି ନ ଜାଣିଲା ପରି ମୁହଁଟିମାନ ଶୁଖାଇଦେଇ ବସି ପଡ଼ନ୍ତେ ଓ ସେ ତାଙ୍କର ବକ୍ତବ୍ୟ ଶେଷକରି ଚାଲିଗଲା ପରେ ହୋ ହଲ୍ଲାରେ ଡେଇଁ ପଡ଼ନ୍ତେ କ୍ଳାସ–ରୁମ୍‌ରୁ ।

ରାମକୃଷ୍ଣ ମନେ ମନେ ଠିକ୍ କରିନେଲେ ସେମାନେ ବନ୍ଧାଗତ ନୁହଁନ୍ତି । ହେଇଥିଲେ ସେମାନେ ଏମିତି ହସି ନଥାନ୍ତେ ଓ ନିଜର ଭାବକୁ ଲୁକ୍‌କାୟିତ ଅବସ୍ଥାରେ ହେଲେ ବି ପ୍ରକାଶ କରି ନଥାନ୍ତେ । ହୁଏତ ଏମିତି ହେଇପାରେ ପରଂପରାର କିଛି କ୍ଷୀଣଧାରା ସେଇ ରକ୍ତରେ ପ୍ରବାହିତ ହେଉଛି, ଯାହା ଭିତରୁ ସେମାନେ ମୁକ୍ତ ହୋଇପାରି ନାହାନ୍ତି; ଫଳରେ ଲୌକିକତା ନାମକ ଗୋଟିଏ ଧାରଣାକୁ ମନରେ ଧରି ସେମାନେ ନିଜର ତଥାକଥିତ ସମ୍ଭ୍ରମତାକୁ ଖାମଖେୟାଲ ଭାବରେ ପ୍ରକାଶ କରୁଛନ୍ତି ।

 

ନିକଟରେ ଘଟିଥିବା ଗୋଟିଏ ଘଟଣାକୁ ନେଇ ରାମକୃଷ୍ଣ ନିଶ୍ଚିତ ହେଲା ସେମାନେ ବନ୍ଧାଗତ ନୁହଁନ୍ତି, ବରଂ ପ୍ରତିବାଦ ଓ ସ୍ଵେଚ୍ଛାଧୀନ ଭାବଧାରାରୁ ବାହକ ସେମାନେ ।

 

ରାମକୃଷ୍ଣ ସଙ୍କୁଚିତ ହୋଇପଡ଼ିଲା ।

 

ଇସ ! ଦୃଶ୍ୟଟି କେଡ଼େ ବିଭତ୍ସ । ପାଞ୍ଚଶହ ପିଲାଙ୍କର ସେ ପଟୁଆର, ଠେଙ୍ଗା, ପଥର...ରାମକୃଷ୍ଣ ସଂପ୍ରଦାୟ ଉପରକୁ ମାଡ଼ିଯିବା ଏବଂ ଜୀବନ ବିକଳରେ ଆତ୍ମଗୋପନ କରିଥିବା ଚରିତ୍ରମାନଙ୍କୁ ଖୋଜିବାର ଦୃଶ୍ୟ ଭିତରେ ‘ସୌଜନ୍ୟବୋଧ’ ଶବ୍ଦଟି ହଜିଗଲା ଯେମିତି । ଏଇ ଉତ୍ତେଜନାର ବାତାବରଣ ଭିତରେ ପ୍ରେମ ଓ ମାନବିକତାର ବାର୍ତ୍ତାକୁ ରାମକୃଷ୍ଣ ସମସ୍ତ ଆନ୍ତରିକତାରେ ବାଣ୍ଟି ଯାଉଥିଲା ବେଳେ ସେଇ ଠେଙ୍ଗା ଆଉ ପଥର ଘେର ଭିତରେ ଉପଲବ୍‌ଧି କଲା: ପ୍ରକୃତରେ ଏମାନେ ବନ୍ଧାଗତ ଧାରଣାରୁ ମୁକ୍ତ ଏବଂ ‘ପର୍‍ମିସିଭନେସ୍’ର ମିଛ ଧାରଣାରେ ପ୍ରତିଷ୍ଠିତ ମୂଲ୍ୟବୋଧକୁ ପାଦରେ ଦଳି ଦେବାର ଏକ ଜାନ୍ତବ ଆନନ୍ଦ ଏମାନଙ୍କର ।

 

ଘଟଣାଟି ମନକୁ ଆସିଗଲା ପରେ ସେଇ କ୍ଳାସ୍‌ରୁମ୍‌ରେ ବସିଥିବା ସମସ୍ତ ଟୋକା-ଟୋକୀଙ୍କ ପ୍ରତି ଲେସିହୋଇ ଯାଇଥିବା ତା’ର ପ୍ରବଣତା ହୁଗୁଳିଗଲା ଓ ସେ ସିଦ୍ଧାନ୍ତକଲା ପାଠ ସହିତ ଏମିତି ଆସକ୍ତି ହୋଇ ନପଡ଼ି, ସେମାନଙ୍କ ହୃଦୟକୁ ଛୁଇଁ ଦେବାର ପ୍ରବଣତା ପ୍ରକାଶ ନକରି ସେ ବ୍ୟବସାୟିକ ହେବ ଓ ପୃଷ୍ଠା ଗୁଡ଼ିକ କେବଳ ପୁରାଣ ପଣ୍ଡାପରି ଗଡ଼େଇଯିବ ସେ, ମଳିମୁଣ୍ଡିଆ ଗ୍ରାମ୍ୟ ଜନତା କିଛି ବୁଝନ୍ତୁ ବା ନବୁଝନ୍ତୁ । ସେ ସେୟା କଲେ : ଅଙ୍କୁରୀତ ସ୍ତନାଗ୍ରରେ ମୋତିମାଳ ତରଳାୟିତଭାବେ ଦୋଳାୟମାନ ଏବଂ ପରେ ପରେ ଅନ୍ୟ ପଦ ଗୁଡ଼ିକ ।

 

ତାଙ୍କ ଦେହରେ ନିଆଁ ଲାଗିଗଲା । ଶାଲା ଗୋଟାଏ ଝାବଡ଼୍ ଟୋକା ଉଠି ପ୍ରଶ୍ନ କରିଦେଲା—ସାର ! ସ୍ତନଙ୍କୁର କଣ ? କେବଳ ସେ ପ୍ରଶ୍ନ କରିଦେଲା ନାହିଁ, ନିଜର ସେଇ ବିଭତ୍ସ ମୁହଁଟିକୁ ଯଥା ସମ୍ଭବ ଗମ୍ଭୀର ରଖିବାର ପ୍ରୟାସ ଭିତରେ ପାଖ ପିଲାଟିକୁ ଆଙ୍ଗୁଳିରେ କେଞ୍ଚିଦେଇ ଯେମିତି ପରୋକ୍ଷରେ କହୁଥିଲା : ଦେଖିବୁ ମଜା ଏଇଲେ ।

 

ରାମକୃଷ୍ଣ ଯଥା ସମ୍ଭବ ନିଜକୁ ସମ୍ଭାଳି ନେଲେ । ଅବସ୍ଥାଟିକୁ ବେଶୀ ଅଣାୟତ୍ତ ହେବାକୁ ନଦେଇ ପରେ କେବେ ବୁଝାଇ ଦେବାର ଅଳି ଭିତରେ ବାହାରି ଆସିଲେ ।

 

ବାହାରି ଆସିଲାବେଳେ ଗୋଟିଏ କଥା ସେ ଚିନ୍ତାକଲେ; ସେ ହାରିଯାଇଛନ୍ତି । ସେ ହାରିଯାଇଛନ୍ତି ଏଇଥିପାଇଁ ସେମାନଙ୍କୁ ସନ୍ତୁଷ୍ଟ କରିପାରିଲେ ନାହିଁ । ସେ ସନ୍ତୁଷ୍ଟ କରି ପାରିଥାନ୍ତେ ଯଦି ସେ ରାଧାନାଥଙ୍କ ପରି ଭାବ ଜଗତର ଜଣେ ଚିକାରରହିତ ପୁରୁଷ ହୋଇ ପାରିଥାଆନ୍ତେ । ସେ ହୁଏତ ସେଇ ମୁହୂର୍ତ୍ତରେ ସବୁ ହେବାକୁ ଚେଷ୍ଟା କରିଛନ୍ତି, ଶେଷ ପର୍ଯ୍ୟନ୍ତ ଚେଷ୍ଟାଟିକୁ ଅବ୍ୟାହତ ରଖିବାକୁ ଉଦ୍ୟମ କରିଛନ୍ତି; କିନ୍ତୁ ପାରି ନାହାନ୍ତି ।

 

ପାରି ନାହାନ୍ତି, ସେ ହାରିଯାଇଛନ୍ତି ।

 

ଏଇ ହାରିଯିବା ପଛରେ କିଛି ଇତିହାସରେ ଦୌରାତ୍ମ୍ୟ କିମ୍ବା ପରମ୍ପରାର ବ୍ୟତିକ୍ରମ ।

 

ଏଇ ତାଙ୍କ ସଂପ୍ରଦାୟ ସେଇ ପିଲାମାନଙ୍କ ନିକଟରେ ଇତିହାସ ବା ପରାମ୍ପରାଗତ କିଛି ଉଦାହରଣ ସୃଷ୍ଟି କରି ପାରି ନାହାନ୍ତି । ଫଳରେ ସେମାନେ ଅବିଶ୍ଵାସୀ ଓ ତାଙ୍କ ସଂପ୍ରଦାୟର କଥାକୁ ପେଶାଦାର ରାଜନୈତିକ ନେତାର ସ୍ଵଭାବ–ସୁଲଭ ପ୍ରତିଶ୍ରୁତି ପରି ଗ୍ରହଣ କରୁଛନ୍ତି ।

 

ରାମକୃଷ୍ଣ ତାଙ୍କ ବିଶ୍ରାମ କକ୍ଷରେ ଗ୍ଲାସେ ପାଣି ମାଗି ପିଇଲେ । ପାଣି ପି’ ସାରିଲା ପରେ ପୁନର୍ବାର ସେ ଘଟଣାଟିକୁ ରୋମନ୍ଥନ କଲେ : ସେ ହାରି ଯାଇଛନ୍ତି । ସେ ରାଧାନାଥଙ୍କ ଭାବଜଗତ ସହିତ ସେମାନଙ୍କୁ ପରିଚିତ କରାଇ ପାରିଲେ ନାହିଁ ।

 

କାହିଁକି କରାଇ ପାରିଲେ ନାହିଁ ! ରାମକୃଷ୍ଣ ସନ୍ଦେହରେ ପଡ଼ିଗଲେ । ତାଙ୍କର ପରିଚୟ ସଂଶୟାଚ୍ଛନ୍ନ ହୋଇପଡ଼ିଲା । ସେ ମନେ ପକେଇବାକୁ ଚେଷ୍ଟା କଲେ ସେଇ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ସେ କେଉଁ ଭୂମିକାରେ ଠିଆ ହୋଇଥିଲେ—ରାଧାନାଥ/ରାମକୃଷ୍ଣ/ସୂର୍ଯ୍ୟ ଦେବତା !

 

ସେ ଠିକ୍ ଦେଖିଥିଲେ ତ ସେଇ ବିସ୍ତୀର୍ଣ୍ଣ ବାଲୁକାରାଶି ଉପରେ ଧୀର ପବନର ଖେଳିଯିବାର ଦୃଶ୍ୟ/ଆକାଶରେ ମେଘ ଦୋଳି ଖେଳୁ ଥିବାର ଦୃଶ୍ୟ/ଯୂଥ ଯୂଥ ବାଲି ହରୀଣ ଦୌଡ଼ିବାର ଦୃଶ୍ୟ/ସହଯୋଗୀ ପ୍ରକୃତିରେ ଆଶଙ୍କାରହିତ କନ୍ଦୁକ କ୍ରୀଡ଼ାରେ ପ୍ରମତ୍ତ ସେଇ ସୁନ୍ଦରୀରି ଦୃଶ୍ୟ ଯେ ଚାହିଁଦେଲେ କେବଳ ପୁଷ୍ପ ବୃଷ୍ଟି ହେବାର କଥା ମନକୁ ଆସି ଯାଇପାରେ/ନା, ସୌନ୍ଦର୍ଯ୍ୟକୁ ଉପଲକ୍ଷ୍ୟ କରି ସେଥିରେ ମିଶି ଯିବାର ପ୍ରବୃତ୍ତିଗତ ଲାଳସାର ଦୃଶ୍ୟ ! ଅଟକି ଗଲେ : ପ୍ରକାଣ୍ଡ ଗୋଲାକାର ଅଗ୍ନି ପିଣ୍ଡ, ଆହା... କେଡ଼େ ଡଉଲ ବିପ୍ରଯୁବାରେ ରୂପାନ୍ତରିତ ହେଇଗଲା, ଆହା—ପୁଣି ନିଜ ପଦମର୍ଯ୍ୟାଦା ଓ ମୁକୁଟକୁ ଫିଙ୍ଗିଦେଇ କେଡ଼େ ରଙ୍ଗରେ ସେ ଦୌଡ଼ିବା ଆରମ୍ଭ କରିଦେଲା ! ରାମକୃଷ୍ଣ ତା’ ପ୍ରଶ୍ନର ଉତ୍ତର ଏଇଠି ପାଇଗଲା ବୋଧହୁଏ !

 

ତା ଭିତରର ମୌଳିକ ରାମକୃଷ୍ଣଟି ତାକୁ ଆଚ୍ଛାଦିତ କରିଦେଲା ଓ ବାହାରର କଠିନ ହାତଗଢ଼ା ରାମକୃଷ୍ଣଟିକୁ କାକୁସ୍ଥ କରିଦେଲା କେମିତି ।

 

ସେ ତାକୁ ମାଡ଼ି ବସିଲା : ରେ ରାମକୃଷ୍ଣ

 

ତୁ କଣ ହେଇ ପାରିଲୁ ! ରାଧାନାଥ ସୂର୍ଯ୍ୟ ଦେବତା/ନା ମୌଳିକ ରାମକୃଷ୍ଣ !

 

ତୁ ପ୍ରଲୁବ୍‌ଧ ହୋଇ ପାରିଲୁନି ସ୍ତନାଙ୍କୁରରେ ଦୋଳାୟିତ ତରଳ ମୋତିମାଳ ଦୃଶ୍ୟରେ,

 

ତୁ ଚାହିଁଲୁ ତୁ ଛୁଇଁ ଦେବୁ, ତୁ ଅନୁଭବ କରିବୁ ଓ ତୋ ପ୍ରବୃତ୍ତି ରାଜ୍ୟର ସରହଦ୍‌କୁ ତାକୁ ଟାଣି ଆଣିବାକୁ ।

 

କାକୁସ୍ଥ ରାମକୃଷ୍ଣ ଠିଆହେଲେ ଓ ଦୃଶ୍ୟଟିକୁ ମନକୁ ପୋଛିଦେଇ ନିଜ ବସା ଘରେ ପହଞ୍ଚି ଯିବାକୁ ଚେଷ୍ଟା କଲେ ।

 

ଅଥଚ ରାମକୃଷ୍ଣ ପାରିଲେନି । ଯେମିତି ଅଜସ୍ର ଶବ୍ଦ କେବଳ ପଛରୁ ତାଙ୍କୁ ଅନୁଧାବନ କରୁଥିଲେ : ତୁ ହାରିଗଲୁ, କାରଣ ଧରା ପଡ଼ିଗଲୁ । ତୁ କହୁଥିବା/ କରୁଥିବା କଥା ଓ କାମର ବ୍ୟବଧାନକୁ ସଂଯୋଗ କରିପାରିଲୁ ନାହିଁ । ତୋ ଇତିହାସ/ପରମ୍ପରା ସେମାନଙ୍କୁ ମିଛ ମନେହେଲା ଏବଂ ଗୋଟିଏ ବଗୁଲିଆ ନାତି ଟୋକା ପରି ତୋ ସହିତ ସେମାନେ ଛିଗୁଳେଇ ଲାଗୁଥିଲେ ।

 

ରାମକୃଷ୍ଣ ଦୌଡ଼ିଲା ପରି ବସାଘର ଆଡ଼େ ଚାଲିଲେ ଏବଂ ଠିକ୍ ସେତିକିବେଳେ ବଞ୍ଚିଯିବା ପାଇଁ କିମ୍ବା ମୌଳିକ ରାମକୃଷ୍ଣ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ସେ ଗୋଟିଏ ଦୁର୍ବଳ ଯୁକ୍ତି ମନକୁ ଆଣୁଥିଲେ ! ରକ୍ଷା ପାଇବା ପାଇଁ ସେ ଗୋଟିଏ ଦୁର୍ବଳ ଯୁକ୍ତି ମନକୁ ଆଣୁଥିଲେ ! ରାଧାନାଥ ହେବା କ’ଣ ଏଡ଼େ ସହଜ କଥା !

 

ଅଥଚ ବସାଘର ଫାଟକ ନିକଟରେ ପହଞ୍ଚିଗଲା ପରେ ସେ ଯୁକ୍ତି ତାଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ । ସେ ଦେଖିଲେ ତାଙ୍କ କୁନି, ମୁନ୍ନା ମାନେ ପେଣ୍ଡୁଟିଏ ଧରି ଗଡ଼ାଇ ଗଡ଼ାଇ ଖେଳୁଛନ୍ତି । ସେମାନେ ଏମିତି ଖେଳୁଛନ୍ତି ଯେ ସେଥିରୁ ଜଣାଯିବ ଦୁନିଆରେ ହସ, ଖେଳ, ଆନନ୍ଦ ବ୍ୟତୀତ ଅନ୍ୟ କୌଣସି ଅନୁଭୂତି ନାହିଁ ।

 

କିନ୍ତୁ ପାପ–ପୁଣ୍ୟ ! ରାମକୃଷ୍ଣ ଠିଆ ହୋଇଗଲା । ରୂପ ସହିତ ମିଶି ଯିବାର ମୋହରୁ ଯେଉଁ ପାପର ସୃଷ୍ଟି ହେଉଛି ସେ ଯଦି ସେମାନଙ୍କର ନିଷ୍ପାପ ମନକୁ କେବେ ସ୍ପର୍ଶ କରିଦିଏ ! କିମ୍ବା କୌଣସି ଜୀବନ୍ତ ଚନ୍ଦ୍ରଭାଗା କହେ : ତୋର ଯେଉଁ ଉତ୍ତୁଙ୍ଗ ମନ୍ଦିର ଅଛି ।

 

ରେ ରାମକୃଷ୍ଣ, ମୋ ନିଶ୍ଵାସରେ ସେ ଧୂଳିସାତ୍ ହେବ,

 

ମୋ ଦାଢ଼ରେ ତୋର ଏଇ କୁନି/ମୁନ୍ନା ମାନେ ରେ !

 

ରାମକୃଷ୍ଣ ସେମିତି ଠିଆ ହୋଇଥିଲା । ତା’ର ସେଇ ସ୍ଥିର ଚକ୍ଷୁ ଦୁଇଟି କ୍ରମେ ଆଦ୍ର ହୋଇ ଆସୁଥିଲା ଓ ସେଇ ତନ୍ମୟତା ଭିତରେ ମୌଳିକ ରାମକୃଷ୍ଣଟି ଯେମିତି ଧୀରେ ଧୀରେ କହୁଥିଲା : ତୋ ଭିତରେ ଏମିତି କିଛି ଗୁଣ ଅଛି ରେ ରାମକୃଷ୍ଣ ! ଯାହା ତୋର ପାପ–ପୁଣ୍ୟର ହିସାବ ଖାତାରେ ପୁଣ୍ୟର କିଛି ଅଧିକ ଫର୍ଦ୍ଦ ଯୋଗ କରିଛି ।

 

ତୋ ପାପ ପାଇଁ ତୁ ଯଦି କେବେ ନର୍କରେ ଘାଣ୍ଟି ହେଉ,

 

ତୋ ପୁଣ୍ୟତକ ପାଇଁ ତୋ କୁନି/ମୁନ୍ନା କାହାରି ଦାଢ଼କୁ ଆସି ପାରିବେନି ରେ ମୂଢ଼ ! ଅନୁଶୋଚନା କାହିଁକି ?

 

ରାମକୃଷ୍ଣ ତା ବସାଘର ଫାଟକ ଖୋଲିବାକୁ ହାତ ବଢ଼ାଇଲା ।

Image

 

ସବୁଜ ବଣର ବାଘ

 

ରବିବାର ସନ୍ଧ୍ୟା ।

 

ଚାରିଟା ବେଳୁ ବର୍ଷା ଆରମ୍ଭ ହୋଇଯାଇଛି । କୁଆଡ଼େ ଟିକେ ବୁଲିଯିବା ସମ୍ଭବ ନୁହେଁ । ମନଟା କେମିତି ଗୋଟେ ଜନ୍ତା ଭିତରର ସର୍କସ ବାଘ ପରି ।

 

ରାସ୍ତାର ଆଲୋକମାନଙ୍କ ଉପରେ ବର୍ଷାର କୋଟିଂ । ପବନ ମେଘର ଟୋପାମାନଙ୍କୁ ସ୍ପ୍ରେ କରୁଛି । ମୁଁ ଝରକା ବାଡ଼ ଧରି ବାହାରକୁ ଚାହିଁଥିଲି । ଦୃଷ୍ଟିର ବ୍ୟାପ୍ତି କିନ୍ତୁ ଖୁବ୍ ସୀମିତ—ଏରୋଡ଼୍ରମର ନାଲି ସିଗ୍‌ନାଲ ଆଲୋକ ମଧ୍ୟ ସ୍ପଷ୍ଟ ନୁହେଁ । ଆଜି ଏ ସହରଟା କେବଳ ମେଘର । ଆମେ ଯେମିତି ତା’ ଆକ୍ରମଣରେ କାକୁସ୍ତ ବଗଟିଏ ଲେଖା ।

 

ସନ୍ଧ୍ୟାଟା ମାଟି ହେଇଗଲା । ଏଠିକାର ସମାଜ ମୋର ସୀମିତ । ଏ ଫ୍ଲାଟରେ ଯଦିଓ ଆମେ ବହୁତ ଅଧିବାସୀ, ତଥାପି ଜାତିରେ ମଣିଷ ବୋଲି ଗୋଟେ ସାଧାରଣ ସଂପର୍କ ଛଡ଼ା ଆମେ ପରସ୍ପର ଠାରୁ ଢେର ଦୂରରେ ଏମିତିକି ପରସ୍ପର ମୁହଁକୁ ‘ଥୁ’ କରିବା ଲାଗି ପାଟିରେ ଆମର ଛେପ ସବୁବେଳେ ।

 

ସଂଧ୍ୟାଟା ନିହାତି ବୋରିଂ, ବିଶେଷ କରି ରେଣୁ ଅପାଙ୍କ ଉପସ୍ଥିତି ପାଇଁ ।

 

ରେଣୁଆପା ନୂଆକରି ଏ ଫ୍ଲାଟ୍‌ର ଗୋଟେ ରୁମ୍ ଅଧିକାର କରିଛନ୍ତି । ତାଙ୍କୁ ଦିନେ ହଠାତ୍ ଆବିଷ୍କାର କରି ମୁଁ ଯେତେବେଳେ ପୁରୁଣା ନଥିପତ୍ରକୁ ମନେ ମନେ ସଜାଉ ଥିଲି ସେ ମୋତେ ଦେଖିନେଇ—‘ଆରେ ତମେ ଏଠି’ କହି ରୁମ୍‌ର କବାଟ ବନ୍ଦ କଲେ । ମୋତେ କେମିତି ଅଡ଼ୁଆ ଲାଗିଲା । ରେଣୁଅପା ୟା ଭିତରେ ଢେର ବଦଳି ଯାଇଛନ୍ତି । ତାଙ୍କ ପରିବର୍ତ୍ତନର ମୁଖ୍ୟକାରଣ ଯେମିତି ସିଗ୍‌ନାଲ ପୋଷ୍ଟର ନାଲି ଆଲୋକପରି ତାଙ୍କ କପାଳର ବିରାଟ ସିନ୍ଦୁର ଟୋପାଟା ।

 

ରେଣୁ ଅପାଙ୍କ ଏ ଅସୌଜନ୍ୟ ବ୍ୟବହାରରେ ମୁଁ ବିଶେଷ କ୍ଷୁବ୍‌ଧ ହେଇଥିଲି । ସେ ଭାବଟା ମୋର ବେଶୀ ସମୟ ରହେନି, ତାଙ୍କୁ ଦେଖିଲେ ସବୁ ଭୁଲିଯାଏ ମୁଁ । ତାଙ୍କ ଉପସ୍ଥିତି ଆଜି ସନ୍ଧ୍ୟାରେ ମୋ ପାଇଁ ଅଧିକ ବୋରିଂ ।

 

ରେଣୁ ଅପା ମୋର କୌଣସି ସଂପର୍କୀୟା ନୁହନ୍ତି । ଅଳ୍ପ ଜଣା–ଶୁଣାରେ କ୍ରମେ ଘନିଷ୍ଠତା ଜମିଲା । ମୋର ଧାରଣା ଝିଅମାନଙ୍କ ନିକଟକୁ ଯିବାକୁ ହେଲେ ସେମାନଙ୍କ ନାଁ ଅପେକ୍ଷା ଏଇ ଅପା, ନାନୀ ଡାକଟା ବିଶେଷ ସାହାଯ୍ୟ କରେ । ମୁଁ ନିଶ୍ଚିତ ରେଣୁ ଅପା ମୋଠାରୁ ବୟସରେ ବଡ଼ ଯଦିଓ ସେ ଅନେକ ଥର ମୋତେ କହିଛନ୍ତି ତାଙ୍କୁ ମାତ୍ର କୋଡ଼ିଏ ବର୍ଷ । ତାଙ୍କ ବୟସକୁ କେନ୍ଦ୍ରକରି ଯୁକ୍ତି କରିବାର ଅଭଦ୍ରାମୀ ମୋର ନଥିଲା, ଅନ୍ୟ ପଟରେ ତାଙ୍କର କୈଫିୟତ ମୋ ପାଇଁ ସନ୍ତୋଷଜନକ ବୋଲି ମୋତେ ସେ ବୋକା ବୋଲି ଭାବନ୍ତି ।

 

ରେଣୁ ଅପାଙ୍କ ସହିତ ଜଣାଶୁଣା ହେଲା ବେଳକୁ ମୁଁ ବିବାହିତ । ସେ କିନ୍ତୁ ବିବାହ ବଜାରର ସୋ’ କେଶ୍‌ରେ । ତେଣୁ ମୁଲାଏମ ପକ୍ଷୀର ବ୍ରସରେ ତାଙ୍କ ଦେହ ସଫାସୁତୁରା ସବୁବେଳେ ।

 

ସେ ଦେଖିବାକୁ ସେମିତି ସୁନ୍ଦରୀ ନ ଥିଲେ । ଆଖି ଦୁଇଟା ଖୋଳା ଖୋଳା, ପୁଟକାଗାଲ । ବିଶେଷ ମୋଟା ନହେଲେ ବି କେମିତି ଗୋଟେ ଗେଦିକ୍ ଝିଅଟେ । ତେବେ ତାଙ୍କ ରଙ୍ଗଟା ସ୍ୱତନ୍ତ୍ର, ସେ ପାଇଁ ନିଜେ ଖୁବ୍ ବିଉଟିଫୁଲ ବୋଲି ତାଙ୍କର ଅହଙ୍କାର । ଅଳ୍ପ କସମେଟିକରେ ନିଜକୁ ଭଲ ସଜାନ୍ତି ସେ । ତାଙ୍କ ରୁଚିଟା ଖୁବ୍ ରିଫାଇନ୍‌ଡ଼ ବୋଲି ତାଙ୍କ ସାଙ୍ଗମାନେ ତାରିଫ କରୁଥିବାର ସେ ମୋତେ କହନ୍ତି ।

 

ମୁଁ ମୋ ରୁମ୍‌ର ଆଲୋକ ଅଫ୍ କରିଦେଲି । ଅନ୍ଧାର ତ ମୋତେ ଭଲ ଲାଗେ (ଅନ୍ଧାରର ବାଘ ଭୟର ‘ଗୋଟେ ରୋମାଞ୍ଚ ମୋ ମନରେ ଆସେ), ତା’ଛଡ଼ା ବାହାର ଅନ୍ଧାର ସହିତ ମୋ ରୁମ୍‌ର ପରିବେଶକୁ ସାମିଲ କରିଦେବା ପାଇଁ ମନଟା କେମିତି ଅସ୍ଥିର ହେଇ ଉଠିଲା ।

 

କ୍ଳେଦାକ୍ତ ସଂଧ୍ୟା…. ।

 

ରେଣୁ ଅପାଙ୍କ ଝରକା ଦେଇ ମେଞ୍ଚାଏ ପ୍ଲୋରସେଣ୍ଟ ଆଲୋକ ବିଛାଡ଼ି ପଡ଼ିଛି ଯାହାକୁ ମେଘର ଅନ୍ଧକାର ଜୋରକରି ତଡ଼ି ଦେବାକୁ ଚେଷ୍ଟା କରୁଛି । ରେଣୁ ଅପାଙ୍କ ସ୍ୱାମୀ ଦଣ୍ଡକାରଣ୍ୟ ପୁନର୍ବସତି କେମ୍ପରେ କୌଣସି ଗୋଟିଏ ନିର୍ଜନ କୋଠରୀରେ ରିଫ୍ୟୁଜିମାନଙ୍କର ଥଇଥାନ ପାଇଁ ଯୋଜନା କରୁଥିବେ । ସେଠି ହୁଏତ ବର୍ଷା ହେଉଥିବ କି ନା । ଏଠି ରେଣୁ ଅପା ଭଏସ୍ ଅଫ୍ ଆମେରିକାର ‘ଜାଜ ମିଉଜିକ୍‍’ ର ଭଲ୍ୟୁମ ବଢ଼ାଇ ଖଟରେ ହୁଏତ ପେଟେଇ ପଡ଼ି ‘ଫେମିନା’ ଖଣ୍ଡେ ଖେଳାଉଥିବେ । (ଯଦିଓ ସେ ବର୍ତ୍ତମାନ କଣ କରୁଛନ୍ତି ମୁଁ ଦେଖି ପାରୁନି) ନହେଲେ ଲରେନ୍‌ସ ବା ମୋରାଭିଆଙ୍କ ‘ହଟ୍ ନଭେଲ’ ର ପୃଷ୍ଠା ଓଲଟାଇ ଅନ୍ୟମନସ୍କ ହେଉଥିବେ । ରେଣୁଅପା ସ୍ଥାନୀୟ କଲେଜର ଇଂରାଜୀ ଅଧ୍ୟାପିକା ।

 

ପରିବେଶଟା ମୋତେ ନିହାତି ଅଶ୍ୱସ୍ତିକର ମନେ ହେଉଥିଲା । ରେଣୁ ଅପାଙ୍କ ରେଡ଼ିଓରେ ‘ଜାଜ’ ମିଉଜିକ୍ । ବାହାରେ ବର୍ଷା । ମୋ ଝରକାରେ ଆଲୋକ ନଦେଖି ସେ ଭାବୁଥିବେ ମୁଁ ଶୋଇଗଲି ।

 

କଲେଜରେ ରେଣୁଅପା ମୋର ବର୍ଷେଟେ ସିନିଅର ଥିଲେ । ଦୁଇଜଣଙ୍କର ବିଷୟ ଥିଲା ଭିନ୍ନ । ସେ ଇଂରାଜୀ ସାହିତ୍ୟରେ କଣ୍ଟିନିଉ କରୁଥିଲା ବେଳେ ମୁଁ ଥିଲି ଅର୍ଥନୀତିର ଛାତ୍ର । ସେ ଯେତେବେଳେ ଜଣେ କଳ୍ପନାବିଳାସୀ ପଦ୍ମଭୁକ୍, ମୁଁ ଥିଲି ରୁକ୍ଷ ବାସ୍ତବବାଦୀ । ତା’ଛଡ଼ା ଏମ୍.ଏ.ର ପ୍ରଥମ ବର୍ଷରେ ବିବାହ କଲି । ତଥାପି ତାଙ୍କ ମୋ ଭିତରେ ପରିଚୟ କେମିତି ଗୋଟେ ଆକସ୍ମିକ ଭାବେ ହେଇଗଲା ।

 

ଏ ସଂଧ୍ୟାରେ ସେ କଲେଜ ରେଣୁ ଅପାଙ୍କ କଥା ଭାବିବାକୁ ଭଲ ଲାଗୁଥିଲା ।

 

ଆମେ ପରସ୍ପରକୁ କେମିତି ଜାଣିଲୁ ସେ କଥା ଛାଇ ଛାଇ । କୌଣସି ଏକ ସଂଧ୍ୟାରେ–ଟାଉନ୍ ବସ୍ ଛାଡ଼ି ଆମେ ଗପି ଗପି ଚାଲିଥିଲୁ । ଆମ ଆଲୋଚନାର ବିଷୟବସ୍ତୁ ବସ୍ ଭିତରୁ ଆରମ୍ଭ ହୋଇଯାଇଥିଲା ଏବଂ ତାଙ୍କ ହଷ୍ଟେଲ ସାମ୍ନାରେ ପହଞ୍ଚି ଶୁଭରାତ୍ରୀ ଜଣାଇବା ପାଇଁ ମୁଁ ପ୍ରସ୍ତୁତ ହେଉଥିଲା ବେଳେ ସେ ଅନୁରୋଧ କଲେ ଆଉ କିଛି ସମୟ ନଷ୍ଟ କରିବାକୁ‌‍ । ମୋର ଆପତ୍ତି ନଥିଲା । କାରଣ ଆମ ବୟହଷ୍ଟେଲରେ ପଶିବା ପାଇଁ କୌଣସି କଟକଣା ନଥିଲା-

 

ରେଣୁ ଅପା କହୁଥିଲେ—କଲେଜ ପରିବେଶଟା କୁଆଡ଼େ ଖୁବ୍ ରୋମାଣ୍ଟିକ୍ । ବିସ୍ତୀର୍ଣ୍ଣ ପଡ଼ିଆ ମଝିରେ ମୌନ ବରଗଛ ପରି ଟିଚିଂ ଡିପାର୍ଟମେଣ୍ଟ, ଏଡ଼ମିନିଷ୍ଟ୍ରେଟିଭ ବିଲ୍‌ଡ଼ିଂ ! କେମ୍ପସର ପୂର୍ବ ପଶ୍ଚିମରେ ଛଡ଼ା ଛଡ଼ା ଛାତ୍ର ଛାତ୍ରୀ ନିବାସ, ପୁଣି ମଝିରେ ଛ’ ତାଲା ଲାଇବ୍ରେରୀ, ବିଲ୍‌ଡ଼ିଂଟା ଆକାଶକୁ ଛୁଇଁଲା ପରି । ନିକଟରେ ଛୋଟ ଜଙ୍ଗଲ । ଜହ୍ନରାତିରେ ତାଙ୍କୁ କୁଆଡ଼େ ଖୁବ୍ ସୁନ୍ଦର ଲାଗେ କଲେଜ ପରିବେଶ । କିନ୍ତୁ କଡ଼ା କଟକଣା ଚାରିଆଡ଼େ । ତେଣୁ ରୁମ୍‌ରେ ରହି ଖୋଲା ଝରକାରେ କେମ୍ପସ୍‌ଟାକୁ ଦେଖିବାପାଇଁ ସେ ବାଧ୍ୟ ହୁଅନ୍ତି ଇତ୍ୟାଦି ଇତ୍ୟାଦି କେତେ କଥା……. ।

ତାଙ୍କଠାରୁ ତାଙ୍କର ଅନୁଭୂତି ଶୁଣି ସାରିଲା ପରେ ସଙ୍କୋଚରେ ମୁଁ ମନ୍ତବ୍ୟ ଦେଲି—ଆପଣ ଲିଟେରେଚର ଛାତ୍ରୀ, ଆପଣଙ୍କ ପାଖରେ ସାହାରାର ବାଲିରେ ବି ପ୍ରାଣ ଅଛି । ମୁଁ କିନ୍ତୁ ଏମିତି ଏକ ସ୍ଥାନରେ କଲେଜ ଖୋଲିବାର ଆବଶ୍ୟକତା ସମ୍ପର୍କରେ ଚିନ୍ତା କରୁଛି ।

ମୋ କଥାରେ ରେଣୁ ଅପା କେମିତି ଟିକେ ଆଘାତ ପାଇଲେ । ସେ ବୋଧହୁଏ ତାଙ୍କ ମୋ ଚିନ୍ତାଧାରାରେ କିଛିଟା ପାର୍ଥକ୍ୟ ଦେଖିଲେ । ତା’ ପରେ ଅଳ୍ପ ହସି କହିଲେ ତାଙ୍କ ରୁଚିର ପ୍ରଶଂସା ଭିତରେ ମୁଁ କୁଆଡ଼େ ନିଜ ସୌନ୍ଦର୍ଯ୍ୟ ପ୍ରିୟତାର ପ୍ରମାଣ ଦେଲି । ମୁଁ ଲଜ୍ଜିତ ହେଲି ।

ତା ପରେ ଆମେ ପରସ୍ପରକୁ ନିଜ ପାଖରେ ଚିହ୍ନା କରାଇଲୁ । ସେ ବିଶେଷ ଅନୁରୋଧ କଲେ ତାଙ୍କୁ ଆପଣ ନକହି ତୁମେ କହିବା ପାଇଁ । ମୁଁ ସ୍ୱୀକୃତି ଦେଲି । ରାତି ବେଶୀ ହୋଇ ଯାଇଥିଲା । ଶୁଭ ରାତ୍ରୀ ଜଣାଇ ହଷ୍ଟେଲକୁ ଫେରିଲି ।

ସେ ରାତିରେ ରେଣୁ ଅପାଙ୍କୁ କେନ୍ଦ୍ରକରି ଅନେକ ସମୟ ପର୍ଯନ୍ତ ମୁଁ ଶୋଇପାରି ନଥିଲି-। ରେଣୁ ଅପା ସମ୍ବଲପୁରର କେଉଁ କୋଣରୁ ଆସିଛନ୍ତି, ମୁଁ ବାଲେଶ୍ଵରର ନିପଟ ମଫସଲର ଲୋକ । ପୋଷ୍ଟଗ୍ରାଜୁଏଟ୍ ଷ୍ଟଡ଼ିର ଶେଷ ବର୍ଷରେ ତାଙ୍କର ଅନେକ ସହପାଠୀ ଥାଉ ଥାଉ ମୋତେ କାହିଁକି ବା ଶ୍ରଦ୍ଧା କଲେ । ମୁଁ କିଛି ବାଛବିଚାର ନକରି ସେ ରାତିରେ ଠିକ୍ କଲି ତାଙ୍କୁ ଅପା ଡାକିବି ବୋଲି । ସେ ଖୁସି ହେଇଥିଲେ ମୋ ସିଦ୍ଧାନ୍ତରେ ।

କ୍ରମେ ରେଣୁ ଅପା ମୋତେ ଏକାନ୍ତ ଆପଣାର କରି ନେଲେ । କ୍ଲାସ ସରିଲା ପରେ ପ୍ରଶସ୍ତ ରାସ୍ତାକଡ଼ର ଧାଡ଼ି ଧାଡ଼ି କୃଷ୍ଣ ଚୂଡ଼ା ଛାଇରେ ଆମେ ଘଣ୍ଟା ଘଣ୍ଟା ଆଳାପ କରୁ । ମୋର ଅବଶ୍ୟ ଭୟ କରିବାର କିଛି ନଥିଲା । ସେ ମୋର ସିନିଅର ରେଣୁ ଅପା ।

ରେଣୁଅପା ଲିଟରେଚର ଛାତ୍ରୀ । ତାଙ୍କ କଥାଗୁଡ଼ାକ ସବୁବେଳେ ମଣିଷ ଜୀବନ, ସାହିତ୍ୟ ଆଉ ତା’ର ସୌନ୍ଦର୍ଯ୍ୟବୋଧକୁ ନେଇ । ତା’ ପୂର୍ବରୁ ଝିଅ ଫିଅ ମାମଲା ମୋତେ ବଡ଼ ଅଡ଼ୁଆ ଲାଗେ । ମୁଁ ଜାଣି ଜାଣି ସେ ଧନ୍ଦାରେ ମୁଣ୍ଡ ପୁରାଏ ନା । ତା’ ଛଡ଼ା ମୁଁ ଜଣେ ବାସ୍ତବବାଦୀ ହିସାବରେ ପ୍ରେମ–ବିରହ ଇତ୍ୟାଦି ଖେଳକୁ ଘୃଣା କରେ । ବିବାହ ଗୋଟେ ଅନୁଷ୍ଠାନ ଜୀବନରେ-। ତେଣୁ ଅଳ୍ପ ବର୍ଷ ହେଉ ବରଂ ସେ କାମ ବଢ଼ାଇ ମୁଁ ନିଶ୍ଚିନ୍ତ ଥିଲି । କିନ୍ତୁ ରେଣୁ ଅପା ମୋ ମନଟାକୁ କେମିତି ଟିକେ ହାଲକା କରିବାକୁ ଚେଷ୍ଟା କଲେ । ପରେ ଜାଣିଲି ସେ କୁଆଡ଼େ ମୋ କଥା ଭିତରେ ପଥର ତଳେ ପାଣିର ସନ୍ଧାନ ପାଇଲେ । ତେଣୁ ଠିକ୍ ପ୍ରେମ ନୁହେଁ, (କାରଣ ମୁଁ ତାଙ୍କୁ ଅପା ବୋଲି ଭକ୍ତି କରୁଥିଲି) ମୋତେ ସେ କେମିତି ଶ୍ରଦ୍ଧା କରୁଥିଲେ ।

ଦିନେ କ୍ଲାସ ରୁମରେ ରେଣୁ ଅପାଙ୍କଠାରୁ ଖଣ୍ଡେ ଚିଠି ପାଇଲି । ସେଥିରେ ସେ ଲେଖିଥିଲେ ତାଙ୍କୁ ଶୀଘ୍ର ଭେଟିବାପାଇଁ । ମୁଁ ବାହାରକୁ ଗଲି ଏବଂ ଦେଖିଲି ତେଣୁ ଅପା କଲେଜ କେଣ୍ଟିନ୍‌ର ସାମ୍ନା କୃଷ୍ଣଚୂଡ଼ା ମୂଳରେ ବହିଗୁଡ଼ିକ ଛାତିରେ ଜାକି ଠିଆ ହୋଇଛନ୍ତି । ନିକଟକୁ ଗଲି । ସେ ଅଳ୍ପ ହସି କହିଲେ—ତମେ ନିଶ୍ଚୟ ବିରକ୍ତ ହେଇଥିବ ବିନୋଦ, ଡିଷ୍ଟର୍ବ କଲି ବୋଲି ।

ହଁ କହିଦେବା ପାଇଁ ରେଣୁ ଅପାଙ୍କ ମୁହଁରେ ଇଚ୍ଛା ହେଲାନି । କହିଲି—କିଛି ଅସୁବିଧା ହେଇନି । ହଁ, କାହିଁକି ଡାକିଥିଲେ ?

—ହଠାତ୍ କଣ ଏମିତି କହି ଦେବି ! ମୁଁ ଅପ୍ରତିଭ ହେଲି । ତା’ ପରେ ସେ କେଣ୍ଟିନ୍‌କୁ ନିମନ୍ତ୍ରଣ କଲେ କଫି ପାଇଁ । ଉଭୟ ସାମ୍ନାସାମ୍ନି ବସିଥିଲୁ ଗୋଟିଏ ଟେବୁଲ୍‌ରେ ।

ସେତେବେଳେ ଦିନ ଦୁଇଟା । ଅନ୍ୟ ବନ୍ଧୁମାନେ କ୍ଲାସ୍‌ ରୁମ୍‌ରେ । ଦି’ କପ୍‌ କଫି ଥୋଇ ଦେଇ ବୟ ଚଲିଗଲା ପରେ—ରେଣୁ ଅପା କଫି କପର କସରା ଫେଣରେ ପ୍ରଥମ ଚୁମ୍ବକ ଦେଲେ-। ମୁଁ ତାଙ୍କୁ ଅନୁକରଣ କଲି । ମୁଁ ଆଶ୍ଚର୍ଯ୍ୟ ହେଲି କୃଷ୍ଣଚୂଡ଼ା ମୂଳରୁ କେଣ୍ଟିନ୍‌ର ଟେବୁଲ୍‌ ଭିତରେ ରେଣୁ ଅପାଙ୍କର ବହୁତ ପରିବର୍ତ୍ତନ ହେଇଛି । ସେ ଅସ୍ଵାଭାବିକ ଭାବେ ଗମ୍ଭୀର । ମଝିରେ ମଝିରେ ମୁଁ ତାଙ୍କୁ ଥରେ ଲେଖା ଚାହୁଁଥିଲି ଖାଲି । ସେ ମୋ ମନକଥା ବୁଝିପାରିଲେ ବୋଧହୁଏ-। ହଠାତ୍ ଭାବ ପରିବର୍ତ୍ତନ କରି କହିଲେ—ଆରେ ନାଁ, କିଛି ନୁହେଁ; ଏଇ ଗୋଟେ କଥା ନେଇ ଚିନ୍ତା କରୁଥିଲି । ହଁ ବିନୋଦ ଆଜି ସଂଧ୍ୟାରେ ତମର କିଛି ଏନ୍‌ଗେଜମେଣ୍ଟ ଅଛି ?

ନାଁ, କାହିଁକି ?

ନାଁ, କିଛି ନୁହେଁ । ଏମିତି ପଚାରୁଥିଲି ।

କଫି ପର୍ବ ସରି ଯାଇଥିଲା । ସାଙ୍ଗ ହେଇ ପାନ ଦୋକାନକୁ ଆସିଲୁ । ସେ ଦୁଇଟି ବିଡ଼ିଆ ପାନ ବରାଦ କଲେ । ମୁଁ ପଇସା ପାଇଁ ପର୍ସ ଖୋଲିଲି ! ସାନ ହିସାବରେ ପଇସା ଦେବାର ଅଧିକାର ମୋର ନାହିଁ ବୋଲି ସେ ବାଧା ଦେଲେ । ତା’ପରେ ମୁଁ ପଚାରିଲି—

କଣ କାମ ଥିଲା ପରା ?

କାମ ! ସେ କେମିତି ଅନ୍ୟମନସ୍କ ହେଲେ ପୁଣି । କଥାବାର୍ତ୍ତା ଭିତରେ ଆମେ ତାଙ୍କ ହଷ୍ଟେଲ ସାମ୍ନାକୁ ଚାଲି ଆସିଲୁ । ମୋତେ ବଡ଼ ଅଡ଼ୁଆ ଲାଗିଲାଣି ସେତେବେଳେକୁ । କାରଣ ତାଙ୍କ ହଷ୍ଟେଲ ଆଗରେ ଛାତ୍ର ଭିଜିଲାନ୍‌ସ ସବୁବେଳେ । ମୁଁ ଆଉ ଅପେକ୍ଷା ନକରି କହିଲି—କଣ କହିବାର ଥିଲା କୁହନ୍ତୁ ।

ରେଣୁ ଅପା ହସିଲେ… ।

ଓହୋ, ତମେ ଖୁବ୍ ବ୍ୟସ୍ତ ହେଲଣି ବିନୋଦ । ହଁ, ମୁଁ ଆଜି ଖୁବ୍ ଅସୁସ୍ଥ । ତମର ଯଦି କିଛି ଆପତ୍ତି ନଥାଏ ଆସନ୍ତ ନାହିଁ ଟିକେ ଇଭିନିଂ ୱାକ୍‌ ପାଇଁ ।

କହିସାରି ମୋତେ କେମିତି ଗୋଟେ ଚାହିଁଲେ । ରେଣୁ ଅପା ଏମିତି କେବେ ଚାହିଁବାର ମୁଁ ଲକ୍ଷ୍ୟ କରିନି । ଯଦିଓ ସେମିତି ଚାହାଣୀ ଆଗରେ ମୁଁ କେବେ ଠିଆହେଇ ପାରେନା, ତଥାପି ସେଦିନ ଭଲ ଲାଗିଲା । ମୁଁ ମୋର ସ୍ୱୀକୃତି ଦେଇ ଫେରିଲି, ରେଣୁ ଅପା ତାଙ୍କ ହଷ୍ଟେଲ୍‌ ଗେଟ୍‌ ବନ୍ଦ କଲେ ।

ମୁଁ ଖରାବେଳେ ଶୋଇ ଶୋଇ ଚିନ୍ତା କରୁଥିଲି ରେଣୁ ଅପାଙ୍କ ସହିତ ଇଭିନିଂ ୱାକ୍ ! ନାଁ ଏମିତି ସେ ଟିକେ ସୌନ୍ଦର୍ଯ୍ୟପ୍ରିୟା ତ, ତାଙ୍କୁ ଆମ କଲେଜ କେମ୍ପସ୍‌ ରୋମାଣ୍ଟିକ୍‌ ଲାଗେ । ତା’ଛଡ଼ା ସେ ଆଜି ଯେ ଅସୁସ୍ଥ ।

କବାଟରେ ଠକ୍ ଠକ୍ ଶବ୍ଦ ଶୁଣି ମୁଁ ନିଦରୁ ଉଠିଲି । ପୋଷ୍ଟମେନ୍ ଚିଠି ଧରି ଠିଆ ହୋଇଛି । ଆଗ୍ରହରେ ଖୋଲିଲି, ମୋ ନବ ବିବାହିତା ସ୍ତ୍ରୀ ପ୍ରତିମା ଲେଖିଥିଲା—ମୁଁ ତା’ର ଖୁବ୍ ମନେ ପଡ଼ୁଛି । ବିଚାରୀ ମଫସଲ ଗାଁଟିରେ ଚାରିକାନ୍ଥର ସୀମା ଭିତରେ ଚୁ ଚୁ ଶବ୍ଦରେ କଥାବାର୍ତ୍ତାର ଇସାରା ଦେଉଥିବ I ମୁଁ ମନେ ପଡ଼ିବା ସ୍ଵଭାବିକ ତେଣୁ । ମୋର କିନ୍ତୁ ପ୍ରତିମା କଥା ବିଶେଷ ମନେ ପଡ଼େନି । ଯଦି କେବେ ପ୍ରତିମା ମନକୁ ଆସେ ତେବେ ଫ୍ରୟେଡ୍‍ଙ୍କ ସ୍ୱପ୍ନ ପରେ ବା ରାତିର କୌଣସି ନିର୍ଜନ ମୂହୁର୍ତ୍ତରେ ଯେତେବେଳେ ହଠାତ୍‌ ବିଛଣାରୁ ଉଠିପଡ଼ି ମୁଁ ଅନୁଭବ କରେ ମୋ ଦେହଟା ଅସମ୍ଭବ ଭାବେ ଥରୁଛି । ଅବଶ୍ୟ ଅନ୍ୟ ସମୟରେ ମୁଁ ପ୍ରତିମା କଥା ଭାବେ ସେ ମୋର ସ୍ତ୍ରୀ ।

 

ସଂଧ୍ୟା ଆସନ୍ନ ପ୍ରାୟ । ଧୁଆଧୋଇ ହେଇ ଢିଲା ପୋଷାକ ପିନ୍ଧିଲି । ଯେତେଦୁର ସମ୍ଭବ ଦେହଟାକୁ ପରିଷ୍କାର ଏବଂ ଆକର୍ଷଣୀୟ କରିବାକୁ ଚେଷ୍ଟାକଲି । ପ୍ରତିମାର ଚିଠିଟା ବିଛଣାରେ ପଡ଼ିଛି—ମୁଁ ତା’ର ଖୁବ୍ ମନେ ପଡ଼ୁଛି । ରୁମ୍‌ରେ ଚାବିଦେଲି ।

 

ରାସ୍ତାର ଆଲୋକ ସବୁ ଜଳିଲେଣି । ବହୁତ ଆଗରୁ ରେଣୁ ଅପା ମୋତେ ଅପେକ୍ଷା କରିଥିଲେ ବୋଧହୁଏ । ହଠାତ୍ କହି ପକେଇଲେ—

 

ଆରେ ଏତେ ଡେରି କାହିଁକି ? ମୁଁ କୈଫିୟତ ଦେବା ପୂର୍ବରୁ ମଝିରେ ସେ ହସ୍ତକ୍ଷେପ କଲେ—ଥାଉ, ଗୁଡ଼ାଏ ବାଜେ କଥା କୁହନା ।

 

ଆମେ ଆଗକୁ ଚାଲିଥିଲୁ । ମାଷ୍ଟ୍ରଙ୍କ ଅଙ୍କ ବୁଝାରେ ବାଧ୍ୟ ଚାହାଳୀ ଶିଶୁର ‘ହଁ’ ପରି ରେଣୁ ଅପାଙ୍କ କଥାରେ ମୁଁ ହଁ ମାରୁଥିଲି । ସେ ନିଜେ ଅନ୍ୟମନସ୍କ ଥିବାରୁ ମୋ ଭାବଟା ଧରି ପାରୁ ନଥିଲେ । ଆମେ ଚାଲୁଥିଲୁ ।

 

ମୁଁ ଲକ୍ଷ୍ୟ କଲି ଆମେ କଲେଜ କେମ୍ପସ୍‌ଠାରୁ ଢେର୍‌ ଦୂରକୁ ଚାଲିଆସିଛୁଁ । ରେଣୁ ଅପା ମୋ ମନକଥା ଜାଣି ପାରିଲେ । ମୋ ହାତକୁ ଜୋର କରି ଝିଙ୍କିଦେଲେ….

 

ଆରେ ଏମିତି ପିଲାଙ୍କ ପରି କଣ ହଉଛ ! ସବୁବେଳେ ଏ ସରାଉଣ୍ଡିଂରେ ବୋରିଂ ଲାଗୁନି ? ଏଇ ଜଙ୍ଗଲଆଡ଼େ ଟିକେ ବୁଲି ଆସିବା । କେମିତି ହେବ ? ମୁଁ ନୀରବ ରହିଲି । ରେଣୁଅପାଙ୍କ ମୁହଁରେ ଲଘୁ ପରିହାସ—

 

ଓ ଭୟ ଲାଗୁଛି, ବାଘ ଖାଇଦବ, ନୁହେଁ । ନାଇଁମ, ପାଖରେ ମୁଁ ଅଛି । ବାଘ ଖାଇବ ନାହିଁ । ଚାଲ ।

 

ମୁଁ ଚାଲିଲି ।

 

କେମ୍ପସ୍ ପାଖ ଜଙ୍ଗଲରେ ଯେ ବାଘ ଅଛନ୍ତି ଏକଥା ମୁଁ କେବେ ବିଶ୍ୱାସ କରେ ନାହିଁ । ତେବେ ସିନିଅର ହେଲେ ବି ଏମିତି ଏକ ସ୍ଥାନରେ ସଂନ୍ଧ୍ୟା କଟେଇବା ମୋ ପାଇଁ କେମିତି ଅସ୍ୱସ୍ତିକର । ମୋ ଚିନ୍ତାର ପରିସର ସେତେବେଳେ ସ୍ଵାଭାବିକ ଦୁନିଆ ଠାରୁ ଢେର ଦୂରରେ ।

 

ରେଣୁ ଅପା ଆଗରୁ ଗୋଟେ ସ୍ଥାନ ଠିକ୍ କରିଥିଲେ ବୋଧହୁଏ । ଚାରି ପାଖରେ ଲଟା ଆଉ ଛୋଟ ବୁଦାମାନଙ୍କର ଘନତା; ମଝିରେ ସବୁଜ ଘାସର ଛୋଟ ଚଟାଣ । ଆକାଶରେ କାଳିଜହ୍ନ । ଛାଇ ଛାଇ ପରିବେଶ । ଆମେ ବସିଲୁ । ସେତେବେଳେ ରେଣୁ ଅପାଙ୍କୁ ମୁଁ ପରିଷ୍କାର ଦେଖିଲି । ରେଣୁଅପା ତାଙ୍କ ରିଫାଇନ୍‌ଡ଼ ରୁଚିର ପରିଚୟ ଦେବାକୁ ଚେଷ୍ଟା କରିଛନ୍ତି । ଧଳା ପରିଧାନ, ଅଳ୍ପ କସ୍‌ମେଟିକ୍‌, ଗୋଲ ଧଳା ହାତରେ ନାଲି ଏବଂ କଳା କାଚରୁ କିଛି କିଛି । ଉଭୟ ନୀରବ ।

 

ରେଣୁ ଅପା ଆରମ୍ଭ କଲେ—

 

ତମେ କି ଲିଟରେଚର ପଢ଼ିଛ ? ମୁଁ ଅଡ଼ୁଆରେ ପଡ଼ିଲି । (ପ୍ରକାଶ ଥାଉକି ସେତେବେଳେ କଲିକତି ସଂସ୍କରଣର କେତେ ଖଣ୍ଡ ଶସ୍ତା ନଭେଲ ଛଡ଼ା ମୁଁ ଆଉ କିଛି ପଢ଼ି ନଥିଲି) ମୋର ଅସହାୟତା ଅନୁଭବ କରି ରେଣୁଅପା ଆରମ୍ଭ କଲେ, ବୈଷ୍ଣବ ସାହିତ୍ୟ ଆଉ ସହଜ ସାଧକମାନଙ୍କ କଥା । ସେ ଅନର୍ଗଳ କହି ଚାଲିଥିଲେ କେମିତି ବୈଷ୍ଣବ ଚିନ୍ତାଧାରାରେ ସହଜ ସାଧନାର ଚିତ୍ର ସ୍ପଷ୍ଟ । ସ୍ତ୍ରୀ ଏବଂ ପୁରୁଷ ଦୁଇଟି ଶକ୍ତି, ସେମାନଙ୍କ ମିଳନ ଅଦ୍ୱୈତ ଏବଂ ଏକ ଆଧ୍ୟାତ୍ମିକ ବାର୍ତ୍ତା । ସେମାନଙ୍କଠାରେ ଦ୍ୱୈତର କଳ୍ପନା ବରଂ ଭୁଲ । ରେଣୁଅପା ଇଂରେଜୀ ସାହିତ୍ୟର ଛାତ୍ରୀ, ଅଥଚ ଓଡ଼ିଶାର ତତ୍ତ୍ଵ ଗୁଡ଼ାକ କାହିଁକି ଯେ କହୁଛନ୍ତି ମୁଁ କିଛି ବୁଝି ପାରୁ ନଥିଲି । ସେ ହୁଏତ ଚେଷ୍ଟା କରିଥିଲେ ‘ଦି ଏଜ୍‌ ଅଫ୍ ଚସ୍’ର ବା’ ଭିକ୍‌ଟୋରିଆନ ଏଜ୍‌’ର ସାହିତ୍ୟକ ଧାରା ସଂପର୍କରେ ମୋତେ କିଛି କହିପାରିଥାନ୍ତେ । ତଥାପି ମୁଁ ଅନୁମାନ କରୁଥିଲି ବୋଧହୁଏ ନିଜକୁ ପ୍ରକାଶ କରିବା ପାଇଁ । ରେଣୁଅପା ଏସବୁକୁ ମାଧ୍ୟମ ହିସାବରେ ଗ୍ରହଣ କରୁଥିଲେ ।

 

ରେଣୁଅପା କ୍ରମେ ହୁଗୁଳା ହେଇ ଯାଉଥିଲେ । ଜାଣି ଜାଣି କେମିତି ଅସଂଯତ ହୋଇ ପଡ଼ୁଥିଲେ ସେ । ସେତେବେଳେ ଭସା ମେଘରେ ଜହ୍ନ ଲୁଚି ଯାଇଥିଲା ପ୍ରାୟ । କାଳି ଅନ୍ଧାରରେ ମୁଁ ଶୁଣିପାରୁଥିଲି କୌଣସି ବୁଦା ମୂଳରୁ ବାଘର ହେଣ୍ଟାଳ । ମୁଁ ଦେଖିପାରୁଥିଲି ବାଘ ଥାବାର ତୀକ୍ଷ୍‌ଣ ନଖ, ତା’ର ଗୋଜିଆ ଗୋଜିଆ ଦାନ୍ତ ଆଉ ଲାଲଜିଭଟା । ସେ ଲାଞ୍ଜ ପିଟି ଶିକାର ଅପେକ୍ଷାରେ.. । ମୁଁ ଖୁବ୍‌ ଡରିଯାଉଥିଲି । ମୋ କଣ୍ଠ ରୁଦ୍ଧ ହେଇଗଲା, ତଥାପି ରେଣୁ ଅପାଙ୍କୁ ଡାକୁଥିଲି ।

 

କିଛି ସମୟ ପରେ ଆକାଶରେ ଜହ୍ନ ଆସିଲା । ବୁଦା ମୂଳେ ଠେକୁଆମାନେ ଡେଇଁ ଡେଇଁ ଚାଲୁଥିଲେ । ଆମେ ଉଠିଲୁ । ରେଣୁଅପା କିଛି କହୁ ନଥିଲେ ।

 

ମୋ ରୁମ୍‌ରେ ପ୍ରତିମାର ଚିଠିଟା ସେମିତି ପଡ଼ିଥିଲା—ମୁଁ ତା’ର ମନେ ପଡ଼ୁଛି ଭାରି । କି ଗୋଟ ଆବେଗରେ ମୁଁ ଚିଠିଟାକୁ ବାରମ୍ଵାର ଚୁମା ଦେଲି ।

 

ତା’ପରଠାରୁ କଲେଜରେ ରେଣୁ ଅପାଙ୍କୁ ଚାହିଁ ପାରିଲି ନାହିଁ ଆଉ । ସେ ବି ଯେମିତି ଜାଣି ଜାଣି ମୋ ସହିତ କଥା ହେବାକୁ ଚାହିଁଲେ ନାହିଁ । ରେଣୁ ଅପା ଅଦ୍ଭୁତ ।

 

ମୁଁ ପ୍ରକୃତିସ୍ଥ ହେଲି । ବାହାରେ ମେଘର ପ୍ରକୋପ କମିନି ଆହୁରି ।

 

ରେଣୁ ଅପାଙ୍କ ରେଡ଼ିଓରେ କମ୍ ସେପ୍‌ଟେମ୍ବର ଟିଉନିଂ ଆସୁଛି । ମୁଁ ରେଡ଼ିଓ ଖୋଲିଲି–ଫ୍ଲୁଟ୍‌ରେ ସ୍ୱର ତୋଳୁଛି କୌଣସି କଳାକାର । ମୋର ଇଚ୍ଛା ହେଉଥିଲା ‘କମ୍ ସେପ୍‌ଟେମ୍ବର’ ଆଉ ଏ ଫ୍ଲୁଟ୍‌ର ସ୍ୱର ମିଶି ଏକାକାର ହେଇଯାନ୍ତେ । ତଥାପି ରେଣୁ ଅପାଙ୍କ ଝରକାରେ ଫ୍ଲୋରସେଣ୍ଟ ଆଲୋକ । ସେ ଏ ଯାଏ ଶୋଇ ନାହାନ୍ତି ।

 

ଏତେ ନିକଟରେ, ଅଥଚ ମୋତେ ଦେଖିଲେ ରେଣୁ ଅପା ବିରକ୍ତ ହୋଇଯାନ୍ତି । ସେ ବର୍ତ୍ତମାନ ଷ୍ଟେଟସ୍‌ କନ୍‌ସସ୍‌ । କଲେଜ କେମ୍ପସ ଆଉ ଜଙ୍ଗଲର ରୋମାଣ୍ଟିକ୍‌ ପରିବେଶ କଥା କହିବାକୁ ଇଚ୍ଛା ହୁଏ । କିନ୍ତୁ ତା’ର ପୁନରାବୃତ୍ତିର ଭୟରେ ସେ ମୋତେ ବିଶେଷ ନ ଜାଣିଥିବାର ଛଳନା କରନ୍ତି । ଏବେ ଧଳା ଶାଢ଼ୀ ପିନ୍ଧି ତାଙ୍କ ସାତ୍ତ୍ଵିକତାର ପ୍ରମାଣ ଦେବାକୁ ଚେଷ୍ଟା କରୁଛନ୍ତି ରେଣୁ ଆପା !!

 

ରେଣୁ ଅପା କବାଟ ଖୋଲିଲେ ବୋଧହୁଏ । ହଁ ବାହାରେ ତାଙ୍କର ଚପଲ ଶବ୍ଦ । ମୁଁ ବି ବାହାରକୁ ଯାଇ ପାରନ୍ତି । କିନ୍ତୁ ମୋ ଦେହଟା ଭୀଷଣ ଥରୁଛି । ତାଙ୍କୁ ବାରଟା ରାତିରେ ଦେଖା କରିବା ନ କରିବା ଦ୍ୱନ୍ଦ୍ୱ ଭିତରେ ମୁଁ କବାଟ ଖୋଲିଲି । ରେଣୁ ଅପା କରିଡ଼ୋର୍‌ରେ ଠିଆ ହେଇ ବର୍ଷଣ ରାତିଟାକୁ ଉପଭୋଗ କରୁଛନ୍ତି । ସ୍ୱାମୀ ତାଙ୍କର ଦଣ୍ଡକାରଣ୍ୟ ପ୍ରୋଜେକ୍‌ଟରେ ।

 

ମୁଁ ଧୀରେ ଧୀରେ ଯାଇ ତାଙ୍କ ନିକଟରେ ଠିଆହେଲି । ମୋର ମନେ ହେଉଥିଲା ସେ ଇଂରାଜୀ ସାହିତ୍ୟର ଶେଷ ବର୍ଷର ଛାତ୍ରୀ । ମୋ ପାଦ ଶବ୍ଦରେ ସେ ବୁଲି ପଡ଼ି ଚାହିଁଲେ । ଖୁବ୍‌ ବିରକ୍ତ ହେଇଗଲେ—କୌଣସି ଭଦ୍ର ମହିଳା ଏକୁଟିଆ ଥିଲାବେଳେ ଆପଣଙ୍କ ଆସିବାଟା ନିହାତି ଅଭଦ୍ରାମୀ ? ରେଣୁ ଅପା ଜୋର କରି କବାଟ ବନ୍ଦ କଲେ । ମୁଁ ରୁମକୁ ଫେରିଲି । ମତେ ଲାଗିଲା ତାଙ୍କ ‘କମ୍‌ ସେପ୍‌ଟେମ୍ବର’ ଆଉ ମୋ ଫ୍ଲୁଟର୍‌ ସ୍ୱର ଇଥରର କୌଣସି ସ୍ତରରେ ମିଶି ଏକ ହେଇ ଯାଉଛି ।

 

ମୁଁ ଶୋଇବାକୁ ଚେଷ୍ଟା କଲି... । ଏମିତି କିଏ ଶୋଇପାରେ ମ !

Image